Unknown

 

 

 

 

 

 

 

 

 

ଯୁଗଳ ମଠ

ଚିନ୍ତାମଣି ମହାନ୍ତି

 

ସୂଚୀପତ୍ର

 

୧.

ପ୍ରଥମ ପରିଚ୍ଛେଦ

ଗୋପାଳପୁର ମଠ

୨.

ଦ୍ୱିତୀୟ ପରିଚ୍ଛେଦ

ମହନ୍ତଙ୍କର ଚେଲା

୩.

ତୃତୀୟ ପରିଚ୍ଛେଦ

ପାଠୋନ୍ନତି

୪.

ଚତୁର୍ଥ ପରିଚ୍ଛେଦ

ମହନ୍ତଙ୍କର ତିରୋଧାନ ଓ ନୂତନ ମହନ୍ତ

୫.

ପଞ୍ଚମ ପରିଚ୍ଛେଦ

ଭିକାରୀ ମଳିକ

୬.

ଷଷ୍ଠ ପରିଚ୍ଛେଦ

ପଦୀ

୭.

ସପ୍ତମ ପରିଚ୍ଛେଦ

ହଳଧର ଦାସ

୮.

ଅଷ୍ଟମ ପରିଚ୍ଛେଦ

ଭୁବନୀ ମହାନ୍ତି

୯.

ନବମ ପରିଚ୍ଛେଦ

ରାଜା ରୁଦ୍ରପ୍ରତାପ ସିଂହ

୧୦.

ଦଶମ ପରିଚ୍ଛେଦ

ରାଜ ସମୀପକୁ ପଞ୍ଚାୟତମାନଙ୍କର ଆଗମନ

୧୧.

ଏକାଦଶ ପରିଚ୍ଛେଦ

ପଞ୍ଚାୟତମାନଙ୍କର ମନ୍ତ୍ରଣା ଏବଂ ମହନ୍ତଙ୍କର ଅବସ୍ଥା

୧୨.

ଦ୍ୱାଦଶ ପରିଚ୍ଛେଦ

ପଦୀର ମଠତ୍ୟାଗ

୧୩.

ତ୍ରୟୋଦଶ ପରିଚ୍ଛେଦ

ନୂତନ ମହନ୍ତ ନିଯୁକ୍ତି

୧୪.

ଚତୁର୍ଦ୍ଦଶ ପରିଚ୍ଛେଦ

ଗଦୀଚ୍ୟୁତ ମହନ୍ତ ଓ ପଦୀର ଅନ୍ତର୍ଦ୍ଧାନ

୧୫.

ପଞ୍ଚଦଶ ପରିଚ୍ଛେଦ

ପରିଣାମ

Image

 

ପ୍ରଥମ ପରିଚ୍ଛେଦ

ଗୋପାଳପୁର ମଠ

 

ଆଜି ଗୋଟିଏ ବହୁଦିନର ଶ୍ରୂତିପୂର୍ବ ଲୁପ୍ତୋନ୍ମୁଖୀ ଘଟଣା ଅର୍ଦ୍ଧବିସ୍ମୃତ ପୁରାତନ ସ୍ୱପ୍ନସ୍ମୃତି ତୁଲ୍ୟ ହୃଦୟର ଅନ୍ତରାଳରେ ଲୁଚକାଳି ଖେଳି ବୁଲୁଅଛି । ପକ୍ଷୀ ଯେପରି ବେଳେବେଳେ ନଦୀ ତୀରବର୍ତ୍ତୀ ବୃକ୍ଷଶାଖାରେ ଉଡ଼ି ବସି ଜଳ ଦର୍ପଣରେ ଅସ୍ପଷ୍ଟରେ ଆତ୍ମପ୍ରକାଶ କରେ, ଏ ଘଟଣା-ବିହଗୀ କାହିଁକି କେଜାଣି ହୃଦୟ ସରୋବର କୂଳସ୍ଥ ସ୍ମୃତି-ପାଦପରେ ଆଜି ସେହିପରି ବାରମ୍ବାର ଉଡ଼ିଆସି ବସି ଯାଉଅଛି । ଘଟଣାଟି ଯଥାର୍ଥ କି କଳ୍ପନାପ୍ରସୂତ, ତାହା ମୋର ପରିଜ୍ଞାତ ନୁହେଁ । ତଥାଚ ‘ଯଥା ଶ୍ରୂତଂ ତଥା ଲିଖିତଂ’ ପ୍ରବଚନର ଅନୁସୃତି ଧରି ଲେଖିବାରେ ପ୍ରବୃତ୍ତ ହେଲି ।

 

ଗୋପାଳପୁର ମଠର ଯେପରି ନାମ ଡାକ, ମଠାଧିଷ୍ଠାତା ଦେବତା ରଘୁନାଥ ମଧ୍ୟ ସେହିପରି ପ୍ରତାପୀ । ଚିରକୌମାର ବ୍ରତାବଲମ୍ବୀ ବ୍ୟତୀତ ବିବାହିତ ପୁରୁଷର ଉକ୍ତ ମଠରେ ମହନ୍ତ ହେବାର ବିଧି ନାହିଁ । ଏଣୁ ସମସ୍ତେ ମଠଟିକୁ ନିଅଙ୍ଗୀ ମଠ ବୋଲି କହନ୍ତି । ସ୍ଥୂଳତଃ ଗୋପାଳପୁର ମଠ ସାଧାରଣରେ ନିଅଙ୍ଗୀ ମଠ ନାମରେ ପରିଚିତ । ଗଡ଼ମଣ୍ଡଳ ନରପତିଙ୍କ ପୂର୍ବ ପୁରୁଷମାନେ ମଠ ଅଧୀନରେ ବିପୁଳ ଭୂସମ୍ପତ୍ତ ଖଞ୍ଜି ଦେଇ ଯାଇଅଛନ୍ତି । ସେଥିର ଆୟରେ ଠାକୁରଙ୍କର ବାର ପୂନେଇ, ତେର ଯାତ୍ରା ଏବଂ ଅଭ୍ୟାଗତ ସେବା ନିର୍ବାହିତ ହୁଏ । ଏହି ସମସ୍ତ କାର୍ଯ୍ୟ ପରିଚାଳନ ସକାଶେ, ମଠରେ ଜଣେ ମହନ୍ତ ଅଛନ୍ତି । ମଠର ବାର୍ଷିକ ଆୟ ପ୍ରାୟ ୧୫ ହଜାର ଟଙ୍କା ।

 

ବର୍ତ୍ତମାନ ମହନ୍ତ ରାମାନୁଜ ଦାସ ଜଣେ ୠଷିପ୍ରକୃତିକ ବ୍ୟକ୍ତି । ବୟସ ପ୍ରାୟ ଶତାଧିକ; ମାତ୍ର ଆକୃତିରୁ ଏତେ ଅଧିକ ବର୍ଷ ବୋଲି ଜଣାଯାଏ ନାହିଁ । ଗ୍ରାମର ଷାଠିଏ ବର୍ଷୀୟ ବୁଢ଼ାମାନେ କହନ୍ତି, ଆମ୍ଭେମାନେ ପିଲାକାଳରୁ ମହନ୍ତ ମହାରାଜଙ୍କୁ ଏହିପରି ଦେଖି ଆସୁଅଛୁଁ । ତାଙ୍କ ରୂପ ବା ଆକୃତିରେ କୌଣସି ବୈଲକ୍ଷଣ୍ୟ ଘଟିନାହିଁ । ରୂପ ଠିକ୍‌ ତମ୍ବା-ପତ୍ର ପରି ଜ୍ୟୋତିଃଶୀଳ । ଦେଖିଲେ ବୋଧହୁଏ, ଯେପରି କରୁଣା-କିରଣ-ଧାରା ସର୍ବାଙ୍ଗରୁ ଝରି ପଡ଼ୁଅଛି । ନେତ୍ରଦ୍ୱୟ ବିଶାଳ ଏବଂ ଉଜ୍ଜ୍ୱଳ, ଯେମନ୍ତ କି ପୁଣ୍ୟ ଗୃହରେ ଶାନ୍ତି ପ୍ରୀତି ପ୍ରଦୀପଦ୍ୱୟ ସ୍ନିଗ୍‌ଧ ଶୀତଳ ଆଲୋକ ବିକୀରଣପୂର୍ବକ ପ୍ରଜ୍ୱଳିତ ହେଉଅଛି । ବିଶାଳ ଲଲାଟରେ ସଂଯମର ଅମୃତ ମୁଦ୍ରା ମୁଦ୍ରିତ । ମୁଖରେ ସର୍ବଦା ସ୍ମିତ ହାସ୍ୟ । ସେହି ହାସ୍ୟରେ ସନ୍ତୋଷସୁଧା ବୋଳା ହେଲାପରି ବୋଧହୁଏ । ପାର୍ଥିବ ବିଭବରେ ଆକଣ୍ଠ ନିମଗ୍ନ ରହି ସୁଦ୍ଧା ମହନ୍ତ ସର୍ବଦା ନିର୍ଲିପ୍ତ । ମହନ୍ତଙ୍କର କୌପୀନ ମାତ୍ର ସମ୍ବଳ । ତାହା ଉପରେ ଖଣ୍ଡିଏ ଗୈରିକ ବସନର ଆବରଣ । ହୃଦୟ ଅନନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହେଲେହେଁ ସ୍ୱଭାବ ବାଳକୋଚିତ ସରଳ ଏବଂ ମଧୁର । ବାସ୍ତବରେ ଜଗତରେ ଯେଉଁମାନେ ଯେଉଁ ପରିମାଣରେ ଜ୍ଞାନୀ, ଶିଶୁ ସ୍ୱଭାବ ସେହିମାନଙ୍କର ସେହି ପରମାଣରେ ପ୍ରବଳ-। ମହନ୍ତଙ୍କୁ କେବେ କେହି କ୍ରୁଦ୍ଧ ହେବାର ଦେଖିନାହାନ୍ତି । ଯେ ଶୀତଳ ସେ ସ୍ୱଭାବଶୀତଳ, ଉଷ୍ଣତା ତାହାର କୌଣସି କାଳରେ ଧର୍ମ ନୁହେଁ । ଉଷ୍ଣ ବାୟୁ ସ୍ପର୍ଶରେ କରକା ଶୀତଳ ହୋଇ କହିଯାଏ, ମାତ୍ର କଦାଚ ଉଷ୍ଣ ହୁଏ ନାହିଁ । ମଠଟି ନିର୍ଜନ ସ୍ଥାନରେ ଅବସ୍ଥିତ । ସେଠାକୁ ସଂସାର-ନେମୀ ଘର୍ଷଣର ଶ୍ରୁତିବଜ୍ରାୟନ କର୍କଶ ଶବ୍ଦ ଶ୍ରୁତିଗୋଚର ହୁଏ ନାହିଁ କିମ୍ବା ଘଟଣା ଘାତ ପ୍ରତିଘାତର ଭାଷଣ ସ୍ପନ୍ଦନ ଅନୁଭୂତ ହୁଏ ନାହିଁ । ମହନ୍ତ ଅଧିକାଂଶ ସମୟ ଯୋଗ ସାଧନାରେ ଅତିବାହିତ କରନ୍ତି । ଅବଶିଷ୍ଟ ସମୟ ଦେଶସେବା ଓ ଶାସ୍ତ୍ରାଲୋଚନାରେ ବ୍ୟୟିତ ହୁଏ । ପ୍ରଶସ୍ତି-ମୋଦକ ସେବନ କିମ୍ବା ଯଶୋମାଲ୍ୟ ଭୂଷଣରେ ସର୍ବଦା ତାଙ୍କର ଅରୁଚି । ସାଧୁମାନେ ଆତ୍ମଗୌରବକୁ ବିଷବତ୍‌ ଘୃଣା କରନ୍ତି । ଆତ୍ମ ଗୌରବ ସେମାନଙ୍କ ନିକଟରେ ଅପମାନ ତୁଲ୍ୟ । ମହନ୍ତ ବିନୟୀ, ଧୈର୍ଯ୍ୟବାନ୍‌ ଏବଂ ମିଷ୍ଟଭାଷୀ । ସ୍ଥୂଳତଃ ସାଧୁ ମହାପୁରୁଷଙ୍କର ଯେଉଁସବୁ ସଦ୍‌ଗୁଣ ଥିବାର ଉଚିତ, ତାହା ତାଙ୍କର ପୂର୍ଣ୍ଣ ମାତ୍ରାରେ ଥିଲା । ଆଉ ଦୀର୍ଘ ଦଶ କ୍ରୋଶ ମଧ୍ୟରେ ଯେତେ ମଠ ଅଛି, ସେଥିର ମହନ୍ତମାନେ ରାମାନୁଜଙ୍କଠାରୁ ଟୀକା ନ ନେଇ ଗାଦିରେ ବସି ପାରନ୍ତି ନାହିଁ; ଏଣୁ ସମସ୍ତେ ତାହାଙ୍କୁ ବଡ଼ ମହନ୍ତ ବୋଲି କହନ୍ତି ।

 

ବର୍ଷ ମଧ୍ୟରେ ମଠରେ ଚାରିଥର ବିରାଟ ମହୋତ୍ସବ ହୁଏ । ଚତୁଃପାର୍ଶ୍ୱବର୍ତ୍ତୀ ୨୦।୨୫ ଖଣ୍ଡ ଗ୍ରାମରୁ ଲୋକେ ଆସି ପ୍ରସାଦ ସେବା କରନ୍ତି । ମଠ ଏବଂ ମହନ୍ତଙ୍କ ପ୍ରତି ସାଧାରଣଙ୍କର ଭକ୍ତି ଏବଂ ବିଶ୍ୱାସ ଅଖଣ୍ଡ । ଏମନ୍ତ କି ବାଡ଼ିର ପ୍ରଥମ ଫଳ ମଠକୁ ନ ଦେଇ କେହି ବ୍ୟବହାର କରନ୍ତି ନାହିଁ । ଅହୋ, ପଲ୍ଲୀବାସୀଙ୍କର କି ସରଳ ଧର୍ମବିଶ୍ୱାସ । ଆଜିକାଲିର ଶିକ୍ଷିତ ଲୋକ ହୋଇଥିଲେ ବାଗବଗିଚାର ଉତ୍କୃଷ୍ଟ ଫଳ ମୂଳାଦି ନିଜର ଉଦର ସକାଶେ ନତୁବା ପ୍ରଭୁ ପୂଜା ସକାଶେ ଉତ୍ସର୍ଗ କରନ୍ତେ । ଧର୍ମର ମାହାତ୍ମ୍ୟ ଉଚ୍ଚ ଶ୍ରେଣୀର ଭକ୍ତହୃଦୟରେ ଏବଂ ନିମ୍ନ ଶ୍ରେଣୀର ଅଶିକ୍ଷିତ ହୃଦୟରେ ଯେ ରୂପ ପ୍ରବଳ, ଶିକ୍ଷିତ ଆଖ୍ୟାଧାରୀ ମଧ୍ୟମ ଶ୍ରେଣୀୟ ହୃଦୟରେ ସେ ରୂପ ନୁହେଁ । ଏଣୁ କଥାରେ କହନ୍ତି ‘‘ଦୃଢ଼ ତରେ କି ମୂଢ଼ ତରେ, ମଝିମଝିକିଆ ବୁଡ଼ି ମରେ ।’’ ମଠର ଦେବ ନୀତି ନିର୍ବାହ, ଅତିଥି ଅଭ୍ୟାଗତ ସେବା ପରେ ଯେଉଁ ଅର୍ଥ ଉଦ୍‌ବୃତ୍ତ ହୁଏ, ତାହା ଅକ୍ଷମପାଳନ, ଦରିଦ୍ର ରୋଗୀର ଶୁଶ୍ରୂଷା ଏବଂ ସାଧାରଣ ଶିକ୍ଷା କାର୍ଯ୍ୟରେ ବ୍ୟୟିତ ହୁଏ । ନିକଟବର୍ତ୍ତୀ ଗ୍ରାମମାନଙ୍କରେ ରୋଗ ପ୍ରବଳ ହୁଏ । ନିକଟବର୍ତ୍ତୀ ଗ୍ରାମମାନଙ୍କରେ ରୋଗ ପ୍ରବଳ ସମୟରେ ମହନ୍ତଙ୍କୁ ଔଷଧ ଧରି ଦ୍ୱାରେ ଦ୍ୱାରେ ବୁଲିବାର ଦେଖାଯାଏ । ମହନ୍ତଙ୍କ ଶିଷ୍ୟ ଅନେକ-। ସେମାନଙ୍କଠାରୁ ଯାହା ବାର୍ଷିକ ମିଳେ, ତାହା ବାର୍ଷିକ ବୈଷ୍ଣବ ପଙ୍ଗତରେ ଲାଗେ । ବଳି ପଡ଼ିଲେ ନିରୁଦକ ସ୍ଥାନରେ କୂପ ପୁଷ୍କରିଣୀ ଖନନ ଏବଂ ଦେବାଳୟ ପ୍ରଭୃତି ସଂସାରରେ ବ୍ୟୟିତ ହୁଏ । କି ମଠର ଆୟ କି ସ୍ୱୋପାର୍ଜିତ କାହିଁରୁ କଡ଼ାଏ ମାତ୍ର ଅପବ୍ୟୟ ହୁଏ ନାହିଁ । ମହନ୍ତ ମହାରାଜ ସେ ବିଷୟରେ ବଡ଼ ଜାଗ୍ରତ । ପ୍ରଜାମାନେ ମଠକୁ ଖଜଣା ଦେବାକୁ ଆସିଲେ ମହନ୍ତ ସେମାନଙ୍କୁ ପ୍ରସାଦ ସେବା ନ କରାଇ ଛାଡ଼ନ୍ତି ନାହିଁ । ପିତା ପୁତ୍ରକୁ ସ୍ନେହ କଲା ପରି ଆଗରେ ବସି ତୃପ୍ତି ପୂର୍ବକ ଆହାର କରନ୍ତି ।

Image

 

ଦ୍ୱିତୀୟ ପରିଚ୍ଛେଦ

ମହନ୍ତଙ୍କର ଚେଲା

 

କେତେକ ବର୍ଷ ପୂର୍ବରେ ଜଣେ ବିପତ୍ନିକ ଗୃହଶୂନ୍ୟ ଦରିଦ୍ର ବ୍ରାହ୍ମଣ ଗୋଟିଏ ଶିଶୁପୁତ୍ର ସହ ମଠରେ ଆଶ୍ରୟ ନେଇଥିଲା । ବ୍ରାହ୍ମଣଟି ବର୍ଣ୍ଣଜ୍ଞାନଶୂନ୍ୟ; ସୁତରାଂ ପୂଜା ଅର୍ଚ୍ଚନା କାର୍ଯ୍ୟର ଅଯୋଗ୍ୟ ଜାଣି ମହନ୍ତ ବାବାଜି ତାକୁ ଫୁଲ, ତୁଳସୀ ତୋଳା, ଚନ୍ଦନ ଘୋରା ପ୍ରଭୃତି ଦେବଟହଲରେ ନିଯୁକ୍ତ କରିଥିଲେ ଏବଂ ପିତାପୁତ୍ରଙ୍କ ସକାଶେ ଦୁଇଓଳି ଦୁଇ ପାର୍ଶ୍ୱ ଭୋଗ ଖଞ୍ଜି ଦେଇଥିଲେ; ପୁତ୍ରଟି ସୁଦ୍ଧା ପିତାର କର୍ତ୍ତବ୍ୟରେ ସହାୟତା କରୁଥିଲା । ମାତ୍ର ଦୁର୍ଭାଗ୍ୟକ୍ରମେ ବାଳକଟି ନବମ ବର୍ଷରେ ପଦାର୍ପଣ ନ କରୁଣୁ ବ୍ରାହ୍ମଣ ଜ୍ୱରାକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପତିତ ହେଲା । ବର୍ତ୍ତମାନ ଅନାଥ ବାଳକଟିର ମହନ୍ତ ଏକମାତ୍ର ଭରସା । ସେ ମଧ୍ୟ ତାହାକୁ ଅତି ଯତ୍ନରେ ଲାଳନ ପାଳନ କରିବାକୁ ଲାଗିଲେ । ପିଲାଟା ଦେଖିବାକୁ ସୁନ୍ଦର ମାତ୍ର ବୁଦ୍ଧି ଟିକିଏ ସ୍ଥୂଳ । ମହନ୍ତଙ୍କର ସ୍ନେହ ଦୟାର ଶୀତଳ ଛାୟାରେ ସେ ପିତୃବିଚ୍ଛେଦ ଅଚିରେ ବସ୍ମୃତ ହେଲା । ସ୍ନେହ ଜଗତରେ ସାମାନ୍ୟ ପଦାର୍ଥ ନୁହେଁ । ସେ ଅବହେଳେ ପ୍ରାଣକୁ ବନ୍ଧା ରଖିପାରେ । ବିଶେଷତଃ ସାଧୁମାନଙ୍କର ଅନାବିଳ ଅକୃତ୍ରିମ ସ୍ନେହ ଆହୁରି ବଳବତ୍ତର । ସେ ସ୍ନେହର ପ୍ରତ୍ୟାବର୍ତ୍ତନ ନାହିଁ କିମ୍ବା ସେ ଜାତିକୁଳର ବିଚାରି ରଖେ ନାହିଁ । ତାହା ପ୍ରାବୃଟ ତରଙ୍ଗିଣୀ ତୁଲ୍ୟ କ୍ରମବର୍ଦ୍ଧନଶୀଳ । ତାହାର ବୃଦ୍ଧି ସ୍ୱାଭାବିକ; ମାତ୍ର ବିନାଶ ନାହିଁ କିମ୍ବା ପୂର୍ଣ୍ଣତା ନାହିଁ । ଅଧିକନ୍ତୁ ବାତ୍ସଲ୍ୟସ୍ନେହ ପରପଦାନୁସାରୀ । ପାତ୍ର ଦେଖିଲେ ସ୍ୱତଃ ପ୍ରବାହିତ ହୋଇଯାଏ । ତେତେବେଳେ ଶତ ପ୍ରତିବନ୍ଧକ ତାହାକୁ ଓଗାଳି ପାରେ ନାହିଁ । ଅଜ୍ଞାନ ପଶୁପକ୍ଷୀ ପର୍ଯ୍ୟନ୍ତ ଯାହାର ମାୟାରେ ମୁଗ୍‌ଧ, ତାହାଠାରେ ଜ୍ଞାନୀ ମାନବର ତ କଥାହିଁ ନାହିଁ ।

 

ଯଥା ସମୟରେ ବ୍ରାହ୍ମଣବାଳକର ଉପନୟନ ସଂସ୍କାର ସମାହିତ ହେଲା । ପିତୃମାତୃହୀନ ବାଳକଟିର ମନରେ ଯେପରି ଶୋକର ଆଘାତ ନ ଲାଗେ, ସେଥିପ୍ରତି ମହନ୍ତ ସତତ ସଚେଷ୍ଟ ଥାଆନ୍ତି । ଏମନ୍ତ କି ପାଖରେ ବସାଇ ଖୁଆନ୍ତି ଏବଂ ନିଜ ବିଛଣାରେ ଶୁଆନ୍ତି । ଭାଗ୍ୟଦେବଙ୍କର କୃପା ଅନନ୍ତ ଏବଂ ଅମୋଘ । ସ୍ପର୍ଶମଣି ତୁଲ୍ୟ ସେ ମୁହୂର୍ତ୍ତକ ମଧ୍ୟରେ ଲୁହାକୁ ସୁନା କରିପାରେ । ଦୀନହୀନ ବାଳକ ଉପରେ ତାଙ୍କର ଅମୃତ ଆଶୀର୍ବାଦ ବୃଷ୍ଟିହେଲା । ଶେଷରେ ମହନ୍ତ ତାହାକୁ ନିଜର ଭାବୀ ଦାୟାଦ ନିରୂପଣପୂର୍ବକ ନିଜର ଚେଲା କରି ରଖିଲେ । ସେହିଦିନଠାରୁ ତାହାର ଗୌରବରବି ମଧ୍ୟ କ୍ରମେ ପ୍ରଭା ବିସ୍ତାର କରିବାକୁ ଲାଗିଲା । ସେ ଭୃତ୍ୟ ଆସନରୁ ଉଠିଯାଇ ପ୍ରଭୁ-ଆସନର ନିକଟବର୍ତ୍ତୀ ହେଲା । ମଠର ସେବକମାନେ କଥା କଥାକେ ତିନି ଆଜ୍ଞା ପକାଇଲେ । ଆଉ ଏଣିକି କେହି ତାହାର ନାମ ଧରି ଡାକନ୍ତି ନାହିଁ । ତାହାର ଉପସଂଜ୍ଞା ହେଲା, ବାବାଜି ପିଲା । କେହି କେହି ସାନ ଗୋସାଇଁ ବୋଲି ମଧ୍ୟ ସମ୍ବୋଧନ କଲେ । ହିନ୍ଦିରେ ଗୋଟିଏ ପ୍ରବାଦ ଅଛି–

 

‘‘ନସିବ୍‌ କ୍ୟା ନ କରେ କାମ୍‌,

ଆବେ ଅନନ୍ତା, ଯାବେ ଅନନ୍ତା, ବାବୁ ଅନନ୍ତ ରାମ୍‌ ।’’

 

ଯାହାହେଉ ମହନ୍ତଙ୍କ ଅଗାଧ ସ୍ନେହ ଏବଂ ଭାଗ୍ୟଦେବଙ୍କର ଅତିରିକ୍ତ କୃପା ବାଳକଟିର ଅଯାତ ଜୀବନକୁ ସାଫଲ୍ୟର ଚରମ ତୀର୍ଥ ପବିତ୍ର ଅଳକନନ୍ଦାରେ ସ୍ନାନ କରାଇ ଆଣିଲେ । କଥାରେ କହନ୍ତି– ‘‘ସ୍ତ୍ରୀର ତିନି ଦଶା ଆଉ ପୁରୁଷର କ୍ଷଣଦଶା,’’ ତାହାହିଁ ସାର୍ଥକ ହେଲା ।

 

ଉପନୟନ ପରେ ମହନ୍ତ ବାବାଜି ଶିଷ୍ୟର ଶିକ୍ଷୋନ୍ନତିରେ ମନୋନିବେଶ କଲେ । ମଠ ଚୌପାଢ଼ୀରେ ଗୋଟିଏ ପାଠଶାଳା ସ୍ଥାପିତ ହେଲା । ମାସିକ ସାର୍ଦ୍ଧ ଦୁଇ ମୁଦ୍ରା ବେତନରେ ଜଣେ ଅବଧାନ ନିଯୁକ୍ତ ହେଲେ । ଅବଧାନଙ୍କର ନାମ ବିହାରୀ ଦାସ । ଜାତିରେ ମାଟିବଂଶ ଓଝା । ଓଝାମାନେ ଜଣେ ଜଣେ ଦୁର୍ବାସା କିମ୍ବା ବିଶ୍ୱାମିତ୍ର ୠଷିଙ୍କ ଅବତାର । କ୍ରୋଧ, ଗର୍ବ, ଅଭିମାନରେ ସେମାନଙ୍କର ଉଦର ସର୍ବଦା ପୂର୍ଣ୍ଣ । ଆମ୍ଭମାନଙ୍କର ବିହାରୀ ଦାସ ମଧ୍ୟ ସେ ସଦ୍‌ଗୁଣରୁ ମୁକ୍ତ ନ ଥିଲେ । ଆତ୍ମପ୍ରଶଂସାକୁ ମହାର୍ହ ହାର ତୁଲ୍ୟ ସେ ସର୍ବଦା କଣ୍ଠଭୂଷଣ କରିଥାନ୍ତି । ସେ ଜଣେ ଭାରି ଖ୍ୟାତିନାମା ଅବଧାନ । ତାଙ୍କ ବେତ ଯାହା ପିଠିରେ ବାଜିଛି ସେ ଦଶ ଜଣ ମଧ୍ୟରେ ଗଣନୀୟ, ତାଙ୍କ ପାଖରେ ଯେଉଁ ପାଠ ପୋଥି ଅଛି, ତାହା ଅନ୍ୟର ଅଦୃଷ୍ଟପୂର୍ବ ଏବଂ ଅଶ୍ରୁତପୂର୍ବ; ଏମନ୍ତ କି ଭୂମଣ୍ଡଳରେ ସେ ରୂପ ବିଦ୍ୟା ଏକାନ୍ତ ଦୁର୍ଲଭ । କୁଟା, କ୍ରୟ, ବିକ୍ରୟ, ଅସଲହବୁ ପ୍ରଭୃତି କଠିନ କଠିନ ପାଠ ସେ ତୁଣ୍ଡେ ତୁଣ୍ଡେ ଛିଣ୍ଡାଇ ଦେଇ ପାରନ୍ତି ଇତ୍ୟାଦି ଇତ୍ୟାଦି ବିଷୟ ସବୁବେଳେ ତାଙ୍କ ମୁଖରୁ ଶୁଣାଯାଏ । ମହାନାଟକ ଶ୍ଲୋକ ଆବୃତ୍ତ କଲାବେଳେ ମୁହଁରେ ବାଟୁଳି ବାଜେ ନାହିଁ । ଭଞ୍ଜକାବ୍ୟ ଆମୂଳଚୂଳ କଣ୍ଠସ୍ଥ । ସେ ଛାତ୍ରମାନଙ୍କ ଚକ୍ଷୁରେ ସାକ୍ଷାତ୍‍ ଯମକିଙ୍କର । ପାଠଶାଳାରେ ପଢ଼ାଶୁଣା ଅପେକ୍ଷା ଗାଳିମାଡ଼ର ମାତ୍ରା ଅଧିକ । ବାବାଜି ପିଲାଟିକୁ ସେ ମନୋଯୋଗର ସହିତ ପଢ଼ାଇବାକୁ ଲାଗିଲେ । ପିଲାଟି ଯେପରି ଶ୍ରୁତିଧର, ତାହା ପୂର୍ବରୁ ବୋଲା ଯାଇଅଛି । ଏକ ବର୍ଷ ମଧ୍ୟରେ ସେ ସ୍ୱରବର୍ଣ୍ଣରୁ ଅଧାଅଧି ଆୟତ୍ତ କରି ପକାଇ ଅଛି । ଗଣିତ ବିଦ୍ୟାରେ ମଧ୍ୟ ଅଦ୍ଭୁତ ପାରଦଶୀ । ବୋଧହୁଏ ଶୁଭଙ୍କରୀଙ୍କର ପୂର୍ବ ପୁରୁଷ । ମଝିରୁ ଗୋଟାଏ ଗୋଟାଏ ମନରେ ପକାଇ ଦେଉଥିଲେ ସେ ଅକ୍ଲେଶରେ ଦଶନ୍ଧି ପର୍ଯ୍ୟନ୍ତ ଗଣି ଯାଇପାରେ । ମହନ୍ତ ସନ୍ଧ୍ୟାବେଳେ ପାଖରେ ବସାଇ ତୁଳସୀ ତୋଳା ପ୍ରଭୃତି ମନ୍ତ୍ର ଶିକ୍ଷା ଦିଅନ୍ତି । ସକାଳ ଓଳି ଘଡ଼ିଏ ପାଠଶାଳାରେ ବସି ଚେଲାର ପାଠୋନ୍ନତି ପର୍ଯ୍ୟବେକ୍ଷଣ କରନ୍ତି । ଛାତ୍ରଟି ଅନ୍ୟାନ୍ୟ ଚାଟପିଲାଙ୍କ ମଧ୍ୟରେ ଅଧିକ ଗୁରୁଭକ୍ତ । ଗୁରୁଦତ୍ତ ବିଦ୍ୟାଧନ ଗ୍ରହଣ କରି ପାପ ବଢ଼ାଇବା ତାହାର ଇଚ୍ଛା ନୁହେ । ନିତ୍ୟ ନିତ୍ୟ ସେ ଯାହା ପଢ଼େ ତାହା ଗୁରୁଙ୍କୁ ସମର୍ପଣ କରି ଦେଇଯାଏ; ସୁତରାଂ ସଦ୍ୟ ସଦ୍ୟ ୠଣ ପରିଶୋଧ ହୋଇଯାଏ ।

 

ଦିନେ ଇନ୍‌ସ୍‌ପେକଟିଂ ପଣ୍ଡିତ ପାଠଶାଳା ତନଖି କରିବାକୁ ଆସିଲେ । ଅବଧାନେ ତରଭର ହୋଇ ଉଠି ଲମ୍ବା ଦଣ୍ଡବତଟାଏ ଉଠାଇ ଖଣ୍ଡେ ନଡ଼ିଆ ଚଟାଇ ଆଣି ପକାଇଦେଲେ । ପଣ୍ଡିତେ ଆସୀନ ହେଲାରୁ ଅବଧାନେ ପାଠୁଆ ପିଲାମାନଙ୍କୁ ବାଛି ତାଙ୍କ ଆଗରେ ଧାଡ଼ିକରି ବସାଇଦେଲେ । ପରୀକ୍ଷା ଆରମ୍ଭ ହେଲା । ଇ. ପଣ୍ଡିତେ ଗୋଟିଏ ପିଲାକୁ ପ୍ରଶ୍ନ କଲେ, ‘‘ଜଣକୁ ତିନି ଟଙ୍କା ଲେଖାଏଁ ଦେଲେ ଦଶଜଣ ଯାହା ନେବେ ଜଣକୁ ପାଞ୍ଚଟଙ୍କା ଲେଖାଏଁ କେତେଜଣ ତାହା ନେଇ ପାରିବେ ?’’ ପିଲାଟିକୁ କିଛିକ୍ଷଣ ନିରୁତ୍ତର ଦେଖି ଅବଧାନେ କହିଲେ, ‘ଗୋଇଠାଏ ଦିଅନ୍ତି ଯେ ତିନିକି ତ ଗୁଣି ଦେଇ ଯାଞ୍ଚକୁ ମାଗିଦେବୁ, ଆଉ ସୁମରୁଛୁ କଅଣ ? ପଣ୍ଡିତ ବିଚରା ଅବଧାନଙ୍କର ଏ ଶିଷ୍ଟ ବାଣୀ ଶୁଣି ସ୍ତମ୍ଭିତ ହେଲେ; ମାତ୍ର ଈଷତ୍‌ ହାସ୍ୟ କରି ନୀରବ ରହିଲେ । ଅନ୍ୟ ଏକ ଛାତ୍ରକୁ ପ୍ରଶ୍ନ ହେଲା, ଚାଳିଶ ଟଙ୍କାରୁ ତେର ଟଙ୍କା ଗଲେ କେତେ ରହିବ ? ଛାତ୍ରଟି କହି ନ ପାହିବାରୁ ଅବଧାନେ ରୋଷକଷାୟିତ ନେତ୍ରରେ କହିଲେ, ‘‘ଆରେ ଅନ୍ଧ, ଚାଳିଶରୁ ତେର ଫେଡ଼ି ଦେ । ତିନି କି ଶୂନ୍ୟ ଯାଏ ନାହିଁ ଦଶ ହରଣ, ତିନି ଶୋଧି ସାତ ଫେଡ଼ିଲା, ତିନିରୁ ଏକ ଫେଡ଼ି ଦୁଇ ଥୋଇଲା, ବାକୀ ରହିଲା ସତାଇଶ, ଆଉ କରୁଛୁ କଅଣ ? ଏଥର ଇ. ପଣ୍ଡିତ ଆଉ ନୀରବ ରହି ପାରିଲେ ନାହିଁ । ଅବଧାନଙ୍କୁ କହିଲେ, ଦେଖ ଏପରି ଅଭଦ୍ର ଭାଷାରେ ପିଲାଙ୍କୁ ଗାଳି ଦେବ ନାହିଁ । ଗାଳି ମାଡ଼ ସ୍କୁଲଶିକ୍ଷାର ନିୟମ ନୁହେଁ । ଏହା କହି ଅବଧାନଙ୍କ ଆଡ଼କୁ ଅନାଇ ରହିଲେ । ଅବଧାନେ ସେହି ତୀକ୍ଷ୍‌ଣ ଦୃଷ୍ଟିର ପ୍ରଚଣ୍ଡ ପ୍ରହାର ସହ୍ୟ କରି ନ ପାରି କିଞ୍ଚିତ୍‌ ଅପ୍ରତିଭ ହେଲେ; ମାତ୍ର ନିଜର ଟାଣ ଛାଡ଼ିଲେ ନାହିଁ । ସେ ଯେ ଓଝା -ଅବୁଝା ଧୀର ଗମ୍ଭୀର ଭାବରେ କହିଲେ, ‘‘ଆଉ କଅଣ ପାଦପୂଜା କରି ପାଠ ପଢ଼ାଇବି ?’’ ଆମ୍ଭ ଗାଳି ମାଡ଼ ଯେ ଅବଧାନ ପାଠ-। ହେଉ ଏଣିକି ଆପଣଙ୍କ କଥା କରିବି । ଏଥିରେ ପଣ୍ଡିତ ମହାଶୟ ଦ୍ୱିରୁକ୍ତି ନ କରି ଅବଧାନଙ୍କୁ ପଚାରିଲେ, ‘ତୁମ୍ଭେ ଡ୍ରଇଁ ଜାଣ ?’ ଅବଧାନେ ହାତ ଯୋଡ଼ି କହିଲେ, ‘‘ନା ବାବୁ ଆମ୍ଭେ ଡୁରୁଙ୍ଗି ଫୁରୁଙ୍ଗି ଜାଣୁନା । ଅଳ୍ପଦିନରେ ପାଠଶାଳା, ପିଲାଏ ଫଳା ପଣକିଆ ବନ୍ଦାଣ ଆରମ୍ଭ କରିଅଛନ୍ତି ପୁଣି ସାନ ପିଲା ଭୟରେ କିଛି କହି ପାରିଲେ ନାହିଁ, ହଜୁର ଯାହା ବିଚାର କରିବେ ।’’ ଇ. ପଣ୍ଡିତ ଈଷଦ୍ଧାସ୍ୟରେ କହିଲେ, ‘‘ଅହେ ବନ୍ଦାଣ ନୁହେଁ, ବନାନ । ତୁମ୍ଭେ ତ ଜାଣ ନାହିଁ, ପିଲାଏ କଣ କହିବେ ? ଏଥର ତୁମ୍ଭ ପିଲାମାନେ କିଛି କହି ପାରିଲେ ନାହିଁ, ଯାହା ହେଉ ଏଣିକି ଭଲ କରି ପଢ଼ାଅ । ମୁଁ ଆର ଥର ଆସି ଭଲ ଦେଖିଲେ ତୁମ୍ଭର ସରକାରରୁ ମାସିକ ଦୁଇ ଟଙ୍କା ଗ୍ରାଣ୍ଟ କରିଦେବି । ଅବଧାନେ ଏହା ଶୁଣି ସ୍ୱର୍ଗର ନିଶୁଣୀ ଗରଗତ ମଣିଲେ । ନବ ନବ ଆଶାର ବିଦ୍ୟୁତାଲୋକ ତାଙ୍କର କଳ୍ପନା ପଥ ଘନ ଘନ ଆଲୋକିତ କରିବାକୁ ଲାଗିଲା । ଭବିଷ୍ୟତ ଆସି ବର୍ତ୍ତମାନ ଆସନରେ ବସିଗଲା । ସୁଖଲିପ୍‌ସାରେ କି ଅଦ୍ଭୁତ ମହିମା ! ତାହା ସ୍ୱର୍ଣ୍ଣକମଳ ତୁଲ୍ୟ କଳ୍ପିତ ହେଲେହେଁ ପ୍ରବଳ । ପ୍ରକୃତ ହୋଇଥିଲେ କି ନୁହନ୍ତା ? ଦୁଃଖ ପ୍ରକୃତ ପକ୍ଷରେ ଉନ୍ନତି ପଥ ଉନ୍ମୁକ୍ତ ଏବଂ ଉଜ୍ଜ୍ୱଳ କରେ; ମାତ୍ର ତାକୁ କେହି ଆଦର ଅନ୍ୱେଷଣ କରେ କି ? ପରେ ଅବଧାନେ ଆବାସ ପ୍ରକୋଷ୍ଠକୁ ଯାଇଁ ଖୁଙ୍ଗିରୁ ଟଙ୍କାଟିଏ ବାହାର କରି ପଣ୍ଡିତଙ୍କ ଆଗରେ ଥୋଇ ଦେଇ ବିନୟରେ ଗରଜି ଯାଇ କହିଲେ, ବାବୁ ମୁଁ ଗରିବ ଲୋକ, ଅଧିକ କେଉଁଠାରୁ ଆଣିବି ? ଆପଣଙ୍କ ପାନ ଖର୍ଚ୍ଚ ସକାଶେ ଏହି ଟଙ୍କାଟି ଗ୍ରହଣ କରନ୍ତୁ; ମାତ୍ର ପଣ୍ଡିତେ ତାହା ଗ୍ରହଣ ନ କରି ଅବଧାନଙ୍କୁ ଏକଧ୍ୟାନରେ ଅନାଇ ରହିଲେ । ସେ ଏକାଗ୍ରଦୃଷ୍ଟି ଯେପରି ନୀରବରେ ଅବଧାନଙ୍କୁ ତୀବ୍ର ଭର୍ତ୍ସନା କରିବାକୁ ଲାଗିଲା । କ୍ଷଣକ ପରେ କହିଲେ, ‘ଅବଧାନେ, ତୁମ୍ଭେ ମୋତେ ପ୍ରଲୋଭନ ଦେଖାଇ ବଶ କରିବାକୁ ଇଚ୍ଛା କରିଅଛ; ମାତ୍ର ମୁଁ ସେପରି ହୀନଚେତା ନୁହେଁ । ଉତ୍କୋଚ ଗ୍ରହଣ ଯେପରି ଦୋଷାବହ, ଉତ୍କୋଚର ପ୍ରଲୋଭନ ଦେଖାଇ ଲୋକକୁ କମାର୍ଗରେ ପ୍ରବର୍ତ୍ତାଇବା ତହୁଁ ବଳି ମହାପାପ । ସେ ପାପର ପ୍ରାୟଶ୍ଚିତ ନାହିଁ । ମୋର କର୍ତ୍ତବ୍ୟ ମୁଁ କରିବି, ସେଥିପାଇଁ ସରକାରରୁ ବେତନ ଖାଉଅଛି । ଏପରି ଅବିଶ୍ୱାସ କାର୍ଯ୍ୟ କଲେ ମୋର ଦାନା ରହିବ ନାହିଁ । ଟଙ୍କାଟି ରଖ, ତୁମ୍ଭର ଯହିଁରେ ଭଲ ହେବ ତାହା ମୁଁ ନିଶ୍ଚୟ କରିବି, କୌଣସି ଚିନ୍ତା କର ନାହିଁ; କିନ୍ତୁ ସାବଧାନ, ଆଉ ଦିନେ କାହାରିକୁ ଏରୂପ ଲାଞ୍ଚ ଯାଚି ତାହାର ଅଧଃପତନର ପଥ ଉନ୍ମୁକ୍ତ କରିବାକୁ ଚେଷ୍ଟା କରିବ ନାହିଁ । ତଦ୍ୱାରା ତୁମ୍ଭର ଅନିଷ୍ଟ ହୋଇପାରେ ।’’ ଏହା କହି ପଣ୍ଡିତେ ପ୍ରସ୍ଥାନ କଲେ ଏବଂ ଅବଧାନେ ତାହାଙ୍କୁ ଖଣ୍ଡେ ଦୂରରେ ବାଟେଇ ଦେଇ ଲଜ୍ଜାବନତ ମସ୍ତକରେ ପାଠଶାଳାକୁ ଫେରି ଆସିଲେ ।

Image

 

ତୃତୀୟ ପରିଚ୍ଛେଦ

ପାଠୋନ୍ନତି

 

ସାନ ବାବାଜିର ପାଠୋନ୍ନତିର ଆଭାସ ପୂର୍ବରୁ ପ୍ରଦତ୍ତ ହୋଇଅଛି । ଅବଧାନେ ସବୁବେଳେ ବିରକ୍ତ, ଝିଙ୍ଗାସ କରି କହନ୍ତି, ଏହା ମୁଣ୍ଡରେ ଘିଅ ନାହିଁ, ତୁଚ୍ଛା ଗୋବରଗୁଡ଼ାଏ ପୂର୍ଣ୍ଣ ହୋଇଅଛି । ହୃଦୟ ତ ଝାମା ଇଟା ତୁଲ୍ୟ କୋମଳ, ସେଥିରେ କି ପାଠ କୌଣସି କାଳରେ ଗଜା ହେବ ! ଛୁଆ ଦିନୁ କୁଆଟାକୁ ଆଣି ଶୁଆ ମେଳରେ ରଖିଲେ ସେ କଦାପି ଶୁଆ ହୋଇ ନ ପାରେ-। ଅବଧାନେ ଏହିପରି ଶିଷ୍ୟଟିକୁ ଗୌରବ-ଶିଖରରୁ ଅପମାନ କୂପକୁ ଖସାଇ ଆଣନ୍ତି; ମାତ୍ର ଏ ଉକ୍ତି ମଧ୍ୟରେ କି ମର୍ମାନ୍ତିକ ବିଷ ନିହିତ ଥାଏ, ସେଥିର ତୀବ୍ରତା ଗୁଣଧର ଗ୍ରନ୍ଥର ଅନୁଭୂତିକୁ ଆସେ ନାହିଁ । ଅବଧାନେ ପାଠ କହି ଦେଉଅଛନ୍ତି; ମାତ୍ର ଛାତ୍ରର ମନ ମଠ ବଗିଚାସ୍ଥ ବକୁଳ ଗଛରେ ଆରୋହଣ ପୂର୍ବକ ସଂକଳ୍ପରେ ପକ୍ୱକୋଳିର ଆସ୍ୱାଦନ ଗ୍ରହଣ କରୁଅଛି । ସନ୍ଧ୍ୟା ସମୟରେ ଅବଧାନେ ହିସାବ ଶିଖାଉ ଅଛନ୍ତି; ମାତ୍ର ଛାତ୍ରଟି ନିଦ୍ରାଦେବୀଙ୍କୁ ହୃଦୟ ସିଂହାସନ ଅର୍ପଣ କରି ତାଙ୍କ ଆରାଧନାରେ ନିଯୁକ୍ତ । ଏହିପରି ପଢ଼ାଶୁଣାରେ ସର୍ବଦା ଅମନୋଯୋଗୀ, କ୍ରମେ ଅବାଧ୍ୟତା ମଧ୍ୟ ବଢ଼ିଲା । ଏକ, ଦୁଇ ବାହାନାରେ ବାହାରକୁ ଯାଇ ଇତର ପିଲାଙ୍କ ସଙ୍ଗେ ବଇଞ୍ଚି ପକାଇବା, ଡାଳମାଙ୍କୁଡ଼ି ଖେଳିବା ଇତ୍ୟାଦିରେ ସମୟ କ୍ଷେପଣ କଲେ । ଅବଧାନେ ଅନେକ ଥର ଢିଙ୍କିଆ ପକାଇଲେ, ମଢ଼ୁଆଶାଙ୍କୁଳୀ ଦେଇ ଧାନ କୁଟାଇଲେ ଏବଂ ଯାଉଁଳି ବେତରେ ପୃଷ୍ଠର ଘାତ ସହିଷ୍ଣୁତା ପରୀକ୍ଷା କଲେ; ମାତ୍ର ‘‘ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ।’’ ସୂର୍ଯ୍ୟ ବରଂ ଉଷ୍ଣତା ତ୍ୟାଗ କରି ପାରନ୍ତି, ସମୁଦ୍ର ଲବଣିମା ତ୍ୟାଗ କରିପାରେ; ମାତ୍ର ମାନବ କଦାପି ସ୍ୱଭାବ ପରିତ୍ୟାଗ କରିପାରେ ନାହିଁ । ପ୍ରତ୍ୟହ ଏହିପରି ଗାଳି ମାଡ଼ରେ ସ୍ନାନ କରି ଦିନେ ସେ ଅବଧାନଙ୍କୁ ଉଚିତ ଶିକ୍ଷା ଦେବାକୁ ଉଦ୍ୟତ ହେଲା । କୌଶଳ କ୍ରମେ ଦୁଇଟି କରମଙ୍ଗିଆ ଲଙ୍କାମରିଚ ସଂଗ୍ରହପୂର୍ବକ ତାକୁ କାଟି ଗୋଳା କରି ଲୁଚାଇ ରଖିଲା । ଅବଧାନେ ଟିକିଏ କୃଷ୍ଣ ସେବା ପରାୟଣ । ଦୁଇଓଳି ଟିକିଏ ଅଫିମ ସେବା କରନ୍ତି । ଦୁଧ ପଡ଼ିଥିବା ହେତୁ ଅବଧାନେ ଲାଉଦହଣାକୁ ବଡ଼ ଭଲ ପାଆନ୍ତି । ଦୈବେ ସେଦିନ ମଠରେ ସେହି ତରକାରୀ ହୋଇଥିଲା । ଗୁରୁଭକ୍ତ ଶିଷ୍ୟ ଭାତ ଦେବାବେଳେ ପୂର୍ବୋକ୍ତ ଲଙ୍କାମରିଚ ବଟା ତୁଣରେ ମିଶାଇ ଅବଧାନଙ୍କୁ ଦେଲା । ଅବଧାନେ ତାହା ଖାଇ ଭୀଷଣ କଟୁତା ଅନୁଭବ କଲେ; ମାତ୍ର ସ୍ୱାଦୁ ଲୋଭରେ ତ୍ୟାଗ କରି ପାରିଲେ ନାହିଁ । ମାରିଲା ପିଟିଲା ପରି ଉହୁ ଆହା ପ୍ରଭୃତି କଷ୍ଟବୋଧକ ଅବ୍ୟୟ ପଦର ଆବୃତ୍ତ ପୂର୍ବକ ବ୍ୟାକରଣ ଶାସ୍ତ୍ରର ଶ୍ରାଦ୍ଧ କରୁଥାନ୍ତି, କାନ୍ଦିଲା ପରି ଆଖି ନାକରୁ ଧାରା ବହି ପଡ଼ୁଥାଏ, ତଥାଚ ଦକ୍ଷିଣ ହସ୍ତର ବିଶ୍ରାମ ନାହିଁ । ଫଳ ମଧ୍ୟ ହାତେ ମିଳିଲା । ସେହିଦିନଠାରୁ ଅବଧାନେ କଠିନ ରକ୍ତାତିସାରରେ ଆକ୍ରାନ୍ତ ହେଲେ । ରୋଗ ଏପରି ପ୍ରବଳ ହେଲା ଯେ, ତାଙ୍କୁ ବାଧ୍ୟ ହୋଇ ଛୁଟି ଘେନି ଗ୍ରାମକୁ ଯିବାକୁ ହେଲା । ଅବଧାନଙ୍କୁ ଗୃହଗାମୀ ଦେଖି ଗୁରୁଭକ୍ତ ଛାତ୍ରଟିର ଆଶା ଅଚିରେ ସାଫଲ୍ୟର ଚରମତୀର୍ଥ ଆନନ୍ଦ-ଗଙ୍ଗାରେ ବୁଡ଼ ପାଳି ଆସିଲା । ତାହାର ଅନ୍ଧାର ଆଶାଗୃହରେ କଳ୍ପନାର ଶତ ଶତ ଉଜ୍ଜ୍ୱଳ ବର୍ତ୍ତିକା ଜଳିଉଠିଲା । ନବଧୃତ ପକ୍ଷୀ ଦୈବାତ୍‌ ପିଞ୍ଜରାରୁ ମୁକ୍ତ ହେଲେ ଆନନ୍ଦମୟ ନବ-ଜୀବନ ଲାଭ ମଣେ ସିନା ।

 

ଅବଧାନେ ବାହାରି ଯିବାରୁ ମହନ୍ତଙ୍କ ଚେଲା କୁଆଳିଆ ପିଲାଙ୍କ ସଙ୍ଗରେ ପଡ଼ି ଦୂର୍ବୃତ୍ତ ହୋଇ ଉଠିଲା । ମଠର ଚାକରମାନେ ତାକୁ ଅନେକ ଥର ସିଗାରେଟ ଖାଇବାର ଦେଖିଲେଣି; କେହି ବହକ ବାନ୍ଧି ମହନ୍ତଙ୍କ ଆଗରେ କହି ପାରୁନାହାନ୍ତି । ମାତ୍ର ନ କହିଲେ କଅଣ ହେବ, କଥା ଆଉ ପବନକୁ କିଏ ଅଟକାଇ ପାରିବ ? ଅକସ୍ମାତ୍‌ ଦିନେ ଏକଥା ମହନ୍ତଙ୍କର କର୍ଣ୍ଣଗୋଚର ହେଲା-। ସେ ତାଟଙ୍କା ହୋଇ ରହିଲେ । କ୍ରୋଧ ଏବଂ ଘୃଣାରେ ତାହାଙ୍କର ଚକ୍ଷୁ ନିର୍ଦ୍ଧୁମାଗ୍ନି ପ୍ରାୟ ଜ୍ୟୋତିଃଶୀଳ ହୋଇ ଉଠିଲା । ଧର୍ମହାନିର ବଜ୍ରଦାହୀ ଉଦ୍ଦୀପନା ପ୍ରବାହ ତାହାଙ୍କ ସମ୍ମୁଖରେ ପ୍ରବାହିତ ହୋଇଗଲା; ମାତ୍ର କରିବେ କଅଣ, ମୂଷା ଛୁଆକୁ ତ ନିଜେ ସିଂହ କରିଅଛନ୍ତି । ଅବିଚାରିତ କର୍ମର ଅସ୍ଫୁଟ ମର୍ମବେଦନାରେ ହୃଦୟ ପରିଷିକ୍ତ ହେଲା । ଯାହା ହେଉ ସେ ଅଧୌର୍ଯ୍ୟ ନ ହୋଇ ଚେଲାର ଉପସ୍ଥିତ ଦୁର୍ଷର୍ମର ପ୍ରତିକାର ପରାୟଣ ହେଲେ । ସେ ତତ୍‌କ୍ଷଣାତ୍‌ କାରିକାଦାତା ସ୍ମାର୍ତ୍ତଶିରୋମଣି ମହାଶୟଙ୍କୁ ଆହ୍ୱାନ କରାଇ ଆଣି ଏହି ପାପର ପ୍ରାୟଶ୍ଚିତ ଜିଜ୍ଞାସୁ ହେଲେ । ଶିରୋମଣି ମହାଶୟ ଘନ ଘନ ନସ୍ୟାକର୍ଷଣପୂର୍ବକ ବଦ୍ଧବୁଦ୍ଧିରେ ଦମ ଦେଇ କହିଲେ, ସୁବର୍ଣ୍ଣ ପାତ୍ର ଭାଙ୍ଗି ଗଲେ ସୁଦ୍ଧା ଅନାଦୃତ ହୁଏ ନାହିଁ, ଅଜ୍ଞାନ ବାଳୁତ, ତାହାର ପାପପୁଣ୍ୟ ଜ୍ଞାନ କଅଣ ? ପଞ୍ଚଗବ୍ୟ ପାନ ଏହାର ଯୋଗ୍ୟ ପ୍ରାୟଶ୍ଚିତ ।’’ ମହନ୍ତ କହିଲେ, ‘ଭଗ୍ନ ସ୍ୱର୍ଣ୍ଣପାତ୍ର ଅନାଦୃତ ନ ହେଉ; ମାତ୍ର ଅକର୍ମଣ୍ୟ ହୁଏ ନାହିଁକି ? ଯାହାହେଉ ଶିରୋମଣିଙ୍କ ବିଧାନମତେ ମହନ୍ତ ଶିଷ୍ୟକୁ ପଞ୍ଚଗବ୍ୟ ପାନ କରାଇଲେ ଏବଂ ତାକୁ ସୁମତି ପ୍ରଦାନ ସକାଶେ ଇଷ୍ଟଦେବ ରଘୁନାଥଙ୍କ ନିକଟରେ ଜଣାମଣା କଲେ । ସେ ଯୁକ୍ତକର ଓ ନତମସ୍ତକ ହୋଇ ପ୍ରାର୍ଥନା କଲେ, ‘‘ହେ ପ୍ରଭୋ, ବାଳକର ଦୁର୍ବୁଦ୍ଧି ଦୂର କର, ଭୋଗଠାରୁ ତ୍ୟାଗ ଶ୍ରେୟଃ, ଉପାର୍ଜନଠାରୁ ବିସର୍ଜନ ଶ୍ରେୟଃ ଏହି ବୈଷ୍ଣବୀ ନୀତି ତାହା ଜୀବନର ମୁଳମନ୍ତ୍ର ହେଉ । ଉଚ୍ଚ ମହାନ ବିଶ୍ୱଜନୀନ ମାନବ ହିତୈଷଣା ତାହାର ଶିଶୁ ହୃଦୟକୁ ଉଦ୍ଦୀପ୍ତ କରୁ ଏବଂ ସେ ସତତ ତୁମ୍ଭରି ପିବତ୍ର କରୁଣାଧାରାରେ ସ୍ନାନ କରି ଧନ୍ୟବାନ୍‌ ହେଉ । କ୍ଷମାମୟ, ଅଜ୍ଞାନର ସବୁ ଦୋଷ କ୍ଷମାକର ପ୍ରଭୋ । ଉପବନ କେବଳ ଚମ୍ପକ ନାଗେଶ୍ୱରାଜି ସୁରଭି ପୁଷ୍ପ ଧାରଣ କରେନାହିଁ, ଗନ୍ଧହୀନ କିଂଶକକୁ ସୁଦ୍ଧା ପୋଷଣ କରେ । ପିତୃମାତୃହୀନର ବୟୋଧର୍ମସୁଲଭ ବାଲ୍ୟ ଚପଳମତି ତୁମ୍ଭରି ପାଦପଦ୍ମ ସେବାରେ ନିଶ୍ଚଳା ହେଉ । ହେ କୃପାନିଧେ, ତୁମ୍ଭ ମଙ୍ଗଳମୟ ଶ୍ରୀଚରଣରେ ଏହାହିଁ ଚିରନ୍ତନୀ ଭିକ୍ଷା ।’’ କେବଳ ଏତିକିରେ କ୍ଷାନ୍ତ ନ ହୋଇ ମହନ୍ତ ମହାରାଜ ଚେଲାକୁ ମଧୁର ଭତ୍ସନାପୂର୍ବକ କୁସଙ୍ଗ, କୁଭୋଜ୍ୟ ତ୍ୟାଗ ସମ୍ବନ୍ଧରେ ଅନେକ ଉପଦେଶ ଦେଲେ ଏବଂ ଏହା ମଧ୍ୟ କହିଦେଲେ ଯେ ଭବିଷ୍ୟତକୁ ଏଥିପ୍ରତି ସାବଧାନ ନ ହେଲେ ମଠରୁ ବାହାର କରି ଦିଆଯିବ ।

 

କ୍ରମେ ବୟୋବୃଦ୍ଧି ସଙ୍ଗେ ସଙ୍ଗେ ବହିରଭ୍ୟନ୍ତର ବୃତ୍ତମାନ ଉତ୍ତେଜିତ ହୋଇ ଉଠିଲେ । କଥାରେ କହନ୍ତି, ‘‘ସାପ ବଢ଼ିଲେ ଚକ୍ର ବଢ଼େ ।’’ ବସନ୍ତ ପୁଃକିଶଳୟ, ମଳୟାନିଳ, ପିକଧ୍ୱନି ପ୍ରଭୃତି ନବଜାଗରଣର ବିକାଶ ସର୍ବାଙ୍ଗରେ କୋଳି ହୋଇ ବିଜେ ହେଲା ପରି ଜୀବନ-ବସନ୍ତ ଯୌବନ କେତେ ଆଶା, କେତେ ସୁଖଲିପ୍‌ସା, କେତେ ବିଳାସସ୍ଫୃହା ଘେନି ଅବତୀର୍ଣ୍ଣ ହେଲା । ଇନ୍ଦ୍ରିୟ ଏବଂ ରିପୁକୁଳର ଅତୃପ୍ତ ପିପାସା ଜାଗିଉଠିଲା । ଯୌବନର ସୁଖମୟୀ ଶୋଭନା ମୂର୍ତ୍ତି ମୁହୂର୍ତ୍ତ ନବୀନ ଶୋଭାର କେତେ ନୂତନ ତରଙ୍ଗ ଅଙ୍କିତ କଲା । ଯାହାହେଉ ଯୌବନର ପୂର୍ଣ୍ଣ ଉତ୍ତାପରେ ଉତ୍ତପ୍ତ ହୋଇ ସୁଦ୍ଧା ବାବାଜିଙ୍କ ଭୟରେ ଶିଷ୍ୟବର ଭସ୍ମାଚ୍ଛାଦିତ ଅଗ୍ନି ପ୍ରାୟ ବାହାରକୁ ଶୀତଳ ମୂର୍ତ୍ତି ଧରି ରହିଲେ । ମାତ୍ର ଗୋପନେ ଗୋପନେ ପଶାଖେଳ, ରସ କାବ୍ୟ ଆଲୋଚନା, ଯାତ୍ରା ଆଖଡ଼ା ସୃଷ୍ଟି, ଭାଙ୍ଗ ସେବା ପ୍ରଭୃତି ଚଳିବାକୁ ଲାଗିଲା । ଦୁର୍ମତିର ବଳ ସ୍ରୋତସ୍ୱତୀ ତୁଲ୍ୟ । ତାକୁ ଅଟକାଇଲେ କି ରହିବ ? ଏକ ଆଡ଼େ ରୁଦ୍ଧ କଲେ ସେ ଅନ୍ୟ ଆଡ଼େ ବାଟ କାଟି ଚାଲିବ । ସର୍ବଦା ଭୂଷଣୀୟ ଆମୋଦ ପ୍ରମୋଦରେ ପ୍ରମତ୍ତ ଦେଖି ମଠର ସେବକଠାରୁ ଅମଲା ପର୍ଯ୍ୟନ୍ତ କେହି ହତଭାଗ୍ୟ ଚେଲାକୁ ଆନ୍ତରିକ ଭଲ ପାଆନ୍ତି ନାହିଁ । ଚରିତ୍ରବଳ ସିନା ନରପ୍ରାଣରେ ଦୁର୍ଲଭ ଦେବତ୍ୱ । ସେ ଯାହାର ଦୂଷିତ, ପୁତିଗନ୍ଧମୟ, ସଂସାରରେ ତାହାର ସମଧର୍ମୀ ବ୍ୟତୀତ ଅନ୍ୟତ୍ର ଆଦରର ସ୍ଥାନ ନାହିଁ ।

Image

 

ଚତୁର୍ଥ ପରିଚ୍ଛେଦ

ମହନ୍ତଙ୍କର ତିରୋଧାନ ଓ ନୂତନ ମହନ୍ତ

 

ମାଘ ମାସର ବଡ଼ ଏକାଦଶୀ । ଆଜି ମହନ୍ତଙ୍କର ନିର୍ଜଳ ଉପବାସ । ସକାଳୁ ନିତ୍ୟକର୍ମ ସାରି ମହନ୍ତ ରଘୁନାଥଙ୍କ ସେବାରେ ନିଯୁକ୍ତ । ଦେବ ପାଦରେ ଆଜି ଅଷ୍ଟୋତ୍ତର ଶତ ସଚନ୍ଦନ ତୁଳସୀ ଚଢ଼ାଇବାକୁ ହେବ । ମହନ୍ତ ମହାରାଜ ଗୋଟିଏ ଗୋଟିଏ ମଞ୍ଜରୀ ଚନ୍ଦନଚର୍ଚ୍ଚିତ କରି ମନ୍ତ୍ରୋଳାରଣପୂର୍ବକ ଇଷ୍ଟଦେବଙ୍କ ପାଦପଦ୍ମରେ ଭକ୍ତି ଗଦ୍‌ଗଦ ଚିତ୍ତରେ ଅର୍ପଣ କରୁଅଛନ୍ତି । ପ୍ରାୟ ଅର୍ଦ୍ଧେକ ଶେଷ ହୋଇ ଆସିଲା ପରେ ବାବାଜୀ ଗୋଟିଏ ମଞ୍ଜୁରୀ ରଘୁନାଥଙ୍କ ପୟରରେ ସଂଯୋଗ କରୁକରୁ ହଠାତ୍‌ ଢଳିପଡ଼ିଲେ । ହସ୍ତ ଦେବପଦରେ ନ୍ୟସ୍ତ, ମସ୍ତକ ସିଂହାସନ ଉପରେ ରକ୍ଷିତ, ଏହିପରି ଅବସ୍ଥାରେ ସାଧୁ ମହାତ୍ମାଙ୍କର ତିରୋଧାନ ଘଟିଲା । ଅବ୍ୟବହିତ ପରେ ପୂଜାରୀ ନୈବେଦ୍ୟ ଧରି ମନ୍ଦିର ମଧ୍ୟରେ ଏହି ଆକସ୍ମିକ ଦୁର୍ଘଟନା ଦେଖି ହାଉଳି ଖାଇ ଉଚ୍ଚ ଚଞ୍ଚଳ ଦୁର୍ବୋଧ୍ୟ ଭାଷାରେ କହି ଉଠିଲା, ‘‘ଗୁମାସ୍ତା ଧାଇଁ ଆସ ହୋ, ଗୋସାଇଁ କାହିଁକି ଏପରି ହେଲେ ।’’ ଏହି କାତର କୋଳାହଳ ଶୁଣି ଯେ ଯେଉଁଠାରେ ଥିଲେ ସମସ୍ତେ ଧାଇଁ ଆସିଲେ । ପୂଜାରୀ ଟହଲିଆ ଦୁହେଁ ମହନ୍ତଙ୍କୁ ତୋଳି ଧରି ସାଷ୍ଟମ କରିବା ଅଭିପ୍ରାୟରେ ମୁଖରେ ଜଳ ସେଚନ କଲେ; ମାତ୍ର ପଛକୁ ବୁଝିଲେ ସବୁ ଶେଷ ହୋଇଅଛି । ତହୁଁ ମଠର ସେବକ ପ୍ରଭୃତି ହୃଦୟଭେଦୀ ନାଦରେ କ୍ରନ୍ଦନ କରି ଉଠିଲେ । ମଠରେ କରୁଣରସର ଉତ୍ତାଳ ତରଙ୍ଗ ଖେଳିବାକୁ ଲାଗିଲା । ସେହି କ୍ରନ୍ଦନ ସ୍ୱରରେ ଗ୍ରାମବାସୀଏ ଆହୂତ ହୋଇ ଏକତ୍ରିତ ହେବାରୁ ଜନତା କ୍ରମେ ପୃଥୁଳତର ହୋଇଉଠିଲା । ଗ୍ରାମସାରା ସମସ୍ତେ ଶୋକାକୁଳ । କିଏ କହିଲା, ବିନା ମେଘରେ ବଜ୍ରପାତ ହେଲା; କିଏ କହିଲା, ମଠର ମହିଁମା ଏହିଠାରୁ ଶେଷ; କିଏ କହିଲା, ଏ ଗ୍ରାମକୁ ଧର୍ମ ଛାଡ଼ିଗଲା; ଲକ୍ଷ୍ମୀ ଛାଡ଼ିଗଲା; କିଏ କହିଲା, କି ଅଦ୍‌ଭୁତ ମୃତ୍ୟୁ, ବ୍ୟାଧି ବାଧକା କିଛି ନାହିଁ, ଧନ୍ୟ ମହାପୁରୁଷ, ସେ ପିବତ୍ର ଶରୀର ମୃତ୍ୟୁ ସ୍ପର୍ଶରେ ମଳିନ ହୋଇ ନାହିଁ; ବରଂ ଦିବ୍ୟ ତେଜରେ ମଣ୍ଡିତ ହୋଇଅଛି । ଆଜି କେଡ଼େ ପୁଣ୍ୟ ଦିନ, ଏରୂପ ଦିନ ଯାହା ଭାଗ୍ୟରେ ଘଟେ, ସେ କି ସାମାନ୍ୟ ମାନବ ? ନା, ସେ ସ୍ୱର୍ଗମୁକ୍ତ ଦେବତା । ଆଜିଠାରୁ ମଠର ଶ୍ରୀ ତୁଟିଗଲା । ଅନନ୍ତର ମହନ୍ତ ଗାଦିରେ କିଏ ବସିବ ଏହି ପ୍ରସଙ୍ଗ ନେଇ ବାଦାନୁବାଦ ଚଳିଲା । ମହନ୍ତ ଯାହାକୁ ଚେଲା କରିଥିଲେ, ନିଜର ଉତ୍ତରାଧିକାରୀ ବୋଲି ତାହା ନାମରେ କୌଣସି ପ୍ରମାଣପତ୍ର ଲେଖିଦେଇ ଯାଇ ନାହାନ୍ତି । ଭାରତୀଭୂଷଣ, ମକଦମ ତର୍କବାଗୀଶ ପ୍ରଭୃତି ଗ୍ରାମର ମୁଖିଆ ବ୍ୟକ୍ତିମାନେ ଏ ବିଷୟ ଯାଇ ରାଜାଙ୍କୁ ଜଣାଇଲେ । ରାଜା କହିଲେ, ‘ମୂର୍ଖ ସାଉଣ୍ଟା ଟୋକାଟାକୁ ଗାଦିରେ ବସିବାର ଆଦେଶ ମୁଁ ଦେଇ ପାରିବି ନାହିଁ । ତାହାର ତ ସ୍ୱଭାବ ଚରିତ୍ର ଭଲ ନୁହେ, ଅଧିକାର ପାଇଲେ ସେ ଦେବ ସମ୍ପତ୍ତିର ଅପବ୍ୟବହାର କରି ମଠଟି ନଷ୍ଟ କରିଦେବ । ବିଶେଷତଃ ଯାହାର ସେରେ ଭାର ରହିବାର ଶକ୍ତି ନାହିଁ, ତାହା ମୁଣ୍ଡରେ ମହେଣ ଭାର ଲଦିଦେଲେ ସେ କିପରି ସହିବ ?’’ ତହୁଁ ଭାରତୀଭୂଷଣ କହିଲେ–‘ମହାରାଜ, ମହନ୍ତ ଛାମୁଙ୍କର ଗୁରୁ, ସେ ଯାହାକୁ ସ୍ଥାପନ କରି ଯାଇଅଛନ୍ତି, ତାହାର ଗାଦିରେ ବସିବାର ବିଧି । ଯାହାହେଉ ଗୁରୁଙ୍କ ଗାଦି କିପରି ରକ୍ଷା ହେବ ଛାମୁ ସେଥିର ସୁବିଚାର କରିବା ହେଉନ୍ତୁ ।’ ରାଜା କହିଲେ, ‘ତୁମ୍ଭେମାନେ ପାଞ୍ଚଜଣ ଯଦି ଗୋଟିଏ କମିଟି ଗଠନ କରି ମଠ ଚଳାଇବାକୁ ସ୍ୱୀକୃତି ହେବ, ତାହା ହାତରେ କିଛି ଅଧିକାର ରହିବ ନାହିଁ, ତେବେ ମୁଁ ତାକୁ ନାମମାତ୍ର ମହନ୍ତ ହୋଇ ରହିବାକୁ ଆଦେଶ ଦେଇପାରେ । ସମସ୍ତେ ତଥାସ୍ତୁ ଉଚ୍ଚାରି ରାଜାଙ୍କଠାରୁ ବିଦାୟ ହୋଇ ଆସି ଯଥାବିଧାନରେ ମହନ୍ତଙ୍କର ଶବ ସମାଧିସ୍ଥ କଲେ । ଚେଲା ଗାଦିରେ ବସି ନୂତନ ମହନ୍ତ ହେଲେ । ନୂତନ ମହନ୍ତଙ୍କର ନୂତନ ନାମ ଧରିବାର ବିଧି ଅଛି । ତଦନୁସାରେ ସେ ସେହିଦିନଠାରୁ ବୈଷ୍ଣବ ଦାସ ନାମରେ ଅଭିହିତ ହେଲେ । ଦେଖୁ ଦେଖୁ ଏକାଦଶ ଦିବସ ଅତିବାହିତ ହେଲା । ମହନ୍ତଙ୍କର ପାରଲୌକିକ କ୍ରିୟା ମହାସମାରୋହରେ ସାଧିତ ହେଲା । ଯେଉଁ ସ୍ଥାନରେ ମହନ୍ତଙ୍କର ଶବଶରୀର ସମାହିତ ହୋଇଥିଲା, ରାଜାଜ୍ଞାରେ ସେଠାରେ ସୁନ୍ଦର ସ୍ମୃତିମନ୍ଦିର ପ୍ରସ୍ତୁତ ହେଲା । ତାହା ରାମାନୁଜ ଆଶ୍ରମ ନାମରେ ଅଭିହିତ । ମହନ୍ତଙ୍କର ଶିଷ୍ୟବର୍ଗ ତାଙ୍କ ମୃତ୍ୟୁ ଦିବସକୁ ପର୍ବ ଦିବସ ତୁଲ୍ୟ ଆଜି ଅବଧି ପାଳନ କରି ଆସୁଅଛନ୍ତି । ପ୍ରତିବର୍ଷ ସେହିଦିନ ମୃତ ମହାତ୍ମାଙ୍କ ଉଦ୍ଦେଶ୍ୟରେ ମହୋତ୍ସବର ଅନୁଷ୍ଠାନ ଏବଂ ସଂକୀର୍ତ୍ତନ ପ୍ରଭୃତି ହୁଏ । ମହନ୍ତଙ୍କର ଶାନ୍ତ ଶୌମ୍ୟ ଦେବ ମୂର୍ତ୍ତି ମହାକାଳର ନିର୍ମମ ଦନ୍ତରେ ଚର୍ବ୍ବିତ ହୋଇ ଶେଷ ହୋଇଗଲା । ରହିଲା କେବଳ ମନ୍ଦିରରୂପ ସ୍ମୃତି । ଏହି ସ୍ମୃତିହିଁ ତାଙ୍କର ଅପାର୍ଥିବ ଶରୀର ।

 

ମହନ୍ତଙ୍କ ତିରୋଧାନ ପରେ ମଠରେ କିଛି ଦିନ ଯାଏ କରୁଣରସର ସ୍ରୋତ ପ୍ରବାହିତ ହେଲା । ସେବକମାନେ କାନ୍ଦିଲେ, ଗାଈ ବଳଦ ତୃଣାହାର ଛାଡ଼ି ଅନର୍ଗଳ କାନ୍ଦିଲେ । ଯେପରି କି ସମସ୍ତଙ୍କର ହୃଦୟ ଅସହ୍ୟ ଶୋକତାପରେ ତରଳି ଯାଇ ଅଶ୍ରୁରେ ପରିଣତ ହୋଇଅଛି । ସାଧୁ ମହାତ୍ମା ସ୍ନେହ, ଦୟା ସମଦର୍ଶିତାରେ ସମସ୍ତଙ୍କୁ ମୁଗ୍‌ଧ କରି ରଖିଥିଲେ । ସେହି ସ୍ମୃତି ଏବେ ସମସ୍ତଙ୍କୁ ଝୁରାଉ ଅଛି । ଭକ୍ତବର ତୁଳସୀ ଦାସଙ୍କର ଗୋଟିଏ ଦୁହା ଅଛି,–ତୁଳସି, ତୁମ ଜଗମେ ଆୟେ, ଜଗ ହସେ ତୁମ୍‌ ରୋୟେ, ଐସେ କାମ କରକେ ଯାଓ ତୁମ୍‌ ହସୋ ଜଗ ରୋୟେ ।’’ ବାସ୍ତବରେ ଯାହାର ସୁକାର୍ଯ୍ୟ ଜଗତକୁ କନ୍ଦାଏ ତାହାରି କାର୍ଯ୍ୟ ଏକା ପ୍ରକୃତ କାର୍ଯ୍ୟ ଏବଂ ସେହି ଏକା ପ୍ରକୃତ କର୍ମୀ ପୁରୁଷ । ତାହାର ମରଣ ମରଣ ନୁହେଁ, ତାହା ନିଶ୍ଚୟ ମୃତ୍ୟୁର ଅମୃତ । ଏହିପରି ଲୋକେ ମରି ସୁଦ୍ଧା ଅମର ହୋଇ ରହନ୍ତି । ଭାଗବତରେ ଅଛି–‘ଜୀବର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି ।’ ପ୍ରକୃତରେ ମରଣ ପରେ ଲୋକର ଭଲମନ୍ଦ ଭାବ ଯେପରି ଜଣାପଡ଼େ, ଜୀବିତ କାଳରେ ସେପରି ନୁହେଁ । ଅଭାବ ନ ଘଟିଲେ ପଦାର୍ଥର ମୂଲ୍ୟ ବୁଝିବା ସହଜ ନୁହେଁ । ସାଧୁ ମହାତ୍ମାଙ୍କର ଜୀବନର ଅଭାବ ଆଜି ତାଙ୍କ ପ୍ରାଣର ମହାପ୍ରାଣତା ଏବଂ ମହାର୍ହତା ସାଧାରଣ ହୃଦୟକୁ ଉଦ୍‌ବୃଦ୍ଧ କରୁଅଛି । ଯେ ମୃତ୍ୟୁର ଅମୃତ ଉପର୍ଜ୍ଜନ କରିପାରନ୍ତି, ତାହାଙ୍କର ମରଣହି ଧନ୍ୟ । ସେ ମରଣ ଜାଗ୍ରତ ଜୀବନ ସିନା !

 

ନୂତନ ମହନ୍ତି ଏବେ ମଠର କର୍ତ୍ତା । କାଲି ଯେ ଦାଣ୍ଡର ଭିଖାରୀ, ଆଜି ସେ ଗାଦିର ଅଧିକାରୀ ଭାଗ୍ୟଦେବୀଙ୍କ ଅନୁଗ୍ରହରେ କଅଣ ହୋଇ ନ ପାରେ ? ଆଉ ନିଗ୍ରହରେ ବା କଅଣ ହୋଇ ନ ପାରେ । ସମୟ ସମୟରେ ଅପାତ୍ରରେ ସୁଦ୍ଧା ଭାଗ୍ୟଦେବୀ ବର ଅଜାଡ଼ି ଦିଅନ୍ତି । ଏହାଙ୍କର ଅପର ନାମ ନିୟତି । ନିୟତିର କ୍ରିୟା ଅସୀମ ଏବଂ ଦୁର୍ଜ୍ଞେୟ । ସେ କାହା ଯଶରେ କାଳିମା ବିଲେପନ କରୁଅଛି ଏବଂ କାହାକୁ ଅପ୍ରତ୍ୟାଶିତ ଯଶୋମାଲ୍ୟରେ ଭୂଷିତ କରିବା ସକାଶେ ସାଦର ଆହ୍ୱାନ କରୁଅଛି । ସମସ୍ତଙ୍କର ଜୟ ପରାଜୟ ତାହାରି ହସ୍ତରେ ନ୍ୟସ୍ତ; ମାତ୍ର ତାହାର ଜୟ ପରାଜୟ ଅନ୍ୟ କାହାରି ହାତରେ ନାହିଁ । ସେ ସମସ୍ତଙ୍କ ଭାଗ୍ୟ କଞ୍ଚି ଧରି ନିକାଞ୍ଚନରେ ବସିଥାଏ ଏବଂ ଇଚ୍ଛାନୁସାରେ ତାହା ପରିବର୍ତ୍ତନ କରୁଥାଏ । ସ୍ଥୂଳତଃ ନର ଭାଗ୍ୟଚକ୍ର ତାହାର କ୍ରୀଡ଼ା ସାମଗ୍ରୀ ତୁଲ୍ୟ । ସେ ଇଚ୍ଛାମାତ୍ରେ ତାହା ଭାଙ୍ଗି ଚୂର୍ଣ୍ଣ କରିପାରେ ପୁଣି ପରକ୍ଷଣରେ ପ୍ରବୀଣ ବିନ୍ଧାଣୀ ତୁଲ୍ୟ ତାହାକୁ ନତଭାବରେ ଗଠନ କରିଦେଇପାରେ । ଉତ୍‌ଥାନ ପତନ ହର୍ଷ ବିଷାଦ, ମାନ ଅପମାନ ସବୁ ତାହାରି ଅଯାଚିତ ଦାତବ୍ୟ । ସେ ଅଦ୍ଭୁତ ମହାନ୍‌ ଦେବତା, ବିନା ସ୍ତବ ସ୍ତୁତି ବା ବିନା ଯାଚଜ୍ଞାରେ ସେ ସ୍ୱତଃ ପ୍ରବୃତ୍ତ ହୋଇ ନର ଜୀବନ ଉପରେ ଆତ୍ମ କ୍ଷମତା ପ୍ରକାଶ କରେ । ସେ ଅରୂପ ଅମରୌଷଧିଦ୍ୱାରା ମୁମୂର୍ଷକୁ କଳ୍ପଜୀବୀ କରିପାରେ, ପକ୍ଷାନ୍ତରେ ଦୀର୍ଘଜୀବୀକୁ ମଧ୍ୟ ଅଳ୍ପାୟୁ ବା ଗତାୟୁ କରିପାରେ । ତାହାର ବିଚିତ୍ର ଲୀଳା ରହସ୍ୟ ଭେଦ ଶକ୍ତିର ଅତୀତ । ସ୍ୱଳ୍ପ ବୁଦ୍ଧି ଛାର ମନୁଷ୍ୟର ତ କଥାହିଁ ନାହିଁ ।

Image

 

ପଞ୍ଚମ ପରିଚ୍ଛେଦ

ଭିକାରୀ ମଳିକ

 

ସାଉଟି ମଳିକ ଜାତିରେ ଓଡ଼ଚଷା । ସେ ମଠର ଜଣେ ପ୍ରଜା । ମଠ ପଛ ପଟରେ ସାନ ଘର ଖଣ୍ଡକରେ ବାସ କରେ । ସାଉଟି ବଡ଼ ଗରିବ, ଚାଷବସ୍ତ ନାହିଁ, ସଦ୍ୟୋପାର୍ଜିତ ମଜୁରୀ ଉପରେ ଦୀନ ଜୀବନ ନିର୍ଭର କରି ଦିନ କଟାଏ । ସେ ପ୍ରାୟ ୧୫ ବର୍ଷ ହେଲା ମଠର ହଳିଆ କାର୍ଯ୍ୟରେ ନିଯୁକ୍ତ ଅଛି । ସାଉଟି ବିପତ୍ନିକ । ପରିବାର ମଧ୍ୟରେ ନିଜେ ଏବଂ ଦଶମ ବର୍ଷୀୟ ପୁତ୍ର ଭିକାରୀ । ପିଲାଟି ମଠର ଗୋରୁ ରଖେ । ସେଥି ସକାଶେ ଦୁଇ ଓଳି ମଠରୁ ଖଞ୍ଜା ପ୍ରସାଦ ପାଏ । ସୁତରାଂ ସନ୍ତାନ ପାଳନ ଦାୟିତ୍ୱରୁ ପିତା ଏକ ପ୍ରକାର ମୁକ୍ତ । ସାଉଟିର ଶ୍ୟାଳକ ରଘୁ ପଧାନ ଜଣେ ମଧ୍ୟମ ଶ୍ରେଣୀୟ ଶିକ୍ଷିତ ବ୍ୟକ୍ତି । ସେ ଗୋଟିଏ ଛାତ୍ରବୃତ୍ତି ସୁଲଭ ହେଡ଼ପଣ୍ଡିତ କାର୍ଯ୍ୟ କରନ୍ତି-। ଭାଗିନେୟଟିର ଦୁର୍ଦ୍ଦଶା ସମ୍ବନ୍ଧରେ ସେ ବ୍ୟଥିତ ହୋଇ ଦିନେ ଆସି ତାକୁ ନେଇଗଲେ । ଉଦ୍ଦେଶ୍ୟ, ପାଖରେ ରଖି ପାଠ ପଢ଼ାଇବେ । ଫଳତଃ ତାହାହିଁ ହେଲା; ଭଣଜା ରୋଷାଇ କରି ମାମୁଙ୍କୁ ଖୁଆନ୍ତି, ମାମୁ ଭଣଜାକୁ ପାଠ ପଢ଼ାନ୍ତି । ଉଭୟର ଉପକାର ଉଭୟେ ସଦ୍ୟ ସଦ୍ୟ ପରିଶୋଧ କରିଦେଉଥିଲେ । ଦୁଇ ବର୍ଷ ପରେ ଭିକାରୀ ଅପର ପ୍ରାଇମେରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଛାତ୍ରବୃତ୍ତ ଶ୍ରେଣୀକୁ ଉନ୍ନୀତ ହେଲା । ହେଡ଼୍‌ପଣ୍ଡିତଙ୍କ ସମ୍ପର୍କୀୟ ବୋଲି ଛାତ୍ର ସମାଜରେ ତାହାର ପ୍ରାଧାନ୍ୟ ଏବଂ ଗୌରବ ସ୍ୱଭାବତଃ ଥାଏ ଏବଂ ସେ ସୁଦ୍ଧା ସେଥିପାଇଁ ଦୁର୍ବାର ଆତ୍ମପ୍ରସାଦ ଅନୁଭବ କରେ । ପଢ଼ାଶୁଣା ଯାହାକରେ ତାହା ନ କରିବାଠାରୁ ଅବଶ୍ୟ ଭଲ । ଯାହାହେଉ ତିନିଥର ଅକୃତକାର୍ଯ୍ୟ ହେବା ପରେ କଷ୍ଟେ ସୃଷ୍ଟେ ଛାତ୍ରବୃତ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା । ଅନନ୍ତର ମାମୁ ତାହାକୁ ଟ୍ରନିଂ ପଢ଼ିବା ସକାଶେ ସହରକୁ ପଠାଇ ଦେଲେ ଏବଂ ସେଠାରେ ଚଳିବାର ସୁବନ୍ଦୋବସ୍ତ ମଧ୍ୟ କରିଦେଲେ । ତାଙ୍କର ବେତନ ଅତିଅଳ୍ପ ମାତ୍ର; ତଥାଚ ସେ ବ୍ୟୟ ସଙ୍କୋଚପୂର୍ବକ ପ୍ରତିମାସରେ ଭଣଜା ନିକଟକୁ ଦଶଟଙ୍କା ଲେଖାଏଁ ପଠାଇବାକୁ ଲାଗିଲେ । ତାଙ୍କର ଅପର କୌଣସି ଆଶା ନ ଥିଲା କିମ୍ବା ସେ ଅଧିକ କିଛି ଲୋଡ଼ନ୍ତି ନାହିଁ । କେବଳ ଏତିକି ଯେ, ଭଣଞ୍ଜାଟି ମନୁଷ୍ୟ ହେଲେ ତାଙ୍କର ଯଶ ରହିବ । ଭିକାରୀ ସହରରେ ଉପସ୍ଥିତ ହୋଇ ସହରର ହାଲ ଚାଲ ଏବଂ ଚଟକ ଚାକଚକ୍ୟ ଦେଖି ଅବାକ୍‌ ହୋଇଗଲା । ଭାବିଲା, କି ଅଦୃଷ୍ଟପୂର୍ବ ଅଶ୍ରୁତପୂର୍ବ ସୁଖମୟ ସ୍ୱର୍ଗରାଜ୍ୟରେ ଆଣି ଭାଗ୍ୟ ମୋତେ ଉପସ୍ଥିତ କଲା-। ଏହା ସ୍ୱପ୍ନରାଜ୍ୟ ନା ସ୍ୱର୍ଣ୍ଣରାଜ୍ୟ ? କେତେ ଅପୂର୍ବ ମନୋହର ସାମଗ୍ରୀ ଦର୍ଶକକୁ ନୀରବ ସାଦର ଆମନ୍ତ୍ରଣ କରୁଅଛି । ଯେଉଁ ଦିଗକୁ ଦୃଷ୍ଟି ଯାଉଅଛି, ସେ ଦିଗକୁ ଆଉ ସହଜରେ ଫେରି ଆସୁ ନାହିଁ-। ଲୋକେ ଯାହା କହନ୍ତି, ‘ଯେ ସହର ଦେଖି ନାହିଁ ସେ ମା ପେଟରୁ ଜନ୍ମ ହୋଇନାହିଁ’ ଏହା ପ୍ରକୃତ କଥା । ଭିକାରୀ ଆଉ ପାଠ ପଢ଼ିବେ କଣ, ସହର ଦେଖାରେ ମାତିଲେ । ଦିନ ରାତି ବୁଲି ବୁଲି ଯେତିକି ଦେଖିଲା, ତାହାର ଦିଦୃକ୍ଷା ତେତିକି ପ୍ରବଳ ହେଲା । ସେ କେବଳ ସହର ଦେଖିବା ଓ କେଉଁଠାରେ କି ଉତ୍କୃଷ୍ଟ ଖାଦ୍ୟ ମିଳେ, ତାହା ଚାଖିବାରେ ସମୟ ଏବଂ ଅର୍ଥର ସଦ୍‌ବ୍ୟବହାର କଲା-। ମିଷ୍ଟାନ୍ନ, ବାସତେଲ, ପରିଚ୍ଛଦ, ମଦ, ମଦତ, ଗଞ୍ଜା, ଭାଙ୍ଗ, ଅଫିମ ଇତ୍ୟାଦି ଅସଂଖ୍ୟ ବିଳାସଦ୍ରବ୍ୟ ସତ୍ତ୍ୱେ ସେ କାହାକୁ ଆଶ୍ରୟ କରିବ ଏହି ଚିନ୍ତା କିୟତ୍‌କାଳ ତାହାର ମସ୍ତିଷ୍କକୁ ଆଲୋଡ଼ନ କରିବାକୁ ଲାଗିଲା । ଶେଷରେ ସଙ୍ଗୀମାନଙ୍କ ପରାମର୍ଶରେ ମଦତ ଧରିବାଟା ଚୂଡ଼ାନ୍ତ ଧାର୍ଯ୍ୟ ହେଲା । ଦିନରାତିର ଅଧିକାଂଶ ସମୟ ସେହି ଧୂମ୍ରମୟ ଦେବତାଙ୍କ ସାଧନାରେ ଅତିବାହିତ ହେବାକୁ ଲାଗିଲା । ବିନା ଦୁଧ ବା ମାଛରେ ସେ ଦେବତା ସନ୍ତୁଷ୍ଟ ନୁହନ୍ତି । ସେଥିର ଯୋଗାଡ଼ ମଧ୍ୟ ଯଥାତିରିକ୍ତ କରାଗଲା । ମାତ୍ର ଏ ସମସ୍ତ ପୂଜା ସମ୍ଭାରକୁ ମାମୁଙ୍କ ପ୍ରଦତ୍ତ ଦଶ ଟଙ୍କା ନିଅଣ୍ଟ ହୁଏ । ପ୍ରଥମତଃ ପରିଚିତ ଲୋକଙ୍କଠାରୁ ଶେଷରେ ଦୋକାନୀ ପସାରୀଙ୍କଠାରୁ ଧାର ଏବଂ କାଳି କରିବାକୁ ପଡ଼ିଲା । ଚାରିମାସ ମଧ୍ୟରେ ଋଣ ପ୍ରାୟ ଶତାଧିକ ଟଙ୍କା ପର୍ଯ୍ୟନ୍ତ ହୋଇଗଲା । ଗୁଣଧର ଭଣଜାର ଗୁଣରେ ବିମୋହିତ ହୋଇ ସେଥିର ପୁରସ୍କାରସ୍ୱରୂପ ମାମୁ ମଧ୍ୟ ସାହାଯ୍ୟ ଟଙ୍କା ବନ୍ଦ କରିଦେଲେ । ତହୁଁ ଚୌଦିଗ ଅନ୍ଧକାର ଦିଶିଲା । କଅଣ କରିବ, କେଉଁଆଡ଼େ ଯିବ, କିଛି ସ୍ଥିର କରିପାରିଲା ନାହିଁ । ଏଣେ ରାତି ପାହିଲାବେଳକୁ ଦ୍ୱାରରେ ଆସି ଦଶ ଜଣ ମହାଜନ ଉପସ୍ଥିତ । କାହାର ଲୁଗା ମୂଲ୍ୟ ବାକୀ, କାହାର ସୋଡ଼ା ଲିମ୍‌ନେଟ୍‌ ମୂଲ୍ୟ ବାକୀ କାହାର ବାରୋଟି ବିସ୍କୁଟ୍‌ ମୂଲ୍ୟ ବାକୀ । ସେମାନେ ପ୍ରତ୍ୟହ ଉପସ୍ଥିତ ହୋଇ ମୂର୍ତ୍ତମାନ ଇନ୍ଦ୍ରିୟ ତୁଲ୍ୟ ଚତୁର୍ଦ୍ଦିଗରେ ଆକର୍ଷଣ କରି ବଡ଼ ବ୍ୟତିବ୍ୟସ୍ତରେ ପକାଇଲେ । କେହି କେହି ନାଲିସରେ ଭୟ ମଧ୍ୟ ଦେଖାଇଲେ । ଋଣ ଜ୍ୱାଳା ତ ସାମାନ୍ୟ ନୁହେଁ, ତାହା ବାଣଜ୍ୱାଳାଠାରୁ ଭୟାନକ । ବିଳାସ ସଂସାରରେ ପ୍ରଥମ ପ୍ରବେଶୀ ଏହି କୃଷକସନ୍ତାନ ସେହି ମହାଜ୍ୱାଳା ନିବୃତ୍ତର ଉପାୟ ନ ଦେଖି ‘‘ଯଃ ପଳାୟତି ସ ତିଷ୍ଠତି’’ ଏହି ନୀତିର ଆଶ୍ରୟ ଗ୍ରହଣପୂର୍ବକ ଦିନେ ରାତିରୁ ଉଠି ଗ୍ରାମକୁ ପଳାଇ ଆସିଲା । ଅପରିଚିତ ଲୋକ, ଘରଦ୍ୱାରର ଠିକଣା ନାହିଁ ଏରୂପ ସ୍ଥଳେ କିଏ ତାର କଅଣ କରିପାରେ । ସୁତରାଂ ମହାଜନମାନେ କାନ ମୁଣ୍ଡ ଆଉଁଷି ନୀରବ ରହିଲେ । ମାତ୍ର ପରମାୟୁହାନି ସୂଚକ ଆଶୀର୍ବାଣୀ ଯେ ପଦେ ଅଧେ ପ୍ରୟୋଗ କରି ନ ଥିଲେ, କିମ୍ବା ଚତୁର୍ଦ୍ଦଶ ପୁରୁଷର ଶ୍ରାଦ୍ଧ ମନ୍ତ୍ର ଉଚ୍ଚାରଣ କରି ନ ଥିଲେ ଏମନ୍ତ ନୁହେଁ ।

 

ଭିକାରୀ ଏବେ ଗ୍ରାମରେ ଥାଏ । ଗ୍ରାମର ଜଣେ ନେତା, ଅନ୍ତତଃ ଶ୍ରେଷ୍ଠ ନେତା ହେବାକୁ ତାହାର ଦୁର୍ବାର ଆକାଙ୍‌କ୍ଷା । ଅବଶ୍ୟ ସେ ସହରକୁ ଯାଇ ବୁଦ୍ଧି ମାର୍ଜିତ ଏବଂ ଉଜ୍ଜ୍ୱଳ କରି ଆସିଅଛି । ପ୍ରତିଭାର ଏପରି ମଶାଲଧାରୀମାନେ ଯଦି ଗ୍ରାମନାୟକ ବା ଜନନାୟକ ନ ହେବେ, ତେବେ ଗ୍ରାମର ଉନ୍ନତି କୋଷ୍ଠିରେ ରେଖାପାତ ଓ ଗ୍ରହ ସ୍ଥାପନ କିଏ କରିପାରେ ? ଭିକାରୀର ପ୍ରତ୍ୟେକ ସାଧାରଣ କାର୍ଯ୍ୟରେ ଏଣିକି ଅସାଧାରଣ ସହାନୁଭୂତି ଦେଖାଯାଏ । ପୁଣି ସେ ସହାନୂଭୁତି ମୂଳରେ କର୍ତ୍ତୁତ୍ତ୍ୱର ଗୋଟାଏ ନାତି ଅସ୍ପଷ୍ଟ ଛାୟା ସୁଦ୍ଧା ପରିଲିକ୍ଷିତ ହୁଏ । ଗ୍ରାମକୁ ଡାକ ପିଅନ ଆସିଲେ ଭିକାରୀ ତାହା ସଙ୍ଗରେ ବୁଲି ବୁଲି ସମସ୍ତଙ୍କର ଚିଟଉ ପୈଠ କରିଦିଏ । ଆବଶ୍ୟକ ସ୍ଥଳରେ ପ୍ରତିପତ୍ର ଲେଖି ଦେଇ ଦୁଇ ପଇସା ଉପାର୍ଜନ କରେ । ଏହା ବ୍ୟତିତ କାହାର କାହା ଉପରେ ଟଙ୍କା ବାକୀ, କାହାର କାହା ଉପରେ ଧାନ ବାକୀ, ସେଥିରେ ତତ୍ତ୍ୱାନୁସନ୍ଧାନପୂର୍ବକ ସେ ବାର୍ତ୍ତା ଅଦାଲତ ଛୁଇଁବା ବିଷୟରେ ସହାୟତା କରେ । ଏହିପରି କାଣ୍ଡିଆଳିଦ୍ୱାରା ସେ ଆଚ୍ଛା ପଣେ ଉପାର୍ଜନ କରିପାରେ । ମାତ୍ର ଚୋର ଠସ୍କର ଉପଦ୍ରବରୁ ନିରାପଦ ହେବା ଅଭିପ୍ରାୟରେ ତାହା ସବୁ ଅବକାରୀ ଦୋକାନରେ ରଖିଦେଇ ଆସେ । ଭିକାରୀ ଅବଧି ଅବିବାହିତ । ବର୍ଷେ ହେଲା ବାପର କାଳ ହୋଇ ଗଲାଣି । ବର୍ତ୍ତମାନ ସେ କୌଣସି ବନ୍ଧନର ଆବଦ୍ଧ ନୁହେଁ । ତାହାର ଚାରିପାଖ ମୁକୁଳା । ଏବେ ସେ ମୁକ୍ତ ସ୍ୱାଧୀନତା ସ୍ରୋତରେ ଯଦୁଚ୍ଛା ସନ୍ତରଣ କରିପାରେ । ମୁହଁଟି ଖଣ୍ଡିଏ ବିଶୁଦ୍ଧ ଦୈନିକ ସମ୍ବାଦପତ୍ର । ବୁଦ୍ଧି ବୃକ୍ଷମୂଳରେ ଟେକାଏ ଅହିଫେନସାର ପ୍ରୟୋଗ କରି ସହରର ପ୍ରାଧାନ୍ୟ ଏବଂ ତହିଁ ସଙ୍ଗେ ସଙ୍ଗେ ନିଜର ପ୍ରତିଷ୍ଠା କହି ବସିଛି ତ ରାତି ପାହିଗଲେ ସୁଦ୍ଧା ଉପସଂହାର ନାହିଁ ।

 

ଭିକାରୀ ମହନ୍ତଙ୍କ ପାଖକୁ ଯିବା ଆସିବା କରେ । ନୂଆମହନ୍ତ ତାକୁ ବଡ଼ ଭଲ ଦେଖି ପାରନ୍ତି । ତାହାଠାରୁ ସହର କଥା, ଥିଏଟର କଥା, ମୋଟରକାର ଓ ଶୂନଗାଡ଼ି କଥା, ଅନ୍ୟାନ୍ୟ ବିଳାସ ସାମଗ୍ରୀ କଥା ଶୁଣିବାକୁ ତାଙ୍କର ବଡ଼ ଆଗ୍ରହ । ଭିକାରୀ ଏସବୁ କଥା କହିଲାବେଳେ ମହନ୍ତ ଏରୂପ ଆଶ୍ଚର୍ଯ୍ୟ, ଆତୁର ଆଗ୍ରହ ଏବଂ ତନ୍ମୟ ଦୃଷ୍ଟିରେ ତାହା ମୁହଁକୁ ଚାହିଁ ରହନ୍ତି ଯେ, ବୋଧହୁଏ ଯେପରି ସେ କଥାସମୁଦ୍ରକୁ ଏକା ଢୋକକେ ପିଇ ଦେଉଅଛନ୍ତି । ଦିନେ କଥା ପ୍ରସଙ୍ଗରେ ମହନ୍ତ ପଚାରିଲେ–‘‘ଭିକାରୀ, ତୁ ମଦତ ଖାଉ ବୋଲି ଲୋକେ କହନ୍ତି । ସେ କି ପଦାର୍ଥ, ତାହାର ଗୁଣ କଅଣ ଆଉ ସେ କାହିଁରେ ପ୍ରସ୍ତୁତ ହୁଏ । ଭିକାରୀ ସହାସ୍ୟ ବଦନରେ କହିଲା, ‘‘ମହାରାଜ ମଦତ ବାଦସାହୀ ନିଶା । ନୀତିଶାସ୍ତ୍ରରେ ଅଛି, ‘ପାନ ଖାନା ମାନ ଗମାନା ଦୁଧ୍‌ ଖାନା ରୋଗ, ଭାତ ଖାନା ନାଚାରକୋ ମଦତ ଖାନା ଭୋଗ ।’’ ମଦତ ନିଶା ଶୂନ୍ୟରୁ ବୁଦ୍ଧି ଆଣିଦିଏ । ଯେଡ଼େ ଗଣ୍ଡମୂର୍ଖ ହେଉ ପଛକେ ଛିଟାଏ ପକାଇଦେଲେ ସେ ରାଜସଭାର କେବେ ହାରିବ ନାହିଁ । ତାହା କୌଣସି ଅପବିତ୍ର ପଦାର୍ଥର ତୟାରି ନୁହେଁ ମହନ୍ତ ଗୋସାଇଁ । କଳିକଳ୍ମଷହର ମହାମହୌଷଧି ଅଫିମ ଆଉ ଗୋଟାଏ ପତ୍ର ମିଶି ତାହା ପ୍ରସ୍ତୁତ ହୁଏ । ଥରେ ଚାଖିବାକୁ ଇଚ୍ଛା ହେଉଅଛି କି ? ହେଲେ ଚାକର ତହିଁକି ପ୍ରସ୍ତୁତ ଅଛି ।’’ ବାବାଜୀ ଦୀର୍ଘ ନିଃଶ୍ୱାସ ପକାଇ କହିଲେ, ‘‘ମୁଁ ପଇସା କାହୁଁ ପାଇବି ଯେ, ତହିଁ କି ମନ ବଳାଇବି ।’ ଭିକାରୀ ଆଶ୍ଚର୍ଯ୍ୟ ହୋଇ କହିଲା–‘‘କାହିଁକି, ଆପଣଙ୍କର କଅଣ ନାହିଁ । ଅନ୍ୟକଥା ଯାହା ହେଉ, ନଗଦ ତହବିଲ ତ ପଚାଶ ହଜାର ଜମାଅଛି । ତେବେ ତାହା ହସ୍ତଗତ ନୁହେଁ, ନ ହେଉ ଆଜି ନ ହେଲେ କାଲି ହେବ, ଯିବ ପୁଣି କେଉଁଆଡ଼େ । ଆପଣ ଗାଦିରେ ଅଧିକାରୀ; ସୁତରାଂ ସମ୍ପତ୍ତିର ଅଧିକାରୀ । ଆଚ୍ଛା, ମଦତ ଧରନ୍ତୁ ତ, ଦେଖିବା କିପରି ବୁଦ୍ଧି ନ ବଢ଼ିବ ଏବଂ କିପରି ସମ୍ପତ୍ତି ଶୀଘ୍ର ହସ୍ତଗତ ନ ହେବ ? ବୁଦ୍ଧି ବଳରେ ସବୁ ହୁଏ, ଅତଃ ବୁଦ୍ଧି ଉପାର୍ଜନ ସର୍ବାଗ୍ରେ ପ୍ରୟୋଜନ । ଆଚ୍ଛା ହେଉ, କାଲି ଚଖାଇବି-।’ ଏହା କହି ଭିକାରୀ ସେ ଦିନ ସକାଶେ ମହନ୍ତଙ୍କଠାରୁ ବିଦାୟ ନେଇ ଅନ୍ୟତ୍ର ପ୍ରସ୍ଥାନ କଲେ ।

 

କ୍ରମେ ଭିକାରୀ ଓ ମହନ୍ତ ମଧ୍ୟରେ ପ୍ରୀତିବନ୍ଧନ ନୀରନ୍ଦ୍ରତର ହୋଇ ଉଠିଲା । ଏ ସାଧାରଣ ପ୍ରୀତି ନୁହେଁ, ଅନଳପତଙ୍ଗ ପ୍ରୀତି । ଦୁର୍ଯ୍ୟୋଧନକୁ ଶକୁନି ମନ୍ତ୍ରୀ ମିଳିଲା । ଏଣିକି ମହାଭାରତ ଆରମ୍ଭ । ଭିକାରୀକୁ ଦଣ୍ଡେ ନ ଦେଖିଲେ ମହନ୍ତଙ୍କର ବୁଦ୍ଧି ହଜିଯାଏ । କବି ଗାଇଅଛନ୍ତି, ‘‘ଘଟୁ ଘଟିଲେ ପଛେ ଶିରଶ୍ଚେଦ, କେବେ ନ ଘଟୁ ପ୍ରୀତିରେ ବିଚ୍ଛେଦ ।’’ ପରସ୍ପରର ପ୍ରଣୟ ପରସ୍ପରର ହୃଦୟକୁ ନିବିଡ଼ ଭାବରେ ଆଲିଙ୍ଗନ କରିଥିଲା । ସେହି ପ୍ରଣୟ ଦର୍ପଣରେ ସେମାନେ ଉଭୟେ ଉଭୟର ଅନ୍ତର ସୌନ୍ଦର୍ଯ୍ୟର ପ୍ରତିବିମ୍ବ ଦେଖିପାରୁଥିଲେ । ଭିକାରୀ ରାତ୍ରି ଅଧ ପର୍ଯ୍ୟନ୍ତ ମହନ୍ତଙ୍କ ପାଖରେ ଥାଏ । କୌଣସି କୌଣସି ଦିନ ଘରକୁ ଯାଇ ନ ପାରିଲେ ମଠରେ ରହିଯାଏ । ସେଦିନ ସେ ମହନ୍ତଙ୍କ ପାତୁଳାରେ ଅର୍ଦ୍ଧେକ ଅଧିକାର ଲାଭକରେ । ମଦତ ଟଣା ଲାବଣ୍ୟବତୀର ଅର୍ଥ ଏବଂ ଚୌସାରଖେଳ ଲାଗିଥାଏ । ଏହି ମଉଜରେ ଦିନେ ଦିନେ ରାତି ପାହିଯାଏ । ମହନ୍ତଙ୍କ ପ୍ରକୋଷ୍ଠଟି ମଦତଧୂଆଁ ପ୍ରାସାଦରୁ ଧୂମାୟିତ ଆଗ୍ନେୟଗିରି ଗର୍ଭରେ ଉପମାସ୍ଥଳ ହୋଇ ବସେ । କାଳେ କେହି ହଠାତ୍‌ ପଶିଆସି ସେହି ଦଗ୍‌ଧମତ୍ସ୍ୟନିଭ ସୁରଭିତ ଧୂପଗନ୍ଧ ଉପଭୋଗର ସୌଭାଗ୍ୟ ଲାଭ କରେ, ଏହି ଆଶଙ୍କାରେ ଦ୍ୱାର ଉପରେ ଇଂରାଜି ଅକ୍ଷରରେ ‘‘No Admission’’ ଲେଖା ହୋଇଅଛି । ଏହି ନୂତନ ସଭ୍ୟତା, ଏହି ଅମାବାସ୍ୟାରେ ଚନ୍ଦ୍ରୋଦୟ ଭିକାରୀ ଠାକୁର ମଠକୁ ଆଣି ଦେଇଅଛି ।

 

ଏହିପରି ଗୋପନରେ କିଛିଦିନ କାର୍ଯ୍ୟ ଚଳିଲା । ସବୁ କଥା ଅର୍ଥସାପେକ୍ଷ । ଅର୍ଥର ଅଭାବ ଘଟିବାରୁ ତେଣିକି ଭାଳେଣି ପଡ଼ିଲା; ମାତ୍ର ପ୍ରତ୍ୟୁତ୍ପନ୍ନମତି ଭିକାରୀ ସ୍ୱୀୟ ଅସାଧାରଣ କୁଟିଳ ବୁଦ୍ଧି ବଳରେ ଅର୍ଥାଗମର ସହଜ ସୁନ୍ଦର ମାର୍ଗ ଉଦ୍‌ଘାଟନ କରିନେଲା । ମଠ ଧାନ ଘରର କଞ୍ଚିକାଠି ପଞ୍ଚାୟତମାନଙ୍କ ନିକଟରେ ରହେ । ଭିକାରୀ ମହାମଦ୍ୱାରା କଞ୍ଚିର ଛାଞ୍ଚ ଉତାରି ନେଇ ସେହି ମାପରେ ଗୋଟାଏ କଞ୍ଚିକାଠି ତୟାରି କରାଇ ଆଣିଲା । ସେଥିରେ ଅମାର ଖୋଲି ରାତିରେ ଧାନ ବାହାର କରାଯାଏ । ରାତି ପାହିଲାବେଳକୁ ଭିକାରୀ ଗ୍ରାହକ ଅଣାଇ ସବୁ ପରିଷ୍କାର କରିଦେଇଥାଏ । ପ୍ରତ୍ୟହ ଏଣିକି ଭିକାରୀନାମରେ ସହରରୁ ଭି.ସି. ପାର୍ଶେଲ ଆସେ । କାହିଁରେ କୋଟ କାମିଜ, କାହିଁରେ ବିସ୍କୁଟ, କାହିଁରେ ବା ଅତର ଥାଏ । ଦିନେ ଗୋଟାଏ ସୁବାସତେଲ ପାର୍ଶେଲ ଆଣି ମହନ୍ତଙ୍କ ସମ୍ମୁଖରେ ଖୋଲା ଗଲା । ଭିକାରୀ ଶିଶିଟିରୁ ଠିପି ଖୋଲି ମହନ୍ତଙ୍କ ତାଳୁରେ କିଞ୍ଚିତେ ଢାଳିଦେଇ କହିଲା, ‘‘ସହରର ବାବୁମାନେ ପ୍ରତ୍ୟେହ ଏହି ତେଲ ଲଗାଇ ଗାଧୁଅନ୍ତି ।’ ମହନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, ‘ସହରର ଲୋକଗୁଡ଼ାକ ଭିକାରୀ ଦେବତା ସିନା । ଆହା, କି ସୁବାସ, ଏରୂପ ସ୍ୱର୍ଗ ପାରିଜାତ ଯାହାଙ୍କର ଭୋଗ୍ୟ, ସେ ଦେବତାଙ୍କଠାରୁ ଭାଗ୍ୟବାନ୍‌ । ମହନ୍ତ ଥରେ କେଲନାର ହୋଟେଲରୁ ଆନୀତ ବ୍ୟଞ୍ଜନ ଭୋଜନ କରି ଭିକାରୀକୁ ସହସ୍ର ଆଶୀର୍ବାଦ ନ କରି ରହି ପାରି ନ ଥିଲେ । ସୋଡ଼ା ବା ଲିମିନେଟ୍‌ ବ୍ୟତୀତ ଏଣିକି ମହନ୍ତଙ୍କର ତୃଷ୍ଣା କଳୁଷିତ ଧରା ଜଳରେ ନିବାରିତ ହୁଏ ନାହିଁ । ଭିକାରୀ ଉପଯୁକ୍ତ ଗୁରୁ, ତହିଁକି ମହନ୍ତ ମଧ୍ୟ ଉପଯୁକ୍ତ ଚାଟ । ଅତଃ ପାଠୋନ୍ନତିର ସଂଶୟ କି ଅଛି ? ଏଣେ ଧାନ ଅମାର ଅଧାଅଧି ହୋଇଯିବାର ଦେଖି ପଞ୍ଚାୟତମାନେ ସନ୍ଦେହ କଲେ । କଞ୍ଚିକାଠି ସେମାନଙ୍କ ପାଖରେ ନ ଥିଲେ ଏ ଦୋଷଟା ସମ୍ପୂର୍ଣ୍ଣତଃ ସେବକ ଚାକର ପ୍ରଭୃତିଙ୍କ ମସ୍ତକରେ ଲଦି ଦିଆଯାଇ ଥାଆନ୍ତା । ଯାହାହେଉ ପଞ୍ଚାୟତମାନେ ସେହିଦିନଠାରୁ ଅମାରରେ ଜଣେ ଲୋକ ଜଗାଳି ରଖିଦେଲେ । ମହନ୍ତ ଏଣିକି କୋଟ କାମିଜ ପିନ୍ଧନ୍ତି; ମାତ୍ର ମଠରେ ସେ ରୂପ ଧାରା କେଉଁ କାଳେ ନ ଥିଲା । କେହି ମହନ୍ତଙ୍କୁ ଏହି ଅସ୍ୱାଭାବିକତାର କାରଣ ପଚାରିଲେ କହନ୍ତି–ଗୋସାଇଁ ଏହା ମୋ ପାଇଁ କିଣି ରଖି ଦେଇଯାଇଥିଲେ । ତହୁଁ ବଡ଼ ମହନ୍ତଙ୍କ ସ୍ନେହଦତ୍ତ ଜାଣି ପ୍ରଶ୍ନକର୍ତ୍ତା ଦ୍ୱିରୁକ୍ତି ନ କରି ନୀରବ ରହେ । ମହନ୍ତଙ୍କୁ ବିଳାସର ସ୍ୱେଚ୍ଛାସେବକ ହେବାର ଦେଖି ନାନା ଲୋକେ ନାନାକଥା କହନ୍ତି । ସେବକମାନେ କଥାବାର୍ତ୍ତା ହୁଅନ୍ତି, ଏ ଯୋଗୀ ନା ଭୋଗୀ ? ମୃତ ମହନ୍ତମାନେ ନାମାବଳୀ ଛଡ଼ା କେବେ ଅଙ୍ଗୀ ବ୍ୟବହାର କରନ୍ତି ନାହିଁ; ମାତ୍ର ଏହାଙ୍କର ଏ କି ପଣ ? ଯାହାର ଆଚାରନିଷ୍ଠା ନାହିଁ, ସେ କି ସାଧୁ ? କେହି କହେ ସାଧୁ ପୁଣି କଅଣ, ଏ ତ ବେଲା ମାଜୁମାଜୁ ମହନ୍ତ ହୋଇ ବସିଲେ, ଏହାଙ୍କର ପିତ୍ତ କେତେ ଯେ, ଏପୁଣି ଏଡ଼େ ଡାକୁଆ ଗାଦିର ଯୋଗ୍ୟ ହେବେ । ମୂଲିଆ ପୁଅକୁ ରାଜସିଂହାସନରେ ବସାଇ ଦେଲେ ସେ କି ରାଜବୁଦ୍ଧି ପାଇବ ? ଏହିପରି ପଛରେ ନାନା ବିଚାର ପକାନ୍ତି । ମାତ୍ର ସ୍ୱାଭାବିକ ଚକ୍ଷୁଲଜ୍ଜାବଶତଃ କେହି କିଛି ମୁହଁରେ ସାହସୀ ହୁଅନ୍ତି ନାହିଁ ।

 

ଅର୍ଥାଗମର ପଥ ରୁଦ୍ଧ ହେଲା; ମାତ୍ର ମହନ୍ତ ସେଥିରେ ଭାବିତ ହେଲେ ନାହିଁ । ମୂଷାର ଗୋଟିଏ ବାଟ ବୁଜି ଦେଲେ ସେ ଅନ୍ୟ ଗାତ ଖୋଳି ବାହାର ହୁଏ । ଏବେ ଠାକୁର ଅଳଙ୍କାର ଉପରେ ଦୃଷ୍ଟି ପଡ଼ିଲା । ସହଜ ଦୃଷ୍ଟିରେ ଅଗୋଚର ସ୍ଥାନରୁ ପ୍ରଥମତଃ ଅଳଙ୍କାର ବାହାର ହେଲା । ସ୍ୱୟଂ ମହନ୍ତ ଏ କାର୍ଯ୍ୟର କର୍ତ୍ତା ଆଉ ଭିକାରୀ ବିକ୍ରେତା । ଏହିପରି କେତେକ ଅଳଙ୍କାର ଅପହୃତ ହେବାପରେ ଦିନେ ପୂଜା ସମୟରେ ପୂଜାରୀ ଦେଖିଲା, ଶ୍ରୀଜୀଉଙ୍କ ହସ୍ତର ରତ୍ନ ବଳୟ ନାହିଁ । ମୂହୂର୍ତ୍ତକ ମଧ୍ୟରେ ଏ ବାର୍ତ୍ତା ମଠ ମଧ୍ୟରେ ରାଷ୍ଟ୍ର ହୋଇଗଲା । ପଞ୍ଚାୟତମାନେ ଶୁଣିପାରି ଧାଇଁ ଆସିଲେ । ଖୋଜିତାବେଳେ ଆହୁରି କେତେକ ପଦାର୍ଥ ମଧ୍ୟ ଅପହୃତ ହୋଇ ଥିବାର ଜଣାଗଲା । ଅନେକେ ପୂଜାରୀ ପ୍ରତି ଲକ୍ଷ୍ୟ କଲେ । କେହି ବା ତାହାର ସାଧୁତ୍ୱ ଉପରେ ନିର୍ଭର କରି ତାହାଦ୍ୱାରା ଏ ଦୁଷ୍କାର୍ଯ୍ୟ ଅନୁଷ୍ଠିତ ହୋଇ ଥିବାର ପତିଆରା କଲେ ନାହିଁ । ମହନ୍ତଙ୍କର କାର୍ଯ୍ୟକଳାପ ପଞ୍ଚାୟତମାନେ ଅଜ୍ଞାତ ନୁହନ୍ତି । ତାଙ୍କ ସ୍ୱଭାବ ପ୍ରତି ସମସ୍ତଙ୍କର ଘୃଣା ସଞ୍ଚାର ହୋଇଥିଲା । ଗାଧୋଇବାବେଳେ ମୁଣ୍ଡା ମୁଣ୍ଡା ସାବୁନ ଧୋଇଯାଏ । ସ୍ନାନାନ୍ତେ ଆରସି ବ୍ରୁସ ସୁଗନ୍ଧ ଦ୍ରବ୍ୟ ପୂଜାର ଉପକରଣରୂପେ ସମାହୃତ ହୁଏ । ତାହା ଉପରେ ପ୍ରତ୍ୟହ ନୂଆ ନୂଆ ପୋଷାକ, ନୂଆ ଜୋତା, ନୂଆ ଚଡ଼ି ବିଭିନ୍ନ ଫେସନର ଘଡ଼ି ଅଙ୍ଗର ଶୋଭା ବୃଦ୍ଧି କରେ । ଜଗନ୍ନାଥ ମହାପ୍ରଭୁ ଷୋଳ ବେଶ ହୁଅନ୍ତି । ମହନ୍ତଙ୍କ ବେଶ ସେଥିର ଦୁଇଗୁଣକୁ ଅତିକ୍ରମ କରିଗଲା । ମହନ୍ତଙ୍କର ଏହି ସମସ୍ତ ଅକରଣୀ ଦେଖି ପଞ୍ଚାୟତମାନେ ସାବଧାନ କରାଇ ଥିଲେ; ମାତ୍ର କିଛି ଫଳ ହେଲା ନାହିଁ । ଯାହାହେଉ ଉପସ୍ଥିତ ଚୈର୍ଯ୍ୟନାଟକର ପ୍ରଧାନ ନାୟକ ଯେ ମହନ୍ତ, ଏହା କାହାରି ଅବିଶ୍ୱାସ ହେଲା ନାହିଁ । କଥାଟା ବାହାରକୁ ଫୁଟିଲା ନାହିଁ; ମାତ୍ର ଭିତରେ ଭିତରେ ଅନୁସନ୍ଧାନ ଚାଲିଲା ।

Image

 

ଷଷ୍ଠ ପରିଚ୍ଛେଦ

ପଦୀ

 

ଆସିଲି ମା ତନ୍ତିଆଣୀ ମଠକୁ ଯିବା ଆସିବା କରେ । ବାହାରୁ ଖରକା ଏବଂ ଛୁଞ୍ଚ ଦିଆ ତାହାର ପ୍ରାତ୍ୟାହିକ କର୍ତ୍ତବ୍ୟ ନିର୍ଦ୍ଦିଷ୍ଟ ଥିଲା । ଆସିଲି ମା ତାହା ସମାଧାନ କରି ଚାଲିଯାଏ । ଘରକୁ ସେ ଏବଂ ତାହାର ସାନ ଝିଅ ପଦୀ ଦୁଇଜଣ । ଝିଅଟିକୁ ଅଶୀ ଟଙ୍କା କନ୍ୟାସୁନା ନେଇ ଜଣେ ପଞ୍ଚଷଷ୍ଠୀ ବର୍ଷୀୟ ପାତ୍ର ହସ୍ତରେ ଅର୍ପଣ କରିଥିଲା; ମାତ୍ର ତିନିବର୍ଷ ହେଲା ତାହାର କପାଳ ଫାଟିବାରୁ ସେ ମାଆ ଘରେ ଆସି ରହିଅଛି । ମା ଝିଅ ମିଶି ଦୁଃଖ ଧନ୍ଦା କରି ଖାଆନ୍ତି, କାହାରିକୁ ଆଦୁର୍ଯ୍ୟା ହୁଅନ୍ତି ନାହିଁ । ଆସିଲି ମା ମଠର ବାସିପାଇଟି କରି ଦୁଇ ଓଳି ଦୁଇ ପାତୁଳା ପ୍ରସାଦ ଖଞ୍ଜା ପାଏ । ଖଞ୍ଜ ଅଖଞ୍ଜ ସମୟରେ ମା ବଦଳରେ ଝିଅ ଆସି ଦିନେ ଦିନେ ମଠର ପାଇଟି ଚଳାଇ ଦେଇଯାଏ । ବୟସ ଷୋଳ ସତରରୁ ଉର୍ଦ୍ଧ୍ୱ ନୁହେ । ବର୍ଣ୍ଣ ଅମା ଅନ୍ଧକାର ତୁଲ୍ୟ ଗୌର । ସେହି ଅନ୍ଧକାର ଭେଦି ଦନ୍ତପନ୍ତି ତାରାକୀ ତୁଲ୍ୟ ଦେଦୀପ୍ୟମାନ । ମୁଖରେ ଗଭୀର ବସନ୍ତ ଚିହ୍ନ, ସୁଚି ବସାଇବାକୁ ଠାବ ନାହିଁ । କବି ଯଦୁମଣି ଜୀବିତ ଥିଲେ ଉପମା ଯୋଖି ବସନ୍ତେ–‘‘ବସନ୍ତ ମୁଖୀକୁ ଉପମା ଖଟୁ, କାମ-କାକରା ଛଣା ଜାଲିଚଟୁ ।’’ ଆମ୍ଭେମାନେ ମଧ୍ୟ କିଛି ଗୋଟାଏ ଉପମା ଆରୋପ କରିବା ସକାଶେ କଳ୍ପନା-ପୃଷ୍ଟିରେ ଅନ୍ୱେଷଣ କରୁଥିଲୁଁ । ମାତ୍ର ପଦୀର ମୁହଁକୁ ଅନାଇ ଉପମା ଜଗତକୁ ଅନାଇଲାବେଳକୁ ସବୁ ଅନ୍ଧକାର ଦେଖାଗଲା । ସୁତରାଂ ଉପସ୍ଥିତ ଦୁରାକାଙ୍‌କ୍ଷାରେ ଜଳାଞ୍ଜଳି ଅର୍ପଣ କରି ନିସ୍ତାର ଲାଭ କଲୁଁ । ସଂକ୍ଷେପରେ ଏବଂ ସହଜ ଭାଷାରେ କହିବାକୁ ଗଲେ ପଦୀ ଖଣ୍ଡିଏ ମୁଗୁନି ପଥର ନିର୍ମିତ ଅଶିକ୍ଷିତ ଶଳ୍ପୀ କଳ୍ପିତ ଗୋଟିଏ କୁତ୍ସିତ ବିଗ୍ରହ ତୁଲ୍ୟ ସୁନ୍ଦରୀବଚା । କୌଣସି ଅଙ୍ଗରେ ଅଳଙ୍କାର ନାହିଁ । ନ ଥିବା ହିଁ ସଙ୍ଗତ ହୋଇଅଛି । ଯେହେତୁ ଅଳଙ୍କାର ଅନ୍ତରାଳରେ ଶୋଭାର ଏ ଅତସିପ୍ରଭା ଢାଙ୍କି ଯାଇଥାନ୍ତା ସିନା ! ପୃଥୁଳ ରୁକ୍ଷ କେଶ ବିମୁକ୍ତ କରି ଦୁଇପ୍ରହର ସମୟରେ ସେ ଗ୍ରାମ ପର୍ଯ୍ୟଟନରେ ବାହାର ହେଲେ ଦାଣ୍ଡରେ ଖେଳୁଥିବା ପିଲାମାନେ ତାକୁ ଦେଖି ଭୟରେ ଘର ଭିତରକୁ ପଳାନ୍ତି । ଗୋପୀ ରଥେ କହନ୍ତି–‘ପଦୀ କି ଚାହିଁଦେଲେ ଦୃଷ୍ଟି ରେଖାରେ ଏରୂପ ବହଳରେ କାଳୀ ବୋଳି ହୋଇଯାଏ ଯେ, ପଥ ଅନ୍ଧକାର ଦେଖାଯାଏ ।’ ମାତ୍ର ଆମ୍ଭେମାନେ କହୁଁ ଏହା ଅତିରଞ୍ଜିତ କଥା । ତେବେ ଦେହରେ ହାତ ବୁଲାଇ ଆଣିଲେ ହାତ ଯେ କାଳିମାମୟ ହୋଇଯାଏ, ଏଥିରେ ସନ୍ଦେହ ନାହିଁ । ଯାହାହେଉ ସେ ନାରୀରୂପେ ବର୍ଣ୍ଣନା ସେଥିରେ ମାର୍ଜିତପନ୍ଥୀ ପାଠକମାନଙ୍କର ଧୈର୍ଯ୍ୟ ଭଙ୍ଗ ହୋଇପାରେ । କାରଣ ତାହା ଅଶ୍ଳିଳତା ଦୋଷଦୁଷ୍ଟ । ଏହି ଦୋଷ ଭୟରେ କାବ୍ୟରେ ନାୟିକା ରୂପ ବର୍ଣ୍ଣନା ଏଣିକି ସାତ ପରସ୍ତ ଆବରଣରେ ଆବୃତ କରିବାକୁ ପଡ଼ୁଅଛି । ନଚେତ୍‌ ଲେଖକ ଭଣ୍ଡ ଏବଂ କାବ୍ୟ ପଣ୍ଡ ଆଖ୍ୟା ଧାରଣ କରିବ ।

 

ପଦୀ ଏଣିକି ଅନେକ ଥର ମଠକୁ ଯିବାଆସିବା କରେ । କେତେବେଳେ ମା ସଙ୍ଗରେ ଆସି ମାର କର୍ତ୍ତବ୍ୟରେ ସାହାଯ୍ୟ କରେ ଆଉ କେବେ ବା ଏକୁଟିଆ ଆସେ । ଏକେତ ଅପ୍‌ସରାଜିତ ସୁନ୍ଦରୀ ତହିଁ ପରେ ଯୌବନାବସ୍ଥା । ସେ ଯୌବନର ଶ୍ରୀ ତାହାର ବସ୍ତ୍ର ବିଦୀର୍ଣ୍ଣ କରି ଉପରକୁ ଭାସି ଉଠୁଥିଲା । ମହନ୍ତ କି ଆଉ ସମ୍ଭାଳ ପାରନ୍ତି ? ସେ ପଦୀର ସେହି ଯୌବନ ତିର୍ଥରେ ଝାସ ଦେଲେ । ପଦୀ ମଧ୍ୟ ତହିଁକି ଊଣା ନ ଥିଲା । ପରସ୍ପର ପରସ୍ପରର ଉଦ୍‌ଭ୍ରାନ୍ତ ପ୍ରେମର ବ୍ୟାକୁଳ ତରଫରେ ଭାସମାନ ହେଲେ । ପ୍ରଣୟ ସୌନ୍ଦର୍ଯ୍ୟସାପେକ୍ଷ ନୁହେଁ । ସେ ଜାତିଗୋତ୍ରରେ ପାର୍ଥକ୍ୟ ମାନେ ନାହିଁ । ପ୍ରଣୟୀ ନୟନ ଅସୁନ୍ଦର ମଧ୍ୟରେ ସୁଦ୍ଧା ସୁନ୍ଦର ଦେଖେ । ପ୍ରଣୟ କଥା ଖୋଜେ, କାର୍ଯ୍ୟ ଖୋଜେ; ମାତ୍ର ସୌନ୍ଦର୍ଯ୍ୟ ଖୋଜେ ନାହିଁ । ପ୍ରଣୟ ସ୍ୱଭାବତଃ ଅନ୍ଧ, ସେ ଯାଉଁ ଯାଉଁ ଯାହାକୁ ହାବୁଡ଼େ, ତାହାକୁ ହିଁ ସୁନ୍ଦର ମଣେ । କେହି କେହି ଛିଦ୍ରାନ୍ୱେଷୀ ବାବାଜୀଙ୍କ ରୁଚିରେ ସେମାନେ ଭ୍ରାନ୍ତ । ସେମାନେ ସିନା ନିଜ ନିଜ ଆଖିରେ ପଦୀକୁ ଦେଖିଅଛନ୍ତି, ବାବାଜିଙ୍କ ପ୍ରେମ ଚନ୍ଦ୍ରକାପାୟୀ ନେତ୍ରବକୋର ସାହାଯ୍ୟରେ ତ କେବେ ଦେଖି ନାହାନ୍ତି । ସେମାନେ ଯଦି ବାବଜିଙ୍କ ଚକ୍ଷୁ ଯୋଡ଼ିକ ନେଇ ସେଥିରେ ପ୍ରଚକ୍ଷୁ ପ୍ରସ୍ତୁତ କରି ଦେଖନ୍ତେ, ତେବେ ପଦୀର ସୌନ୍ଦର୍ଯ୍ୟ ଅବଶ୍ୟ କଳି ପାରନ୍ତେ । ଯାଉ ସେ ଦୁଷ୍ଟଲୋକଙ୍କ କଥାରେ କିଛି କ୍ଷତି ବୃଦ୍ଧି ନାହିଁ । ପଦୀକୁ ବଡ଼ି ସକାଳୁ ମଠ ଭିତରୁ ବାହାରି ଯାଉଥିବାର ଅନେକ ଲୋକ ଅନେକ ଥର ଦେଖିଲାଣି । ପଚାରିଲେ ବାଆଁରେଇ ଭିନ୍ନ ପ୍ରକାର କହେ । ଦୁର୍ବଳର ଆତ୍ମରକ୍ଷାର ଉପାୟ ତ ଏ ସଂସାରରେ ବିରଳ ନୁହେଁ । କେତକୀରେ କଣ୍ଟକ ଏବଂ ଚନ୍ଦନରେ ସର୍ପ ସେଥିରେ ସହଜ ଉଦାହରଣ । ସେହପରି ମିଥ୍ୟା ପଦୀର ଆତ୍ମରକ୍ଷାର ଆବରଣ ହୋଇଥିଲା । ସେ କହେ, ‘‘ମୁଁ ରାଣ୍ଡୀ ନିଲୁଖୁଣୀ ଲୋକ, ତୀର୍ଥ ବ୍ରତକୁ ତ ବଳ ନାହିଁ, କାରଣ ହେବି କିପରି ? ବାବାଜି ଭାଗବତ ପଢ଼ୁଥିଲେ ଯେ, ଶୁଣୁ ଶୁଣୁ ରାତି ପାହିଗଲା ପୋଥିଶାସ୍ତ୍ର ଶୁଣିବାକୁ ମୋର ବଡ଼ ଶରଧା । ଯେଉଁଦିନ ପୋଥି ହୁଏ, ସେ ଦିନ ଆସି ଶୁଣେ ।’’ ହାୟ ଧର୍ମ, ଅକାରଣେ ତୁମ୍ଭେ କଳଙ୍କିତ ହେଲ । ଅଧର୍ମର ଭାର ଧର୍ମର ମୁଣ୍ଡ ଉପରେ ପଡ଼ିଲା । ଧର୍ମଅଗ୍ନି ପାପଭସ୍ମରେ ଲୁଚି ରହିଲା । ହାୟ ଧର୍ମ, ତୁମ୍ଭେ ଏହା ସହିଲ ତ ? ଏହିପରି ଧର୍ମର ଦ୍ୱାହି ଦେଇ ଲୋକ କେତେ କେତେ ଗୁପ୍ତ ଜଘନ୍ୟ ପାପ କରୁଅଛନ୍ତି, ସେଥିରେ ଇୟତ୍ତା ନାହିଁ । କୁକର୍ମ ଯେପରି ପାପ, ଧର୍ମ ନାମ ଧରି କୁକର୍ମରୁ ଉଦ୍ଧାର ଚେଷ୍ଟା ତହୁଁ ବଳି ମହାପାପ । ପାପ ଉପରେ ମିଥ୍ୟା, ବୋଝ ଉପରେ ନଳିତା ବିଡ଼ା ସିନା । ନିର୍ବୋଧ ମାନବ ମିଥ୍ୟାକୁହୁକ-ମନ୍ତ୍ରରେ ମନୁଷ୍ୟର ଚକ୍ଷୁ ବନ୍ଧନ କରିପାରେ ମାତ୍ର ସର୍ବାନ୍ତର୍ଦ୍ଦଶୀ ଭଗବାନଙ୍କୁ ଠକାଇବାର ସାଧ୍ୟ କାହାର ? ପାପୀର ପାପ ଚିତ୍ରଗୁପ୍ତର ପାଞ୍ଜିରେ ଆପେ ଆପେ ଲେଖି ହୋଇଯାଏ । ତାହାର ନିବାରଣ, ମାନବ କି ଛାର, ନିୟତିର ସୁଦ୍ଧା ସାଧ୍ୟତୀତ ।

 

ପଦୀର ଆଉ ପୂର୍ବ ରୁକ୍ଷ ବେଶ ନାହିଁ । ଆଉ ସେ ବାରସିଆଁ ନେଙ୍କଡ଼ି କନା ନାହିଁ । ତାହା ସ୍ଥାନ ବିବିଧ ବର୍ଣ୍ଣବିଶିଷ୍ଟ ମହାର୍ଦବସ୍ତ୍ର ଅଧିକାର କରିଅଛି । ଚାଲି ଯିବାବେଳେ କେଶରଞ୍ଜନ ସୁବାସ ମହକି ଉଠେ । ଏଣିକି ସେ ରାମାନୁଜପନ୍ଥୀ ବୈଷ୍ଣବ ପରି ମୁଣ୍ଡରେ ତ୍ରିଶାଖୀ ଚିତା କାଟେ । କାରଣ ପଚାରିଲେ କହେ, ସେ ବାବାଜିଙ୍କଠାରୁ ଭେକ ନେଇ ମାତାଜି ହୋଇଅଛି । ଏଥିରେ ନାନା ଲୋକେ ନାନା କଥା କହନ୍ତି । କହନ୍ତା ତୁଣ୍ଡ ବହନ୍ତା ପାଣିକି ବା ଅଟକାଇବ କିଏ ? କେହି କହେ ବାବାଜିଆଣୀ ହେଲା ନାହିଁ ଯେ, ବିରହିଣି ହେଲା । କେହି କହେ ଏତେ କାଳଯାଏ ମଠର ନାମ ନିଅଙ୍ଗୀ ମଠ ଥିଲା, ଏଣିକି ଯୁଗଳ ମଠ ଆଖ୍ୟା ଧାରଣ କରିବ । କେହି କହିଲା, ନାହିଁ ହେ ଯୁଗଳ ମଠ ନୁହେଁ, ଏହା କାଳୀକା ପୀଠ । ପଦୀର ଏଣିକି ଆଉ ସଂକୋଚ ଭାବ ନାହିଁ । ପ୍ରକାଶ୍ୟରେ ମହନ୍ତଙ୍କ ପହଡ଼ ସମୟରେ ଖଟରେ ବସି ପାଦ ସେବା କରେ, ଠା ସମୟରେ ବିଞ୍ଚି ଦିଏ ପୁଣି ଘଡ଼ିକି ଘଡ଼ି ପାନ ଭାଙ୍ଗିଦିଏ । ବାରଜାତି ତେର ଗୋଲା ବୈଷ୍ଣବ ହେଲେ ସବୁ ଗଲା । ଆଉ ଜାତି ବାଛନ୍ଦ ତ ନାହିଁ, ସେ ପକ୍‌କା ବୈଷ୍ଣବାଣୀ ହୋଇ ଯାଇଅଛି । ଖଣ୍ଡେ ଖଣ୍ଡେ ଅଳଙ୍କାର ମଧ୍ୟ ତାହାର ଅଙ୍ଗ ଆଶ୍ରୟ କଲାଣି । ଲୋକଙ୍କୁ କହେ ଦେହ ପା ଅଛି, କେତେବେଳେ କେଉଁ କଥା ପଇସାତ ରହିବ ନାହିଁ । ଏରୂପେ ହେଲେ ନାକରେ କାନରେ ଟିକିଏ ଟିକିଏ ଲାଗି ରହିଥାଉ ଆପଦ ବିପଦବେଳେ କାମେ ଆସିପାରେ ।

 

ଉଭୟ ପ୍ରତି ଉଭୟର ଭାରି ବିଶ୍ୱାସ । ସେ ବିଶ୍ୱାସରେ ପାଣି ଗଳିଲା ନାହିଁ । ମନ ଏପରି ଯୋଡ଼ି ଗଲା ଯେ, ସେଥିରେ ଛୁଞ୍ଚି ମୁନ ବସାଇବାକୁ ସ୍ଥାନ ରହିଲା ନାହିଁ । ଯେମନ୍ତ କି ଦୁଇଟି ନଦ ନଦୀ ମିଶି ଏକ ହୋଇଗଲେ । କିମ୍ବା ଦୁଇଟି ତାରର ସ୍ୱର ଅବାରିତ ଭାବରେ ଏକଭୂତ ଆକାର ଧାରଣ କଲା । କ୍ରମେ ପ୍ରେମିକ ପ୍ରେମିକା ଯୁଗଳ ପରସ୍ପରର ମାନସ ହଂସ ହୋଇଉଠିଲେ-। ଏକର ଅଭାବରେ ଅନ୍ୟ ନିଜର ଅସ୍ତିତ୍ୱ ଭୁଲିଯାଏ । ଏଣିକି ବାବାଜିଙ୍କ ବାକ୍‌ସ କଞ୍ଚିକାଠି ପଦୀ ଅଣ୍ଟାରେ ସଶବ୍ଦରେ ଦୋଦୁଲ୍ୟମାନ । ବାବାଜିଙ୍କ ସୁନା ମୁଦି ପଦୀର ଅଙ୍ଗୁଳି ସଙ୍ଗରେ ସୁଖର ସୌଭଗ୍ୟ ଲାଭ କଲାଣି । ପଦୀ ଖୁବ୍‌ ସିଆଣୀ, ସେ ଇତ୍ୟବସରରେ ମଦତ ରନ୍ଧାଟା ଶିଖି ନେଇଛି । ଭିକାରୀର ଅଭାବରେ କାର୍ଯ୍ୟ ଚଳାଇ ଦିଏ । ସମୟ ସମୟରେ ଗୁରୁଦତ୍ତ ଧୂମ୍ର ପ୍ରସାଦ ସୁଦ୍ଧା ସେବା କରି କୃତାର୍ଥ ହୁଏ । ମହନ୍ତ ଉପଦେଶ ଦେଇ କହନ୍ତି, ‘ପଦୀ ! ଏ ସାମାନ୍ୟ ନିଶା ନୁହେଁ ଏଥିରୁ ଛିଟାଏ ମେରୁରେ ବସାଇ ଟାଣିନେଲେ’ ସ୍ୱର୍ଗ, ମଞ୍ଚ, ପାତାଳ ତ୍ରିଭୁବନ ଦେଖାଯାଏ । ରାତିଯାକ ମୋ ଆଖି କଷା ହୁଏ ନାହିଁ । ରାସଲୀଳା, ବସ୍ତ୍ର ହରଣ କ୍ରୀଡ଼ା ଏହିସବୁ ଆଖି ଆଗରେ ନାଚି ଯାଉଥାଏ । ଭଜନ ସାଧନ ପକ୍ଷରେ ନିଶାଟାଏ ଏକା । ବୋଧହୁଏ କୈଳାସଧାମକୁ ଏଥିର ସମ୍ବାଦ ଯାଇନାହିଁ, ନ ହେଲେ କି ମହାଦେବ ଆଜି ଅବିଧି ଭକୁଆ ନିଶା ଭାଙ୍ଗ ଛାଡ଼ି ନ ଥାନ୍ତେ ?

Image

 

Unknown

ସପ୍ତମ ପରିଚ୍ଛେଦ

ହଳଧର ଦାସ

 

ହଳଧର ଦାସ ଜାତିରେ କରଣ । ମଠର ଗୁମାସ୍ତା କାର୍ଯ୍ୟ କରନ୍ତି । ଏହି କାର୍ଯ୍ୟ ତାଙ୍କର ବହୁ ପୁରୁଷ ବିତିଗଲାଣି । ଲୋକଟା ବଡ଼ ବିଶ୍ୱାସୀ ଏବଂ ପ୍ରଭୁଭକ୍ତ । ଏହେତୁ ପୂର୍ବ ମହନ୍ତ ତାଙ୍କ ପ୍ରତି ଅନେକ ଗୁରୁଭାର ନ୍ୟସ୍ତ କରିଥିଲେ । ସେ ମଧ୍ୟ ଦେବ ସମ୍ପତ୍ତିକୁ ନାଗସର୍ପ ବିଷ ତୁଲ୍ୟଜ୍ଞାନ କରନ୍ତି । ଲୋଭ ବା ଅସତ୍ୟ ତାହାଙ୍କ ସ୍ପର୍ଶ କରିନାହିଁ । ଧର୍ମରେ ସର୍ବଦା ମତି ଅଚଳ ରଖିଥାନ୍ତି । ପ୍ରତ୍ୟହ ରଘୁନାଥଙ୍କ ଚରଣୋଦକ ସେବା ନ କରି ଜଳସ୍ପର୍ଶ କରନ୍ତି ନାହିଁ । ବୟୋଽଧିକ ଏବଂ ବିବେକବାନ୍‌ ହେତୁ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି । ଜମିଦାରୀ କାର୍ଯ୍ୟରେ ଚିତ୍ରଗୁପ୍ତ ପରି ଧୂରନ୍ଧର ଏବଂ କର୍ମଠ । କେଉଁ ପ୍ରଜାର ଜମି କେତେ, ଜମା କେତେ ତାହା ତୁଣ୍ଡେ ତୁଣ୍ଡେ କହିଦେଇ ପାରନ୍ତି । ଜମି ମାପରେ ମଧ୍ୟ ଅସାଧାରଣ କ୍ଷମତା । ଜମି ଖଣ୍ଡ ଦେଖି ଦେଇ ଯେତେ ଜମି ହେବ ବୋଲି କହିଥାନ୍ତି, ମାପି ନଳ ଭାଙ୍ଗିଲେ ଠିକ୍‌ ତେତିକି ହୁଏ । ଦାସେ ଉତ୍କୋଚର ଧାର ଧାରନ୍ତି ନାହିଁ, ପ୍ରତ୍ୟୁତଃ ତାକୁ ଅମେଧ୍ୟ ତୁଲ୍ୟ ଘୃଣ୍ୟ ଏବଂ ଅସ୍ପୃଶ୍ୟ ଜ୍ଞାନ କରନ୍ତି । ସେ ଜଣେ ଘରକରଣା ଲୋକ-। ଅତିଥି ଅଭ୍ୟାଗତ ତାଙ୍କ ଦ୍ୱାରରୁ କେବେ ଶୂନ୍ୟ ହସ୍ତରେ ଫୋରନ୍ତି ନାହିଁ । ଗରିବ ପ୍ରତିବେଶୀମାନେ ନାନାଭାବରେ ତାଙ୍କଠାରୁ ସାହାଯ୍ୟ ପାଆନ୍ତି । ଲୋକଟି ସ୍ୱଭାବ ଦୟାଳୁ । ଦାନର ପାତ୍ର ଦେଖିଲା ମାତ୍ରେ ଡାକିଆଣି ଯଥାଶକ୍ତି ସତ୍କାର କରନ୍ତି ।

 

ଦାସେ ଦ୍ୱାଦଶୀ ଦିନ ମଠରେ ପାରଣା କରନ୍ତି । ସେଥି ସକାଶେ ଆଗରୁ ମଠକୁ ସଞ୍ଚା ପଠାଯାଇଥାଏ । ତାହା ପାକ ହୋଇ ଦେବତାଙ୍କଠାରେ ନୈବେଦ୍ୟ ହେଲା ପରେ ପାଞ୍ଚଜଣ ବୈଷ୍ଣବ ସେବା ହୁଏ । ତହିଁ ପରେ ଦାସଙ୍କର ପାରଣା । ଗରୁଡ଼ ଦ୍ୱାଦଶୀ ଦିନ ବେଳପ୍ରହରକ ସମୟରେ ଦାସେ ମଠର ଉପସ୍ଥିତ ହୋଇ ଯାହା ଦେଖିଲେ ସେଥିରେ ତାଙ୍କର ଚକ୍ଷୁ ସ୍ଥିର । ମଠର ସମସ୍ତ କକ୍ଷ ତାଙ୍କ ପକ୍ଷରେ ଅବାରିତ । ମହନ୍ତଙ୍କ ପ୍ରକୋଷ୍ଠକୁ ଯାଇ ଦେଖିଲେ, ମହନ୍ତ ଗୋସାଇଁ ଚା ପାନରେ ନିଯୁକ୍ତ । ପଦୀ ପିଆଲା ଧରି ଅଛି, ମହନ୍ତ ସୁଡ଼ ସାଡ଼ ଶବ୍ଦରେ ଚାମଚ ଚଲାଉ ଅଛନ୍ତି-। ପୁରୁଣାକାଳିଆ ଲୋକେ ସ୍ୱଭାବତଃ ଧର୍ମଭୀରୁ ଏବଂ ଆଚାରନିଷ୍ଠ । ଅନୀତି ଅନାଚାର ଦେଖିଲେ ସେମାନଙ୍କ ଚକ୍ଷୁରୁ ରକ୍ତ ସ୍ରାବ ହୁଏ । ଦାସେ ଆଉ ଧୈର୍ଯ୍ୟ ସମ୍ଭାଳି ପାରିଲେ ନାହିଁ । ହଠାତ୍‌ ଅତର୍କିତ ଭାବରେ କହି ଉଠିଲେ, -‘କି ହେ ମହନ୍ତ, ତୁମ୍ଭର ଏ କି ଅକରଣୀ । ବନାଧାରୀ ବୈଷ୍ଣବ ହୋଇ ଦ୍ୱାଦଶୀରେ ସ୍ନାନ ଆହ୍ନିକ ନାହିଁ । ତନ୍ତିଆଣୀଟା ହାତରୁ କଅଣ ଗୁଡ଼ାଏ ପିଉଅଛ । ଛି ଛି, ଲୋକେ ଶୁଣିଲେ କଣ କହିବେ ?’ ମହନ୍ତ ତ ଆଗରୁ ଭଲରୂପେ ଦୁଇଛିଟା ପକାଇ ଦେଇଥିଲେ । ଦାସଙ୍କର ଏ ପରୁଷ ବାଣୀରେ ତାଙ୍କର ନିଶା ସପ୍ତମକୁ ଚଢ଼ିଗଲା । ଜଣେ ବେତନଭୋଗୀ ଭୃତ୍ୟ ଏତେଦୂର ନିର୍ଭୟରେ କଥା କହିବାକୁ ସାହସୀ ହେବ, ଏହା କି ସହିବାର କଥା । ଉତ୍‌ଫଣ ତମ୍ପ ପରି ଗର୍ଜି ଉଠି ମହନ୍ତ କହିଲେ–‘ଆଖି ଯୋଡ଼ାକ ଉପରକୁ ଉଠିଗଲା ପରା । ଅଦାବେପାରୀକୁ ଜାହାଜ ଖବର କାହିଁକି ଲୋଡ଼ା ? ଯା ଯା, ମହତ୍ତ୍ୱ ସମ୍ଭାଳି କଥା କହ । ଦାସେ ଏହା ଶୁଣି ଦ୍ୱିରୁକ୍ତି ନ କରି ବାହାରି ଆସିଲେ । ଯେହେତୁ ମହନ୍ତ ତେତେବେଳେ କି ରୂପ ଅବସ୍ଥାରେ ଥିଲେ, ତାହା ତାଙ୍କର ଅପରିଜ୍ଞାତ ନ ଥିଲା । ସେ ଏକ ବୀଭତ୍ସ ଅବତାର ସାଜିଅଛନ୍ତି, ଏତେବେଳେ ତାଙ୍କୁ କଥା କହିବା ବାସ୍ତବରେ ଅପରିଣାମଦର୍ଶିକାର କାର୍ଯ୍ୟ ହୋଇଅଛି । ସେଥିସକାଶେ ନିଜର ବିବେକକୁ ମଧ୍ୟ ଧିକ୍‌କାର ଦେଲେ; ମାତ୍ର ଦୁର୍ନୀତିର ପ୍ରତିଫଳ ଦାନରେ ନିଶ୍ଚେଷ୍ଟ ହେଲେ ନାହିଁ । ମନେ ମନେ ଭାବିଲେ, ଟୋକାଟାର କେଡ଼େ ଗୁମାନ । ପିତଳ ମାଜି ମାଜି ହାତରୁ ଅଧେ ଘୋରି ହୋଇ ଯାଇଅଛି । ଆଜି ସେ ହେଲା ଜାହାଜର ସରଦାର ଆଉ ମୋର ଚୌଦ ପୁରୁଷର ଦେହ ମଠ ରକ୍ତରେ ଗଢ଼ା, ମୁଁ ହେଲି ଅଦାବେପାରୀ । ହାୟରେ କାଳ, ଢେଙ୍କି ସ୍ୱର୍ଗକୁ ଗଲେ ସୁଦ୍ଧା ଧାନ କୁଟେ-। ଆଚ୍ଛା ହେଉ, ଏ ଗୁମାନ କିନ୍ତୁ ରଘୁନାଥ ସହିପାରିବେ ନାହିଁ । ପ୍ରତିଜ୍ଞା କଲି, ଯଦି ଏ ଉଦ୍ଧକର ଗର୍ବ ଚୂର୍ଣ୍ଣ ନ କରେ, ତେବେ ମୁଁ କରଣ ପିଲା ନୁହେଁ ।

 

କି କୌଶଳରେ ଦୁଷ୍ଟ ଦୁଷ୍ଟାଙ୍କ ମେଳ ଭାଙ୍ଗିବ, କାହିଁରେ ବା ସେମାନଙ୍କ ଉପଦ୍ରବରୁ ମଠ ଶାନ୍ତି ଲାଭ କରିବ, ଏହି ଚିନ୍ତାରେ ଦାସଙ୍କର ଦିବସ ଅତିବାହିତ ହେଲା । ରାତ୍ରରେ ମଧ୍ୟ ନିଦ୍ରା ହେଲା ନାହିଁ । ନିଦ୍ରା ଦେବୀ ସ୍ୱଭାବଶୀତଳତା, ସେ ଉତ୍ତାପ ସହିପାରନ୍ତି ନାହିଁ । ଯେଉଁଠାରେ ଚିନ୍ତା-ଚିତାକୁଣ୍ଡ ଜଳୁଥାଏ, ସେ ସ୍ଥାନରେ ସୀମା ସ୍ପର୍ଶ ନ କରି ଦୂରରୁ ଜୁହାର କରନ୍ତି । କଳ୍ପନା ନାନା ପ୍ରସ୍ତାବ ଆଣି ଉପସ୍ଥାପିତ କଲା । ବିବେକ ତାହାକୁ ଗୋଟି ଗୋଟି ଯୁକ୍ତି ପ୍ରଦର୍ଶନଦ୍ୱାରା ଖଣ୍ଡନ କରିବାକୁ ଲାଗିଲା । କଳ୍ପନାର ଭଣ୍ଡାର ଅସରନ୍ତି । ବିବେକ ଗୋଟିଏ କାଟିଲାବେଳକୁ ସେ ଆଉ ଗୋଟିଏ ପ୍ରସ୍ତାବ ଆଣି ଯୋଗାଇ ଦିଏ । ଏହିପରି ରାତିସାରା କଳ୍ପନା ଏବଂ ବିବେକ ମଧ୍ୟରେ ଓକିଲାତି ଲାଗିଲା ପରେ ଶେଷରେ ଧାର୍ଯ୍ୟ ହେଲା, ପଞ୍ଚାୟତମାନଙ୍କ ଦ୍ୱାରା ଏ ବିଷୟ ରାଜାଙ୍କର କର୍ଣ୍ଣଗୋଚର କରି ବିହିତ ପ୍ରତିକାର କରିବାକୁ ହେବ ।

 

ଯଥା ସମୟରେ ପୂଷାଦୂତି ଉଷା ସରସୁପ୍ତା ସରୋଜିନୀକୁ ପ୍ରିୟ ଆଗମନ ବାର୍ତ୍ତା ଜଣାଇବା ସକାଶେ ପୂର୍ବ ଦିଗରେ ପ୍ରକାଶିତ ହେଲା । ତାହାର ସ୍ନିଗ୍‌ଧ ଚଟୁଳ ପାଟଳିମା ଚରାଚର ଉପରେ ପ୍ରତିଫଳିତ ହୋଇଉଠିଲା । ଅହୋ, ପ୍ରକୃତିର ଏ କି ମୂର୍ତ୍ତି ! ତାହାର ତ୍ରିଗୁଣାତ୍ମିକା ନାମ ଯଥାର୍ଥ । ରାତ୍ରିରେ ଭୀଷଣ ତମୋମୂର୍ତ୍ତି, ନିଶାନ୍ତର ମନ୍ଦାର ବନ୍ଦିତ ରଜୋମୂର୍ତ୍ତିୀ ଏବଂ ଦିବସର ସୁନ୍ଦର ମଧୁର ସତ୍ତ୍ୱମୂର୍ତ୍ତି ସେ ପ୍ରତିନିତ୍ୟ ଧାରଣ କରୁଅଛି । ଅରଣ୍ୟ-ସ୍ୱର୍ଗର ଅପ୍‌ସରୀ ରୂପିଣୀ ବିଶ୍ୱଶୋଭାରାଣୀ କୁସୁମାବଳୀ ହସି ଉଠିଲେ । ସେ ହାସ୍ୟ କି ଅପଟାନ୍ତର ସୁନ୍ଦର । ତାହା ପ୍ରୀତି ଅନୁରାଗରେ ଅନୁରଞ୍ଜିତ । କୁକୁଟ ଗୃହ କୋଣରେ ଡେଣା ଝାଡ଼ି ଝାଡ଼ି ‘‘ରଖ ଗୋ ମା, ରଖ ଗୋ ମା’’ ଶବ୍ଦରେ ପ୍ରଭାତରେ ପବୀତ୍ର ଶାନ୍ତି ଏବଂ ନୀରବତା ଭଗ୍ନ କରିବାକୁ ଲାଗିଲା । ଏ ମାତୃ ସମ୍ବୋଧନ କ୍ଷୁଦ୍ର ପକ୍ଷୀ କାହା ଉଦ୍ଦେଶ୍ୟରେ ପ୍ରୟୋଗ କରୁଅଛି, ଏହା ଭାବିଲେ ଚିତ୍ତ ସ୍ତବ୍‌ଧ ହୋଇଯାଏ । ବିବେକବୁଦ୍ଧି ବିହୀନ ନଗଣ୍ୟ ପକ୍ଷୀପ୍ରାଣ ଜଗନ୍ମାତାଙ୍କୁ ନିତ୍ୟ ସ୍ମରଣ କରେ । ମାତ୍ର ଜ୍ଞାନସମ୍ପନ୍ନ ମାନବ ତାହା ଭୁଲିଯାଏ, ଏହାହିଁ ଆଶ୍ଚର୍ଯ୍ୟ । ମାନବ କେବଳ ବିପଦବେଳେ ଭଗବାନ୍‌ଙ୍କୁ ଚିହ୍ନେ-ଅନ୍ୟ ସମୟରେ ନୁହେଁ । ଅନ୍ୟ ସମୟରେ ସେ ସ୍ୱୟଂ ସ୍ପଷ୍ଟ ଏବଂ ସ୍ୱୟଂ ସିଦ୍ଧ । ମନୁଷ୍ୟ ତାହାର ଆବଶ୍ୟକୀୟ ସକଳ କାର୍ଯ୍ୟ ନିଜକୃତ ମଣେ । ମାତ୍ର ଅନନ୍ତ ଶକ୍ତିମାନଙ୍କର ଅନନ୍ତ ଶକ୍ତି ଯେ ସକଳ କର୍ମର ଏକମାତ୍ର କାରଣ, ତାହା ସେ ଚିର ବିସ୍ମୃତ । ଏହି ମହା ବିସ୍ମୃତିର ପ୍ରସୂତି ମାୟା । ଥାଉ ସେ ସମସ୍ୟା, ଧାନ କୁଟୁ କୁଟୁ ଭାଗବତ ଚର୍ଚ୍ଚା କାହିଁକି ?

 

ଦାସେ ସକାଳୁ ଉଠି ଅପେକ୍ଷାକୃତ ଶୀଘ୍ର ଶୀଘ୍ର ନତ୍ୟକର୍ମ ସମ୍ପାଦନ କଲେ । ମନ କାହିଁରେ ଲାଗୁନାହିଁ । ଯେପରି କି ଗୁରୁ ବୋଝ ତାଙ୍କ ମସ୍ତକରେ ଲଦା ହୋଇଅଛି । ତାହା ଶୀଘ୍ର ନ ଓହ୍ଲାଇଲେ ଶ୍ୱାସ ରୁଦ୍ଧ ହୋଇଯିବ । ବଦନମଣ୍ଡଳରେ ଉଦ୍‌ବେଗର ଶତରେଖା ରଞ୍ଜିତ ହେଲା ଏବଂ ନେତ୍ରଦ୍ୱୟ ଚାଞ୍ଜଲ୍ୟପୂର୍ଣ୍ଣ ହେଲା । ତାଙ୍କର ଭାବଭଙ୍ଗୀରୁ ବୋଧ ହେଲା, କଳ୍ପନା କଲାମାତ୍ରେ କାର୍ଯ୍ୟ ହୋଇ ଯାଉଥିଲେ ସେ ନିସ୍ତାର ଲଭନ୍ତେ । କର୍ମୀମନରେ କର୍ମ ଚିକୀର୍ଷାର କ୍ଷମତା ସାମାନ୍ୟ ନୁହେ-। ସେ ତାହାର କର୍ତ୍ତବ୍ୟ ସାଧନ ନ କରିବା ପର୍ଯ୍ୟନ୍ତ ହୃଦୟରୁ ପହଣ୍ଡେ କାଢ଼ିବାକୁ ଇଚ୍ଛା କରେ ନାହିଁ-। ସେ ମନକୁ ସର୍ବଦା କର୍ମ କରିବାକୁ ଉସ୍କାଏ । ମନର ସ୍ୱଭାବ ବଡ଼ ସରଳ । ତାହାକୁ କର୍ମଚିକିର୍ଷା ଯେଉ ଆଡ଼କୁ ଟାଣେ, ସେ ସେହି ଦିଗର ପଥିକ ହୁଏ । କର୍ମର ମୂଲ୍ୟ ଅତୁଲ୍ୟ । ଏହି ପରିଦୃଶ୍ୟମାନ ଜଗତ୍‌କର୍ମ ଭିତ୍ତ ଉପରେ ପ୍ରତିଷ୍ଠିତ । ତୁଳାଦଣ୍ଡର ଏକ ପାଲାରେ ସମଗ୍ର ଜଗତ ଏବଂ ଅପର ପାଲାରେ କର୍ମ ରଖି ଓଜନ କଲେ କର୍ମ ପାଖ ଭାର ହେତୁ ନିଶ୍ଚୟ ତଳକୁ ହେବ ଏବଂ ଜଗତ୍‌ ପାଖ ଉଶ୍ୱାସ ହେତୁ ଉପରକୁ ଉଠିଯିବ । ଜୀବନ ଜଗତର ସାରବସ୍ତୁ । ତାହା ଯେତେ କର୍ମମୟ ହେବ, ତେତେ ଉଜ୍ଜ୍ୱଳ ହେବ । ଆଳସ୍ୟ ପିହିତ ପ୍ରାଣ ମୃତ ଏବଂ ଆସାଢ଼ । ଚରାଚର ସମସ୍ତ ପଦାର୍ଥ ଯେ କର୍ମଶୀଳ, ଜ୍ୟୋତିଷ, ବିଜ୍ଞାନ ଦର୍ଶନ ପ୍ରଭୃତି ଶାସ୍ତ୍ର ତାହା ଉଚ୍ଚକଣ୍ଠରେ ଘୋଷଣା କରୁଅଛି । ଏ କୁହୁକିତ ଜଗତରେ କର୍ମହଁ ଧର୍ମ, କର୍ମହିଁ ସତ୍ୟ, କର୍ମହିଁ ମଙ୍ଗଳ ଏବଂ କର୍ମହିଁ ମୁକ୍ତି । କର୍ମ ଭବ-ତପୋବନର ସାରଭୂତ ତପସ୍ୟା ।

 

ଗାଁ ମୁଣ୍ଡରେ ଗୋଟିଏ ସାଧାରଣ ଗୃହ ଅବସ୍ଥିତ, ତାହାକୁ ‘‘କୋଠ ମନ୍ଦିର’’ କହନ୍ତି । ସେଠାରେ ରାତ୍ରରେ ଧର୍ମ ଚର୍ଚ୍ଚା ଏବଂ ଦିବସରେ ଅପରାଧୀ ଗ୍ରାମବାସୀଙ୍କର ବିଚାର ହୁଏ । ଏହି ବିଚାର ଗ୍ରାମ୍ୟ ପଞ୍ଚାୟତମାନେ କରନ୍ତି । ଦୋଷର ଗୁରୁତା ଦୃଷ୍ଟିରେ କାହାରି କାହାରି ପ୍ରତି ସାମାନ୍ୟତଃ ଅର୍ଥଦଣ୍ଡ ମଧ୍ୟ ହୋଇଥାଏ । ସେହି ସମବାୟ ଅର୍ଥରେ ପ୍ରତିବର୍ଷ ଗଣେଶ ପୂଜା ହୁଏ । ଉଦ୍‌ବୃତ୍ତ ହେଲେ ବନ୍ୟ ଭୋଜିରେ ବ୍ୟୟିତ ହୁଏ । ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତିମାନେ ପ୍ରତ୍ୟହ ସକାଳେ କୋଠ ମନ୍ଦିରରେ ଏକତ୍ରିତ ହୁଅନ୍ତି । ସେଠାରେ ଦାନ୍ତପତ୍ର ଘଷା ହୁଏ । ଏହି ଅବସରରେ ଗ୍ରାମର ହାଲଚାଲ ମଧ୍ୟ ପଡ଼ିଯାଏ । ଦାସେ ବାହାରେ ବାହାରେ କୋଠମନ୍ଦିରକୁ ଯାଇ ଦେଖିଲେ, ସେଠାରେ ମଠର ପଞ୍ଚାୟତମାନେ ଉପସ୍ଥିତ ଅଛନ୍ତି । ପ୍ରଥମତଃ ଶିଷ୍ଟସମ୍ଭାଷଣ ପରେ ଇଷ୍ଟ ବିଷୟରେ ଆଲୋଚନା ଲାଗିଲା । ଦାସେ ପଞ୍ଚାୟତମାନଙ୍କୁ ସମ୍ବୋଧନ କରି କହିଲେ–ମଠ ବିଷୟରେ ଆପଣମାନେ କାହିଁକି ନୀରବ ଅଛନ୍ତି ? ମଠର ଦୁର୍ଦ୍ଦଶା ତ ସ୍ୱଚକ୍ଷୁରେ ଦେଖୁଅଛନ୍ତି । ଯେଉଁ ସ୍ଥାନରେ ରମଣୀର ଛାୟା ପଡ଼ୁ ନ ଥିଲା, ସେଠାରେ ପଦୀ ତନ୍ତିଆଣୀର ରାଜତ୍ୱ ଚଳିଲା । ଯେଉଁ ପବିତ୍ର ସ୍ଥାନ ସ୍ପର୍ଶ ମାତ୍ରେ ଗୋଡ଼ ଭଣ୍ଡା ଥରି ଉଠୁଥିଲା, ତାହା ଏବେ ମଦତ ଅଙ୍ଗାରରେ କଳଙ୍କିତ ହେଲା । ସେ ମଦତ ଧୂଆଁରେ ଦେବତା ଦେହ ଛାଡ଼ି ଗଲେଣି । ମଠଟା କି ଅଲକ୍ଷଣ ଦିଶୁଅଛି । ଯେପରି ତାହାର କାନ୍ଥ ବାଡ଼ ଚାଳ ପ୍ରଭୃତି ଶ୍ରୀହୀନ ବେଶରେ କାନ୍ଦି କାନ୍ଦି ଆଶ୍ରୟ ଲୋଡ଼ୁ ଅଛନ୍ତି । ସେ ନୀରବ କ୍ରନ୍ଦନ କି ଯନ୍ତ୍ରଣାମୟ । ତାହା ଦର୍ଶକର ହୃଦୟ ବିଦୀର୍ଣ୍ଣ କରି ସ୍ମୃତି-ମୁକୁରରେ ସୁପ୍ତି ମୌନ ଶତ ପୁରାତନ ଛବି ଫୁଟାଇଦିଏ । ମଠ ଯୋଗୁଁ ଏ ଗ୍ରାମର ଗୌରବ ଏବଂ ମଠ ଯୋଗୁଁ ଏ ଗ୍ରାମର ଗୋଟିଏ ପ୍ରାଣ ଅନୂଭୂତ ହୁଏ । ତାହା ଯଦି ନଷ୍ଟ ହୋଇଯାଏ, ତେବେ ଆତ୍ତ ଗୌରବାନୁଭୂତିରେ କାରଣ କଅଣ ରହିବ ? ସେ ତ ଆଉ ମଠ ପଣରେ ନାହିଁ, ଭିକା ଚଷା, ଆସିଲି ତନ୍ତିଆଣୀ ଝିଅ ଆଉ ଅଲଣା ମହନ୍ତ ଏହି ତ୍ରିମୂର୍ତ୍ତିର ବିଳାସ ଭବନ ହୋଇଅଛି । ଯେଉଁ ସ୍ଥାନରୁ କୁଟାପତ୍ର କେହି ଉଠାଉ ନ ଥିଲେ, ସେ ସ୍ଥାନରେ ଆଜି ଧାନ ଚୋରି କାଲି ଅଳଙ୍କାର ଚୋରି ଏହି କକୁଷ କାହାଣୀ ଶୁଣାଗଲା । କେତେ ମହନ୍ତ କାଳ କ୍ରୋଡ଼ରେ କ୍ରୀଡ଼ାକରି ଚାଲିଗଲେ । ସେମାନଙ୍କର ବିପୁଳ ପ୍ରଶସ୍ତି ଦେଶରେ ସତତ ସନ୍ତରି ଖେଳୁଅଛି । କୁଳକ୍ଷୟ ସମୟରେ ଘୋଡ଼ାମୁହାଁ ପୁଅ ଜନ୍ମ ହେଲା ପ୍ରାୟ ଶେଷରେ ଏହି ଅଯୋଗ୍ୟ ଯୋଗୁଁ ମଠର ନାମ ସୃଷ୍ଟି ପଞ୍ଜିକାରୁ ଉଠିଯିବ ସିନା । ଏତ ସାମନ୍ୟ ପିତୁଳି ନୁହେଁ, ଏ ଯେ ଠାକୁରଙ୍କୁ ଗିଳି ପରିଶେଷରେ ଖଟୁଲି ସୁଦ୍ଧା ଗିଳି ଦେଇପାରେ । ଏବେ କାଲିର ଘଟଣା ଶୁଣ ।

 

କାଲି ଦ୍ୱାଦଶୀ ହେତୁ ମଠକୁ ପ୍ରସାଦ ସେବା କରିବାକୁ ଯାଇଥିଲି । ମହନ୍ତ ତ ବର୍ତ୍ତମାନ ପଦୀ ମନ୍ତ୍ରର ଉପାସକ, ସେହିପରି ପଦୀ ସୁଦ୍ଧା ମହନ୍ତ ମୂର୍ତ୍ତିର ଉପାସିକା । ଦେଖିଲ ଦୁହେଁ ଏକତ୍ର ବସି ଅଛନ୍ତି । ନିକଟରେ ମଦତ ରନ୍ଧା ହେଉଅଛି । ଇସ୍‍, କି ଦୁର୍ଗନ୍ଧ ଧୂଆଁ ! ତାହା କ୍ଷୀରୀଚଟା ଦିନର ଆଦ୍ୟ ଅନ୍ନ ସୁଦ୍ଧା ଉଦରରୁ ବାହାର କରି ଆଣିବ । ପଦୀ ମହନ୍ତକୁ ଚା’ ପିଆଇ ଦେଉଥାଏ । ମୁଁ ଏହା ଦେଖି ସହି ନ ପାରି ଉପଦେଶ ଦେଇ ଦୁଇ କଥା କହିଲି । ମାତ୍ର ସର୍ପକୁ ଦୁଗ୍‌ଧପାନ କରାଇଲେ ସେ ବିଷ ଉଦ୍‌ଗୀର୍ଣ୍ଣ କରେ, ଏହା ମୁଁ କେତେବେଳେ ଭାବିଲି ନାହିଁ । ଆଉ ଯାଏ କୁଆଡ଼େ ? ଏତିକିରେ ମୋ ଆଖି ଉପରକୁ ଉଠିଗଲା, ମୁଁ ଅଦା ବେପାରୀ, ମୋର ଜାହାଜ ଖବରରେ ପ୍ରୟୋଜନ ନାହିଁ । ଇତ୍ୟାଦି ଅଳଙ୍କାରରେ ଭାରାକ୍ରାନ୍ତ ହୋଇ ଆସିଲି । ଟୋକା ଟୋକୀ ଦୁଇଟାର କି ବିଚିତ୍ର ପ୍ରେମ । ସେ ଉଦ୍‌ଭ୍ରାନ୍ତ ପ୍ରେମର ବ୍ୟାକୁଳ ତରଙ୍ଗରେ ମଠର ବାସ୍ତୁପୀଠ ଧୋଇ ନ ଗଲେ ରକ୍ଷା । ଯେଉଁ ମଠର ଖଣ୍ଡିଏ ଭଗ୍ନ ଇଷ୍ଟକ ଇତିହାସର ସହସ୍ର ପୃଷ୍ଠାର ଅମୂଲ୍ୟ ଉପାଦାନ, ସେ ଏବେ ଯନ୍ତ୍ରଣାର ଜତୁଗୃହ ହୋଇଅଛି । ଜଣକର ହୃଦୟ ଅନ୍ୟର ପ୍ରେମସିଂହାସନ ସ୍ୱରୂପ । ପଦୀ ଚକ୍ଷୁରେ ସଂସାର ଯେପରି ମହନ୍ତମୟ ଦିଶେ ମହନ୍ତ ଚକ୍ଷୁରେ ସୁଦ୍ଧା ସେହିପରି ପଦୀମୟ ଦିଶେ । ଏ ପ୍ରେମ ବଡ଼ ବିଷମ ପ୍ରେମ । ଏହା ଶୂନ୍ୟଗର୍ଭ; ମାତ୍ର ବାହାରକୁ ବଡ଼ ବାହାର ଦେଖାଯାଏ । କୁତ୍ରିମ ବାସ୍ତବ ପରି ପ୍ରତୀତ ହୁଏ । ଆଉ କାଳୀ ପୋଡ଼ୀଟାର କି ଅନବଦ୍ୟ ସୌନ୍ଦର୍ଯ୍ୟ ସୁବାସରେ ବା ପୁରୁଷ ଭ୍ରମର ମୁଗ୍‌ଧ ହୋଇ ଅଛନ୍ତି ? ଆହା କି ଅପରୂପ ଶୋଭା ! ପୂର୍ଣ୍ଣଚନ୍ଦ୍ର ଏବଂ ଅମାବାସ୍ୟା ପରସ୍ପର ହସ୍ତ ଧାରଣ କରିଅଛି ପରା, ବାଣୀଭୂଷଣେ ଏହି କଥାକୁ ଘେନି ଟିକିଏ ଘଣ୍ଟାଚକଟା ପୂର୍ବକ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନରେ ବ୍ୟତିବ୍ୟସ୍ତ ହୋଇ ଉଠିଲେ-। ସେ କହିଲେ, ‘‘ଯେ ସୌନ୍ଦର୍ଯ୍ୟର ଦସ୍ୟୁ, ସେହି ଏକା ସୌନ୍ଦର୍ଯ୍ୟର ମୂଲ୍ୟ ବୁଝିପାରେ, ସୌନ୍ଦର୍ଯ୍ୟ ବ୍ୟାଧ ବୁଝିପାରେ ନାହିଁ । ଶୋଭାନୁଭୂତି ସ୍ୱକୀୟ ରୁଚିର ଅନୁକୂଳ । ଜଣେ ଯାହା ଶୂନ୍ୟଗର୍ଭ ଦେଖେ, ଅପର ତହିଁରେ ଜଗତର ଶୋଭାରାଶି ଅବଲୋକନ କରେ । ତୁମ୍ଭେ ମହନ୍ତଙ୍କ ନେତ୍ରରେ ଦେଖିଲେ ପଦୀକୁ ଶୋଭାର କାରାଗାର ଜ୍ଞାନ କରିବ । ତେତେବେଳେ ତାହାର ଶୋଭା ତୁମ୍ଭର ନେତ୍ର କ୍ଳାନ୍ତିକର ହେବନାହିଁ । ଆଉ କଳାକୁ ବା ଘୃଣା କାହିଁକି ? ଅତସୀ ଫୁଲର କି ସୌନ୍ଦର୍ଯ୍ୟ ନାହିଁ-? ଅନ୍ଧକାରଦ୍ୱାରା ସିନା ଆଲୋକ ପ୍ରଦୀପ୍ତ ହୁଏ । କୃଷ୍ଣବର୍ଣ୍ଣର ମହିମା ସାମାନ୍ୟ ନୁହେଁ । କୃଷ୍ଣବର୍ଣ୍ଣ ସମସ୍ତ ବର୍ଣ୍ଣକୁ ବୁଡ଼ାଇ ପାରେ; ମାତ୍ର ତାହାକୁ କେହି ବୁଡ଼ାଇ ପାରେ ନାହିଁ ।’’

 

ଅନନ୍ତର ମକଦମ ସାଆନ୍ତେ କହିଲେ, ‘ଭାରତୀ ଭୂଷଣଙ୍କର ତର୍କଚାତୁରୀ ଅଧ୍ୟାୟ ଏହିଠାରୁ ଭଣିତା ହେଉ ।’ ଏବେ ଉପସ୍ଥିତ କର୍ତ୍ତବ୍ୟ ସ୍ଥିର କରିବା ଉଚିତ । ଆଜି ଗୁମାସ୍ତା ଲାଞ୍ଛିତ ହେଲେ, କାଲି ଆମ୍ଭମାନଙ୍କର ସେହି ଦଶା ବିଚିତ୍ର ନୁହେଁ । ଦ୍ୱିତୀୟତଃ ଚୋରିର ଉନ୍ନତ କ୍ରମବର୍ଦ୍ଧନଶୀଳ ହେବାକୁ ବସିଲା । ଧାନ ବାସନଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ତାହାର ଗତି ବିସ୍ତାରିତ ହେଲାଣି । ଅପରେ କିଂ ଭବିଷ୍ୟତି । ତୃତୀୟରେ ପଦୀର ପ୍ରାଦୁର୍ଭାବ । ଏସବୁର ଉଚିତ ପ୍ରତିକାର ନ କଲେ ଶେଷରେ ଦୋଷ ଆମ୍ଭମାନଙ୍କ ମୁଣ୍ଡରେ ପଡ଼ିବ ଏବଂ ମଠଟି ଅଦୂର ଭବିଷ୍ୟତ ଗର୍ଭରେ ବିଲୀନ ହେବ । ଅତଃ ମୋ ବିଚାରରେ ଏବ ବିଷୟ ଅଚିରେ ରାଜାଙ୍କର କର୍ଣ୍ଣଗୋଚର କରାଇ ଆଶୁ ପ୍ରତିକାରରେ ପ୍ରବୃତ୍ତ ହେବା ଏକାନ୍ତ ବାଞ୍ଛନୀୟ । ପଞ୍ଚାୟତଗଣଙ୍କ ମଧ୍ୟରେ ଏହି ରୂପ କଥାବାର୍ତ୍ତା ଲାଗିଅଛି, ଏମନ୍ତ ସମୟରେ ଟିକିଏ ଦୂରରେ ଗୋଟାଏ କ୍ଷୁଦ୍ରଜନ ସ୍ରୋତ ଦେଖାଗଲା । କିଛିକ୍ଷଣ ସମସ୍ତଙ୍କର ଦୃଷ୍ଟି ସେହି ଆଡ଼େ ନିବନ୍ଧ ହେଲା । ଏ କି ଆଶ୍ଚର୍ଯ୍ୟ ବ୍ୟାପାର । ଆଗରେ ଭିକାରୀ ବିଶାଳ । ଖଣ୍ଡେ ଗାମୁଛାର ଏକ କାନିରେ ତାହାର ହାତଦ୍ୱୟ ପଛ ଆଡ଼କୁ ବନ୍ଧା । ତହିଁ ପଛରେ ଧତୁ ଜେନା ଚୌକିଦାର ଗାମୁଛାର ଅପର କାନି ଧରି ଏବଂ ବିଏଁ ଲମ୍ବର ଖଣ୍ଡେ ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଚାଲିଅଛି । ତହିଁପରେ ମଠର ପୂଜାରୀ ବିକଳପାଣି, ମୂକି ପୃଷ୍ଟି ବଣିଆ ଏବଂ କେତେଜଣ ଦେଖଣାହାରୀ । ବିଶାଳେ ମୁହଁ ପୋତି ଚାଲି ଅଛନ୍ତି । ହୃଦୟର ଗୋପନ ତନ୍ତ୍ରୀ ସହସା ଦାରୁଣ ଦୂର୍ଚ୍ଛନାର ଗଭୀର ବେଦନାରେ କମ୍ପି ଉଠୁଅଛି । ଏହି ଯନ୍ତ୍ରଣାରେ ତୀବ୍ରତା ତାହାର ବ୍ୟାକୁଳ ଦୃଷ୍ଟି ଏବଂ ମୁଖ ମ୍ଳାନିମାର ବ୍ୟକ୍ତ ହୋଇ ପଡ଼ୁଅଛି । ସେ କାନ୍ଦୁଅଛି; ମାତ୍ର ସେ କ୍ରନ୍ଦନ, ନୀରବ ଏବଂ ନିରଶ୍ରୁ । ଅଶ୍ରୁହୀନ ଯେଉଁ କ୍ରନ୍ଦନ, ତାହା ଯମଦୂତଠାରୁ ବଳି ନିର୍ମମ ଏବଂ କଠୋର । ଆଜି ଭୟଶୂନ୍ୟ ହୃଦୟରେ ଭୟ ପ୍ରବେଶ କରିଅଛି । ଯେଉଁ ହଦୟରେ ଭୟ ଭ୍ରମରେ ଅତିଥି ହୁଏ ନାହିଁ, ସେହି ହୃଦୟରେ ଆଜି ଭୟ ଶରଣ ପଶିଅଛି । ପୁଣି ଏରୂପ ସେରୂପ ଶରଣ ନୁହେଁ, ଚିର ଶରଣ ଗ୍ରହଣ କରି ଅଛି । କଠିନ ପ୍ରସ୍ତରରେ ସହଜରେ ଦାଗ ପଡ଼େନାହିଁ ସିନା, ମାତ୍ର ଥରେ ପଡ଼ିଲେ ଆଉ ନିଭେ ନାହିଁ, ଏହା ଶ୍ରାବଣ ପ୍ରତ୍ୟକ୍ଷ ନୁହେଁ, ସର୍ବତ୍ର ସର୍ବଥା ଦର୍ଶନ ପ୍ରତ୍ୟକ୍ଷ ବିଷୟ । ଭିକାରୀଙ୍କର ହୃଦୟ-ବନ ଆଜି ବିଷାଦ-ବିଷଲତାକୀର୍ଣ୍ଣ । ସେ ଆଜି ଜୀବନ ଭାରଭୂତ ମଣୁଅଛି । କେବଳ ବେଳେ ବେଳେ ଆଶା ତାହାର ଶୂନ୍ୟ ହୃଦୟ କୁଟୀରରେ ପ୍ରବେଶ ପୂର୍ବକ ତାହା ଚରଣରେ ସାନ୍ତନ୍ୱା ଅର୍ଘ୍ୟ ପ୍ରଦାନ କରୁଅଛି । ଯାହାର କିଛି ଅବଲମ୍ବନ ନାହିଁ, ତାହାର ଆଶାହିଁ ଏକମାତ୍ର ଅମ୍ବଲମ୍ବନ । କେବଳ ଆଶା ତାହାକୁ ବଞ୍ଚାଇ ରଖେ ।

 

ସମସ୍ତଙ୍କର ଦୃଷ୍ଟି ଆଗନ୍ତୁକମାନଙ୍କ ଉପରେ ନିବଦ୍ଧ ହେଲା, ଏହା ପୂର୍ବରୁ ଉକ୍ତ ହୋଇଅଛି; ଯେମନ୍ତ କି ସମସ୍ତଙ୍କର ଅଙ୍ଗପ୍ରତ୍ୟଙ୍ଗ ଏକାବେଳକେ ଚକ୍ଷୁ ହୋଇପାରେ ଚକ୍ଷୁର କାର୍ଯ୍ୟ କରୁଅଛି । ନାଟକାଭିନୟ ଶେଷରେ ରଙ୍ଗାଳୟ ପ୍ରାୟ କୋଠାମନ୍ଦିର ପ୍ରାଙ୍ଗଣ ନିସ୍ତବ୍‌ଧ ଭାବ ଧାରଣ କଲା । କୋଳାହଳ ବେଦିକାରେ ସହସା ନୀରବତା ଦେବୀ ଅଧିଷ୍ଠାନ କଲେ । ମାତ୍ର ଏରୂପ ଭାବ ବହୁକ୍ଷଣ ସ୍ଥାୟୀ ହେଲାନାହିଁ । କଟୁ କାକ ରାବ ଶାନ୍ତିମୟ ପ୍ରଭାତକୁ ମୁଖରିତ କଲା ପ୍ରାୟ ପୂଜାରୀ ବିକଳ ପାଣିର ଉଚ୍ଚ କଠୋର କଣ୍ଠବୀଣାରେ ବିକଟ ତାର ଗର୍ଜି ଉଠିଲା । ସେ ଗୁରୁ ଗମ୍ଭୀର ସ୍ୱରରେ କହିଲା, ପଞ୍ଚାୟତେ ଏଠାରେ ଅଛନ୍ତି ପରା, ଏହି ଦେଖନ୍ତୁ ଆଜି ଚୋର ଧରାପଡ଼ିଲା । ରଘୁନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଅଳଙ୍କାର ଚୋରିଗଲା ଦିନଠାରୁ ସମସ୍ତେ ଯେ ସେହି କାର୍ଯ୍ୟର କର୍ତ୍ତା ପଦରେ ମୋତେ ବସାଇଥିବେ, ଏହା ମୁଁ ବିଲକ୍ଷଣ ବୁଝିପାରିଥିଲି । ମନ୍ଦିରର ଚାବି ମୋ ହସ୍ତରେ, ଅଥଚ ଚୋର ମନ୍ଦିର ମଧ୍ୟରୁ ଅଳଙ୍କାର ଘେନି ଗଲା, ଏହା କି କେହି ବିଶ୍ୱାସ କରିବ । ଏରୂପ ଅବସ୍ଥାରେ ମୁଁ ନିର୍ଦ୍ଦୋଷତା ସମ୍ବନ୍ଧରେ ଯେଉଁ ପ୍ରମାଣ ଦେବି, ତାହା ମୋ ଚୋରିର ସାକ୍ଷ୍ୟ ହୋଇ ବସିବ । ତହୁଁ ମୁଁ ରଘୁନାଥଙ୍କୁ ସ୍ମରଣ କରି ମନରେ ସର୍ବଦା ଶଙ୍କିତ ଥାଏଁ । କାହାକୁ ବା କଅଣ କହିବି, ଲଜ୍ଜାରେ ମୁଣ୍ଡ ଟେକି ବାଟ ଚାଲିବା ମୋ ପକ୍ଷରେ ଦୁଷ୍କର ହେଲା । ଅକାରଣେ ଗୋଟାଏ ଦୁର୍ଚ୍ଛନା ମୁଣ୍ଡାଇବାକୁ ହେଲା, ଏହି ଚିନ୍ତା ମୋର କ୍ଷୁଧା ତୃଷ୍ଣା ସୁଦ୍ଧା ହରଣ କରିଥିଲା । ଯେଉଁ ମଠ ମୋର ବାଲ୍ୟକାଳର ଶିଶୁ ଶଯ୍ୟା, ଯୌବନର ସାଧନା କ୍ଷେତ୍ର ଏବଂ ବାର୍ଦ୍ଧ୍ୟକ୍ୟର ପୁଣ୍ୟ ବାରଣାସୀ ପୀଠ, ତାହାର ଧନ ମୁଁ ଅପହରଣ କରିବି, ଏହା କି ସାମାନ୍ୟ ପାପର କଥା । ଯାହାହେଉ ରଘୁନାଥେ ମୋତେ ସେ କଳଙ୍କରୁ ମୁକ୍ତ କଲେ । ଏବେ ଘଟଣାଟା ସମସ୍ତେ ଶୁଣ । ମୁଁ ଆଜି ବଢ଼ି ସକାଳୁ ଫୁଲ ତୋଳିବାକୁ ଯାଉଥିଲି । ଦେଖିଲି ଭସ୍ମାମୂଳି ପୁଷ୍ଟିଶାଳ ଲଗାଇ ଗୋଛାଏ ତାର କାଟୁଅଛି, ଆଉ ଏ ନିର୍ବଂଶିଆ ଭିକା ଚଷା ତାହା ଆଗରେ ବସି ବଗ ପରି ଏକ ଧ୍ୟାନରେ ଚାହିଁଅଛି । ମୂଲିଆ ବଣିଆ ଯେଉଁ ତାର କାଟି କୁହିରେ ପକାଉଅଛି, ତାହା ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ଚୋରି ଯାଇଥିବା ସୁବର୍ଣ୍ଣ ପଇତା । ମୁଁ ଏହା ଦେଖି ଭାଗ୍ୟେ ମୋତେ ସେମାନେ ନ ଦେଖୁଣୁ ଶୀଘ୍ର ପଳାଇ ଯାଇ ଚୌକିଆକୁ ଖୋଜିଲି । ସେ ଯାଇ ମକଦମ ଘର ଚୌପାଢ଼ୀ ପିଣ୍ଡାରେ ଶୋଇଥିଲା । ତାକୁ ଉଠାଇ ସମସ୍ତ କହି ସଙ୍ଗରେ ଘେନିଆସି ପହୁଞ୍ଚିଲା ବେଳକୁ କୁହି ନିଆ ଉମେଇ ଉପରେ ବସୁଅଛି । କାହାର ଏ ମାଲ ବୋଲି ପଚାରିବାରୁ ବଣିଆ ଚଷା ଟୋକାଟାକୁ ଦେଖାଇ ଦେଲା । ତହୁଁ ଚୌକିଆ ତାହାକୁ ବାନ୍ଧି ମାଲ ସହିତ ଆଣିଅଛି । ଏବେ ତୁମ୍ଭେମାନେ ଯାହା କର ତୁମ୍ଭମାନଙ୍କର ଇଚ୍ଛା ଏହା କହି ତାର ଖଣ୍ଡ-ପୂର୍ଣ୍ଣ କୁହୁଟି ସମସ୍ତଙ୍କ ଆଗରେ ଥୋଇଦେଲା ।

 

ଗ୍ରାମରେ ଏ ଘଟଣା ରାଷ୍ଟ୍ର ହେବାରୁ ଦଳେ ଦଳେ ଲୋକ ଦେଖିବାକୁ ଆସିଲେ । ଗ୍ରାମର ପନ୍ଦର ପଣ ବିଶାଳଙ୍କର ଶତ୍ରୁ । ବିଶାଳେ ତ ସାମାନ୍ୟ ପାତ୍ର ନୁହନ୍ତି । ସେ ଗଣ୍ଡାଏ ଉପାର୍ଜନ ଆଶରେ କେତେ ଲୋକ ମଧ୍ୟରେ କଳି ଲଗାଇ ଦେଇ କେତେ ଘର ଭାଙ୍ଗିଅଛି । ବର୍ତ୍ତମାନ ସେମାନଙ୍କୁ ଟିକଲ କରିବାର ସୁବିଧା ମିଳିଲା । ଭାରତୀଭୂଷଣେ କହିଲେ, ମଠର ବାରମ୍ବାର ଚୋରି ଯେ ଭିକାରୀର କାର୍ଯ୍ୟ, ଏହା ସମସ୍ତଙ୍କୁ ଜଣା; ମାତ୍ର କେହି ଦେଖି ନ ଥିବାରୁ ଆମ୍ଭେମାନେ ନୀରବ ଥିଲୁଁ । ଏବେ ପ୍ରତ୍ୟକ୍ଷରେ ଧରାଗଲା, ଯାହା କର୍ତ୍ତବ୍ୟ ତାହା କରାଯିବ । ଚଷା ଟୋକାଟାର କେଡ଼େ ସାହସ ହେ, ମହନ୍ତଟାକୁ ନଷ୍ଟ କରିଦେଲା । କେହି କହିଲା, ସେ ତ ଦ୍ୱିତୀୟ ମହନ୍ତ । ଅନ୍ୟ ଜଣେ କହିଲା, ହଁ, କାରାପୁର ମଠରେ ଏବେ ମହନ୍ତ ହେବାକୁ ଯାଉଛନ୍ତି ପରା ? ସେଠାରେ ଲୁହାବଳା ପିନ୍ଧ ଡାଲି ଭାତ ଖାଇବେ, କୌପୁନୀ ଭେକ ପିନ୍ଧିବେ ଓ ଘଣା ପେଲିବେ । ପୁଣି ଜଣେ କହିଲା, ସେ ତ ଜାତୀୟ ବିଦ୍ୟା, ହଳ କରିବା ଘଣା ପେଲିବା ଏକ କଥା । ବିଶାଳେ ପାରିବେ ଯେ । ବଳି ରାଉତ କହିଲା, ସବୁ ମାଲ ଏହି ନେଇଛି, ଢିପାଳି ବସିଲେ କହିବ ଯେ । ତହୁଁ ହରି ମଳିକ କହିଲା, ନାହିଁ ହୋ, ତାକୁ ଥାନାରୁ ଜଳଖିଆ ମିଳିଲେ ଯାଇ କହିବ । ବିଶାଳେ ଏପରି ବ୍ୟଙ୍ଗବାଣରେ ଚତୁର୍ଦ୍ଦିଗରୁ ବିଦ୍ଧ ହୋଇ ବିଷମ ବ୍ୟଥାନୁଭବ କଲେ ଏବଂ କୋପାନ୍ୱିତ ହେଲେ । ମାତ୍ର ସେ କୋପ ବାହାରକୁ ନ ଫୁଟି ତୁଷାନଳ ପରି ଭିତରେ ରହିଲା । ଆଉ ତାହା ନ କରି ବା ଉପାୟନ୍ତର କଅଣ ? ପଙ୍କ ନିମଜ୍ଜିତ କରୀକୁ ଅଙ୍କୁଶ ଇଷ୍ଟକାଘାତ ସହ୍ୟ କରିବାକୁ ହୁଏ, ଏହା ଭାବି ସେ ନିଜକୁ ନିଜେ ସଂସ୍କାର କରିନେଲା ।

 

ଅନନ୍ତର ମୂଳି ପୁଷ୍ଟି ହଳଦୀ ଜର୍ଜରିତ ପିନ୍ଧାକାନି ବେକରେ ପକାଇ ଯୋଡ଼ ହସ୍ତରେ ଠିଆ ହୋଇ କଅଣ କହିବାକୁ ଇଚ୍ଛା କରୁଥିଲା । ମାତ୍ର ଜିହ୍ୱାକୁ ବଶୀଭୂତ କରି ପାରିଲା ନାହିଁ । କହୁଁ କହୁଁ ପାଟି ଖନି ବାଜିଗଲା, ଶରୀର ରୋମାଞ୍ଚିତ ହୋଇ ଥରିବାକୁ ଲାଗିଲା, ବାଷ୍ପରୁଦ୍ଧ ହେଉ ଶବ୍ଦ ଉଚ୍ଚାରଣ ବିଶୃଙ୍ଖଳ ହୋଇଗଲା । ଉକ୍ତ ଶରୀରରେ ସାତ୍ତ୍ୱିକ ଭାବର ବିକାଶ ତୁଲ୍ୟ ନାନା ବିକାର ଜାତ ହେଲା । ଯାହାହେଉ ସେ ଶେଷରେ କ୍ରନ୍ଦନ ଗଦ୍‌ଗଦ ସ୍ୱରରେ କହିଲା, ପଞ୍ଚାୟତ ଅବଧାନେ, ମୋର କିଛି ଦୋଷ ନାହିଁ । ମୁଁ ପାଇଟିଆଳ ଲୋକ, ଯେ ମୋ ପାଖକୁ ପାଇଟି ଆଣିବ ମୁଁ ତାହାର କରିଦେଇ ଚାରିପଇସା ଖାଇବି, ଏତେ ଛନ୍ଦମନ୍ଦ ମୁଁ କି ଜାଣେ ? ଭିକାରୀ ବିଶାଳ କେତେଥର ଭଙ୍ଗା ଅଳଙ୍କାର ଆଣି ତରଳାଇ ନେଇଯାଏ; ମାତ୍ର କେବେ କିଛି ଗଢ଼ାଏ ନାହିଁ । ଥରେ ପଚାରିବାରୁ କହିଥିଲା, ମୁଁ ଏ ଅଳଙ୍କାରସବୁ ଶସ୍ତାରେ କଟକରୁ କିଣିଥିଲି । ଭଙ୍ଗାମାଲ କିଏ ନେବ, ତରଳାଇ ମୁଣ୍ଡା କରିନେଲେ ସୁନା ଭରି ତିରିଶ ଟଙ୍କା ଲେଖାଏଁ ବିକ୍ରୟ ହେବ । ଏ ସବୁ ସଇ ସୁନା-। ଘରବୁଡ଼ା ଚଷାଟୋକା ଏବେ ଏଠି ତୁନିହୋଇ ବସିଛି । ଏହିପରି କେତେଥର ସିନ୍ଦୂକ ପେଟରାର ଚାବି ହଜି ଯିବାର କହି ମହମ ଛାଞ୍ଚ ଆଣି ମୋଠାରୁ ଚାବି ପ୍ରସ୍ତୁତ କରି ନେଇଅଛି । ଏବେ ଆପେ ବୁଡ଼ିମାରି ମୋତେ କୁଣ୍ଢାଇ ଧରୁଅଛି । ଶନିବାରରେ ଶିବ ସଙ୍ଗୀ ଲୋଡ଼ିଲା ପରି ଏହାର ବେଭାର । ହେଉ ପରକୁ ବୁଡ଼ାଇଲେ ଦୈବ ଅଛି । ହୋରିଖେଳରେ ଅପରକୁ ରଞ୍ଜିତ କରିବାକୁ ଯାଇ ଆପେ ଫଗୁ ଜର୍ଜରିତ ହେଲାପରି ମରିବ । ରଘୁନାଥଙ୍କ ଶ୍ରୀଅଙ୍ଗଭୂଷଣ ବୋଲି ଜାଣିଥିଲେ କି ମୁଁ ସେଥିରେ ହାତ ଦେଇଥାନ୍ତି ? ରାମ ରାମ, ମୋର କି ପାପ ପରମାଦ୍ରର ଭୟ ନାହିଁ । ଜାଣିଥିଲେ ତକ୍ଷ୍‍ଣେ ପଞ୍ଚାୟତଙ୍କର କର୍ଣ୍ଣଗୋଚର କରିଥାନ୍ତି ।

 

ପୃଷ୍ଟିର କଥା ଶେଷ ନ ହେଉଣୁ ପଞ୍ଚାୟତ ମଧ୍ୟରୁ ଜଣେ କହିଉଠିଲେ, ବିରାଡ଼ି ଆଖି ବୁଜି ଦୁଧ ପିଏ । ତୁଳାମୁହାଁ କାଙ୍କ ମାଛ ଖାଇଲା ପରି ବଣିଆ ଟୋକା କହୁଛି, କିଛି ଜାଣେ ନାହିଁ । ହଇ ରେ କହିଲୁ ଭଲା, ମଠର ଅଳଙ୍କାର ଚୋରି ଯିବା କଥା ତୋର ଗଭୀର କାନରେ କି ପଡ଼ି ନାହିଁ । ବୁଡ଼ି ପାଣି ପିଇଲେ ମହାଦେବଙ୍କ ବାପ ସୁଦ୍ଧା ଜାଣିପାରିବେ ନାହିଁ, ଏବେ ଏହି ଧାରା ଧରିଛୁ ପରା ? ଏ ତୋର କୁହି ନୁହେଁ ଯେ, ଫୁଙ୍କରେ ସୁନାରୁପା ଉଡ଼ାଇ ଦେଲାପରି କଥାଟା ଉଡ଼ାଇ ଦେବୁ । ଆଛା ଥା, ଥା ଦୋଷୀ କି ନିର୍ଦ୍ଦୋଷ ତାହା ବଳେ ଯଥାସ୍ଥାନରେ ଚିହ୍ନାଯିବ । ଆମ୍ଭେମାନେ କିଛି ବିଚାରପତି ନୋହୁ ଯେ, ଦୋଷାଦୋଷର ବିଚାର କରି ଦଣ୍ଡ ପୁରସ୍କାର ଦେବୁ । ଦୋଷକରି ନ ଥିଲେ ତୋ ଗୋଡ଼ରେ କଣ୍ଟା ଭୁକିବ ନାହିଁ, ସୁନା ରୁପାର ତୁ ଯେପରି ନିର୍ମଳ କରୁ ସେହିପରି ନିଷ୍କଳଙ୍କ ହୋଇ ବାହାରିବୁ । ନିର୍ଦ୍ଦୋଷର ସମ୍ବଳ ବଳ ଭଗବାନ୍ । ତୁ ନିର୍ଦ୍ଦୋଷ ହେଲେ ସେ ନିଶ୍ଚୟ ତୋତେ ସ୍ୱତଃ କରୁଣା ପ୍ରକାଶ କରିବେ । ସେ ନିରପରାଧର ବଜ୍ର କବଚ । ତୋ କଥା ସତ୍ୟ ହେଲେ ସତ୍ୟର ଜୟ ନିଶ୍ଚୟ ହେବ । ସତ୍ୟର ଭିତ୍ତି ଉପରେ ଏ ବିଶାଳ ସାଂସାର ପ୍ରତିଷ୍ଠିତ ଅଛି । ସତ୍ୟ ହେତୁ ଚନ୍ଦ୍ରସୂର୍ଯ୍ୟ ଆତଯାତ ହେଉଅଛନ୍ତି । ଜଗତରେ ଯେତେ ପଦାର୍ଥ ଅଛି, ସତ୍ୟ ସବୁଠାରୁ ମହତ୍ତମ । ଯେ ସତ୍ୟବାଦୀ, ତାହାର କିଛି ଆପଦ ନାହିଁ । ସତ୍ୟକୁ ବିପଦର ସତତ ପ୍ରାଣନ୍ତକ ଭୟ; ତେଣୁ ସେ ସ୍ୱପ୍ନରେ ସୁଦ୍ଧା ତାହାର ନିକଟବର୍ତ୍ତୀ ହେବାକୁ ସାହସ କରେ ନାହିଁ । ସତ୍ୟର ମହିମା ବଚନାତୀତ । ସେହି ମହିମାର ମହାମୁକୁଟ ଯାହାର ମସ୍ତକରେ ଶୋଭାପାଏ, ସେ ସଂସାରରେ ଚିର ନିର୍ଭୀକ ଏବଂ ଚିର ନିର୍ବପନ୍ନ ।

 

ଏଣେ ଧତେଇ ଜେନା ଚୌକିଦାର ‘‘ଚଞ୍ଚଳ ଥାନାକୁ ଚାଲ, ଚଞ୍ଚଳ ଥାନାକୁ ଚାଲ’’ କହି ଭାରି ତତଘନିଆ ଲଗାଇଦେଲା । ତହୁଁ କିଏ କିଏ ଥାନାକୁ ଯାଇ ଇଜହାର ଦେବେ, ଏବିଷୟ ଘେନି କିଛିକ୍ଷଣ ଆନ୍ଦୋଳନ ଲାଗିଲା । ମାତ୍ର ପଞ୍ଚାୟତମାନେ ସମସ୍ତେ ଯିବେ ବୋଲି ଚୌକିଦାର ରାୟ କାଟି ଦେଇ ବସିଲା । ଭାରତୀଭୂଷଣେ ବଡ଼ ବ୍ୟସ୍ତରେ ପଡ଼ିଲେ । ତାଙ୍କର ୬୫ ବର୍ଷ ହେଲା, କିନ୍ତୁ ଆଜି ଅବଧି ସେ ଥାନାଦ୍ୱାର ମାଡ଼ି ନାହାନ୍ତି କିମ୍ବା ମୁନ୍‌ସି ଦାରୋଗାଙ୍କ ମୁହଁରେ ପଦେ କଥା କହି ନାହାନ୍ତି । ଆଜି କଅଣ କରିବେ, ଏ ଦୁର୍ଭାର ସଙ୍କଟରୁ କିପରି ଉଦ୍ଧାର ହେବେ, କିଛି ବୁଦ୍ଧି ଦିଶିଲା ନାହିଁ । ଅନେକ ଥର ନାସ ଶୁଙ୍ଘି, ଅନେକ ଥର ନାସାଗ୍ର ଆଉଁଷି ବୁଦ୍ଧି-ଯନ୍ତ୍ରରେ ଦମ ଦେବାକୁ ଲାଗିଲେ । ମାତ୍ର ତାହା ଅଚଳ ଏବଂ ଅସାଢ଼ । ବିପଦବେଳେ ବୁଦ୍ଧି ଆସେ ନାହିଁ, ଏହା ସ୍ୱାଭାବିକ କଥା । ଯାହାହେଉ କିଛିକ୍ଷଣ ପରେ କହିଲେ, ମୁଁ ନ ଗଲେ ମଧ୍ୟ ଚଳିବ ଯେ, ଆଜି କୁଟୁରି ସାଆନ୍ତଙ୍କର ବିଷ୍ଣୁ ପ୍ରୀତି । ବିପୁଳ ଦାନ ଏବଂ ଭୋଜନର ବ୍ୟବସ୍ଥା ହୋଇଅଛି । ବେଳ ଛ ଘଡ଼ି ସମୟରେ ମୋତେ ସେଠାକୁ ଯିବାକୁ ହେବ । ପୁରୋହିତିଆ କାମ, ନ ଗଲେ ନ ଚଳେ । ପୁଣି ଅନ୍ୟ କାହାରି ନୁହେଁ ସାଆନ୍ତ ଘର କାମ, ନ ଗଲେ ପୁରୋହିତ କାଟିଦେବେ ଆଉ ଯାହା ପଣେ ପାଇବାର ଆଶା ଅଛି, ତାହା ବି ଯିବ । ଏହା କହି ନାସ ଟିପେ ଶ୍ରାଦ୍ଧ କରିବାକୁ ଲାଗିଲେ । ସମ୍ଭବତଃ ଆଉ କିଛି କହିଥାନ୍ତେ; ମାତ୍ର ଇତ୍ୟବସରରେ ମକଦମେ ତରତର ହୋଇ କହି ପକାଇଲେ, ମୋର ମଧ୍ୟ ବଡ଼ ଝିଞ୍ଜଟ । ମଝିଆଁ ଟୋକାକୁ ଜ୍ୱର, ମୁଁ ବୈଦ୍ୟ ଡାକିବାକୁ ଆସି ଏଠାରେ ଏତେବେଳ ଯାଏଁ ବସି ଗଲିଣି । ଏହିପରି ସମସ୍ତ ପଞ୍ଚାୟତମାନେ ଗୋଟିଏ ଗୋଟିଏ କଳ୍ପିତ ଆପତ୍ତି ଉପସ୍ଥାପିତ କଲେ । ଶେଷରେ ସ୍ଥିର ହେଲା, ‘‘ଥାନା, ଯମଖାନା’’ ସେଠାକୁ ଯାଇ କଅଣ କହିବାକୁ ହେବ, କିପରି ଇଜହାର ଦେବାକୁ ହେବ, ତାହା ତ କାହାରିକୁ ଜଣାନାହିଁ । ତେବେ ଜଣେ ଜାଣିବା ଲୋକ ସଙ୍ଗରେ ନେବା ଆବଶ୍ୟକ । ବଗମରା ଶାସନର ଭୁବନୀ ମହାନ୍ତି ଖୁବ ଜାଣିବା ଶୁଣିବା ଲୋକ । ତାହାଙ୍କୁ ସଙ୍ଗରେ ନେଲେ ସେ ସବୁ ସୁରୁଖୁରୁରେ ଚଳାଇନେବେ, କାହାରି ଦେହକୁ ଆଞ୍ଚ ଲାଗିବ ନାହିଁ । ତହୁଁ ତାହାଙ୍କୁ ଡାକିବା ସକାଶେ ତଡ଼ବଡ଼ି ଲୋକ ପ୍ରେରିତ ହେଲା ।

Image

 

ଅଷ୍ଟମ ପରିଚ୍ଛେଦ

ଭୁବନୀ ମହାନ୍ତି

 

ଭୁବନୀ ମହାନ୍ତି ଜଣେ ପୁରୁଣା କାଳିଆ ମୋକ୍ତାର । ମାଲ ମୋକଦ୍ଦମାର ପୋକସ୍ୱରୂପ-। ଦେହରେ ରୋମ ଯେତେ, ସେ ଜୀବନରେ ତେତେ ମୋକଦ୍ଦମା କରିଅଛନ୍ତି । ତାଙ୍କର ଉଦର ଜାଲ, ଜୁଆଚୋରି, ଫିସାଦର ଗୋଟିଏ ଅସରନ୍ତି ଭଣ୍ଡାର । ଏମନ୍ତ କି ସେ ବିନା ସୂତାରେ ଗଣ୍ଠି ପକାଇ ପାରନ୍ତି । ମୋକ୍ତାରିସୁଲଭ ଜଟିଳ କୁଟିଳ ବୁଦ୍ଧିରେ ମଧ୍ୟ ସେ ପ୍ରଥମ ପୁରସ୍କାର ପାଇବାର ଯୋଗ୍ୟ । ବାର୍ଦ୍ଧକ୍ୟର ପ୍ରବଳ ଆକ୍ରମଣ ହେତୁ ଏଣିକି ସହର ଛାଡ଼ି ସ୍ୱଗ୍ରାମରେ ବାସ କରୁଅଛନ୍ତି । ତାଙ୍କର ବିଷୟ ବୃତ୍ତି ଯଥେଷ୍ଟ । ଘରେ ରହି ସେଥିର ରକ୍ଷଣାବେକ୍ଷଣ କରନ୍ତି । ଜାଣିତ ଲୋକ ବୋଲି ଅନେକେ ତାଙ୍କଠାରୁ ମାଲିମୋକଦ୍ଦମାର ପରାମର୍ଶ ନେବା ସକାଶେ ଆସନ୍ତି-। କେହି କେହି ଅଧିକ ପାରିଶ୍ରମିକ ଦେଲେ କ୍ଷମତାପତ୍ର ନେଇ କାମ ଚଳାଇ ଦିଅନ୍ତି । ଭୁବନୀ ବାବୁ ବିଲ ବାହୁଡ଼ାଣି ଦାଣ୍ଡିପିଣ୍ଡାରେ ବସି ମୂଲିଆମାନଙ୍କୁ ବେଳ ଓଳିର କାମ ବରାତ କରୁଅଛନ୍ତି, ଏହି ସମୟରେ ପଞ୍ଚାୟତଙ୍କ ପ୍ରେରିତ ଲୋକ ଉପସ୍ଥିତ ହୋଇ ତାଳପତ୍ର ମୋଡ଼ା ଚିଟଉ ଖଣ୍ଡିଏ ହାତକୁ ବଢ଼ାଇ ଦେଲା । ମୋକ୍ତାର ତାହା ପାଠକରି ମନେ ମନେ ବଡ଼ ଆନନ୍ଦିତ ହେଲେ; ମାତ୍ର ସେ ନୀରବ ଆନନ୍ଦ କେବଳ ମନରେ ନ ରହି ବାହାରକୁ ମଧ୍ୟ ବାହାରି ପଡ଼ିଲା । ବଦନ କ୍ରମେ ସ୍ମିତହାସ୍ୟ ମଣ୍ଡିତ ହେଲା, ନୟନରୁ ଉତ୍ସାହର ଭାବ ବିକଶି ଉଠିଲା । ସେ ପତ୍ର ପଢ଼ି ଆନନ୍ଦିତ ହେଲେ ବୋଲି ସମସ୍ତେ ଜାଣିପାରିଲେ; ମାତ୍ର ସେହି ଆକସ୍ମିକ ଅଜ୍ଞାତ ଆନନ୍ଦର କାରଣ କେହି ବୁଝି ପାରିଲେ ନାହିଁ । ତିନି ଦିନ ହେଲା ଉପରି ରୋଜଗାର କଡ଼ାଏ ନାହିଁ । ଦୈବାତ୍ ଆଜି ଭଙ୍ଗା ପୋହଳରେ ଶେଉଳ ପଶିଛି, ଆଉ କି ସେ ଛାଡ଼ନ୍ତି । ଉଚ୍ଚରେ ଡାକଟାଏ ମାରି କହିଲେ, ରେ ଅନନ୍ତା, ମଝିଘର ଗାଙ୍ଗ ଉପରୁ ଗୋଟାଏ ତାଳପତ୍ର ଆଉ ଲେଖନଟା ଚଞ୍ଚଳ ଆଣିବୁଟି । ପ୍ରାୟ ଲହମାକ ପରେ ଗୋଟିଏ ୮ ।୧୦ ବର୍ଷର ବାଳକ ଆସି ଲେଖନ ପତ୍ର ଦେଇଗଲା । ତହୁଁ ଭୁବନୀ ତାଳପତ୍ର ଅଗରୁ ଟିକିଏ କାଟିନେଇ ସେଥିରେ କଅଣ ଚାରି ଅକ୍ଷର ଲେଖିଦେଇ ପତ୍ରବାହକ ହସ୍ତରେ ଦେଲେ ଏବଂ କହିଲେ, କହି ଦେବୁ, ମୁଁ ତୋ ପଛେ ପଛେ ପୁଞ୍ଜାଏ ଖାଇ ଦେଇ ଯାଉଛି ।’’ ଏହା କହି ଶୀଘ୍ର ଉଠି ଯାଇ ତୈଳର ଅପେକ୍ଷା ନ କରି ବାଡ଼ି ଗଡ଼ିଆରେ ଡୁବେ ମାରି ଆସିଲେ । ଉଦ୍‌ବେଗରେ ଆଉ ଖାଇବେ କଅଣ, ଚାରିଗୁଣ୍ଡ। ଆଖିରେ କାନରେ ଗୁଞ୍ଜଦେଇ ପିନ୍ଧା ଚୌମୀ (ଚୌମୁହୀ ଶବ୍ଦଜ) ପିନ୍ଧି ଛତା ଖଣ୍ଡେ କାଖରେ ଯାକି ଘରୁ ବାହାରି ପଡ଼ିଲେ । ଏଣେ ପଞ୍ଚାୟତମାନଙ୍କର ବ୍ୟାକୁଳ ଉତ୍କଣ୍ଠା କହିଲେ ନ ସରେ । ଆତୁର ରୋଗୀ ବୈଦ୍ୟକୁ ଚାହିଁଲା ପ୍ରାୟ ସେମାନେ ମୋକ୍ତାରଙ୍କୁ ଚାହିଁ ବସିଅଛନ୍ତି । ଭାରତୀଭୂଷଣେ ଥରେ ଥରେ ତାହାଙ୍କର ଆଗମନ ପଥ ଚାହିଁ ଆସୁଅଛନ୍ତି । ମୋକ୍ତାରଙ୍କୁ କଅଣ ଦିଆଯିବ ବୋଲି କାହାରି କାହାରି ତର୍କ ଲାଗିଅଛି । ଜଣେ କହିଲା, ଏ ଦେବତାଙ୍କର କଥା, ଆମ୍ଭେମାନେ କଅଣ ଦେଇପାରିବା, ମଠ ଇଲାକାରୁ ଗୋଟାଏ ବଡ଼ ଗଛ ଦେଇ ବାପୁଡ଼ାକୁ କୌଣସି ମତେ ସନ୍ତୁଷ୍ଟ କରିଦେବା । ଅପର କହିଲା, ଦୁଗ୍‌ଧ ପିପାସୁ କି ଜଳରେ ତୃପ୍ତହେବ ? ଏହିପରି କଥା କଟାକଟି ହୋଇ ଶେଷରେ ପାଞ୍ଚ ଟଙ୍କା ଭେଟି ଦେବାର ସାର ମୀମାଂସା ହେଲା ।

 

ଠିକ୍ ଦୁଇ ପ୍ରହର ସମୟରେ ଭୁବନୀ ମୋକ୍ତାର ଆସି ଉପସ୍ଥିତ ହେଲେ । ପଞ୍ଚାୟତମାନଙ୍କ ପିଣ୍ଡରେ ପ୍ରାଣ ପଶିଲା । କେଡ଼େ ଗୋଟାଏ ସଙ୍କଟର ଭାର ସେମାନଙ୍କର ମସ୍ତକରୁ ଓହ୍ଲାଇଗଲା ପରି ବୋଧହେଲା । ବାସ୍ତବରେ ଏ ବିପଦ ଶନିସପ୍ତାରୁ ଉଦ୍ଧାର କରିବାକୁ ଗ୍ରହବିପ୍ର ଭୁବନୀ ବ୍ୟତୀତ ଆଉ କିଏ ଅଛି ? ଗୁରୁଙ୍କୁ ଶିଷ୍ୟବର୍ଗ ଅଥବା ବନସ୍ପତି ରାଜଜେମା କୁସୁମସୁନ୍ଦରୀକୁ ଅଳିପାଳି ଘେରିଲା ପ୍ରାୟ ସେମାନେ ଭୁବନୀ ବାବୁଙ୍କ ଚାରିପାଖରେ ବେଢ଼ି ବସିଲେ । ଭୁବନୀ ସମସ୍ତ ବୃତ୍ତାନ୍ତ ଶୁଣି ଥରେ ଥରେ ମୁରକିହସାଦେଇ କହିଲେ, ‘‘ଏହି କଥା ନା, ଆଉ କିଛି ? ଗୋଟାଏ ଫୁଟୁକିରେ ଏହିପରି ପଣେ ମାମଲା ଉଡ଼ିଯିବ । ମାତ୍ର ଚଷାଟୋକାକୁ ଯଦି ପାଞ୍ଚ ବର୍ଷ କଇଦୀ ନ ଖଟାଏଁ, ତେବେ ମୋ ନାମ ଧରିବ ନାହିଁ । ଏକା ମୋର ଗୋଟିଏ କଥା ଜାଣିଥିବ, ମୁଁ ଯାହା କହିବି ତାହା କରିବି । ବଚନ ଦେଇ କର୍ମ ନ ତୁଲାଇ ପଛଘୁଞ୍ଚା ଦେବା ମୋ ଜାତକରେ ନାହିଁ, କି ବିଧାତା ମୋତେ ସେ ମାଟିରେ ଗଢ଼ି ନାହିଁ । ଏହା କହି ନିଜର ଅସାଧାରଣ କୃତିତ୍ୱର ପ୍ରୌଢ଼ ବାଢ଼ି ବସିଲେ । ସେ ତଲାଟରେ ତାଙ୍କ ପରି ପରିପକ୍ୱ ଜ୍ଞାନୀ ମାମଲାଖୋର କେହି ନାହାନ୍ତି, ମୋକଦ୍ଦମାରେ ତାଙ୍କର ଜୀବନବ୍ୟାପୀ ଜୟ ବ୍ୟତୀତ ପରାଜୟ ଆଦୌ ନାହିଁ, ନିଜର ଅସୃଷ୍ଟ-ସୁଲଭ ପ୍ରତିଭାବଳରେ ସେ କେତେ ଓକିଲ ବାରିଷ୍ଟରଙ୍କୁ ପାଠ ପଢ଼ାଇ ଦେଇଅଛନ୍ତି, ଖାଲି ମସୁଧା ନେବା ସକାଶେ ପ୍ରତ୍ୟହ ଶତ ଶତ ଲୋକ ତାଙ୍କର ଦ୍ୱାରସ୍ଥ ହୁଅନ୍ତି, ଏହିପରି ଆତ୍ମସ୍ତବ ବ୍ୟାଖ୍ୟାନଦ୍ୱାରା ସଙ୍କେତରେ ପଞ୍ଚାୟତମାନଙ୍କୁ ନିଜର ମୂଲ୍ୟ ଜଣାଇ ଦେଉଥିଲେ । ଏହି ସମୟରେ ମାମଲାର ଅଧିବାସ ଦର୍ଶନୀସ୍ୱରୂପ ଆଗରେ ପଞ୍ଚ ମୁଦ୍ରା ରକ୍ଷିତ ହୁଅନ୍ତେ ସେ ମୁହଁଟାକୁ ଅନଭ୍ୟାସୀ କାଞ୍ଜି ଖାଇଲା ପରି କରିଉଠିଲେ । ସିନ୍ଧୁଶୋଷୀ ଅଗସ୍ତ୍ୟ କି ଗଣ୍ଡୁଷେ ଜଳରେ ତୃପ୍ତ ହେବ ? ଯେ ପୂଜାରୀ ସଙ୍ଗେ ଖଟୁଲି ଗିଳି ଦେଉପାରନ୍ତି, ସେ ଠାକୁରଙ୍କୁ କି ଏହି ଭୋଗ ? ମୁଖମଣ୍ଡଳରେ ଅସନ୍ତୋଷର ଛାୟାପାତ ଦେଖି ମକଦମେ କହିଲେ, ‘‘ରଖିବା ହେଉନ୍ତୁ, ମୋକଦ୍ଦମା ଜୟ ହେଲେ ଆଉ ପନ୍ଦର ଟଙ୍କା ପାଇବେ ।’’ ଏ ବାଣୀ ମହାନ୍ତିଙ୍କ ହତାଶାତୁର କର୍ଣ୍ଣରେ ଅମୃତ ବର୍ଷଣ କଲା । ସେ କହି ଉଠିଲେ, ମୋକଦ୍ଦମାକୁ ମୁଁ ଏହି ଲୁଗାକାନିରେ ବାନ୍ଧି ନେଇଯାଉଛି, ଏହାକୁ ତେଣେ ମହାନଦୀରେ ଭସାଇ ଦେଇ ଆସିବି । ତୁମ୍ଭମାନଙ୍କ ଦେହକୁ ଆଞ୍ଚ ଲାଗିବ ନାହିଁ । ଏଣିକି ମୋକଦ୍ଦମା ଜାଣେ, ମୁଁ ଜାଣେ । ମାତ୍ର ଅନେକ ଲୋକଙ୍କୁ ତୋଷାମଦ, ଅନେକ ଲୋକଙ୍କୁ ବଶୀଭୂତ ଏବଂ ଅନେକ ପରିଶ୍ରମ କରିବାକୁ ପଡ଼ିବ । ଏହାର ନାମ ମା-ମଲା ପରା ? ମା ମଲେ ଯେପରି ବ୍ୟତିବ୍ୟସ୍ତରେ ପଡ଼ିବାକୁ ହୁଏ, ଏଥିରେ ଠିକ୍ ସେହିପରି । କେବଳ ମୁଁ ବୋଲି ସେ ସବୁ ଭାର ମୁଣ୍ଡକୁ ନେଉଛି, ନଚେତ୍ ଆଉ କିଏ ପାରିବ ? ଏହି କଥାଗୁଡ଼ିକ ଅଖଣ୍ଡ ଆତ୍ମପ୍ରାଧାନ୍ୟର ଉତ୍କଟ ଦୃଷ୍ଟାନ୍ତ ହେଲେହେଁ ମୌକିଲଙ୍କ ମନରେ କୌଣସି ଭାବାନ୍ତର ବା ଅବାନ୍ତର ଆନୟନ କରି ପାରି ନ ଥିଲା । ଅନ୍ଧକୁ ହାତୀ ଘୋଡ଼ା ପରି କହିଲେ ସୁଦ୍ଧା ସତ୍ୟ ମଣେ । ଅନନ୍ତର ମୋକ୍ତାରେ ପୋଲିଶରେ କିପରି ଭାବରେ ଏତଲା ଦିଆଯିବ, ସେଥିର ମସୁଧା ବାନ୍ଧିବାକୁ ଲାଗିଲେ । କିଛିକ୍ଷଣ ନୀରବ ରହି, ଥରେ ଦୁଇଥର ହାଇମାରି, ଫୁଟୁକି ଫୁଟାଇ କହିଲେ, ‘‘ଏ ଚୋରିରେ ନିଶ୍ଚୟ ନୂଆମହନ୍ତଙ୍କ ସଲା ଅଛି; ମାତ୍ର ତାଙ୍କୁ ଏଥିରେ ମିଶାଇବାକୁ ହେବ ନାହିଁ । ପୁଣି ପୂର୍ବ ପୂର୍ବ ଚୋରିର କଥା ମଧ୍ୟ ପ୍ରକାଶ କରାଯିବ ନାହିଁ । ଯାହା ଯଥାସମୟରେ ଏତଲା ଦିଆଯାଇ ନାହିଁ, ତାହା ଏବେ ପ୍ରକାଶ କଲେ ଦଣ୍ଡନୀୟ ହେବାକୁ ହେବ । ବର୍ତ୍ତମାନ ଏହିପରି ଜମାନବନ୍ଦି କରିବାକୁ ହେବ ଯେ, ଭିକା ଚଷା ଗତ ରାତିରେ ମନ୍ଦିରରେ ପଶି ରଘୁନାଥଙ୍କ ସୁବର୍ଣ୍ଣ ପଇତା ଚୋରି କରି ନେଇଥିଲା । ଆଜି ତାହା ବଣିଆଶାଳରେ ଆଉଟାଇବା ସମୟରେ ଚୌକିଦାର ତାହାକୁ ମାଲ ସହିତ ଗିରପ୍ତାର କରିଅଛି । ଚାଲ, ମୁଁ ସବୁ କରିବି, ତୁମ୍ଭେମାନେ ମୋ ସଙ୍ଗରେ ଥିଲେ ହେଲା । ଏହା କହି ମହାନ୍ତିଏ ଆସାମୀ, ଚୌକିଦାର ଓ ପଞ୍ଚୟାତମାନଙ୍କୁ ଘେନି ଥାନା ଅଭିମୁଖରେ ଗମନ କଲେ । ସେମାନେ ଚାଲିଗଲା ପରେ ଉପସ୍ଥିତ ଜନସଙ୍ଘ ମଧ୍ୟରେ ବହୁବେଳ ଯାଏଁ ଉପସ୍ଥିତ ଘଟଣାର ସମାଲୋଚନା ଲାଗିଲା । ସୂର୍ଯ୍ୟାସ୍ତ ପରେ ଆକାଶଦୁହିତାଗୋଧୂଳିର ସୁବର୍ଣ୍ଣ ଛଟା ଅନେକ କ୍ଷଣ ଯାଏଁ ସାନ୍ଧ୍ୟାକାଶ ଆଲୋକିତ କରେ । ଯଥେଷ୍ଟ ସମାଲୋଚନା ହେଲା; ମାତ୍ର ତାହା ଶୁଷ୍କ ଏବଂ ନୀରସ । ପାଠକପାଠିକାମାନଙ୍କର ଧୈର୍ଯ୍ୟଚ୍ୟୁତି ଆଶଙ୍କାରେ ତାହା ଉପେକ୍ଷିତ ହେଲା ।

 

ଏଣେ ନୂଆ ମହନ୍ତ ଭିକାରୀଙ୍କ ଅବସ୍ଥା ପୁଣି ମ୍ରିୟମାଣ । ଲଜ୍ଜା, ଭୟ ଏବଂ ଦୁଃଖ ତିନିହେଁ ମିଳି ତାହାଙ୍କ ଭାଗ୍ୟରେ ଅମଙ୍ଗଳ ତ୍ର୍ୟହସ୍ପର୍ଶ ଯୋଗ ଆନୟନ କଲେ । ମହନ୍ତ କିଂକର୍ତ୍ତବ୍ୟକିମୂଢ଼ ଏବଂ ଆତ୍ମଜ୍ଞାନଶୂନ୍ୟ, ଯେମନ୍ତକି କୌଣସି ଅଜାଣିତ ଆତଙ୍କର ବଜ୍ରବର୍ଷୀ ରୁଦ୍ର ଝଟିକା ତାହାଙ୍କ ହୃଦୟ-ବନ ଚୂର୍ଣ୍ଣୀଭୂତ କରିଦେଲା । ନିଜର କୃତ କର୍ମ ଶତ ବିଭୀଷିକା ମୂର୍ତ୍ତି ଧରି ଚକ୍ଷୁ ସମକ୍ଷରେ ନୃତ୍ୟ ବିସ୍ତାର କରିଦେଲା । ଅତୀତର ପାପସ୍ମୃତି ବର୍ତ୍ତମାନ ଏବଂ ଭବିଷ୍ୟତରେ ଦାରୁଣ ଅନୁତାପ-ବର୍ତ୍ତିକା ଜାଳିଦିଏ । ମନ କେଉଁଠାରେ ଲାଗିବାକୁ ନାହିଁ । ଯେଉଁ ବିଳାସଭବନ ସତତ ସ୍ନିଗ୍‌ଧ ତରଳ ମଧୁରତାରେ କମନୀୟ ଥିଲା, ସେ ଆଜି ବିଷ-ବିସର୍ପିତ ବୋଧହେଲା । କାଳେ ଭିକାରୀ ସବୁ ପ୍ରକାଶ କରିଦେଇଥିବ, ଏହି ଚିନ୍ତା ତାଙ୍କର ମତି ଚ୍ଛନ୍ନ କରିଅଛି ଏବଂ ଆତ୍ମକୃତ ଦୁଷ୍କୃତ ଆପଣାକୁ ଉପହାସ କରୁଅଛି । କେବେ ଭାବୁଅଛନ୍ତି, କେହି ପଚାରିଲେ କଅଣ କହିବି । କେବେ ଅବା ସାହସ ବାନ୍ଧି ଭାବୁଛନ୍ତି, ମୁଁ କଅଣ ଠୁଳେ ମାନିବି ଯେ, କହିବି ମୋତେ କିଛି ଜାଣିନାହିଁ । ସେ ମୋ ନାମରେ ମିଛରେ କହିଥିବ । ଏହିରୂପ ନାନା କଥା ଭାବିଲେ; ମାତ୍ର ଭିକାରୀର ବିରହବ୍ୟଥା ଏ ସମସ୍ତ ଭୟ ଅପମାନ ହାଳିକି ଅଧିକ ବଳିପଡ଼ିଲା । ଭିକାରୀଠାରେ ମହନ୍ତଙ୍କର ବହୁସ୍ମୃତି ଜଡ଼ିତ । ସେ ତାହାର ଅଦର୍ଶନକୁ ବଜ୍ରପତନ ଅପେକ୍ଷା କଷ୍ଟ ମଣିଲେ ଏବଂ ସମୟ ସମୟରେ ମନ ନୟନ ପ୍ରେରଣା କରି ତାହାକୁ ସଂକଳ୍ପରେ ସଙ୍ଖୋଳି ଆସୁଥିଲେ । କଳ୍ପନାର କି ଅସୀମ କ୍ଷମତା ? ସେ ଯାହାର ସହଚରୀ, ତାହାର ଅଭାବ କଅଣ ବା ଅସାଧ୍ୟ କଅଣ-? କଳ୍ପନା ବିନା ଜଳରେ ତାହାର ଚୂଡ଼ା ତିନ୍ତାଇ ଦିଏ । ସଂକଳ୍ପ ଏବଂ ଜାଗ୍ରତ ସ୍ୱପ୍ନ ଏ ଦୁହେଁ ଯାମଳ ସହୋଦର । କିନ୍ତୁ ଦୁଃଖର ବିଷୟ, ମହନ୍ତଙ୍କର ପ୍ରାଣପ୍ରିୟ ସେହି ଭିକାରୀ ୩ ବର୍ଷ କଠିନ ପରିଶ୍ରମ ସହ କାରାବାସର ଆଦେଶ ପାଇଲା ।

Image

 

ନବମ ପରିଚ୍ଛେଦ

ରାଜା ରୁଦ୍ରପ୍ରତାପ ସିଂହ

 

ଯଥା ସମୟରେ ସମସ୍ତ ଘଟଣା ଗଡ଼ମଣ୍ଡଳ ନରପାଳଙ୍କର କର୍ଣ୍ଣଗୋଚର ହେଲା । ମଠର ସୁବ୍ୟବସ୍ଥାରେ ଅବହେଳା ଏବଂ ଅନାସ୍ଥା ଦେଖି ସେ ପଞ୍ଚାୟତମାନଙ୍କୁ ହକରା କଲେ । ଯଥାସମୟରେ ପାଇକ ଯାଇ ରାଜ ଆଦେଶ ସେମାନଙ୍କୁ ଜଣାଇଦେଲା । ସେମାନେ ଅନୁକୂଳର ନାନା ଆୟୋଜନରେ ଲାଗିଲେ । ଭାରତୀଭୂଷଣେ ନୃସିଂହ କବଚ ପଢ଼ି ଦେହ କିଳି ହେଲେ, ମକଦମେ ରାଜବଂଶ ଔଷଧ ଚାଦର କାନିରେ ବାନ୍ଧିଲେ, କେହି ପୂର୍ଣ୍ଣକୁମ୍ଭ ଦେଖି ଅନୁକୂଳର ବ୍ୟବସ୍ଥା କଲା । ଏଣେ ରାଜହକାର ଶୁଣି ମହନ୍ତଙ୍କର ପ୍ଲୀହା ପାଣି ହୋଇଗଲା । ତାଙ୍କୁ ଛାନିଆଜ୍ୱର ମାଡ଼ିବସିଲା । ସେ ବିବିଧ ବ୍ୟର୍ଥ କଳ୍ପନାଜଳ୍ପନାରେ ହାରଗୁନ୍ଥି ନିଜ ଗଳାରେ ଲମ୍ବାଇଲେ ଏବଂ ଜପମାଳା ପ୍ରସ୍ତୁତି କରି ଜପିବାକୁ ଲାଗିଲେ । ନିର୍ବାକ ବିସ୍ମୟ କେତେବେଳଯାଏଁ ତାହାଙ୍କ ଅନୁଭୂତିକୁ କେଉଁଆଡ଼େ ଉଡ଼ାଇ ଘେନି ଗଲା । ପରେ ପ୍ରକୃତିସ୍ଥ ହୋଇ ଭାବିଲେ, ରାଜାଙ୍କ ଛାମୁରେ ଗଲେକି ଆଉ ନିସ୍ତାର ଅଛି ? ଅନ୍ୟ ଦଣ୍ଡ ତ ଯାହା ହେବାର ହେବ, ପ୍ରଥମେ ଯେଉଁ ପରିହାସ ବାଣୀ ବୃଷ୍ଟି ହେବ, ତାହା ତ ଜୀବନ୍ତ ମୃତ୍ୟୁ ବୃଷ୍ଟି । ଏହିପରି ନାନା ଆଶଙ୍କା ପୋଷଣ କରି ଉପସ୍ଥିତ ଆପଦରୁ ରକ୍ଷା ପାଇବା ସକାଶେ କେତେ ଦେବଦେବୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ମାରି ମାନସିକ କଲେ, ପ୍ରାଣର ଆବେଗରେ ଡାକିଲେ; ମାତ୍ର କାହିଁରେ ଦାରୁଣ ଆଶଙ୍କା ଦୂରୀଭୂତ ହେଲା ନାହିଁ । ଆଶ୍ୱିନ ବୃଷ୍ଟି ପରି ତାହା କ୍ଷଣ କ୍ଷଣକେ ଛାଡ଼ି ଅବ୍ୟବହିତ ପରେ ମାନସମହୀ ଆକ୍ରମଣ କଲା । ତହୁଁ ସେ ଅନନ୍ୟୋପାୟ ହୋଇ ଜ୍ୱରର ବାହନା କରି ଶଯ୍ୟା ଆଶ୍ରୟ କଲେ । ଏ ବଡ଼ ବିଷମଜ୍ୱର । ଭିକାରୀ ବିଚ୍ଛେଦ ଜନିତ ଜ୍ୱର, ଛାନିଆଜ୍ୱର, ବାହାନାଜ୍ୱର, ଚିନ୍ତାଜ୍ୱର ଏହି ଚତୁର୍ଜ୍ୱର ପ୍ରବଳ ହୋଇ ତାହାଙ୍କୁ ଶକ୍ତିସତ୍ତ୍ୱେ ବିଛଣାରୁ ଉଠାଇ ଦେଲେ ନାହିଁ । ସୁଶ୍ରୁତ, ବାଗ୍‌ଭଟ୍ଟ ଆଦି ଭୌଷଜ୍ୟ ରତ୍ନଗଣ ଏଜ୍ୱରର ଔଷଧ ବ୍ୟବସ୍ଥା କରିନାହାନ୍ତି । ଏଜ୍ୱରକୁ ଶକ୍ତି ପାଞ୍ଚଣ (ପାଚନ) ଆବଶ୍ୟକ ।

 

ଗଡ଼ମଣ୍ଡଳର ରାଜା ରୁଦ୍ରପ୍ରତାପ ସିଂହ ଜଣେ ପ୍ରତାପୀ ପୁରୁଷ । ପ୍ରଜାପାଳନରେ ଯେପରି ଦକ୍ଷ, ରାଜକୋଷ ବୃଦ୍ଧି ବିଷୟରେ ସେହିପରି ଚତୁରକ୍ଷ । ସ୍ୱୀୟ ରାଜତ୍ୱର ଦଶବର୍ଷ ମଧ୍ୟରେ ସେ ରାଜ୍ୟର ଆୟ ଷାଠିଏ ହଜାରରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଉନ୍ନତି କରିଅଛନ୍ତି । ସେ ନିଜକୁ ପ୍ରଜାକୁଳର କର୍ମଚାରୀ ଜ୍ଞାନ କରୁଥିଲେ । ପ୍ରଜାପିଣ୍ଡ, ରାଜଆତ୍ମା ଏ ବାଣୀ ତାହାଙ୍କଠାରେ ସାର୍ଥକ ହୋଇଥିଲା । କ୍ଷତ୍ରିୟରାଜନ୍ୟ ବାଞ୍ଛିତ ନିଖିଳ ସଦ୍‌ଗୁଣାବଳୀରେ ସେ ଅଳଂକୃତ । ସ୍ଥୂଳତଃ ଏତିକି କହିଲେ ଯଥେଷ୍ଟ ହେବ, ଗୁଣ ତୁଲ୍ୟ ରୂପଦେବତା ମଧ୍ୟ ତାହାଙ୍କୁ ଆଶ୍ରୟ କରିଥିଲେ । ପଣ୍ଡିତମାନେ ତାଙ୍କୁ କନ୍ଦର୍ପ, କାର୍ତ୍ତିକ, ଅଶ୍ୱିନୀକୁମାର ପ୍ରଭୃତିଙ୍କ ସହ ଉପମିବ କରନ୍ତି । ମାତ୍ର ଏରୂପ ଉପମା ଆଧୁନିକ ଉଚ୍ଚଶିକ୍ଷିତମାନଙ୍କ ମନକୁ ଆସିବ ନାହିଁ । ସେମାନେ କହିବେ, କନ୍ଦର୍ପ ପ୍ରଭୃତିଙ୍କୁ ତ କେହି କେବେ ଦେଖି ନାହିଁ, ଅଥଚ ତାଙ୍କୁ ଉପମା ଦେବା ହାସ୍ୟାସ୍ପଦ ଆମ୍ଭମାନଙ୍କୁ ଆଳଙ୍କାରିକ ଭାଷା ଜଣାନାହିଁ; ସୁତରାଂ ଉପମା ଯୋଖି ପାରିଲୁଁ ନାହିଁ । ତେବେ ଏତିକି କହୁଅଛୁଁ ଯେ, ରାଜା ଜଣେ ଶୋଭାକାର ପୁରୁଷ । ଶରୀରରେ ରାଜ ଲକ୍ଷଣ ପର୍ଯ୍ୟାପ୍ତ ଦୃଷ୍ଟ ହୁଏ । ବିଶାଳ ଚଟୂଳ ଲଲାଟଫଳକରେ ମହିମାର ଶିଖା ଉଦୀପ୍ତ ମୁଖମଣ୍ଡଳ କମଳ ତୁଲ୍ୟ ଢଳ ଢଳ ଏବଂ ପ୍ରସନ୍ନ । ତହିଁ ମଧ୍ୟରେ ନେତ୍ରଦ୍ୱୟ ପଦ୍ମ ଫୁଟିଲା ପ୍ରାୟ ଶୋଭାପାଉଅଛି । ଚକ୍ଷୁପତାଦ୍ୱୟ କଜ୍ଜଳକୃଷ୍ଣ; ମାତ୍ର ନେତ୍ର ଈଷତ୍ ରକ୍ତିମ । କଥାରେ କହନ୍ତି, ‘‘ଯାର ଚକ୍ଷୁ ରକ୍ତବର୍ଣ୍ଣ ତାହାର ତାହା ରାଜଲକ୍ଷଣ, ରାଜଲକ୍ଷଣ ନ ଗଲେ ଜଣା, ତେତେ ଜାଣିବ ଗଞ୍ଜେଇ ଟଣା ।’’ ରାଜାଙ୍କର ସବୁ ଗୁଣ ଭଲ; ମାତ୍ର ଗୋଟିଏ କଥାରେ ଅନେକେ ତାଙ୍କୁ ନିନ୍ଦା କରନ୍ତି । ଚନ୍ଦ୍ରରେ କଳଙ୍କ ଅଛି, କୁସୁମରେ କୀଟ ଅଛି, ସେହିପରି ଗୁଣରେ ଖୁଣ ଅଛି । ବିଧାତା କାହାକୁ ସମ୍ପୂର୍ଣ୍ଣ କରି ସୃଷ୍ଟି କରି ନାହାନ୍ତି । ତାହା କଲେ ବୋଧହୁଏ ତାଙ୍କର ପାପ ହୁଅନ୍ତା ପରା ! ଜଗତରେ ଯାହାକୁ ଦେଖ, ସେଥିରେ କୌଣସି ନା କୌଣସି ଅପୂର୍ଣ୍ଣତା ବା ଅଙ୍ଗହାନି ନିଶ୍ଚୟ ବିଦ୍ୟମାନ । ସଂସାରରେ ଦୋଷଶୂନ୍ୟ କିଛି ନାହିଁ । ପତିତପାବନୀ, ତ୍ରିତାପହାରିଣୀ ଭାଗୀରଥୀ ସୁଦ୍ଧା ନକ୍ରସର୍ପସଙ୍କୁଳା । ବର୍ଣ୍ଣିତ ରାଜାଙ୍କର ଦୋଷଟା ତେତେ କିଛି ଗୁରୁତର ନୁହେଁ । ଦୋଷ ଏହି ଯେ, ସେ ଅନେକ ବିଷୟରେ ଟିକିଏ ଅଧିକମାତ୍ର ନାମ ପ୍ରୟାସୀ । ଆତ୍ମପ୍ରଶଂସାକୁ ଦୁଗ୍‌ଧ ମଧୁ ତୁଲ୍ୟ ଜ୍ଞାନ କରନ୍ତି । ଏମନ୍ତ କି ବ୍ୟର୍ଥ ପ୍ରଶଂସା କିଣିବା ବିଷୟରେ ଅନର୍ଥକ ବହୁ ଅର୍ଥ ବ୍ୟୟ ଆଗ୍ରହ ସହକାରେ କରନ୍ତି । ରାଜା ଜଣେ ଗ୍ରନ୍ଥକାର । ତାଙ୍କ ନାମରେ ଅନେକ ଗ୍ରନ୍ଥ ପ୍ରକାଶିତ ହୋଇଅଛି । ବିଶିଷ୍ଟ ଗ୍ରନ୍ଥାକାର ବୋଲି ଦେଶରେ ତାଙ୍କର ଗୋଟାଏ ଖ୍ୟାତି ଅଛି । ସେ ସୁଦ୍ଧା ନିଜକୁ ଜାତୀୟ ସାହିତ୍ୟକୁଞ୍ଜର ଅପ୍ରତିଦ୍ୱନ୍ଦ୍ୱୀ ଅଧିକାରୀ ମଣନ୍ତି । ମାତ୍ର କୁଟିଳ ଲୋକେ କହନ୍ତି, ‘‘ରାଜାଙ୍କର ଲେଖିବାର ଶକ୍ତି କିଛି ନାହିଁ, ପଣ୍ଡିତମାନେ ଗ୍ରନ୍ଥ ରଚନା କରନ୍ତି, ତାହା ରାଜାଙ୍କ ନାମରେ ଭଣା ହୁଏ ।’’ ଏହିପରି ନାନା କଥା କହନ୍ତି ଏବଂ ପଣ୍ଡିତମାନଙ୍କୁ ଏହି ଗୁଣ ବିକ୍ରି ସକାଶେ ମଧ୍ୟ ଗାଳି ଦିଅନ୍ତି । ମାତ୍ର ଆମ୍ଭେମାନେ ନ୍ୟାୟର ଦୃଢ଼ଭିତ୍ତି ଉପରେ ଅଟଳ ଭାବରେ ଦଣ୍ଡାୟମାନ ହୋଇ କହୁଅଛୁଁ, ଏଥିରେ କାହାରି କିଛି ଦୋଷ ନାହିଁ । ଆଚ୍ଛା ପଚାରୁ, ରାଜା ଆସ୍ୱଶ୍ଳାଘୀ ହେଉନ୍ତୁ ବା ନାମପ୍ରୟାସୀ ହେଉନ୍ତୁ, ସେ ଯେଉଁ ଗ୍ରନ୍ଥ ଲେଖାଉଅଛନ୍ତି ତଦ୍ଦ୍ୱାରା ଦେଶର ଉପକାର ହେଉଅଛି ତ ? ଆଉ ପଣ୍ଡିତମାନଙ୍କର ବା ଦୋଷ କଅଣ ? ସେମାନେ ପେଟ ସକାଶେ ସାପ ମାରି ପର ପିଣ୍ଡାରେ ପକାନ୍ତି । ଆଦି ବିଦ୍ୟା ସଂସ୍କୃତର ଏକାଳରେ ଆଦର ନାହିଁ । ଯେ ଯେଡ଼େ ଦିଗ୍‌ରାଜ ପଣ୍ଡିତ ହେଉନ୍ତୁ ପଛେ ତାଙ୍କର ମୂଲ୍ୟ ସାତ ଆଠ ମୁଦ୍ରାରୁ ଅଧିକ ନୁହେଁ । ତାହା ପୁଣି ସୁଲଭ ନୁହେଁ । ଏରୂପ ସ୍ଥଳେ ‘‘ପେଟ ପୋଷ, ନାହିଁ ଦୋଷ’’ ଏହି ନୀତି ସେମାନଙ୍କର ଅବଲମ୍ବନୀୟ ହୋଇଅଛି । ନିଷ୍ଠୁର ଦୈନ୍ୟ କଅଣ କରି ନ ପାରେ ? ଦୈନ୍ୟ ଉନ୍ନତିକୁ ଉଜ୍ଜ୍ୱଳ କରେ ସତ୍ୟ; ମାତ୍ର ଅବସ୍ଥା ମଳିନ କରେ । ବିଷମ ଭଗାରି ଦଗ୍‌ଧୋଦର ଯଦି ଫିଙ୍ଗିଦେବାର ପଦାର୍ଥ ହୋଇଥାନ୍ତା, ତେବେ ସେମାନେ ଶଗଡ଼ ଶଗଡ଼ ପାଠପଢ଼ି ଏରୂପ ହୀନାଦର କାହିଁକି ଭୁଞ୍ଜନ୍ତେ । ସେମାନେ ତ ପୁଣି ପଣ୍ଡିତିଆ ବେଭାରୀ, କୃଷି ବାଣିଜ୍ୟ ସେମାନଙ୍କ ପକ୍ଷରେ ଘୋର ଲଜ୍ଜାକର, ଏପରି କି ମୃତ୍ୟୁଠାରୁ ବଳେ । ସେଥିରେ ମାନମହତ୍ତ୍ୱ ଯିବ, ଜାତି ଯିବ, ବ୍ରାହ୍ମଣକୁଳରେ ଜନ୍ମ ଗ୍ରହଣ କରି ସେ ଅକର୍ମଗୁଡ଼ାକ ସେମାନେ କେମନ୍ତେ କରିବେ । ତାହାହେଲେ ଆଉ କି ବ୍ରହ୍ମତ୍ୱ ରହିବ ? ଖାଦ୍ୟାଭାବେ ମୃତ୍ୟୁ ବରଂ ଶ୍ରେୟ; ମାତ୍ର ସେ ଭୀଷଣ ପାପରେ ଲିପ୍ତ ହେବା ସ୍ୱପ୍ନରେ ସୁଦ୍ଧା ଅନୁଚିତ ।

 

ନରନାହା ସାଆଣ ମେଲାରେ ବିଜେ ହୋଇ ଅଛନ୍ତି । ମହାର୍ହ ପରିଚ୍ଛଦରେ ଶ୍ରୀଅଙ୍ଗ ଆବୃତ । ବର୍ଣ୍ଣ ଏବଂ ଔଜ୍ଜ୍ୱଲ୍ୟ ଦୃଷ୍ଟିରେ ସେ ପରିଚ୍ଛଦ ରତ୍ନତାରରେ ବୁଣାହେଲା ପ୍ରାୟ ପ୍ରତୀୟମାନ ହୁଏ । ଦୀପ୍ତ ଦାମିନୀର ଚକିତ ହାସ୍ୟ ତୁଲ୍ୟ ସେଥିରୁ ଅନବରତ ପ୍ରଭା ନିର୍ଗତ ହେଉଅଛି । ରାଜାଙ୍କ ସମ୍ମୁଖ ଭାଗରେ କାବ୍ୟ ପଞ୍ଚାନନ, ସାହିତ୍ୟାଳଙ୍କାର, ବିଦ୍ୟାବାଗୀଶ ପ୍ରଭୃତି ଦୀର୍ଘ ଉପାଧିଧାରୀ ପଣ୍ଡିତମଣ୍ଡଳୀ ଉପବିଷ୍ଟ । ସମସ୍ତଙ୍କ କର୍ଣ୍ଣରେ ପଣ୍ଡିତ ସାଇନବୋର୍ଡ଼ ହଳେ ହଳେ କୁଣ୍ଡଳ ଦୋଦୂଲ୍ୟମାନ । ଆଜିକାଲି ପଣ୍ଡିତ ଶବ୍ଦ ଖୁବ୍‍ ଶସ୍ତା ହୋଇଅଛି । ଅନେକେ ଅକାଳ ପ୍ରବୀଣ ସଂସ୍କୃତର ଆଘ୍ରାଣ ମାତ୍ର ନେଇ କେବଳ କୁଣ୍ଡଳ ବଳରେ ପଣ୍ଡିତ ବୋଲାଉ ଅଛନ୍ତି । କୁଣ୍ଡଳର କ୍ଷମତା ଭୂମଣ୍ଡଳରେ ସାମାନ୍ୟ ନୁହେଁ । ରାଜାଙ୍କର ଖଣ୍ଡିଏ ନୂତନ କାବ୍ୟ ଲିଖିତ ହେଉଅଛି । କାବ୍ୟର ନାମ ବିଶ୍ୱମୋହିନୀ । କାବ୍ୟର ନାୟିକା ବିଶ୍ୱମୋହନୀର ନାମାନୁସାରେ କାବ୍ୟର ନାମକରଣ ହୋଇଅଛି । ଆଜି ବିଶ୍ୱମୋହିନୀର ମୁଖ ବର୍ଣ୍ଣନା ଛାନ୍ଦ ରଚିତ ହେବ । ପୂର୍ବଦିନରୁ ଛନ୍ଦ ନିରୂପିତ ହୋଇ ରଚନାର ଭାର ପଣ୍ଡିତମାନଙ୍କ ପ୍ରତି ନ୍ୟସ୍ତ ହୋଇଅଛି । ସେମାନେ ନାନା କାବ୍ୟରୁ ନାୟିକାର ମୁଖବର୍ଣ୍ଣନାତ୍ମକ କବିତା ଚୋଖି ରାଗରେ ଭାଙ୍ଗି ଆଣି ଅଛନ୍ତି । ରାଜ ସମୀପରେ ପ୍ରତ୍ୟେକେ ନିଜ ରଚିତ କବିତା ପାଠ କଲେ । ମଧୁମକ୍ଷୀ ନାନା ପୁଷ୍ପରୁ ସାର ଗ୍ରହଣ କଲା ପରି ଯାହା କବିତାର ଯେଉଁ ଅଂଶ ଉତ୍କଷ୍ଟ, ତାହା ଗୃହୀତ ହୋଇ ସମସ୍ତଙ୍କୁ ମିଶାଇ ଦିଆଗଲା । ଯେଉଁଠାରେ ଖାପ ନ ଖାଇଲା ସେ ସ୍ଥାନ ଶବ୍ଦ ପରିବର୍ତ୍ତନଦ୍ୱାରା ପଣ୍ଡିତମାନେ ସଜାଡ଼ି ଦେଲେ । ଏହିପରି କବିତା ରଚନା ଶେଷ ହେଲା । ପଣ୍ଡିତମାନେ ଛାମୁରୁ ମେଲାଣି ଘେନି ବାହାରିଗଲେ । ଏହି ସମୟରେ ଜଣେ ସମ୍ବାଦପତ୍ରର ସମ୍ପାଦକ ବିଡ଼ାଏ କାଗଜ କାଖରେ ଯାକି ଉପସ୍ଥିତ ହେଲେ । ରାଜା ତାହାଙ୍କୁ ଦେଖି କହିଲେ, ‘କିହେ ଅକାଳ କୁଷ୍ମାଣ୍ଡ, କୁଆଡ଼େ ଆସିଲ ?’ ସମ୍ପାଦକ ଯଥାବିଧି ଅଭିବାଦନାନ୍ତେ ସ୍ମିତ ମୁଖରେ କହିଲେ, ‘ଆଜ୍ଞା, ଆଛା ପଦଟାଏ ଆଜି ଉପାର୍ଜ୍ଜନ ହେଲା ।’ ରାଜା ତହୁଁ ନିଜ ଉକ୍ତିର ବ୍ୟାଖ୍ୟା କରି କହିଲେ, ‘ଅକାଳରେ କୁଷ୍ମାଣ୍ଡ ଫଳିବା ଅମଙ୍ଗଳଜନକ; ତୁମ୍ଭେ ଗୋଟିଏ ଅମଙ୍ଗଳ ପଶରା, ସୁତରାଂ ଅକାଳକୁଷ୍ମାଣ୍ଡ ।’ ସମ୍ପାଦକ କହିଲେ, ‘ପ୍ରଥମେ ତ ପଦ ମିଳିଲାଣି, ବୋଧହୁଏ ଆଜି ଆଉ କିଛି ମଙ୍ଗଳ ଅଛି ।’ ରାଜା କହିଲେ, ଖଜା ପିଠା ପେଟେ ଗିଳିବ, ପଣାକାନ୍ଥି ହାଣ୍ଡିଏ ପିଇବ ପୁଣି ଶେଷରେ କିଛି ଦକ୍ଷିଣା ଉଠାଇବ, ମଙ୍ଗଳ ଆଉ କାହାକୁ କହନ୍ତି ? ଯାହାହେଉ, ଏବେ ଆସିବାର କାରଣଟା ପରିବ୍ୟକ୍ତ କର ।’ ସମ୍ପାଦକେ ଉତ୍ତର ଦେଲେ, ‘କାରଣ ଆଉ କଅଣ ମହାରାଜ, ଅନେକ ଦିନୁ ଆସି ନ ଥିଲି, ଭାବିଲି ଯାଇ ଛାମୁରେ ମୁଣ୍ଡିଆଟାଏ ମାରି ଆସେ ।’ ରାଜା ଉଚ୍ଚ ହାସ୍ୟ ବିସ୍ତାରପୂର୍ବକ କହିଲେ, ‘‘ମୁଣ୍ଡିଆ ମାରିବ, କିହେ ତୁମ୍ଭେ ପଶୁ ପାଲଟି ଗଲଣିକି ? ସମ୍ପାଦକ କହିଲେ, ଛାମୁ ରାଜା, କ୍ଷତ୍ରିୟ, କ୍ଷତ୍ରିୟଙ୍କ ସାଧାରଣ ଉପାଧି ସିଂହ । ମୁଁ ଛାମୁଙ୍କର ପ୍ରଜା; ସୁତରାଂ ସିଂହର ପ୍ରଜା, ପଶୁ ଉପାଧିତ ମୋ ପକ୍ଷରେ ଗୌରବଜନକ ।’’ ରାଜା କହିଲେ, ‘ଏଟା ସମ୍ପାଦକୀୟ ଚାତୁରୀ କେଉଁ ବିଦ୍ୟାରେ ବା ତୁମ୍ଭେ ଅପ୍ରବୀଣ । ଅଣ୍ଟା ଖୋସା ମିଳିଲେ ଘଡ଼ିକେ ସ୍ୱର୍ଗକୁ ଉଠାଇ ଦେବ, ନ ପାଇଲେ ପର ମୁହୂର୍ତ୍ତରେ ଚୌରାଶୀ ନର୍କରେ ଟାଣି ପକାଇ ଦେବ । କେଉଁ ପତ୍ରରେ ଖାଇବ ସେହି ପତ୍ରରେ ସବୁ କରିବା ଯାହା ହେଉ, ଏବେ କାହିଁକି ଆସିଛ କହ, ଆଉ କାଖରେ ସେ ବିଡ଼ାଟା କଅଣ ?’’ ସମ୍ପାଦକେ ରାଜାଙ୍କ ମୁଖନିଃସୃତ ଅନଳ ଅମୃତ ପଣା ଆକଣ୍ଠ ପାନ କରି କାଗଜ ବିଡ଼ାଟି ରାଜାଙ୍କ ହାତରେ ଦେଇ କହିଲେ, ‘‘ଏ ସମସ୍ତ ପତ୍ରିକାରେ ଛାମୁଙ୍କ ସପକ୍ଷ ଏବଂ ବିପକ୍ଷରେ ଅନେକ କଥା ଲେଖାଅଛି । ବିପକ୍ଷ ଲେଖାର ପ୍ରତିବାଦ ଏଥର ମୋ କାଗଜରେ ବାହାରିବ, ତାହା ମୁଁ ସ୍ୱୟଂ ଲେଖି ତଳେ ‘ଶ୍ରୀ’ କାଟି ଦେଇଅଛି । କିନ୍ତୁ ଅନେକ ଲୋକ ଶ୍ରୀଛାମୁଙ୍କ ଲେଖାର ଭୂୟସୀ ପ୍ରଶଂସା କରନ୍ତି । ବାସ୍ତବରେ ଛାମୁଙ୍କ ଲେଖାରେ କିଏ ମୋହିତ ନ ହେବ ? ତାହା ତ ଖାଲି କବିତା ନୁହେଁ, ତାହା ଅମର ଅଭୋଗ୍ୟ ଅନନ୍ତ ଅମୃତ ନିର୍ଝର ।’’ ଏହି ବାଞ୍ଚିତ ଆତ୍ମପ୍ରୌଢ଼ୀ ଶୁଣି ରାଜା କିୟତ୍‌କ୍ଷଣ ଅନ୍ୟମନସ୍କ ପ୍ରାୟ ନୀରବ ରହିଲେ । ପରେ କହିଲେ, ‘‘ତୁମ୍ଭେ ଆମ୍ଭ ଗୋସାଇଁ ଦଦେଇଙ୍କ ଲେଖା ଦେଖିଛ ନା, ଆଧୁନିକ ଲେଖାପରି ସେଥିରେ ଭାବ ଅଛି ନା ଭାଷା ଅଛି ? ତାହା ଏକ ପ୍ରକାର ପ୍ରାଣହୀନ । ଏ କାଳର ସେମାନଙ୍କର କଦାଚ ପ୍ରତିଷ୍ଠା ହୁଅନ୍ତା ନାହିଁ । ହଁ ସେ କଥା କଅଣ କଲ ? ତୁମ୍ଭେ ବଡ଼ ଅକୃତଜ୍ଞ, ଇଂରାଜିରେ ତୁମ୍ଭଙ୍କୁ ‘ଅନଗ୍ରେଟ୍‌ଫୁଲ ଡଗ୍’ କହିଲେ ସମୀଚୀନ ହୁଅନ୍ତା । ଯେତେବେଳେ ଯାର ଖାଇବ ତେତେବେଳେ ତାର ଗାଇବ । ତେତେ ଦିନୁ ଗୋଟାଏ କଥା କହିଲି ଯେ, ତାହା ଆଜି ଅବଧି ହେଲା ନାହିଁ । ଖାଲି ମୁଁହରେ ଆଜ୍ଞା ହଁ, ଆଜ୍ଞା ହଁ କହିପାର, ପାଖରୁ ଅନ୍ତର ହେଲେ ସବୁ ଭୁଲି ଯାଅ ।’’ ସମ୍ପାଦକ ଟିକିଏ ଅପ୍ରତିଭ ହୋଇ କହିଲେ, ‘ନା, ମହାରାଜ, ଭୁଲି ଯାଇ ନାହିଁ ତାହା କମ୍ପୋଜ ହୋଇଅଛି । ଏଥର ପତ୍ରିକାରେ ନିଶ୍ଚୟ ବାହାରିବ । ଛାମୁଙ୍କ ବିଷୟରେ କି ମୋର ହେଳା ଅଛି ? ଏତେବେଳକୁ ଗତ ସଂଖ୍ୟାର ପତ୍ରିକା ବାହାରି ଥାନ୍ତା; ମାତ୍ର କଅଣ କରିବି ମହାରାଜ ଗ୍ରାହକମାନେ ତ ପଇସା ଦେଲେ ନାହିଁ, ଅଧିକନ୍ତୁ ଭି.ପି. ଫେରାଇ ଦେଇ କ୍ଷତିଗ୍ରସ୍ତ କଲେ । ଅର୍ଥାତ୍ ସବୁ କରେ, ମୋର ଚାରା କଅଣ ଅଛି ? ପୂର୍ବରୁ ତ ମୁଁ ବାରମ୍ବାର ଜଣାଇ ଆସୁଅଛି ଯେ, ଛାମୁଙ୍କ ବିଷୟ ମୋତେ ଲାଗିଲା; କିନ୍ତୁ ଛାମୁ କାଗଜ ଖଣ୍ଡିକ ଚଳିବାର ବ୍ୟୟଭାର ଗ୍ରହଣ କରନ୍ତୁ । ରାଜା କହିଲେ, ‘ଯେତେ ଦେଲେ ସୁଦ୍ଧା ତୁମ୍ଭଙ୍କୁ ଅଣ୍ଟିଲା ନାହିଁ । ଆଛା ହେଉ ସେକଥା ପଛରେ ବୁଝାଯିବ । ତୁମ୍ଭେ ଆଜି ଦୁଇଶ ଟଙ୍କା ନେଇ ଯାଇ ଶୀଘ୍ର ପତ୍ରିକା ବାହାର କର । ଆଉ ଯେପରି ଏହି ସଂଖ୍ୟାରେ ତାହା ବାହାରେ, ସେଥିପ୍ରତି ବିଶେଷ ଦୃଷ୍ଟି ରଖିବ । ଏଠାରେ ତୁମ୍ଭର ଅକାରଣ ବିଳମ୍ବ କରିବା ଉଚିତ ନୁହେଁ । ଏହି ଲେଖା ଦେଇ କୋଷାଧ୍ୟକ୍ଷଠାରୁ ଟଙ୍କା ନେଇ ଏହିକ୍ଷଣି ବାହାରି ଯାଅ ।’ ଏହା କହି ଖଣ୍ଡିଏ ଲେଖା ବଢ଼ାଇ ଦେଲେ । ସମ୍ପାଦକ ତାହା ନେଇ ଯେ ଆଜ୍ଞା ଉଚ୍ଚାରଣ ପୂର୍ବକ ଲମ୍ବ ଦଣ୍ଡବତ ପରେ ବିଦାୟ ଗ୍ରହଣ କଲେ । ଅନନ୍ତର ପଞ୍ଚାୟତମାନେ ଆସି ରାଜାଙ୍କ ସମୀପରେ ଉପସ୍ଥିତ ହେଲେ ।

Image

 

ଦଶମ ପରିଚ୍ଛେଦ

ରାଜ ସମୀପକୁ ପଞ୍ଚାୟତମାନଙ୍କର ଆଗମନ

 

ଭାରତୀଭୂଷଣେ ଚାଦର, କୁଞ୍ଜ ଅଣ୍ଟି ଉତ୍ତମରୁପେ ବାରମ୍ବାର ଅଣ୍ଡାଳି ସମସ୍ତଙ୍କ ମୁଖିଆସ୍ୱରୂପ ପ୍ରଥମେ ରାଜାଙ୍କ ଛାମୁରେ ଧୀର ପଦକ୍ଷେପରେ ଅତି ସନ୍ତର୍ପଣରେ ଯାଇ ଉପସ୍ଥିତ ହେଲେ ଏବଂ ରାଜା ହାତ ନ ଉଠାଉଣୁ ଧନୁକାକୃତିରେ ନମ୍ର ହୋଇ ଅଞ୍ଜଳି ବିସ୍ତାରପୂର୍ବକ ଅଧବର୍ଗେ ଆଶୀର୍ବାଦ ଶ୍ଲୋକ ଆବୃତ୍ତି କରିଗଲେ । ସେ ଶ୍ଲୋକରେ ରାଜାଙ୍କର ପରମାୟୁ ଶତସହସ୍ରର ସୀମା ଲଙ୍ଘନ କରି ଲକ୍ଷ ପର୍ଯ୍ୟନ୍ତ ଯାଇଥିଲା । ଯାହାଙ୍କ ଆଶୀର୍ବାଦରୁ ମାନବର ଲକ୍ଷ ବର୍ଷ ପରମାୟୁ ହୋଇପାରେ, ସେ ବିଧାତାଙ୍କ ପ୍ରପିତାମହ ଆସନରେ ବସି ପାରନ୍ତି । ଏହିପରି କଥାରେ ପରମାୟୁ ବଢ଼ୁଥିଲେ ‘‘ମୃତ୍ୟୁ’’ ଶବ୍ଦ କେଉଁଦିନୁ ଅଭିଧାନରୁ ନିର୍ବାସିତ ହୁଅନ୍ତାଣି । ଯାଉ ସେ କଥା, ଅନ୍ୟାନ୍ୟ ପଞ୍ଚାୟତମାନେ ରାଜାଙ୍କୁ ସାଷ୍ଟାଙ୍ଗ ପ୍ରଣାମ ପରେ ଉଠି ପଛକୁ ଘୁଞ୍ଚିଯାଇ ଠିଆହେଲେ । ଅନନ୍ତର ରାଜା ମଧୁର କ୍ରୋଧ ମିଶ୍ରିତ ଲଘୁହାସ୍ୟ ବିସ୍ତାର କରି କହିଲେ, ‘‘କିହୋ ପଞ୍ଚାୟତେ, ଆସିଲ ? ବହୁକାଳର ପୁରୁଣା ମଠଟି ତୁମ୍ଭମାନଙ୍କ ଅନାସ୍ଥା ଏବଂ ତ୍ରୁଟିରୁ ନଷ୍ଟ ହେଲା । ଏହା ତୁମ୍ଭମାନଙ୍କର କେବଳ କଳଙ୍କ ନୁହେ, ଗୁରୁତର ପାପ । ବାରମ୍ବାର ଚୋରି ହେଲା, ମଠରେ ନାନା ପ୍ରକାର ଦୁଷ୍କାର୍ଯ୍ୟ ଅନାଚାର ଚଳିଲା, ତୁମ୍ଭେମାନେ ଆଉ କଅଣ ଦେଖୁଥିଲ ? ମୋତେ ସୁଦ୍ଧା ସମ୍ବାଦ ଦେଲ ନାହିଁ । ଅନ୍ୟକଥା ଥାଉ, ତନ୍ତିଆଣୀ ଟୋକୀଟାକୁ ତ ବାହାର କରିପାରିଲ ନାହିଁ, ଆଉ ତୁମ୍ଭେମାନେ କଅଣ କରିପାରିବ ? ସେ କୁଆଳିଆ ଟୋକାଟାକୁ ମହନ୍ତ କରିବାକୁ ମୁଁ ମୂଳରୁ ମନା କରୁଥିଲି । ଭାରତୀଭୂଷଣେ ତେତେବେଳେ ତାହାର ଖୁବ୍ ପଟ ଧରିଥିଲେ । ବୋଧହୁଏ କୁଣ୍ଡଳ ହଳେ ପୁରସ୍କାର ପାଇଥିବେ ପରା ।’’ ରାଜାଙ୍କର ଏ ତିକ୍ତ ମଧୁର ପରିହାସ ବାକ୍ୟ ଶୁଣି ଭାରତୀଭୂଷଣେ ଅପ୍ରତିଭ ହେଲେ; ମାତ୍ର ଆପଣାର ଟାଣ ଛାଡ଼ିଲେ ନାହିଁ । ସେ କହିଲେ, ‘ଆଜ୍ଞା ମହାରାଜା, ମୁରୁ ଛାତ କୁଣ୍ଡଳ ମିଳିଅଛି, ସେ ଲେଙ୍ଗୁଟିଆ ବୈଷ୍ଣବଟାର କେତେ କଡ଼ାର ମୁଣ୍ଡ ଯେ, ସେ ପୁଣି କୁଣ୍ଡଳ ଦେବ ।’ ଏହି ସମୟରେ ଶ୍ରୀକରଣ ପଟ୍ଟନାୟକେ ଆସି ଛାମୁରେ ଜଣାଇଲେ, ମହାରାଜ, ରାମପୁର ମୌଜାର କେତେଜଣ ପ୍ରଜା ଛାମୁରେ ମଠ ବିଷୟରେ କଅଣ ଜଣାଇବାକୁ ଆସିଅଛନ୍ତି ।’ ରାଜା ଟିକିଏ ଚଞ୍ଚଳମନା ହୋଇ କହିଲେ, ‘ମଠ ବିଷୟରେ, ଦେଖାଯିବ ଆଉ କିଛି ରହସ୍ୟ ଅଛି, ଆଛା ସେମାନଙ୍କୁ ଡାକିଆଣ ।’ ଶ୍ରୀକରଣେ ଯେ ଆଜ୍ଞା କରି ପ୍ରସ୍ଥାନ କଲେ ଏବଂ ଅଳ୍ପ ସମୟ ମଧ୍ୟରେ ୭।୮ ଜଣ ପ୍ରଜା ଆଣି ଛାମୁରେ ଭେଟାଇଲେ । ପ୍ରଜାମାନେ ଭୟରେ ଥରି ଥରି ରାଜାଙ୍କ ଛାମୁରେ ସୁନା ମୁଦି, କେହି ନଥ, କେହି ବା ଗୁଣା ଥୋଇଦେଇ ସାଷ୍ଟାଙ୍ଗ ପ୍ରଣାମ କରି କହିଲେ, ‘‘ମହାପ୍ରଭୁ, ଆମ୍ଭେମାନେ ନ ଜାଣି ଦୋଷ କରିଛୁଁ । ଦୟାକରି କ୍ଷମା ଆଜ୍ଞା ହେଉ । ମଣିମା ଗରିବଙ୍କ ବାପ ମାଆ, ଅଧିକ କଅଣ ଜଣାଇବୁଁ ।’’ ଏହି ଅଜ୍ଞାତ ବେଦନାର କରୁଣ ସଙ୍ଗୀତ ଶୁଣି ରାଜାଙ୍କ ସହିତ ଉପସ୍ଥିତ ବ୍ୟକ୍ତିବର୍ଗ ତଟସ୍ଥ ହୋଇ ରହିଲେ । କାରଣ ଜାଣିବା ସକାଶେ ସମସ୍ତେ ଉତ୍ପକ୍ଷ୍ମ ନେତ୍ରରେ ସେହି ପ୍ରଣତ ପ୍ରଜାଙ୍କ ଆଡ଼କୁ ଅନାଇ ରହିଲେ । କିଛିକ୍ଷଣ ପରେ ରାଜା କହିଲେ, ‘ତୁମ୍ଭେମାନେ ଉଠି ଘଟଣା କଅଣ କହ ।’ ଆଶାର ଏହି ଅମୃତ ଆଶ୍ୱାସନା ବାଣୀ ଶୁଣି ସେମାନେ ଉଠି ପଛକୁ ଘୁଞ୍ଚି ଠିଆହୋଇ ଯୋଡ଼ ହସ୍ତରେ କହିଲେ, ‘‘ମଣିମା, ଭିଖାରୀ ବିଶାଳ ଆମ୍ଭ ଗ୍ରାମକୁ ଯାଇ ସୁନା ବିକ୍ରୟ କରେ । ସେ ସହରକୁ ଯିବା ଆସିବା କରେ, ସୁନା କିଣି ଆଣି ବେପାର କରୁଛି, ଏହା ଜାଣି ଆମ୍ଭେମାନେ ତାହା କିଣିଥିଲୁ । ମୁଣ୍ଡା ସୁନା ତ, କାହା ମନରେ କାହିଁକି ବା ସନ୍ଦେହ ହେବ ? ଏବେ ଶୁଣି ପାରିଲୁଁ ତାହା ରଘୁନାଥ ମହାପ୍ରଭୁଙ୍କର ଅଳଙ୍କାର । ଭିକାରୀ ଚୋରି କରି ତାହାକୁ ତରଳାଇ ମୁଣ୍ଡା କରି ବିକିଥିଲା । ଆମ୍ଭେମାନେ ସେଥିରେ ଯାହା ଯାହା ଗଢ଼ାଇଥିଲୁଁ, ତାହା ଛାମୁରେ ସମର୍ପଣ କଲୁଁ । ସେ ଗୋକ୍ଷୁର ସାପର ବିଷ, ତାକୁ କିଏ କିଏ ହଜମ କରିପାରିବ ମହାରାଜ ? ଚଷା ଟୋକାଟା ଆମ୍ଭମାନଙ୍କୁ ପାପରେ ପକାଇ ଗଲା ।’’ ରାଜା କହିଲେ, ‘‘ହଁ, ସେ ବୈତରଣୀ ଆର ପାରିକି ଗଲାଣି ଯେ । ଏବେ ଚିତ୍ରଗୁପ୍ତ ଘରେ କୁଣିଆ । ବୁଝି ପାରିଲ ତ-? ଭିକା ମଦତ ନ ପାଇ ଫୁଲି ଯାଇ ସାତଦିନ ପରେ ଜେଲଖାନାରେ ମରିଗଲା । ଏହା ଶୁଣି ସମସ୍ତେ କହିଲେ, ‘ପାପର ଫଳ କୁଆଡ଼େ ଯିବ, ମାନ ମହତ୍ତ୍ୱ ହରାଇ ମୁଣ୍ଡରେ କଳଙ୍କ ବୋଝ ଲଦି, ଜେଲ ଖଟାଇ ଶେଷରେ ପ୍ରାଣରେ ମାରିଲା ? ରାଜା କହିଲେ, ‘ରଘୁନାଥଙ୍କ ପଦାର୍ଥ ପୁଣି ରଘୁନାଥଙ୍କ ପାଖକୁ ଆସିଲା । ସମୁଦ୍ରର ଜଳ ସୂର୍ଯ୍ୟ କିରଣରେ ବାଷ୍ପ ହୋଇ ଆକାଶକୁ ଯାଏ; ମାତ୍ର ବର୍ଷାରୂପରେ ଆସି ପୁଣି ସମୁଦ୍ରରେ ପଡ଼େ । ସତ୍ ମାଲ କେବେ ନଷ୍ଟ ହୁଏ ନାହିଁ । ଆଉ ରଘୁନାଥ ମହାପ୍ରଭୁଙ୍କର କି ଅଦ୍ଭୁତ ଅଚିନ୍ତ୍ୟ ମହିମା । ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେଇ ଶେଷରେ ନିଜର ପଦାର୍ଥ ନିଜ ଗନ୍ତାଘରକୁ ଫେରାଇ ଆଣିଲେ ।’ ଅନନ୍ତର ପଞ୍ଚାୟତମାନଙ୍କୁ କହିଲେ, ‘‘ତୁମ୍ଭମାନଙ୍କୁ ଡାକିବାର କାରଣ ଏହି ଯେ, ତୁମ୍ଭମାନଙ୍କୁ କେତେକ କାର୍ଯ୍ୟ କରିବାକୁ ହେବ । ମଠରୁ ପଞ୍ଚମକାର ପୂଜା ଉଠାଇବ, ଯେ କୌଶଳରେ ହେଉ ପଦୀକୁ ମଠରୁ ତଡ଼ିବ, ଆଉ ଶୁଣିଛି, ମହନ୍ତେ ସର୍ବଦା ବିଳାସର ସହସ୍ର ଉପକରଣରେ ବେଷ୍ଟତ ହୋଇ ଅଛନ୍ତି, ତାହା ଛଡ଼ାଇବ । ନାଗରିକତ ସୁଲଭ ବିଳାସ ଯେଉଁ ପବିତ୍ର ତୀର୍ଥକୁ କଳଙ୍କିତ କରି ନ ଥିଲା, ସେ ତୀର୍ଥ ଏବେ ନର୍କର ତର୍ମନାସା ସ୍ରୋତରେ ପ୍ଲାବିତ, ହାୟ କି ମର୍ମ୍ମାନ୍ତିକ ପରିବର୍ତ୍ତନ ! ଏହା ସ୍ମରଣ କଲେ ହୃଦୟରେ ବେଦନାର କୋଟି ରେଖା ସମ୍ପାତ ହୁଏ, ଯୋଗ୍ୟାଯୋଗ୍ୟ ବିଚାର ନ କରି ମହନ୍ତଙ୍କ ଚେଲା ମହନ୍ତ ହେବ, ଏ ଅନ୍ଧ ରୀତି ଅତୀବ ଦୂଷଣୀୟ ପୁଣି ଏହା ମଧ୍ୟ ଗୋଟାଏ ମହା କୁସଂସ୍କାର । ପଣ୍ଡିତ ପୁଅ ପାଠ ନ ପଢ଼ି ପଣ୍ଡିତ ପଦ ପାଇଲା ପରି ଏ ରୂପ ରୀତି ବଡ଼ କ୍ଷତିକର । ଏହିପରି ଅପାତ୍ରରେ ପଡ଼ି କେତେ ଦେବ-ସମ୍ପତ୍ତି ବ୍ୟର୍ଥରେ ନଷ୍ଟ ହେଉଅଛି, କେତେ ମହାକୀର୍ତ୍ତିର ପୁଣ୍ୟ ସ୍ମୃତି ଅତୀତ ଜାତୀୟ ଜୀବନ ସହ ଧୁଳିସାତ୍ ହେଉଅଛି, ସେଥିରେ ଇୟତ୍ତା ନାହିଁ । ପାଉଁଶରେ ଘିଅ ଢାଳିଲେ ସେ କଦାଚ ଅଗ୍ନି ହେବ ନାହିଁ, ପ୍ରତ୍ୟୁତଃ ଘିଅର ଅପବ୍ୟବହାର ହେବ ମାତ୍ର । ନିରାଡ଼ମ୍ବର ଶାନ୍ତ ସରଳ ଜୀବନ ଏକାଳ ମହନ୍ତମାନଙ୍କର ଉଲ୍ଲଙ୍ଘନ କରିବା ସେମାନଙ୍କର ଭେଦ ହୋଇଅଛି । ଏ କାଳର ବାବାଜିମାନଙ୍କୁ ବିରହୀ ଉପାଧିରେ ଭୂଷଣ କଲେ ବଡ଼ ସୁନ୍ଦର ହୁଅନ୍ତା । ହିନ୍ଦୁମାନଙ୍କର ମଠ ସ୍ଥାପନର ଉଦ୍ଦେଶ୍ୟ ଅତି ମହତ୍ୱ । ଧର୍ମଗୁରୁ, ସନ୍ନ୍ୟାସୀ, ପରିବ୍ରାଜକମାନଙ୍କର ମଠ ବିଶ୍ରାମଗାର । ସେମାନେ ସମୟ ସମୟରେ ମଠରେ ଆଶ୍ରୟ ନେଇ ଧର୍ମ ପ୍ରଚାର କରନ୍ତି । ମଠର ଦେବପୂଜା ଏବଂ ଅଭ୍ୟାଗତ ସେବା ମାନବ ହୃଦୟରୁ ସଂକୀର୍ଣ୍ଣତା ଦୂର କରି ଧର୍ମଭାବ ବୃଦ୍ଧି କରେ । ଆଜିକାଲି ମଠ ସ୍ଥାପନ ଦୂରେଥାଉ ଥିବା ମଠମାନଙ୍କର ସୁରକ୍ଷା ବିଷୟରେ କାହାରି ଦୃଷ୍ଟି ନାହିଁ । ସ୍ଥାପୟତା ବା ଦାତାମାନଙ୍କ ବଂଶଧରମାନେ ସେ ବିଷୟରେ ଯେରୂପ ନୀରବ, ପରମାର୍ଥୀମାନେ ସୁଦ୍ଧା ତଦ୍ରୂପ ଉଦାସୀନ । ଏ କାଳରେ ଧର୍ମ ପ୍ରବୃତ୍ତ ଲୋକଙ୍କ ମନରୁ କ୍ରମେ ଊଣା ହୋଇ ଆସୁଥିବା ଊଣା ଦୁଃଖ ଏବଂ ଦୁର୍ଗତିର ବିଷୟ ନୁହେଁ । ଯେ ଦେଶର ଧର୍ମୋପଦେଶ ବ୍ୟତୀତ ଜଗତର ଜ୍ଞାନ ଅସମ୍ପୂର୍ଣ୍ଣ ହାୟ ସେ ଦେଶର ଏବେ କି ଘୋର ଧର୍ମବିପ୍ଲବ । ଯେତେଦିନ ଯାଏ ଦେଶବାସୀଏ ଧର୍ମକୁ ହୁଡ଼ିଥିବେ, ତେତେଦିନ ଯାଏ ସେମାନଙ୍କର ‘‘ଆତ୍ମବିସ୍ମୃତ ଜାତି ବା କ୍ଲୀବ ଜାତି’’ ଆଖ୍ୟା ନିତାନ୍ତ ସମୀଚୀନ ଏବଂ ଏକାନ୍ତ ଅନିବାର୍ଯ୍ୟ । ବେଳ ଗଡ଼ି ଗଲାଣି, ତୁମ୍ଭେମାନେ ଏବେ ବିଦାୟ ନିଅ । ଯାହା ଯାହା କରିବାକୁ କହିଲି ସେ ସମସ୍ତ କାର୍ଯ୍ୟ କରିସାରି ମଠର ଜମାଖର୍ଚ୍ଚ ବିଡ଼ା ଘେନି ଯଥାଶୀଘ୍ର ଆସିବ । ପଞ୍ଚାୟତମାନେ ‘‘ଆଜ୍ଞା ମହାରାଜ’’ କହି ଆଶୀର୍ବାଦ ଅଭିବାଦନାନ୍ତେ ପ୍ରସ୍ଥାନ କଲେ । ତହୁଁ ରାଜା ରାମପୁର ପ୍ରଜାମାନଙ୍କୁ କହିଲେ, ‘‘ତୁମ୍ଭମାନଙ୍କର ସାଧୁ ବ୍ୟବହାରରେ ମୁଁ ଅନିର୍ବଚନୀୟ ପ୍ରୀତି ଲାଭ କରିଅଛି । ମୋର କ୍ଷମା କରିବା ପୂର୍ବରୁ, ତୁମ୍ଭମାନଙ୍କର ଚାରିତ୍ର୍ୟବଳ ତୁମ୍ଭମାନଙ୍କୁ କ୍ଷମା ଜଗତର ଊର୍ଦ୍ଧ୍ୱବର୍ତ୍ତୀ ଅନାବିଳ ସ୍ୱର୍ଗରାଜ୍ୟର ସୁବର୍ଣ୍ଣ ସିଂହାସନ ପ୍ରଦାନ କରିଅଛି । ବାସ୍ତବରେ ଧର୍ମର ଏ ଅବମାନନା ଯୁଗରେ ତୁମ୍ଭମାନଙ୍କର ଧର୍ମ-ଭୟ, ନିର୍ଲୋଭତା ଏବଂ ସତ୍ୟପ୍ରିୟତା ଦୁର୍ଲଭ ଦୃଷ୍ଟାନ୍ତ ସ୍ଥାନୀୟ । ତୁମ୍ଭେମାନେ ଯେପରି ଧର୍ମରକ୍ଷା କରିଅଛ, ଧର୍ମ ସେହିପରି ତୁମ୍ଭମାନଙ୍କୁ ରକ୍ଷା କରିଅଛି । ମୋର କ୍ଷମା କେବଳ ଉପଲକ୍ଷ୍ୟ ମାତ୍ର । ବିଶଷଷତଃ ନିର୍ଲୋଭତା ପରମ ଯଜ୍ଞ । ତୁମ୍ଭେମାନେ ଘୋର ଅଶିକ୍ଷିତ ହୋଇ ସେଥିର ଯେଉଁ ଉଜ୍ଜ୍ୱଳ ଉଦାହରଣ ପ୍ରଦର୍ଶନ କଲ, ତାହା ଚନ୍ଦ୍ରିକା-ମସୀରେ ସୁବର୍ଣ୍ଣ ଲେଖନୀରେ ଲିଖିତ ହେବାର ଯୋଗ୍ୟ ।’’ ଜଣେ ପ୍ରଜା କହିଲା, ‘‘ମହାରାଜ, ଏ କାଳ ତ ବାବରା ହେଲା, କାହରି ଆଉ ପାପ ପ୍ରତି ଭୟ ରହିଲା କି ?’’ ରାଜା କହିଲେ, ‘‘ଚାଲି ନ ଜାଣି ବାଟର ଦୋଷ ଦେବାପରି କାଳ ନାମରେ ପାଣି ଛଡ଼ାଇ ଦେଲେ ଚଳିବ ନାହିଁ । କାଳ ତ ନିଶ୍ଚେଷ୍ଟ, ତାହାର ଭଳମନ୍ଦ କଅଣ ଅଛି ? କାଳର ଭଲମନ୍ଦ ମନୁଷ୍ୟମାନଙ୍କ କାର୍ଯ୍ୟକଳାପ ଉପରେ ନିର୍ଭୟ କରେ । ଯେଉଁ କାଳରେ ମନୁଷ୍ୟମାନେ ସଦାଚାରୀ, ପାପ ପ୍ରଲୋଭନର ଅଭାବ ତାହା ଭଲ କାଳ । ଆଉ ଯେଉଁ କାଳରେ ମାନବ ଚରିତ୍ର କୁଳୁଷିତ, ପାପର ପ୍ରାବଲ୍ୟ ଅଧିକ, ତାହା ମନ୍ଦ କାଳ । ଆଜିକାଲି ଧର୍ମ ଗ୍ଲାନିର ଏକମାତ୍ର କାରଣ ଶିକ୍ଷା ଏବଂ ସହବାସର ଦୋଷ । ଜାତୀୟ ବିଦ୍ୟା ପ୍ରତି ଏ କାଳରେ ତେଡ଼େ ଆଦର ନାହିଁ । ଏକା ଜାତୀୟ ବିଦ୍ୟା କାହିଁକି ଜାତୀୟ ଆଚାର ବ୍ୟବହାର ସୁଦ୍ଧା ବିଶୃଙ୍ଖଳିତ ଏବଂ ଅନାଦୃତ । ଏଥିରେ ଜାତୀୟଭାବ ବା ଜାତୀୟ ପ୍ରାଣ ସଞ୍ଚାର କିପରି ସମ୍ଭବ ହେବ ? ବିକୃତର ଆଧିପତ୍ୟ ହେଲେ ପ୍ରକୃତ ଦୁର୍ଲଭ ହୁଏ, ଏହା ସ୍ୱତଃସିଦ୍ଧ କଥା । ତୁମ୍ଭେମାନେ ଏହି ସୁନା ନେଇଯାଅ, ମଠର ଗନ୍ତଘରିଆ ମୂଳେ ପୈଠ କରିଯିବ । ଏହା କହି ରାଜା ଅନ୍ତଃପୁରକୁ ବିଜେ ହେଲେ ।

Image

 

ଏକାଦଶ ପରିଚ୍ଛେଦ

ପଞ୍ଚାୟତମାନଙ୍କର ମନ୍ତ୍ରଣା ଏବଂ ମହନ୍ତଙ୍କର ଅବସ୍ଥା

 

ବାଟରେ ପଞ୍ଚାୟତମାନଙ୍କ ମଧ୍ୟରେ ଅନେକ କଥା ପଡ଼ିଲା । ଭାରତୀଭୂଷଣେ କହିଲେ, ‘ମଠ ଜଞ୍ଜାଳ ଝଙ୍କା ଆମ୍ଭମାନଙ୍କ ମୁଣ୍ଡରୁ ଉତୁରି ଗଲେ ରକ୍ଷା । ବେଠି, ଆହୁରି ତାହା ଉପରେ ବୋଲଣା । ଏକାଦଶ ବୃହସ୍ପତି ହୋଇଥିଲା, ଏ ଯୁଗରେ ଶିଶ୍ୟମାନଙ୍କ ଦ୍ୱାରକୁ ଯାଇଥିଲେ ପଣେ ମାଣେ ଉପର୍ଜ୍ଜନର ଆଶା ଥିଲା । ମାତ୍ର ମଠ ଗଳଗ୍ରହଟି ବହି କେଉଁ ଆଡ଼କୁ ଦଣ୍ଡେ ଗୋଡ଼ କାଢ଼ିଦେଲା ନାହିଁ । ସୁତରାଂ ସେ ଆଶା ନଷ୍ଟ ହେଲା । ମନୁଷ୍ୟ ଅଭୀଷ୍ଟ ପ୍ରାପ୍ତି ସକାଶେ ଯେତିକି ବ୍ୟାକୁଳ ହୁଏ, ଅଭୀଷ୍ଟ ତେତିକି ପଛକୁ ଘୁଞ୍ଚିଯାଏ । ଏ ଦାୟିତ୍ୱରୁ ଉଦ୍ଧାର ପାଇଲେ ମୁଁ ସତ୍ୟ ନାରାୟଣ ପୂଜା କରନ୍ତି, ନୃସିଂହ ମହାପ୍ରଭୁଙ୍କ ଚରଣରେ ଶଏ ଆଠ ତୁଳସୀ ଚଢ଼ାନ୍ତି ।’ ତହୁଁ ମକଦମେ ସମର୍ଥନ କରି କହିଲେ, ‘ସତ କହିଲ ଗୋସାଇଁ, ମଠ ଏକା ଗୋଡ଼ରେ ବେଢ଼ି ହେଲା । ମୁଁ ତ କରଜରେ ବୁଡ଼ିମଲିଣି । ଆଜି ଗୁମାସ୍ତା ଲେଖି ପଠାଇଅଛି, ମଠରେ ଜମାଓତ ସାଧୁଦଳ ଉପସ୍ଥିତ । ସେମାନଙ୍କ ପାଇଁ ମହଣେ ଅଟା ଲୋଡ଼ା, ଦଶ ସେର ଜାଇ ଲୋଡ଼ା, ଅଧ ମହଣେ ଘିଅ ଲୋଡ଼ା, ଏପରିକି ସେମାନଙ୍କ ହାତୀ ଘୋଡ଼ା ପ୍ରଭୃତିର ଖାଦ୍ୟ, ଗଞ୍ଜାଇ ଏବଂ ଗାଦୀ ଦଣ୍ଡବତୀ ଅଛି-। କାଲି କହୁଅଛି, ଶ୍ରୀ ଜୀଉଙ୍କ ଜନ୍ମୋତ୍ସବ ଖର୍ଚ୍ଚ ଦଶ ଟଙ୍କା ଲୋଡ଼ା । କଅଣ କରିବି, କେତେ ଦେବି, ମଠର ଆୟ ତ ଦେଖୁଛ । ମୁଁ ତହବିଲ ରଖି ବନ୍ଧାରେ ପଡ଼ିଅଛି ।’ ଏହିପରି କଥାବାର୍ତ୍ତାରେ ପଥ ଶେଷ ହୋଇ ଆସିଲା । ଗ୍ରାମରେ ପହଞ୍ଚିଲାବେଳକୁ ରାତ୍ର ହୋଇ ଯାଇଥିଲା । ତହିଁଆର ଦିନ ପଦୀକୁ ଆଗେ ମଠରୁ ବାହାର କରିବାର ପରାମର୍ଶ ସ୍ଥିର କରି ସମସ୍ତେ ସ୍ୱ ସ୍ୱ ଗୃହକୁ ଗଲେ ।

 

ବର୍ତ୍ତମାନ ଭିକାରୀ ଅଭାବରେ ପଦୀ କେବଳ ମହନ୍ତଙ୍କର ଭରସା । ପଦୀ ମଧ୍ୟ ଖୁବ୍‌ ଚତୁରୀ, ଏପରି ମନକିଣା କାର୍ଯ୍ୟ କଲା ଯେ, ମହନ୍ତ ସେଥିରେ ଭିକାରୀର ଆବଶ୍ୟକତା ଅନୁଭବ କଲେ ନାହିଁ । ଗୋଟିଏ ଲତା ଦୁଇଟି ଗଛରେ ମାଡ଼ିଥିଲେ ପ୍ରଥମେ ଗଛ ନଷ୍ଟ ହୋଇଗଲେ ସୁଦ୍ଧା ତାହାର କିଛି କ୍ଷତି ହୁଏ ନାହିଁ । ସେ ଦ୍ୱିତୀୟ ଉପରେ ନିର୍ଭର କରି ବଞ୍ଚେ । ପଦୀ ଦଣ୍ଡେମାତ୍ର ମହନ୍ତଙ୍କ ଚକ୍ଷୁ ସମ୍ମୁଖରୁ ଅନ୍ତର ହେଲେ ରାତ୍ରି ଅନ୍ଧକାର ବଣା ପଥିକ ଆତୁର ନେତ୍ରରେ ଉଷାକୁ ଚାହିଁଲା ପ୍ରାୟ ମହନ୍ତ ସ୍ତବ୍‌ଧ ବ୍ୟାକୁଳ ନେତ୍ରରେ ତାହାର ଗତିପଥ ଅପେକ୍ଷା କରି ବସିଥାନ୍ତି । ପଞ୍ଚାୟତମାନଙ୍କ ସାବଧାତା ସତ୍ତ୍ୱେ ମହନ୍ତଙ୍କ ନିଶା ଖର୍ଚ୍ଚର ଅଭାବ ଘଟିଲା ନାହିଁ । ମୂଷାର ଗୋଟିଏ ଗାତ ବୁଜି ଦେଲେ ସେ ଅନ୍ୟ ଗାତ ଖୋଳି ଆହାର ସଂଗ୍ରହ କରେ । ମନ୍ଦିର ଗନ୍ତାଘର ଅମାର ପ୍ରଭୃତିରେ ଜଗୁଆଳି ରହିବାରୁ ମହନ୍ତଙ୍କର କର୍ତ୍ତବ୍ୟ ପଥ ଭିନ୍ନମୁଖୀ ହେଲା । ବାଡ଼ିର ଛଣ, ବାଉଁଶ ବଗିଚାର ନଡ଼ିଆ, କଦଳୀ, ଆଳୁ ପ୍ରଭୃତି ଫଳକନ୍ଦଳ ଉପରେ କୀର୍ତ୍ତିଚନ୍ଦ୍ରଙ୍କର କୀର୍ତ୍ତିପଟୁ ହସ୍ତ ପତିତ ହେଲା । ପଦୀ ମଧ୍ୟ ନାନା ପ୍ରକାରେ ବୁଦ୍ଧି ଯୋଗାଇ ଦେଲା । ମହନ୍ତ ତ ଭିକାରୀଙ୍କର ଚେଲା, ତାଙ୍କର ବୁଦ୍ଧି ବହୁ ପରିସରଯୁକ୍ତା । ତଥାଚ ସେ ପଦୀ ଆଜ୍ଞାକୁ ଶିରୋଧାର୍ଯ୍ୟ କରନ୍ତି । ସେ ମନ ମଧ୍ୟରେ ଇଚ୍ଛାରୂପେ ଅଧିଷ୍ଠାନ କରେ, ତାହାର ଆଜ୍ଞା କି ତଳେ ପଡ଼ିପାରେ ? ପଦୀ ମଦତ ରନ୍ଧାରେ ସିଦ୍ଧହସ୍ତା । ସୁତରାଂ ମହନ୍ତଙ୍କର ନୀତି ପୂର୍ବବତ୍‌ ଚଳିବାକୁ ଲାଗିଲା ।

 

ରଜନୀ ପ୍ରଭାତ ହେଲା । ନବୀନ ଆଲୋକମାଳାର ଅନନ୍ତ ଉତ୍ସବରେ ଦିଙ୍‌ମଣ୍ଡଳ ସଂପୂରିତ ହୋଇ ଉଠିଲା । ରବି ସ୍ୱୀୟ ସୁବର୍ଣ୍ଣକର ସ୍ପର୍ଶରେ ସୁପ୍ତି ମୌନା ଧରଣୀକୁ ନିଦ୍ରାତ୍ୟାଗର ନୀରବ ସଙ୍କେତ ପ୍ରଦାନ କଲେ । ସେହି ଚିରପରିଚିତ ଅମୃତସ୍ପର୍ଶରେ ଧରଣୀରାଣୀ ଜାଗି ଉଠିଲେ-। ଫୁଲକୂଳ ପାଟେଶ୍ୱରୀ କମଳିନୀ ଅବଗୁଣ୍ଠନ ଉନ୍ମୋଚନ ପୂର୍ବକ ମଧୁର ହାସ୍ୟଧାରା ପ୍ରବାହିତ କରିବାକୁ ଲାଗିଲା । ବନ-ବୈତାଳିକ ବିହଗନିକର କି ଅସ୍ଫୁଟ ଆନନ୍ଦ ସଙ୍ଗୀତ ଶ୍ରୁତିରସାୟନ ଛାନ୍ଦରେ ଆବୃତ୍ତି କରି ପ୍ରକୃତିର ମୌନବ୍ରତ ଭଙ୍ଗ କରିବାକୁ ଲାଗିଲେ । ଭ୍ରମରପଙ୍‌କ୍ତି କୁସୁମ-ସୁନ୍ଦରୀ କର୍ଣ୍ଣରେ ମନ୍ତ୍ର ଦୀକ୍ଷା ପ୍ରଦାନ କରି ପ୍ରତିଦାନସ୍ୱରୂପ ନୀରବ ଭର୍ତ୍ସନା ଉପଲବ୍‌ଧି ପୂର୍ବକ ଅଭିମାନରେ ଉଡ଼ି ବୁଲିଲେ । ସୁଧୀର ସମୀରଣ ତାଳେ ତାଳେ ଶାଳୀ-ଶୀର୍ଷ ନଚାଇ ତରଙ୍ଗ ଭଙ୍ଗୀରେ ପ୍ରବାହିତ ହେଲା । ମଧୁମୟ ପ୍ରଭାତରେ ସବୁ ମଧୁମୟ । ଜଳସ୍ଥଳ ମଧୁମୟ, ବୃକ୍ଷବଲ୍ଲୀ ମଧୁମୟ, ମାନବ ମାନସ ମଧୁମୟ, ଚରାଚର ମଧୁମୟ, ତହି ଉପରେ ମଧୁମୟ, ବାଳ ରବି କର ପତିତ ହୋଇ ମଧୁ ଉପରେ ମଧୁବୃଷ୍ଟି ପ୍ରାୟ ପ୍ରତୀୟମାନ ହେଲା । ଯେଉଁ ଆଡ଼କୁ ଦୃଷ୍ଟି ନିକ୍ଷେପ କର, ପ୍ରକୃତି ଅନନ୍ତ ମାଧୁରୀରେ ଭାସମାନ । ସୃଷ୍ଟିର ସେହି ଅଯତ୍ନୀଭୂତ ବିକ୍ଷିପ୍ତ ଶୋଭା ବର୍ଣ୍ଣନା ସ୍ୱୟଂ ଶତଜିହ୍ୱା କଳ୍ପନା ଦେବୀଙ୍କର ସାଧ୍ୟାତୀତ । ତାହା କେବଳ ଅନୁଭୂତି ସାପେକ୍ଷ । ଏ ଆନନ୍ଦମୟ ପ୍ରଭାତରେ ସମସ୍ତେ ଆନନ୍ଦିତ, ନିରାନନ୍ଦ କେବଳ ଚିରରୋଗୀ । ଶିଶିରେ ସେକରେ ଅନ୍ୟାନ୍ୟ ଫୁଲ ସିନା ଫୁଟେ; ମାତ୍ର ପଦ୍ମ ମରିଯାଏ । ଏହିପରି ସୁଖଶାନ୍ତିମୟ ଅପ୍ରତ୍ୟାବୃତ୍ତ ପ୍ରଭାତ ମାନବର ପରମାୟୁ ଜଗତରେ ଥରେମାତ୍ର ଅବତୀର୍ଣ୍ଣ ହୋଇ ଦୁଇ ଦଣ୍ଡରେ ଅନ୍ତର୍ହିତ ହୁଏ । ସେ ପ୍ରଭାତ ଜୀବନ ପ୍ରଭାତ ବାଲ୍ୟକାଳ । ସେ ପ୍ରଭାତ ଏକ ସ୍ୱର୍ଗୀୟ ପବିତ୍ର ଜ୍ୟୋତିର୍ଜଳରେ ମାନବ ଲଲାଟ ଧୋଇ ଦିଏ । ସେ କାଳରେ ସଂସାର ଅପରିଚିତ । ସ୍ନେହ, ସାରଲ୍ୟ, ସାମ୍ୟ ଏହି ତ୍ରିରତ୍ନ ଖଚିତ ମହାର୍ହ ମୁକୁଟ ଏକାଳରେ ନବୀନ ପ୍ରବେଶୀ ମାନବର ମସ୍ତକ ଭୂଷଣ । ମାତ୍ର ସେହି ପ୍ରଭାତ ତାହା ନିଜେ ଆଣି ଦେଇ ନିଜେ ସଙ୍ଗେ ସଙ୍ଗେ ଛଡ଼ାଇ ନେଇ ଯାଏ । ଯାଉ ସେ କଥା, ଏବେ ପ୍ରକୃତି ପ୍ରଭାତର କଥା ଚଳୁ । ଜୀବନରେ କେତେ ପ୍ରଭାତ ଆସୁଅଛି, ମାନବ ପ୍ରତ୍ୟହ ଦେଖୁଅଛି; ତଥାଚ ପ୍ରଭାତର ଶୋଭା ଦେଖି ମୁଗ୍‌ଧ । ପ୍ରକୃତିର ଏରୂପ ଅଚିନ୍ତ୍ୟ ମହିମା । ସେ ମହିମାର ପୁରାତନତ୍ୱ ମଧ୍ୟରେ ନୂତନତ୍ୱ ଫୁଟି ଉଠେ, ମାନବମାନେ ଜୀର୍ଣ୍ଣ ପୁରାତନ ଅବସନ୍ନ ଜୀବନ ପରିହାର ପୂର୍ବକ କର୍ମମୟ ନବ ଜୀବନ ଲାଭ କଲେ । କୃଷକମାନେ ଦୁକୁତା, ଶାଳ ପତ୍ର, ଚକମକ ମୁଣି କାଖରେ ଯାକି, କେହି ଅର୍ଦ୍ଧଦଗ୍‌ଧ ନିଆଁ ଗଡ଼ ଘେନି, କେହି ବା ବାଉଙ୍ଗୀ, ଅନ୍ଧିଲି, ଖଇଞ୍ଚି ଗିଳା ପ୍ରଭୃତି ଘେନି ବିଲକୁ ବାହାରିଲେ । ପିଲାଏ ଖଡ଼ୀ, ପୋଥି, ଚଉଛା ଧରି ପାଠଶାଳାକୁ ଧାବିତ ହେଲେ । ଭୁଆସୁଣୀମାନେ ବାସି ପାଇଟି ସାରି ଗାଧୋଇବାକୁ ଗଲେ । ପଞ୍ଚାୟତମାନେ ଡକାଡକି ହୋଇ ମଠରେ ଆସି ପହଞ୍ଚିଗଲେ । ସେ ସମୟରେ ମହନ୍ତ ଏବଂ ପଦୀ ପ୍ରେମ-ପୋଥି ଫିଟାଇ ରହସ୍ୟ-ଅଧ୍ୟାୟ ଆବୃତ୍ତ କରୁଥିଲେ । ପଞ୍ଚାୟତମାନଙ୍କ ଆକସ୍ମିକ ଉପସ୍ଥାନରେ ସେ ଲୀଳା ଭାଙ୍ଗିଗଲା । ପଦୀ ଏଣୁ ତେଣୁ କପଟ ପାଇଟିରେ ଲାଗିଗଲା । ମହନ୍ତ ଖଣ୍ଡେ ଲେଖା ତାଳ ପତ୍ରରେ କପଟ ମନୋନିବେଶ କଲେ । ଆଗନ୍ତୁକମାନେ ଯାଇ ମଠ ଚୌପାଢ଼ୀରେ ବସିଲେ । ତହୁଁ ମକଦମେ କହିଲେ, ‘କି ମହନ୍ତେ, ଜ୍ୱର ଛାଡ଼ିଗଲା ? ଜ୍ୱରଟା ଉଠାଣିଆ ନା ଛଟାଣିଆ ? କତରା ଘୋଡ଼ିଲେ କି ଯମ ଛାଡ଼ିବ, ଆଜି ନ ହେଲା, ଦିନେ ହେଲେ ତ ଛାମୁକୁ ଯିବ । କାଲି ଛାମୁରେ ଢେର ଢେର କଥା ହେଲା । ତୁମ୍ଭେ ଚୋର ମାଉସୀ ହୋଇ ଭିକା ହାତରେ ଠାକୁର ଛୁଆଁଇ ଅଳଙ୍କାର ଚୋରାଇଲ ଆଉ ଦୋଷ ହେଲା ପଞ୍ଚାୟତଙ୍କର । ପଦୀର ଏଠାରେ କି କାମ ଦିନରାତି ଲାଗିଥାଏ ? ତାକୁ ମନାହେଲା, ସେ ଆଉ ମଠକୁ ଆସିବ ନାହିଁ । ପଦୀ ମହନ୍ତଙ୍କ ଭର୍ତ୍ସନା ଶୁଣି ପଞ୍ଚାୟତମାନଙ୍କୁ ନୀରବଦୃଷ୍ଟିରେ ଯଥେଷ୍ଟ ଅଭିସମ୍ପାତିର ଅର୍ଘ୍ୟ ପ୍ରଦାନ କରିଥିଲା । ଏଥର ନିଜର ମନା ଶୁଣି ଆଉ ନୀରବତା ରକ୍ଷା କରିପାରିଲା ନାହିଁ । କ୍ରୋଧର ଉତ୍ତେଜନାରେ ତାହାର ହୃତ୍‌ପିଣ୍ଡରୁ ସ୍ନାୟୁ ଦ୍ରୁତବେଗରେ ସ୍ପନ୍ଦିତ ହେବାକୁ ଲାଗିଲା । ସେ ଆହଳା ନାଗୁଣୀ ପ୍ରାୟ ଗର୍ଜିଉଠି କହିଲା, ‘‘କାହା ଜିଭରେ ବାଳ ଉଠିଛି ଯେ, ମୋତେ ମଠ ମନା କରିବ ? କଅଣ କରିବି, ସୋରିଷ ଖୋଳି ପଶିବି ପରା । କଂସାରୀଘର ବଳଦ କୁଲା ଢାଉଁ ଢାଉଁକୁ ଡରିଛି । ‘ଏଇ କଥାକୁ ନା ପେଲିଦେଲି କଲିକତାକୁ ।’ ‘ହଇଲୋ ମଲି, ହାତୀ ଘୋଡ଼ା ଦେଖି ଝାମ ଗଲି ।’ ‘ହାଇଲ ମର, ନା ହାଇ ମାରିଦେଇ ଶୋଇଛି ଘର ।’ ଉପସ୍ଥିତ କବି ପରି ଅଙ୍ଗଭଙ୍ଗୀ ସହ ଏହିପରି କେତେ ଛଟା ଢଗ ଅନର୍ଗଳ ରଚନା କରିଗଲା । ତଥାଚ ମନ ଆରିମାନ ତୁଟାଇ ପାରିଲା ନାହିଁ । ପୁନଶ୍ଚ କହିଲା, ‘‘ରାଣ୍ଡ ନିରାଶା ଦେଖି ଧମକାଇ ଦେଲେ ମୁଁ ତହିଁକି ଡରି ନାହିଁ । ମହନ୍ତ ମୋର ଗୁରୁ, ତାଙ୍କର ପାଦସେବା କଲେ ଉଦ୍ଧାର ହେବି, ତାଙ୍କ ମୁହଁରୁ ଉପଦେଶ ଶୁଣିବି, ମଠକୁ ନ ଆସିବି କାହିଁକି ? କାହା କାନ୍ଧରେ ଦିଟା ମୁଣ୍ଡ ଉଠିଛି ଯେ, ପଦୀକି ମଠ ମନା କରିବ ?’’ ପଦୀ ସମ୍ଭବତଃ ଆହୁରି କିଛି କହିଥାନ୍ତା । ମାତ୍ର ରୁଦ୍ରମୂର୍ତ୍ତି ଭୀମ ବିଶାଳଙ୍କର କରାଳ ଚିତ୍କାର ଶୁଣି ହଠାତ୍‌ ସ୍ତବ୍‌ଧ ହୋଇଗଲା । ବିଶାଳେ କହିଲେ, ‘‘ରାଣ୍ଡୀ ତନ୍ତିଆଣୀ ଟୋକୀର ମୁଣ୍ଡକୁ ପିତ୍ତ ଝାଙ୍କିଲାଣି ପରା, ଚାପୁଡ଼ାଏ ଦେବି ଯେ ଗାଲପାଟି ଭାଙ୍ଗିଯିବ । କିଏ ମନା କରିବ ? ନିଜେ ମହାରାଜା ମନା କରିଅଛନ୍ତି, ଯାଉଛୁ ନା ଏହିକ୍ଷଣି ଦେଖିବୁ ?’’ ଭୀମ କେବଳ ନାମରେ ଭୀମ ନୁହନ୍ତି , ଆକୃତିରେ ମଧ୍ୟ କଳି ଯୁଗର ଭୀମ । ସ୍ଥୂଳରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଭୀମକୁ ଭାଙ୍ଗିଲେ ପାଞ୍ଚ ଜଣ ମନୁଷ୍ୟ ଗଢ଼ାଯାଇପାରେ । ମୁଖ ସ୍ୱଭାବତଃ ଭୀଷଣ, ହଳେ ଯୁଆ ଜିଆ ନିଶ ସେହି ଭୀଷଣତାକୁ ଭୀଷଣତର କରିଅଛି । ତାହାର ଏ ଅବତାର ମୂର୍ତ୍ତି ଦେଖି ପଦୀର ପାଟି ଆଫା ଆଫା ମାରିଗଲା । ସେ ଭୀତିଜଡ଼ିତ କ୍ଷୀଣ କଣ୍ଠରେ କହିଲା, ‘‘ଯଦି ମହାରାଜାଙ୍କ ଶ୍ରୀମୁଖରୁ ଆଜ୍ଞା ହୋଇଛି, ତେବେ ମୁଁ ଆସିବି ନାହିଁ ।’’ ଏହା କହି ଦ୍ରୁତ ଦକ୍ଷେପରେ ମଠରୁ ବାହାରିଗଲା । ମାତ୍ର ଯିବାବେଳେ ବାରମ୍ୱାର କଣେଇ କଣେଇ ଭୀତବିହ୍ୱଳ ଦୃଷ୍ଟିରେ ପଛକୁ ଚାହିଁ ଚାହିଁ ଯାଉଥାଏ । କାଳେ ଭୀମ ଆସି ଉତ୍ତମ ମଧ୍ୟମ ଦୁଇପୁଞ୍ଜା ଖସାଇ ପକାଏ । ମହନ୍ତ ମଧ୍ୟ ନିର୍ଭୀକ ନ ଥିଲେ । ଭୀମର ଅବଶିଷ୍ଟ କୋପ-ବଜ୍ର କାଳେ ତାଙ୍କ ଉପରେ ପଡ଼େ, ଏହି ଆଶଙ୍କାରେ ସେ ପ୍ରାୟ ସଂଜ୍ଞାଶୂନ୍ୟ । ବିବୃଦ୍ଧିମତୀ ବନ୍ୟା ଦକ୍ଷିଣା ପବନର ପ୍ରଚଣ୍ଡ ନିଃସ୍ୱନ ଶୁଣି ସ୍ଫୀତିନମ୍ର କଲା ପ୍ରାୟ ଅଥବା ଉତ୍ତରଳ ବାରି ଫୁତ୍କାର ଲଭି ନଇଁ ପଡ଼ିଲା ପ୍ରାୟ ପଦୀର ଉଦ୍ଦଣ୍ଡ କୋପ ଦମିତ ହୋଇଗଲା । ତହୁଁ ପଞ୍ଚାୟତମାନେ ମହନ୍ତଙ୍କୁ କଟୁମିଷ୍ଟ ଭର୍ତ୍ସନା ସହ ନାନାବିଧ ଉପଦେଶ ଦେଇ ଭୟ ଦେଖାଇ ଏବଂ ପୋଡ଼ା ଅମଳ ଛାଡ଼ି ଭବିଷ୍ୟତକୁ ସାବଧାନ ହେବା ସକାଶେ କହି ସ୍ୱ ସ୍ୱ ଗୃହକୁ ଗଲେ ।

 

ଅତଃପର ମହନ୍ତଙ୍କର ଅବସ୍ଥା ଅବର୍ଣ୍ଣନୀୟ । ଭିକାରୀ ଯାଇଥିଲା, ପୁଣି ପଦୀ ଗଲା; ସୁତରାଂ ସେ ଦ୍ୱିଗୁଣ ବିରହୀ । ପଦୀର ଅଭାବ ଭିକାରୀର ସୁପ୍ତ ସ୍ମୃତିକୁ ଜାଗ୍ରତ କରିଦେଲା । ମହନ୍ତ ପ୍ରାଣରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ । ସେ ମୌନ ଯାତନାର ଗୋପନ କ୍ରନ୍ଦନ ଧ୍ୱନି କିଏ ଶୁଣିବ, ଅଦୃଶ୍ୟ ଅବସାଦ ଅଶ୍ରୁ କିଏ ପୋଛି ଦେବ ? ହାୟ ଭିକାରୀ, ହାୟ ପଦୀ, ଏହାହିଁ ତାଙ୍କର ତାରକ ମନ୍ତ୍ର ହେଲା । ସେମାନଙ୍କ ସହବାସ ସକାଶେ ମହନ୍ତଙ୍କ ହୃଦୟରେ ବ୍ୟାକୁଳ ବାସନା ବହ୍ନି ରୁଦ୍ର ତେଜରେ ଜଳିଉଠିଲା । ସେହି ଜ୍ୱାଳାମୟ ବହ୍ନିର ତୀବ୍ର ତରଳଧାରା ସର୍ବଦା ତାହାଙ୍କ ଜୀବନ ଶୈଳ କ୍ଷୟ କରିବାକୁ ଲାଗିଲା । ତାହାଙ୍କ କ୍ଷୋଭକ୍ଷତ ହୃଦୟ ଶତଧା ବିଦୀର୍ଣ୍ଣ ହୋଇଗଲା । ବ୍ୟଥାତୁର ଜୀବନ ବ୍ୟର୍ଥ ପ୍ରତୀତ ହେଲା । ଅନନ୍ତ ସୌନ୍ଦର୍ଯ୍ୟର ଲୀଳାନିକେତନ ଏହି ପୃଥିବୀ ତାହାଙ୍କ ଚକ୍ଷୁରେ ଶୂନ୍ୟଗର୍ଭ ମହାଶ୍ମଶାନ ତୁଲ୍ୟ ପ୍ରତିଭାତ ହେଲା । କେବଳ ପଦୀର ଶୋଭା ତାଙ୍କ ନେତ୍ର ସମକ୍ଷରେ ନାଚି ବୁଲିଲା । ପଦୀର ଅଦୃଶ୍ୟ ମୁଖ ଆଉ ତାଙ୍କୁ କାଳିମାମୟ ଦିଶିଲା ନାହିଁ । ବେଳେ ବେଳେ ପଦୀକୁ ବିନା ନିଦ୍ରାରେ ସ୍ୱପ୍ନ ଦେଖନ୍ତି, ଯେମନ୍ତ କି ପଦୀର ମୁଖମଣ୍ଡଳରୁ କୋଟି ଚନ୍ଦ୍ରମାର ଜ୍ୟୋତ୍ସ୍ନା ନିଗାଡ଼ି ପଡ଼ୁଅଛି ଆଉ ସେହି ଜ୍ୟୋତ୍ସ୍ନାମୃତ ମହନ୍ତେ କୋଟି ବଦନରେ ପାନ କରୁଅଛନ୍ତି । ମହନ୍ତ ଗୋସାଇଁ ଏହିପରି ବହୁ ଅସ୍ୱାଭାବିକ ଉପସର୍ଗରେ ଦିନ ଯାପନ କରିବାକୁ ଲାଗିଲେ ।

 

ଅଡ଼ୁଆ ସୂତା ପେଣ୍ଡୁଳାରୁ କେରାଏ କେରାଏ ଟାଣୁଥିଲେ ଗୋଟାଏ ଖିଅ ମିଳିଯାଏ । ସେହିପରି ଅନବରତ ଭାବୁଥିଲେ କାର୍ଯ୍ୟରେ ଗୋଟାଏ ବାଟ ସମୟରେ ଦେଖାଯାଏ । କଥାରେ ଅଛି, ‘‘ବାଟ ଖୋଜିଲେ ବାଟ ମିଳେ ।’’ ପଥଭ୍ରାନ୍ତ ଅକୂଳ ସମୁଦ୍ରରେ ଯାତ୍ରୀର ପଥପ୍ରାପ୍ତି ବୃତ୍ତାନ୍ତ ବିରଳ ନୁହେଁ । ଦୃଷ୍ଟାନ୍ତସ୍ୱରୂପ ଅରବୋପନ୍ୟାସର ସିନ୍ଧବାଦ ନାବିକ ଗଳ୍ପ ପାଠକମାନଙ୍କ ସ୍ମୃତିପଥାରୂଢ଼ କରାଇଦେଲେ ଯଥେଷ୍ଟ ହେବ । ପଦୀ କିପରି ମଠକୁ ଆସିବ, ଅଥଚ ତାହା କେହି ଜାଣିବେ ନାହିଁ, ଏହି ଚିନ୍ତାପଥ ମହନ୍ତ ସର୍ବଦା ମୁକୁଳା ରଖିଥିଲେ । ସେହି ଅବାରିତ ମୁକ୍ତ ସିଂହଦ୍ୱାର ଦେଇ ଗୋଟିଏ ସୁନ୍ଦରୀ କଳ୍ପନା ତହାଙ୍କ ହୃଦୟ ମନ୍ଦିରରେ ପ୍ରବିଷ୍ଟ ହେଲା । ପିତେଇ ବୁଢ଼ୀ ସାହାଯ୍ୟରେ କାର୍ଯ୍ୟୋଦ୍ଧାର କରିବାକୁ ସ୍ଥିର କଲେ । ପିତେଇ ଜଣେ ବାଉରାଣୀ, ମଠର ଗୋହାଳ କଢ଼ା ଓ ଘସିତଡ଼ା ତାହାର କାର୍ଯ୍ୟ । ବୟସ ଷାଠିଏରୁ ବଳି ପଡ଼ିଲାଣି । ପିତେଇର ଆଉ କେହି ନାହାନ୍ତି, ବିଗତ ନଅଙ୍କ କାନ୍ତାରରେ ତାହାର ସମସ୍ତେ ମରି ଯାଇଅଛନ୍ତି । ପିତେଇ ବଡ଼ ଅଲାଗି, ନ, ଛ ଜାଣେ ନାହିଁ କିମ୍ୱା କାହାରି ହଳଦିଆ ପାଣିରେ ଗୋଡ଼ ବୁଡ଼ାଏ ନାହିଁ । ଏପରି ହୁଣ୍ଡି ଯେ, ପଇସା ଅଧଲାର ସ୍ୱକୀୟ ମାନ ପର୍ଯ୍ୟନ୍ତ ତାହାର ଅପରିଜ୍ଞାତ । ସୃଷ୍ଟିରେ ଦୁକୁତା ବ୍ୟତୀତ ତାହାର ପ୍ରିୟତମ ପଦାର୍ଥ ଦ୍ୱିତୀୟ ନାହିଁ । ଟିକିଏ ଦୁକୁତା ଲାଞ୍ଚ କଲେ ଯାହା କହ ସେ ପାଇଟି କରିଦେବ । ବାସ୍ତବରେ ଦୁକୁତାର ଗୌରବ ମୁକ୍ତା ଅପେକ୍ଷା ଅଧିକ । ସେ ଆବାଳଯୁବାବୃଦ୍ଧ କାହାର ନିତ୍ୟ ସହଚରୀ ନୁହେ ? ନାସ, ଗୁଣ୍ଡି, ଧୂଆଁ, ସୂର୍ତ୍ତି ପ୍ରଭୃତି ନାନା ରୂପରେ ସେ ମାନବ ଉଦରରେ ଅଧିକାର ଲାଭ କରୁଅଛି, ସେଥିରେ ଇୟତ୍ତା ନାହିଁ । ତାହାର ମୋହିନୀ ମାୟାରେ ନର ସୃଷ୍ଟିର ପ୍ରାୟ ପନ୍ଦର ପଣ ଊଣାଇଶ ଗଣ୍ଡା ତିନିକଡ଼ା ଦୁଇକ୍ରାନ୍ତି ଆକ୍ରାନ୍ତ । ମଣିମାଣିକ୍ୟଖଟୀ ରାଜହର୍ମ୍ୟଠାରୁ ଦରିଦ୍ରର ତୃଣାସ୍ତୀର୍ଣ୍ଣ କୁଟୀର ପର୍ଯ୍ୟନ୍ତ ସର୍ବତ୍ର ତାହାର ଅବ୍ୟାହତ ଗତି । ଏକାଳରେ ତାହା ପୁଣି ସଭ୍ୟତାର ଏକ ମହାର୍ହ ଉପାଦାନ ହୋଇଅଛି । ବନ୍ଧୁ ବାନ୍ଧବ ପ୍ରତି ଶିଷ୍ଟାଚାର ପ୍ରଦର୍ଶନ କ୍ଷେତ୍ରରେ, ସଭା ସମିତିରେ, ବିଦ୍ୟାଳୟରେ ସେଥିରେ ଆଦର ଗୌରବ ଯେପରି ବଢ଼ୁଅଛି, ସେଥିରୁ ଅନୁମିତ ହୁଏ, ଆସନ୍ନ ଭବିଷ୍ୟତରେ ଜଗତ ଧୂମମୟ ହୋଇଉଠିବ । ପିତେଇକୁ ଦେଖି ମହନ୍ତଙ୍କର ଅବସନ୍ନ ଆଶାପକ୍ଷୀ ପକ୍ଷପୁଟ ବିସ୍ତାରପୂର୍ବକ ଉଡ଼ି ବୁଲିଲା । ଦିନେ ସେ ପିତେଇକି ଡାକି କହିଲେ, ତୁ ପଦୀକି ଯାଇ କହ, ସେ ଆଜି ଖରାବେଳେ ଅମୁହାଁ ପୋଖରୀ ଆଡ଼ି ଭଙ୍ଗା ଦେଉଳ ପାଖକୁ ଆସିଲେ ମୋ ସଙ୍ଗରେ ଦେଖାହେବ । ଆଉ ଦେଖ, କେହି ଯେପରି ନ ଶୁଣେ । ନିରୋଳାକୁ ଡାକି ଖୁବ୍‍ ତୁନିପାଟିରେ କହିବୁ । କହିକରି ସଅଳ ଆସିବୁ, ଠାକୁରଙ୍କ ଭୋଗ କାକରା ଅଛି, ଦେବି ନେଇଯିବୁ । କାକରା ଲାଳସା ପିତେଇକୁ ଚଞ୍ଚଳ କଲା । ସେ ଯାଇ ଯଥାସମୟରେ ମହନ୍ତଙ୍କ ପ୍ରେରିତ ବେଉରାଟି ପଦୀର କର୍ଣ୍ଣରେ ପକାଇ ଦେଲା । ପଦୀର କି ଆନନ୍ଦ ! ବୋଧହୁଏ କୁମୁଦିନୀ ସନ୍ଧ୍ୟାମୁଖରୁ କୁମୁଦ ବାନ୍ଧବର ଆଗମନ ଶୁଣି ସେ ଭଳି ଉଦ୍‌ଭଟ ଉତ୍କଟ ଆନନ୍ଦରେ ପ୍ରମତ୍ତ ହେବ ନାହିଁ । ନିଦାଘ-ନୀରସ ଜୀର୍ଣ୍ଣ ତୃଣ ପକ୍ଷେ ବର୍ଷା ବାରି ପ୍ରାୟ ମହନ୍ତଙ୍କ ଏ ଚୋରା ଆବାହନୀ ପଦୀ ପ୍ରାଣରେ କାର୍ଯ୍ୟକାରୀ ହେଲା । ତାହାର ମାନସ-ପକ୍ଷୀ କେତେଥର ଉଡ଼ି ଯାଇ ମହନ୍ତଙ୍କୁ ସଙ୍ଖୋଳି ଆସିଲା । ସେ ଆକୁଳ ଉତ୍କଣ୍ଠାରେ ମଧ୍ୟାହ୍ନର ଯେତିକି ଆଶୁ ଆଗମନ କାମନା କଲା, ମଧ୍ୟାହ୍ନ ତେତିକି ବିଳମ୍ୱ କରିବାକୁ ଲାଗିଲା । ବିଚ୍ଛେଦ ପରେ ମିଳନ କାଳ ସୁଖାବହ ନୁହେ, ତାହାର ଅତୀତହିଁ ସୁଖର ଆଧାର । ସେହି ସୁଖର ଚଞ୍ଚଳ ହିଲ୍ଲୋଳ ବିରହୀକୁ ମିଳନ-ବେଳା ଆଡ଼କୁ ସବେଗରେ ଭସାଇ ଘେନିଯାଏ ।

 

ଯଥାସମୟରେ ଯଥାନିର୍ଦ୍ଦିଷ୍ଟ ମିଳନ କ୍ଷେତ୍ରରେ ଉଭୟଙ୍କର ଚାରି ଚକ୍ଷୁର ମିଳନ ହେଲା-। ଉଭୟେ ଉଭୟଙ୍କୁ ଅଶ୍ରୁ ବାରିରେ ଅଭିଷିକ୍ତ କଲେ । ବିଚ୍ଛେଦ କାଳର ଦୁଃଖ ସ୍ମୃତି ଆସି କ୍ଷଣକ ସକାଶେ ମିଳନର ସୁଖାନୁଭୂତିକୁ ତଡ଼ିଦେଲା । ଉଭୟର ନୀରବ ବାଣୀରୁ ଦାରୁଣ ଅନ୍ତର୍ବେଦନାର ଭାବ ବ୍ୟକ୍ତ ହୋଇ ପଡ଼ିଲା । ସେ ନିର୍ବାକ ସମ୍ଭାଷଣ ପରେ ଆତ୍ମ ସମ୍ବରଣପୂର୍ବକ ପରସ୍ପର ସତାକ ସମ୍ଭାଷଣରେ ରତ ହେଲେ । ବିଚ୍ଛେଦ ସମୟ ମଧ୍ୟରେ ଯେତେ ଯେତେ ଘଟଣା ଘଟିଥିଲା, ସତୀର୍ଥ ସତୀର୍ଥା ପରସ୍ପରର ପାଠ ପରୀକ୍ଷା କଲାପରି ସେ ସମସ୍ତ ଦୁହେଁ ଦୁହିଁଙ୍କ ଆଗରେ ଅନର୍ଗଳ ଆବୃତ୍ତି କଲେ, ପରସ୍ପରର ଦୁଃଖ କଷ୍ଟ ପରସ୍ପରକୁ ହୃଦୟ କପାଟ ଫେଡ଼ି ଦେଖାଇ ଦେଲେ । ଦୁଃଖର ଚିରନ୍ତନ ସ୍ୱଭାବ ଏହି ଯେ; ସମଧର୍ମୀ ଦେଖିଲେ ସେ ବାଧାବିଘ୍ନ ନ ମାନି ପ୍ରବଳ ସ୍ରୋତବେଗରେ ବହି ଆସେ । ସହସ୍ର ସାନ୍ତ୍ୱନାରେ ଯେଉଁ ଦୁଃଖର ଶାନ୍ତି ନାହିଁ, ତାହା ଥରେ ସମଧର୍ମୀ ଆଗରେ ଗାଇଲେ ସେ ଦୁଃଖ ଭାର ଲଘୁ ହୋଇ ଆସେ । ମହୌଷଧିର ଅସାଧ୍ୟ ବ୍ୟାଧି ସାମାନ୍ୟ ତୁଟୁକାରେ ଉପଶାନ୍ତି ଲଭିବାର ଦୃଷ୍ଟାନ୍ତ ବିରଳ ନୁହେଁ । ଦୁଃଖର ବେଦନା ପ୍ରଲେପରେ ଯାଏ ନାହିଁ, ତାହା ଦ୍ରବ୍ୟଗୁଣ ସାପେକ୍ଷ ନୁହେଁ । କେବଳ ଯଥାସ୍ଥାନରେ ତାହାର ଆବୃତ୍ତିହିଁ ତାହାର ଅମୃତ ଆରୋଗ୍ୟ ପ୍ରଲେପ । ଦୁଃଖୀ ପାଖରେ ଦୁଃଖ କହିଲେ ଯେଉଁସୁଖ ମିଳେ, ତାହା କେବଳ ଦୁଃଖୀର ଉପଭୋଗ୍ୟ, ସୁଖୀ ଭାଗ୍ୟରେ ସେ ସୁଖ କାହିଁ । ନାନା କଥାବାର୍ତ୍ତା ପରେ ପଦୀ କିପରି ମଠକୁ ଯିବ ଅଥଚ ତାହା କେହି ଜାଣିବେ ନାହିଁ ଏ ବିଷୟରେ ଚର୍ଚ୍ଚା ଲାଗିଲା । ଶେଷରେ ସ୍ଥିର ହେଲା, କୌଣସି ପ୍ରକାର ଛଦ୍ମ ବେଶର ଆଶ୍ରୟ ନ ନେଲେ ଅଭୀଷ୍ଟ ସିଦ୍ଧିର ଉପାୟାନ୍ତର ନାହିଁ । ମାତ୍ର କି ବେଶରେ ସଜ୍ଜିତ ହେବାକୁ ହେବ ପ୍ରଥମତଃ ତାହାଘେନି ବହୁ ବାଦାନୁବାଦ ଚଳିଲା । ମହନ୍ତ ଯାହା କହନ୍ତି, ତାହା ପଦୀର ମନୋନୀତ ହୁଏ ନାହିଁ, ପଦୀର କଥା ମହନ୍ତଙ୍କ ମନକୁ ଆସେ ନାହିଁ । ଯାହାହେଉ ଅନେକ କଳ୍ପନା ଜଳ୍ପନା, ପରେ ବୈଷ୍ଣବ ବେଶ ପରିଗ୍ରହଣ ସିଦ୍ଧାନ୍ତ ହେଲା । ମହନ୍ତ କହିଲେ, ମଠକୁ ପ୍ରତ୍ୟହ ଅନେକ ବୈଷ୍ଣବ ଆସୁ ଅଛନ୍ତି, କିଏ କାହାକୁ ଚିହ୍ନୁଛି; ତୁ ବୈଷ୍ଣବ ବେଶରେ ରାତିରେ ଆସି ରାତି ଥାଉଁ ଥାଉଁ ବାହାରି ଗଲେ କେହି ଜାଣି ପାରିବେ ନାହିଁ । ଖଣ୍ଡେ ଗେରୁଆ ଲୁଗା ପିନ୍ଧି ଖଣ୍ଡେ ଘୋଡ଼ି ହେବୁ, କମଳ ଖଣ୍ଡେ ମୁଣ୍ଡରେ ପକାଇ ହାତରେ ଗୋଟାଏ ନାଉତୁମ୍ୱା କମଣ୍ଡଳୁ ଧରି ରାତିପ୍ରହରକ ବେଳକୁ ତୁ ପଙ୍ଗତ ସ୍ଥାନକୁ ଆସିବୁ । ପଙ୍ଗତ ପରେ ବାବାଜିମାନେ ମୋତେ ଦଣ୍ଡବତ କରି ଯାଇ ଆସନ ଗ୍ରହଣ କରନ୍ତି । ତୁ ସେମାନଙ୍କ ସଙ୍ଗରେ ଆସିବୁ । ସେମାନେ ବିଦାୟ ହୋଇଗଲେ ତୁ ରହିଯିବୁ । ଆଉ ଗୋଟିଏ କଥା କରିବୁ, ତୁ ଘରୁ ମଦତ ରାନ୍ଧି ଆଣିଥିବୁ । ମଠରେ ଆଉ ତାହା ହୋଇ ପାରିବ ନାହିଁ । ଏହି କଥା ପଦୀ ମନକୁ ଖୁବ୍‍ ଘେନିଲା; ସୁତରାଂ ତହିଁ ପରଦିନଠାରୁ କାର୍ଯ୍ୟତଃ ସେହିପରି ଚଳିଲା । ଉଭୟର ଭଗ୍ନ ସଂସାର ପୁଣି ଯୋଡ଼ି ଗଲା । ବାଧାପ୍ରାପ୍ତ ବଦ୍ଧ ପ୍ରୀତିସ୍ରୋତ ପୁଣି ଖରତର ବେଗରେ ପ୍ରବାହିତ ହେଲା, ପୂର୍ବ ସୁଖ, ପୂର୍ବ ସୌଭାଗ୍ୟ ଫେରି ଆସିଲା । ବିଚ୍ଛେଦ କ୍ଷତ ଏକାବେଳକେ ଶୁଷ୍କ ହୋଇଗଲା । ପଦୀ ପ୍ରତ୍ୟହ ରାତ୍ରରେ ବୈଷ୍ଣବ ରୂପରେ ମଠକୁ ଆସେ । ପୁଣି ରାତି ଝଟଝଟ ହେଉଥିବାବେଳେ ବାହାରି ଯାଏ-। ସାଧୁ ସନ୍ନ୍ୟାସୀ ଜ୍ଞାନରେ କେହି ତାହାକୁ କିଛି ପଚାରନ୍ତି ନାହିଁ । ଏହିପରି ପ୍ରାୟ ମାସେ ପର୍ଯ୍ୟନ୍ତ ଚଳିଲା; ମାତ୍ର ଏହି ଚୋରା ପ୍ରୀତିର ଲେଶମାତ୍ର କେହି ଜାଣିପାରିଲା ନାହିଁ ।

 

ପାପ କେବେ ଗୋପନରେ ରହେ ନାହିଁ । ଶୀଘ୍ର ହେଉ ବା ବିଳମ୍ୱରେ ହେଉ ଦିନେ ନିଶ୍ଚୟ ପ୍ରକାଶ ହୋଇପଡ଼େ । ଅଗ୍ନିକୁ ଆବୃତ କଲେ ସେ ଶତ ଆବରଣ ଭସ୍ମସାତ୍‌ କରି ଆତ୍ମପ୍ରକାଶ କରେ । ପାପ ବଡ଼ ଉଶ୍ୱାସ । ସୋଲକୁ ଅଗାଧ ଜଳରେ ବୁଡ଼ାଅ ବା ପଙ୍କରେ ପୋତ ସେ ନିଶ୍ଚୟ ଉପରକୁ ଭାସି ଉଠିବ । ଚୋର କେତେ ସାବଧାନ ହୋଇ ଅନ୍ଧାର ରାତିରେ ଚୋରି କରେ, ତଥାଚ ପୋଲିସ ଅନୁସନ୍ଧାନରେ ଧରାପଡ଼ି ଦଣ୍ଡିତ ହୁଏ । ଆତତାୟୀ ଅତି ନିକାଞ୍ଚନରେ ହତ୍ୟା କରେ, ମାତ୍ର ଯଥା ସମୟରେ ଧୃତ ହୋଇ ହତ ପ୍ରେତର ଅନ୍ତ୍ୟେଷ୍ଟି ସମ୍ପାଦନରେ ସ୍ୱପ୍ରାଣ ଉତ୍ସର୍ଗ କରେ । ଅତଏବ ପାପ ଲୁଚି ରହି ପାରେ ନାହିଁ । ବିଶେଷତଃ ଉଦରରେ ଘଟଣାଜୀର୍ଣ୍ଣ କରିବା ପ୍ରକୃତି ଦେବୀଙ୍କର ପ୍ରକୃତି ବିରୁଦ୍ଧ । କି ନୂତନ କି ପୁରାତନ ପ୍ରତ୍ୟେକ ଘଟଣା ସେ ସମୟରେ ଉଦ୍‌ଗୀର୍ଣ୍ଣ କରି ବିଶ୍ୱନେତ୍ର ସମକ୍ଷରେ ଦେଖାଇ ଦିଅନ୍ତି । ପ୍ରକୃତି ଯେପରି ଗୁଣଗ୍ରାହିଣୀ, ସେହିପରି ଦୋଷଦଣ୍ଡିନୀ । ତାଙ୍କର ଦଣ୍ଡ ପୁରସ୍କାର ଅବ୍ୟର୍ଥ । ସେହି ଦଣ୍ଡପୁରସ୍କାର ବିକ୍ଷିପ୍ତ ମାନବ ସୃଷ୍ଟିକୁ ନିୟନ୍ତ୍ରିତ କରିବାରେ ସତତ ସହାୟତା କରୁଅଛି; ମାତ୍ର ମାନବ ଏରୂପ ଉଦ୍ଧତ ଯେ, ପଦେ ପଦେ ଦଣ୍ଡିତ ଲାଞ୍ଛିତ ହୋଇ ସୁଦ୍ଧା ଶୃଙ୍ଖଳା ଧରିବାକୁ ନାହିଁ । ପ୍ରେମିକ ପ୍ରେମିକାଙ୍କର ଏ ଚୋରାପ୍ରୀତି ଶୀଘ୍ର ପ୍ରକାଶ ହୋଇପଡ଼ିଲା । ଧାନ କୁଟୁଣୀ ଦୂତୀ ବୁଢ଼ୀ ମାଛିଅନ୍ଧାରରୁ ଉଠି ମଠକୁ ଧାନ କୁଟିବାକୁ ଆସେ । ଦୂତୀ ସାଧାରଣରେ ‘‘ଦୂତୀ ନାନୀ’’ ନାମରେ ଉପାହିତା ହୁଏ । ଜହ୍ନମାମୁ ପରି ବାପ ପୁଅ ନାତି ସମସ୍ତଙ୍କର ସେ ‘ଦୂତୀ ନାନୀ’ । ଦୂତୀ ବିଧବା ବ୍ରାହ୍ମଣୀ, ତିନି କୁଳରେ ତାର କେହି ନାହାନ୍ତି । ବୁଢ଼ୀଟି ବଡ଼ ଆଳେଇ; ମଠର ଧାନ କୁଟି ପେଟ ପୋଷେ । କୁଟାମୂଲ ଚାଉଳରେ ଭାତ ରାନ୍ଧେ, କେବେ କେବେ ମନ ଡାକିଲେ କାଣ୍ଡିଆ କୁଣ୍ଡା ଆଉ ଖୁଦରେ ପିଠା କରି ଖାଏ । ବାଡ଼ ପଇ ଉପରେ କେତେଗୁଡ଼ିଏ ବଡ଼ କପା (ହାତୀଆ କପା) ଗଛ ରୋଇଅଛି । ସେଥିରୁ ପ୍ରତି ବର୍ଷ ପ୍ରଚୁର ତୂଳା ମିଳେ । ସେଥିରେ ଲୁଗା ବାଡ଼କ ଚଳିଯାଏ । ଖଣ୍ଡିଏ ଅରଟ ରଖିଥାଏ । ସେଥିରେ ସୂତାକାଟି ଉପଯୁକ୍ତ ବାଣ ଦେଇ ତନ୍ତୀ ଘରୁ ଲୁଗା ବୁଣାଇ ଆଣେ । ବଳକା ତୂଳା ବିକିଦେଇ ଲୁଣତେଲ ଖର୍ଚ୍ଚ କରେ । ତାହାର ସବୁ ଗୁଣଗୁଡ଼ିକ ଭଲ; ମାତ୍ର ଗୋଟିଏ କଥା ଏହି ଯେ, ତାହା ପେଟରେ କଥା ରହିପାରେ ନାହିଁ । କିଛି ଟିକିଏ ଶୁଣିଲେ ତାହା କିପରି କାହା ପାଖରେ କହିବ, ଏହି ଖିଅ ଘେନି ବୁଲୁଥାଏ । କାହାରିକୁ ନ ପାଇଲେ ନିଜେ ନିଜେ କହିହୁଏ । ବାଟରେ ଚାଲିବା ସମୟରେ ତାକୁ ନୀରବ କେହି ଦେଖି ନାହାନ୍ତି । କିଛି ଗୋଟାଏ କଥା କହି କହି ଚାଲିଥାଏ-। ସେ ବକିବାର ଏରୂପ ଅଭ୍ୟସ୍ତା ଯେ, ନଦ୍ରିତାବସ୍ଥାରେ ସୁଦ୍ଧା ବିଳିବିଳାଇ କେତେ କଥା କହେ । ଦିନେ ସେ ପାହାନ୍ତିଆ ପହରରୁ ଉଠି ଧାନ କୁଟିବାକୁ ମଠକୁ ଆସି ଦେଖିଲା, ସିଂହଦ୍ୱାର ଫିଟି ନାହିଁ-। ତହୁଁ ସେ ନିକଟବର୍ତ୍ତୀ ଆମ୍ୱଗଛ ମୂଳରୁ ପତ୍ର ସାଉଁଟିବାରେ ନିଯୁକ୍ତ ହେଲା । ଅଳ୍ପକ୍ଷଣ ପରେ ଜଣେ ବୈଷ୍ଣବ କିଳଣୀ ଫିଟାଇ ବାହାରିଆସି ଅତି ସନ୍ତର୍ପଣରେ ଚାରି ଆଡ଼କୁ ଚାହିଁ ସେହି ଗଛମୂଳରେ ଠିଆହେଲା ଏବଂ ବୈଷ୍ଣବ ବେଶ ବାହାର କରି ସ୍ତ୍ରୀମୂର୍ତ୍ତି ଧାରଣ କଲା । ଦୂତୀର ଆଉ ଚିହ୍ନିବାରେ ସନ୍ଦେହ ରହିଲା ନାହିଁ । ସେ ହଠାତ୍‌ କହିଉଠିଲା, ପଦୀ ନା କିଏ ଲୋ ? ପଦୀ ବରଡ଼ାପତ୍ର ପରି ଥରି ଥରି ଦୂତୀକୁ କୁଣ୍ଢାଇ ପକାଇ ଏବଂ ହାତଗୋଡ଼ ଧରି କହିଲା, ତୁ ମୋର ଧରମ ମାଆ, ଏକଥା କାହାରିକୁ କହିବୁ ନାହିଁ । ମହନ୍ତଙ୍କ ଦେହ ବେମାର ଥିଲା ଯେ ସେ କହିପଠାଇଥିଲାକୁ ଆସିଥିଲି । ଏହା କହି କାଳେ ଅନ୍ୟ କେହି ଦେଖେ ଏହି ଭୟରେ ଶୀଘ୍ର ପ୍ରସ୍ଥାନ କଲା । ଦୂତୀ ପୁନଶ୍ଚ ପତ୍ର ଗୋଟାଇବାରେ ଲାଗିଲା । ସବୁବେଳେ ବଡ଼ ବଡ଼ ହେବା ତାହାର ଗୋଟାଏ ଖୋଇ । ପତ୍ର ସାଉଣ୍ଟୁ ସାଉଣ୍ଟୁ କହୁଥାଏ, ‘‘ବଡ଼ ଲୋକର କଥା, ମହନ୍ତଙ୍କ କଥା, ମୋର କି ପଡ଼ିଛି ଲୋ ମାରାଣୀ କାହା ପାଖରେ କହିବି ?’’ ଏହି ସମୟରେ ମଠର ପୂଜାରୀ ସେହିବାଟେ ଗାଧୋଇବାକୁ ଆସି ଦୂତୀର ଅସ୍ପଷ୍ଟ ଆବୃତ୍ତି ଶୁଣି କହିଲା, କିଲୋ ଦୂତୀ ନାନୀ, କଅଣ ବଡ଼ର ବଡ଼ର ହେଉଛୁ ? ଦୂତୀ ଯାହା ଖୋଜୁଥିଲା ତାହା ପାଇଲା, ତହୁଁ ତରଭରରେ ଧାଇଁ ଯାଇଁ ଲଘୁ ସ୍ୱରରେ କହିଲା, କିଏ ଆକୁଳି କିରେ, କଥା କଅଣ କି, ପଦୀ ଗୋଟାଏ ବାବାଜି ବେଶରେ ମଠରୁ ବାହାରି ଆସି ଏହି ବାଟେ ପଳେଇଲା । ମୁଁ ପଚାରିଲାରୁ କହିଲା, ମହନ୍ତ ବାଧିକି ପଡ଼ିଛନ୍ତି, ଗୋଡ଼ରେ ତେଲ ମାରିଦେବାଲାଗି ଡାକିଥିଲେ ଯେ, ଆସିଥିଲି । ଏ ପୋଡ଼ା ଗାଁ ଲୋକେତ ମୋର ଶିରୀ ଦେଖିପାରୁ ନାହାନ୍ତି । ସବୁବେଳେ ମୋ ସଙ୍ଗରେ ଅହନ୍ତା । କାଳେ କିଏ ଚିହ୍ନିବ ସେଥିପାଇଁ କମ୍ୱଳ ମୁଣ୍ଡରେ ପକାଇ ଗେରୁଆ ଲୁଗା ପିନ୍ଧି ଆସିଥିଲି । ତୁ ଏହା କାହାରି ପାଖରେ କହିବୁ ନାହିଁ । ଏହା କହି ଦଶ କାହାଣ ନିୟମ ସମଦ ପକାଇ ଯାଇଅଛି । ମୁଁ କାହିଁକି ଭଲା କାହା ପାଖରେ କହିବି-? ଗୋସାଇଁଙ୍କ କଥା ଲୋ ବାପ, ଦଣ୍ଡକେ ମୋର ଚୁଟି ପିଠି ରହିବ ନାହିଁ । ପୂଜାରୀ ଏହା ଶୁଣି ଟିକିଏ ମୁରୁକିହସା ଦେଇ ଚାଲିଗଲା । ତହୁଁ ଦୂତୀ ଧାନ କୁଟିବାକୁ ମଠ ଭିତରକୁ ଗଲା ।

 

ସେଦିନ ଆଉ ଠାକୁର ପୂଜାରେ ପୂଜାରୀର ପୂର୍ବପରି ମନ ଲାଗିଲା ନାହିଁ । କେବଳ ଉପରଠେଲିଆ ଭାବରେ କାର୍ଯ୍ୟ ଚଳାଇଲା । ମନର ପ୍ରକୃତି ବଡ଼ ଚଞ୍ଚଳ ଏବଂ ତାହାର ଗତି ଅନନ୍ତ ପ୍ରକ୍ଷିପ୍ତ । ଦେହ ସହିତରେ କାର୍ଯ୍ୟ କରିବାକୁ ସେ ସବୁବେଳେ ବାଧ୍ୟ ନୁହେଁ । ତାହାର କାର୍ଯ୍ୟକ୍ଷେତ୍ର ଶୂନ୍ୟରେ । ସେ ସତତ ଶୂନ୍ୟରେ ଉଡ଼ି, ଶୂନ୍ୟରେ ଖେଳିବାକୁ ବଡ଼ ଭଲ ପାଏ । ପୂଜାରୀ ଦେଉଳରେ ମନ୍ତ୍ରପାଠ କରୁଅଛି; ମାତ୍ର ତାହାର ମନ ପଞ୍ଚାୟତଙ୍କ ସହ ମନ୍ତ୍ରଣାରେ ବ୍ୟସ୍ତ । ସେ କିପରି ଶୀଘ୍ର ଯାଇ ପଦୀ ଘଟିତ ଘଟଣା ପଞ୍ଚାୟତଙ୍କ କର୍ଣ୍ଣଗୋଚର କରିବ, ଏହି ଅବିଳମ୍ୱେ ସହ ଉତ୍ତେଜନା ନିଶା ତାହାକୁ ଅପାଦମସ୍ତକ ଘାରି ଅଛି । ଚିତ୍ତଚାଞ୍ଚଲ୍ୟ ତାହାର ପ୍ରାଣରେ ବିଦ୍ୟୁତ ବେଗରେ ପ୍ରଚଣ୍ଡ ପ୍ରହାର କରୁଅଛି । ମନ ସ୍ୱଭାବତଃ ବଡ଼ ଦୁଷ୍ଟ ଏବଂ ଅବାଧ୍ୟ, ତହିଁରେ ଯଦି ସେ ଦୁଷ୍ଟ ଉତ୍କଣ୍ଠାର ସଙ୍ଗ ଲାଭ କରେ, ତେବେ ବିଷମ ସମସ୍ୟା ଉପସ୍ଥିତ ହେବା ବିଚିତ୍ର ନୁହେଁ । ଉଗ୍ରଘୋଟକ ପୃଷ୍ଠେ ଚାବୁକ ପ୍ରହାର କଲେ ଆଉ କି ସମ୍ଭାଳି ହୁଏ । ପୂଜାରୀ ଚଞ୍ଚଳ ଚଞ୍ଚଳ ଠାକୁରଙ୍କ ଠା ବଢ଼ାଇଦେଇ ପଞ୍ଚାୟତଙ୍କ ନିକଟକୁ ଯାଇ ଦୂତୀ କଥିତ ଘଟଣା ବର୍ଣ୍ଣନା କଲା । ତାହା ଶୁଣି ପଞ୍ଚାୟତମାନେ କର୍ତ୍ତବ୍ୟ ନିରୂପଣ ସକାଶେ ବ୍ୟଗ୍ରୀଭୂତ ହୋଇଉଠିଲେ । ଶେଷରେ ଧାର୍ଯ୍ୟ ହେଲା, ସେହିଦିନ ରାତିରେ ଛକି ପଦୀକୁ ଧରି ସେହି ବେଶରେ ରାଜାଙ୍କ ଛାମୁକୁ ନେବାକୁ ହେବ । ଅନନ୍ତର ପଞ୍ଚାୟତମାନେ ସ୍ୱ ସ୍ୱ କାର୍ଯ୍ୟ ଉଦ୍ଦେଶ୍ୟରେ ଗଲେ । ପୂଜାରୀ ମଠକୁ ଫେରି ଆସି ଉଦରଦେବଙ୍କ ପୂଜାରେ ନିଯୁକ୍ତ ହେଲା । ରଜନୀ ଗର୍ଭରେ କି ବିଷମୟ କୌତୁକ କାଣ୍ଡ ଘଟିବ, ତାହା ଭାବି ସେ ବଡ଼ ଆନନ୍ଦିତ । ସେ ଆଜି ରଜନୀ ଦେବୀଙ୍କ ପ୍ରତି ଏକାନ୍ତ ଅନୁକୂଳ । ଅସମୟରେ ତାହାଙ୍କ ଆଗମନ ସକାଶେ ସେ ଅକାଳ ବୋଧନ କରିବାକୁ ଲାଗିଲା ।

Image

 

ଦ୍ୱାଦଶ ପରିଚ୍ଛେଦ

ପଦୀର ମଠତ୍ୟାଗ

 

ଆଜନ୍ମ ଯୋଗିନୀ ପ୍ରକୃତିଦେବୀଙ୍କର ଧ୍ୟାନକ୍ଳାନ୍ତ ନୟନ କ୍ରମେ ନିମୀଳିତ ହୋଇଆସିଲା-। ସେ ଏବେ ଅନନ୍ତ ଯୋଗସାଗରରେ ନିମଜ୍ଜିତ ହେବେ । ଜୀବନର ସନ୍ଧ୍ୟାଗମ ଦେଖି ସୂର୍ଯ୍ୟଦେବ ସ୍ୱୀୟ ବିକ୍ଷିପ୍ତ କରରାଶି ସଂଗ୍ରହପୂର୍ବକ ନାଗରିକ କର୍ମ ସମାପନାନ୍ତେ ଗୈରିକ ବସନ ପରିହତ ହୋଇ ବାନପ୍ରସ୍ଥ ଉଦ୍ଦେଶ୍ୟରେ ଅସ୍ତଗିରି ଅଭିମୁଖରେ ଯାତ୍ରା କଲେ । ସ୍ନେହମୟୀ ଜନନୀ ସହାସ୍ୟ ବଦନରେ ବିଦେଶାଗତ ପୁତ୍ରକୁ କ୍ରୋଡ଼ରେ ଧାରଣ କଲା ପ୍ରାୟ ଗିରିଦରୀ ଜ୍ୟୋତିର୍ମୟ ହାସ୍ୟ ବିସ୍ତାରପୂର୍ବକ ରବିଙ୍କୁ ବିଶ୍ରାମପ୍ରଦ ଅମୃତ ଅଙ୍କକୁ ଓଟାରି ନେଲା । ଦକ୍ଷିଣାଶା ଧନୀ ସମୀରଣର ସନସନ ନିଃସ୍ୱନ ଛଳରେ ପ୍ରଶ୍ୱାସ ବିସର୍ଜନ କଲା । ସତୀର ସେହି ଅଭିଶାପବିସର୍ପିତ ଉଷ୍ଣ ପ୍ରଶ୍ୱାସରେ ଚରାଚର ଶ୍ରୀହୀନ ହୋଇ କଳାପଡ଼ିଗଲା । ସନ୍ଧ୍ୟା ପ୍ରତ୍ୟହ ଆସି ମାନବକୁ ନିର୍ବାକ ମହୋପଦେଶ ପ୍ରଦାନ କରି ଚାଲିଯାଏ । ଜୀବନର ସନ୍ଧ୍ୟା ଆସନ୍ନବର୍ତ୍ତିନୀ । ତାହା ଏରୂପ ଅନିଶ୍ଚିତ ଯେ, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ହୋଇପାରେ । ତେତେବେଳେ ଚାରିଆଡ଼ୁ ଅନ୍ଧକାର ଘୋଟି ଆସିବ-। ଅତଃ ଗନ୍ତବ୍ୟ ପଥ ଆଲୋକିତ କରିବା ସକାଶେ ପୂର୍ବରୁ ଦୀପ ସଂଗ୍ରହ କରି ରଖିବା ଆବଶ୍ୟକ-। ନତୁବା ଅନ୍ଧାରରେ ହାବୁଡ଼ି ବିକଳାଙ୍ଗ ହେବାକୁ ହେବ । ସନ୍ଧ୍ୟା ଏହି ସ୍ମୃତିର ସୁବର୍ଣ୍ଣ ପ୍ରଦୀପ ହୃଦୟର ନିଭୃତି ନିଳୟରେ ଜାଳି ଦେଇଯାଏ । ‘‘ହେ ପାନ୍ଥ, ଧର୍ମହିଁ ସ୍ୱର୍ଗପଥର ଅନିର୍ବାଣ ଦୀପ, ଦିନ ଥାଉଁ ଥାଉଁ ସେହି ଦୀପ ସଂଗ୍ରହରେ ତତ୍ପର ହୁଅ ।’’ ଏହାହିଁ ସନ୍ଧ୍ୟାର ସାଙ୍କେତିକ ସନ୍ଥ । ଅନ୍ଧାରକଣାମାନଙ୍କର କଷ୍ଟର ଅବଧି ରହିଲା ନାହିଁ । ସେମାନେ ଅକାଳ ସଂସାରୀ ପ୍ରାୟ ଅଣ୍ଡାଳୀ ହୋଇ କ୍ଷତ ବିକ୍ଷତାଙ୍ଗ ହେଲେ । ଘରେ ଘରେ ପ୍ରଦୀପ ଜଳି ଉଠିଲା । ପ୍ରଦୀପାଲୋକ ସମସ୍ତ ପଦାର୍ଥକୁ ଉଜ୍ଜ୍ୱଳ କଲା; ମାତ୍ର କାହାକୁ ଉଷ୍ଣୀଭୂତ କଲା ନାହିଁ । ମହାଜନ ପ୍ରତିଭା ଅପରକୁ ଉଜ୍ଜ୍ୱଳ କରେ ସିନା କଦାଚ ସନ୍ତପ୍ତ କରେ ନାହିଁ । ଆଲୋକ ସମସ୍ତଙ୍କୁ ଦୀପ୍ତ କରେ; ମାତ୍ର କାହିଁରେ ଲିପ୍ତ ହୁଏନାହିଁ । ସାଧୁମାନେ ସଂସାରର ସମସ୍ତ କର୍ମ କରନ୍ତି, ତଥାଚ ସେମାନେ ସଂସାରରୁ ଅନ୍ତର । ସେମାନଙ୍କ ଜୀବନ ନାଗରିକ ଜୀବନ ନୁହେଁ, ତାହା ପାରମାର୍ଥିକ ଅକ୍ଷୟ ଉପାଦାନରେ ଉପାଦେୟ-। କିୟତ୍‌କ୍ଷଣାନନ୍ତର ସ୍ୱର୍ଗରୁ ଅମରବୃନ୍ଦ ଚନ୍ଦ୍ରିକା ଚିତ୍ରପଟ ଖସାଇ ଦେଲେ । ସେ କି ଚଟୁଳ ଚିତ୍ର ! ଯେଉଁ ଚିତ୍ର ନିରକ୍ଷରର ଅକ୍ଷର ଏବଂ ନୀରବରେ ସକଳ ଭାଷାରେ କଥା କହିବାକୁ କ୍ଷମ, ତାହାର ମହିଁମା କିଏ କଳି ପାରିବ ? ଖଣ୍ଡିଏ ଖଣ୍ଡିଏ ଚିତ୍ର ଖଣ୍ଡିଏ ଖଣ୍ଡିଏ ମହାକାବ୍ୟ ବିଶେଷ । ଚିତ୍ରରେ ଜୀବନ୍ତ ଭାବ ଫୁଟିଉଠେ; ମାତ୍ର କାବ୍ୟରେ ତାହା ଅକ୍ଷର ଆବରଣରେ ଆବୃତ୍ତ ଥାଏ । ଚିତ୍ର ପ୍ରତ୍ୟକ୍ଷ ଦୃଷ୍ଟ ଏବଂ କାବ୍ୟ କଳ୍ପନାଦୃଷ୍ଟ । କାବ୍ୟର କଠିନ ଦୁର୍ବୋଧ୍ୟ ଅଂଶ ଚିତ୍ରରେ ସରଳୀଭୂତ ହୁଏ । ରଜନୀଦେବୀ ଯୌବନରେ ପଦାର୍ପଣ କରି କ୍ରମେ ଗମ୍ଭୀର ହୋଇ ଆସିଲେ । ବୈଷ୍ଣବମାନେ ପଙ୍ଗତ ଶେଷରେ ଦାଣ୍ଡଅଗଣାରେ ଆଞ୍ଚୋଇ ଚୌପାଢ଼ୀକୁ ଫେରି ଆସିଲେ । ଏହି ସୁଯୋଗରେ ପଦୀ ସେମାନଙ୍କ ସଙ୍ଗରେ ଆସି ମିଶିଗଲା । ତତ୍‌ପୂର୍ବରୁ ପଞ୍ଚାୟତମାନେ ଆସି ଦୋଳମଣ୍ଡପ ଉପରେ ଲୁଗାଘୋଡ଼ି ଜାଗ୍ରତ ଶୟନରେ ନିରତ ଥିଲେ; ମାତ୍ର ମଶକ ଜ୍ଜ୍ୱାଳାରେ ଅଥୟ ହୋଇ କୁମ୍ଭାର ହାଣ୍ଡି ଗଢ଼ିଲା ପରି ଅନବରତ ଚଟ ଚାଟ ଶବ୍ଦ କରୁଥାନ୍ତି । ମଠର ଅଧିକାର ତ ମୁଣ୍ଡାଇ ଅଛନ୍ତି, କଅଣ କରିବେ ? ଅଧିକାର ସହ ଦାୟିତ୍ୱର ମିତ୍ର ସମ୍ପର୍କ; ସୁତରାଂ ଅଧିକାର ଯେଉଁଠାରେ, ଦାୟିତ୍ୱ ମଧ୍ୟ ସେହିଠାରେ । ଦାୟିତ୍ୱ ପୂର୍ଣ୍ଣ ଆଧିପତ୍ୟକୁ ସୁଖକର ମଣିବା ଆଉ କଳ୍ପନାର ସୁବର୍ଣ୍ଣ ଲତାରେ ଫୁଲ ଫୁଟାଇବା ଏକ କଥା । ଦାୟିତ୍ୱର ନିଗଡ଼ ଶୃଙ୍ଖଳ ସେମାନଙ୍କୁ ଏହି ମଶାବଣକୁ ଟାଣି ଆଣିଅଛି । ସେମାନେ ବସ୍ତ୍ରାନ୍ତରାଳରୁ ପଦୀର ଗତି ବିଧି ଲକ୍ଷ୍ୟ କରୁଥିଲେ । ପଦୀ ଯାଇ ଚୌପାଢ଼ୀର ଅନ୍ଧାରିଆ ସ୍ଥାନରେ ବସି ପଡ଼ିଲା । ବୈଷ୍ଣବମାନେ କୌପୁନୀ ବେଢ଼ାଣ ପରିବର୍ତ୍ତନ କରି ଯେତେବେଳେ ମହନ୍ତଙ୍କୁ ଦର୍ଶନ କରିବାକୁ ଗଲେ, ପଦୀ ସେମାନଙ୍କ ପଛ ଧରି ଚାଲିଲା । ଦର୍ଶନାନ୍ତେ ସମସ୍ତେ ଫେରି ଆସି ଆସନ ଧରିଲେ; ମାତ୍ର ସେ ଆଉ ଫେରିଲା ନାହିଁ । କିୟତ୍‌କ୍ଷଣ ପରେ ମହନ୍ତଙ୍କ ଆବାସ ପରସ୍ତରେ କବାଟ ପଡ଼ିଲା-। ମହନ୍ତଙ୍କ ଆବାସ ପୁର ମନ୍ଦିରର ପଶ୍ଚାତ୍‌ ଦିଗରେ ଅବସ୍ଥିତ । ରାତ୍ରରେ ସେ ଆଡ଼କୁ କାହାରି ଯାତାୟତ ଥାଏ ନାହିଁ । ମଠର ଚାକରମାନେ କବାଟ କିଳିଦେଇ ଶୋଇବାକୁ ଗଲେ । ଘଡ଼ିକ ମଧ୍ୟରେ ମଠ ନୀରବ ଭାବ ଭଜିଲା । ଦେଖୁ ଦେଖୁ ରାତ୍ରି ଦ୍ୱିପହର ଗଡ଼ିଗଲା । ସମସ୍ତେ ସୁପ୍ତି ନୀରବ । ବୈଷ୍ଣବମାନଙ୍କ ମଧ୍ୟରୁ କେହି କେହି ଦୀର୍ଘ ଘଙ୍ଗଡ଼ା ମାରି ସେହି ନୀରବତାକୁ ବେଳେ ବେଳେ ଭଙ୍ଗ କରୁଅଛନ୍ତି । କାହାକୁ ବା ଓଥରା ମାଡ଼ି ବସିଅଛି, ସେ ଉଚ୍ଚ ଶବ୍ଦ କରିବାକୁ ଇଚ୍ଛା କରୁଅଛି; ମାତ୍ର ତଣ୍ଟି ଫିଟୁନାହିଁ । ତହୁଁ ଏକ ପ୍ରକାର ଦୁର୍ବୋଧ୍ୟ ବ୍ୟାକୁଳ ଭୀତିଜନକ ଅସ୍ୱାଭାବିକ ଚିତ୍କାର କରୁଅଛି । କେହି ହସୁଅଛି, କେହି କାନ୍ଦୁଅଛି, କେହି ଦାନ୍ତ ରଗଡ଼ୁଅଛି, କେହି ବା ଚିର ସଂସ୍କାରବଶତଃ ହରିନାମ ଉଚ୍ଚାରଣ କରୁଅଛି । ସର୍ବଦା ହରିନାମ ଉଚ୍ଚାରଣ କରି ସେ ଏରୂପ ନିବିଡ଼ ଅଭ୍ୟସ୍ତ ହୋଇ ପଡ଼ିଅଛି ଯେ, ଅଜ୍ଞାନ ଅବସ୍ଥାରେ ସୁଦ୍ଧା ତାହା ମୁହଁରୁ ନାମ ଆପେ ବାହାରି ପଡ଼ୁଅଛି । ସାଧକ ଭାଗ୍ୟରେ ଏହା ଅପେକ୍ଷା ସୁଖର ବିଷୟ କଅଣ ଅଛି ? ଅଭ୍ୟାସ ଘନୀଭୂତ ହେଲେ ତାହା ଶକ୍ତିରେ ପରିଣତ ହୁଏ । ଅତିଥିଶାଳାରେ ଏହିପରି ଶାନ୍ତ ଭୈରବ ମଧୁର କରୁଣ ହାସ୍ୟରସ ଅଭିନୟ ତାହାକୁ ଗୋଟିଏ କ୍ଷୁଦ୍ର ସଂସାରର ବିଭୂତି ପ୍ରଦାନ କରିଅଛି । ଏହି ସମୟରେ ପଞ୍ଚାୟତମାନେ ଯାଇ ସିଂହଦ୍ୱାର ପାର ହୋଇ ମଝିଦ୍ୱାର କବାଟରେ କରାଘାତ କରନ୍ତେ ପୂର୍ବେ ସଙ୍କେତ ମତେ ପୂଜାରୀ ଶିକୁଳି ଫିଟାଇ ଦେଲା । ସେମାନେ ଯାଇ ମହନ୍ତଙ୍କ ପ୍ରକୋଷ୍ଠ ଦ୍ୱାରରେ କାନପାରି ଶୁଣିଲେ- ଶୀତଦିନ ରାତ୍ରରେ ବିରାଡ଼ି ଘୁଡ଼ ଘୁଡ଼ ଶବ୍ଦ କଲାଭଳି ଗୃହ ଭିତରୁ ଶବ୍ଦ ଶୁଭୁଅଛି । ସେହି ଶବ୍ଦରୁ ମଦତ ଟଣା ଆରମ୍ଭ ହୋଇଥିବାର ସେମାନେ ଅନୁମାନ କରିନେଲେ-। ଯାହାହେଉ ସେମାନେ ବିଳମ୍ୱ ନ କରି ମହନ୍ତଙ୍କୁ ହୁରି ଛାଡ଼ିଲେ । ନ ଶୁଣିବାରୁ କବାଟରେ ଘନ ଘନ ଆଘାତ କଲେ । ଶେଷରେ ମହନ୍ତ ନିଦ୍ରାଆଳସ୍ୟ ଭାଙ୍ଗିବାପରି ପେଖନା କରି ଅଳସ ପୃଥୁଳ କଣ୍ଠରେ କହିଲେ କିଏ ? ପଞ୍ଚାୟତମାନେ ଆତ୍ମପରିଚୟ ଦେଇ କହିଲେ କବାଟ ଫିଟାଅ, ସେ ଘରେ ଓରାଚାଙ୍ଗ ଉପରେ ସିହାବିଡ଼ା ଅଛି ନେବୁଁ । ମହନ୍ତ ଈଷତ୍‌ କୁନ୍ଥାଇ କହିଲେ, ମୋତେ ଭାରି ଜ୍ୱର, ମୁଁ ଉଠି ପାରିବି ନାହିଁ, କାଲି ସକାଳେ ଆସି ନେଇଯିବ । ପଞ୍ଚାୟତେ କହିଲେ, ରାଜାଙ୍କର ଆଦେଶ, ଏହିକ୍ଷଣି ନେଇ ଯିବାକୁ ହେବ । ମହନ୍ତ ଏହା ଶୁଣି କିଂକର୍ତ୍ତବ୍ୟବିମୂଢ଼ ହାଇ ତ୍ରାହି ମଧୁସୂଦନ ଜପିବାକୁ ଲାଗିଲେ । ତାଙ୍କର ମୁଣ୍ଡ ଘୂରିଗଲା । ନିଜ କୃତକର୍ଯ୍ୟ ତାହାଙ୍କ ନିକଟରେ ଦୁଷ୍କରଣୀ ତୁଲ୍ୟ ପ୍ରତିଭାତ ହେଲା । ସମ୍ପଦ ସମୟରେ ଯେ ଅନ୍ୟାୟରେ ଯେତିକି ଅନ୍ଧ, ବିପଦରେ ସେ ତେତିକି ଚକ୍ଷୁଷ୍ମାନ, ଏହା ପ୍ରକୃତିର ଆଦେଶ । ଯାହାହେଉ ଉପାୟାନ୍ତର ଅଭାବରେ ଦୀପ ନିଭାଇ ଦେଇ କବାଟ ଫିଟାଇ ଦେଲେ । ପଦୀ ଅନ୍ଧକାରରେ ଖଟତଳେ ଯାଇ ଆତ୍ମ ଗୋପନ କଲା । ପଞ୍ଚାୟତମାନେ ଦ୍ୱାର ଆବୋରି ଠିଆ ହୋଇ ପୂଜାରୀକୁ ଦୀପ ଜାଳିବାକୁ କହିଲେ । ସେ ରୋଷଘରକୁ ଯାଇ ଚୂଲିରେ ପିମ୍ପେଇ ଖାଡ଼ି ପୋତି ଆଲୁଅ ଜାଳି ଆଣିଲା । ପଞ୍ଚାୟତମାନେ ଦେଖିଲେ ଜଣେ ବୈଷ୍ଣବ କମ୍ୱଳ ଢାଙ୍କିହୋଇ ଖଟ ତଳରେ ବସିଅଛି । ପାଠକେ ଭୀମଙ୍କ ସହିତ ପୂର୍ବରୁ ପରିଚିତ ହୋଇଅଛି । ସେ ପଞ୍ଚାୟତମାନଙ୍କ ମଧ୍ୟରେ ଅନ୍ୟତମ । ସେ କପଟ ବୈଷ୍ଣବକୁ ଟାଣି ଆଣିଲା । ସମସ୍ତେ ନୀରବ, କ୍ଷଣକ ପରେ ସେହି ନୀରବତା ଭେଦକରି ଦୁମ୍‌ଦାମ୍‌ ଶବ୍ଦ ବୃଷ୍ଟି ଶୁଣାଗଲା । ସେହି ବୃଷ୍ଟିର ପୁଞ୍ଜା କେତେ ଛିଡ଼ିକା ଯେ ମହନ୍ତଙ୍କ ଦେହରେ ପଡ଼ିଥିଲା, ଏହି ବୋଲିବା ବାହୁଲ୍ୟ ମାତ୍ର । ତହିଁପରେ ଶବ୍ଦହେଲା, ବାପଲୋ ମରିଗଲି, ଜୁହାର ହେଉଛି, ଏବେ ମୋତେ ଛାଡ଼ିଦିଅ, ମୁଁ ଆଉ କେବେ ମଠକୁ ଆସିବି ନାହିଁ । ଉପସ୍ଥିତ ଘଟଣାରେ ମହନ୍ତଙ୍କୁ ଭଳକା ମାରିନେଲା । ହୃଦୟରେ ବେଦନାର ଶତସୂତୀ ବିଦ୍ଧ ହେଲା । ଅଶ୍ରୁ ଜଳରେ ଆତ୍ମାଭିମାନ ଭାସିଗଲା । ସେ କେବଳ ଭକୁଆ ପରି ଅନାଇ ରହିଲେ । ସେ ନିର୍ମାୟ ଦୃଷ୍ଟିରୁ ବୋଧ ହେଲା, ଯେପରି ସେ ଜୀବନର ସମସ୍ତ ଆଶା ତ୍ୟାଗ କରି କେବଳ ଶେଷ ଆହ୍ୱାନକୁ ଏକାନ୍ତ ପ୍ରତୀକ୍ଷା କରି ଉତ୍କର୍ଣ୍ଣ ହୋଇ ବସି ଅଛନ୍ତି । ମନେ ମନେ ଲଜ୍ଜା ଭୟ ନିବାରଣକାରୀ ମୃତ୍ୟୁକୁ ଅନେକ ଡାକିଲେ, ଅନେକ ସ୍ତବ ସ୍ତୁତି କଲେ; ମାତ୍ର ସେ ନିଷ୍ଠୁର ଆଦୌ ତାହା ଶୁଣିଲା ନାହିଁ । ଅକୂଳ ଲଜ୍ଜା-ସମୁଦ୍ରରେ ଭାସିବାବେଳେ ସମସ୍ତେ ଗାଙ୍ଗବଙ୍କ ଇଚ୍ଛାମୃତ୍ୟୁ ଯଶର ପ୍ରତିଦ୍ୱନ୍ଦ୍ୱୀ ହୁଅନ୍ତି, ଏହା ସ୍ୱାଭାବିକ । ପଞ୍ଚାୟତମାନେ ପଦୀକୁ ଚୌପାଢ଼ୀ ଖୁଣ୍ଟରେ ବାନ୍ଧିରଖି ଲୋକ ଜଗାଇ ସ୍ୱ ସ୍ୱ ଗୃହକୁ ପ୍ରସ୍ଥାନ କଲେ । ତହିଁଆର ଦିନ ପ୍ରଭାତରୁ ବୈଷ୍ଣବ ରୂପିଣୀ ପଦୀକୁ ଘେନି ରାଜ ସମୀପକୁ ବାହାରିଲେ । ପଦୀକୁ ଦେଖିବା ପାଇଁ ଗାଁ ମାଇକିନିଆଏ ହୁଡ଼ା ଉଠି ଧାଇଁଲେ । ଦଣ୍ଡକ ମଧ୍ୟରେ ଉଚ୍ଚହାସ୍ୟ ରୋଳରେ ହାଟ ବସିଗଲା । ପଦୀର ମର୍ମସ୍ଥଳ ଲକ୍ଷ୍ୟ କରି ସମସ୍ତେ ବିଷାକ୍ତ ବାଣ ନିକ୍ଷେପ କରିବାକୁ ଲାଗିଲେ । ତୀକ୍ଷ୍‌ଣ ମୁନ ଲୌହବାଣ ଅପେକ୍ଷା ବାକ୍ୟବାଣ ଅଧିକ ମର୍ମନ୍ତୁଦ ଏବଂ ଜ୍ୱଳାମୟ । କେହି କହିଲା, ‘ନାକ ତିଲିଖି, ଏତେ ଗୁଣ ବୋଲି ଜାଣି ଥିଲିକି ।’ କେହି କହିଲା, ‘ପୋଡ଼ା ଜୀବନକୁ ଦୌଡ଼ି ହାତେ, କେଉଁ ପୁତଖାଇ-ତୋତେ-।’ କେହି କହିଲା, ‘ଝିଟିକଳମୁଣ୍ଡା ବଦାଡ଼ିଗମ, ହଟହଟା କରି ଗଢ଼ିଛି ଯମ ।’ କେହି କହିଲା, ‘ମାର ମାର ବୋଇତାଳାକୁ, ବୋଇତାଳୁ ଗଲା ଗଡ଼ି ତଳକୁ, ଫେର ଆସିଲା ଗୋଡ଼ ତଳକୁ ।’

 

ରୁକୁଣୀ ମା କହିଲା, ବାବାଜି ମହାରାଜ, ଏହି ଚେଣ୍ଟୁରି ଗୋଡ଼ରେ ତୁମ୍ଭଙ୍କୁ ଦଣ୍ଡବତ । ରଘୁଆ ଖୁଡ଼ୀ କହିଲା, ଟକମହନୀକି ମରଣ ନାହିଁ, ନିଆଁ ଧୂଆଁ ଅଭ୍ୟାସ ଶିଖାଇ ଗାଁଟା ଯାକ ନଷ୍ଟ କଲା । ତହୁଁ ସୁଲୀ ଅପା କହିଲା, ଭାରି ଅପସନ୍ଦ କଥା ହେଲା ପରା, ଗୋଟାଏ କଞ୍ଚା ସିହାଣ ଯେ ପୋଖରୀକ ପଦ୍ମ ମାରିଦିଏ । ଏହିପରି ନାନା ଲୋକେ ନାନା ପ୍ରକାର ଟାହୁଲି କରିବାକୁ ଲାଗିଲେ; ମାତ୍ର ପଦୀ କାହାକୁ କିଛି କହିଲା ନାହିଁ । ପଞ୍ଚାୟତମାନେ ତାହାକୁ ଘେନି ବେଳପ୍ରହରକ ସମୟରେ ଯାଇ ରାଜ ନଅରରେ ଉପସ୍ଥିତ ହେଲେ । ତଦବିଧି ରାଜା ନଅରରୁ ବିଜେ ହୋଇନାହାନ୍ତି । ସିଂହଦ୍ୱାର ପାଖରେ ମେନେଜରଙ୍କ କଚେରୀ । ପାର୍ଶ୍ୱ ଭାଗରେ ଗୋଟାଏ ଝାଙ୍କଡ଼ା କଦମ୍ୱଗଛ । ପଞ୍ଚାୟତମାନେ ସେହି ଗଛ ଛାଇରେ ବିଶ୍ରାମ କଲେ । ସେଠାରୁ ଗବାକ୍ଷ ପଥରେ ମେନେଜରଙ୍କ କାର୍ଯ୍ୟକଳାପ ଦେଖାଯାଉଥାଏ ଏବଂ ସନ୍ନିକଟ ହେତୁ କଥା ମଧ୍ୟ ସ୍ପଷ୍ଟ ଶୁଣାଯାଉଥାଏ । ମେନେଜର ରଙ୍ଗ ନାଇକୁଲୁ ପାନ୍ତୁଲୁ ଗାଁରୁ ଜଣେ ଅଧୁଆଡ଼ ବୟସ୍କ ବ୍ୟକ୍ତି । ଜାତିରେ କମା ବ୍ରାହ୍ମଣ-। ବି.ଏ. ପାସ କରି ଅଛନ୍ତି; ମାତ୍ର ବଡ଼ କ୍ରିୟାନିଷ୍ଠ ଏବଂ ସ୍ୱଧର୍ମବିଶ୍ୱାସୀ । କପାଳରେ ରାମାନନ୍ଦୀ ତିଳକ, ମସ୍ତକରେ ଜରି ଚାଦର ପଗଡ଼ି, ପରିଧେୟ ଛହାତୀ ଲୁଗା । ଏତେବଡ଼ କର୍ମଚାରୀ ବିଦ୍ୟାର ଦିଗ୍‌ରାଜ ହୋଇ ସୁଦ୍ଧା ଜାତୀୟଭାବ ପ୍ରତି ତିଳେ ଅନାସ୍ଥା ପ୍ରଦର୍ଶନ କରି ନାହାନ୍ତି । ବିଦେଶୀୟ ଭାଷା ବା ବିଦେଶୀୟ ବିଦ୍ୟାଶିକ୍ଷା ଉନ୍ନତିର ପରମୋପାଦାନ; ମାତ୍ର ବିଦେଶୀୟ ଆଚାର ବ୍ୟବହାର ଅନୁକରଣପୂର୍ବକ ବିଦେଶୀୟ ଭାବରେ ଅନୁପ୍ରାଣିତ ହେବା ନିତାନ୍ତ ଅକର୍ତ୍ତବ୍ୟ । ସେଥିରେ ସମାଜ କଳୁଷିତ ଏବଂ କ୍ଷତ ବିକ୍ଷତ ହୁଏ । ଦେଶ ବିଶେଷରେ ଆଚାର ବ୍ୟବହାର ସେହି ଦେଶର ଜଳବାୟୁ ସାପେକ୍ଷ । ଦେଶର ଅନୁପଯୋଗୀ ବିଦେଶୀୟ ଆଚାର ବ୍ୟବହାରରେ ଅଭ୍ୟସ୍ତ ହେଲେ ସ୍ୱାସ୍ଥ୍ୟଭଙ୍ଗ ଅନିବାର୍ଯ୍ୟ । ଅନେକ ଉଚ୍ଚ ଉପାଧିଧାରୀ ଦୁର୍ବଳ ବିଶ୍ୱାସୀ ସମାଜର ପ୍ରତ୍ୟେକ ଅନୁଷ୍ଠାନକୁ ଅମୂଳକ ବୋଲି ଉଡ଼ାଇ ଦିଅନ୍ତି; ମାତ୍ର ବୟୋବୃଦ୍ଧି ସହକାରେ ଜ୍ଞାନବୃଦ୍ଧି ସେମାନଙ୍କର ଭାବାନ୍ତର ଘଟାଏ । ଯାହାକୁ ସେମାନେ କୁସଂସ୍କାର ବୋଲି ପହିଲେ ଘୃଣା ପ୍ରଦର୍ଶନ କରିଥାନ୍ତି, ଶେଷରେ ତାହାକୁ ପ୍ରକୃତ ଜାଣି ସମ୍ମାନ କରନ୍ତି । ତେତେବେଳେ କୁସଂସ୍କାର ବାସ୍ତବ ଆଖ୍ୟା ଧାରଣ କରେ । ମର୍ମ ନ ବୁଝି ହଠାତ୍‌ ସମାଜର ରୀତିନୀତି ପ୍ରତି ଗୋଟାଏ କୁଧାରଣା ପୋଷଣ ବଡ଼ ଦୋଷଦିଗ୍‌ଧ । ଜ୍ଞାନତ ଆଉ ସାମାନ୍ୟ ନୁହେଁ ଯେ, ଦୁଇଚାରିଖଣ୍ଡ ପୁସ୍ତକ ପାଠରେ ତାହା କରଗତ କରିହେବ । ତାହା ଅସୀମ ଅନନ୍ତ, ଆଜନ୍ମ ସାଧନାଦ୍ୱାରା ସେଥିର ଗୋଟିଏ ପରମାଣୁର ପୂର୍ଣ୍ଣତା ସମ୍ପାଦନ କରିହେବ ନାହିଁ । ଶାସ୍ତ୍ର ପୁରାଣମାନ ଅତିରଞ୍ଜିତ, କାବ୍ୟ ଇତିହାସଗୁଡ଼ାକ କଳ୍ପନା କଳ୍ପିତ, ନ ବୁଝି ଏରୂପ ମତ ପୋଷଣ କରିବା ଘୋର ଅର୍ବାଚୀନତାର ପରିଚାୟକ । ସେହି ଅତିରଞ୍ଚନ ମଧ୍ୟରେ, ସେହି କଳ୍ପନା ବିଳାସ ମଧ୍ୟରେ ସୁଦ୍ଧା ବିଶୁଦ୍ଧ ସତ୍ୟର ସତ୍ତା ବିଦ୍ୟମାନ । ମେନେଜର ଅଳ୍ପ ଭଙ୍ଗା ଭଙ୍ଗା ଓଡ଼ିଆ କହି ପାରନ୍ତି । ଓଡ଼ିଆ ଭାଷାର କି ପ୍ରକୃତି ଯେ, ସେ ଓଡ଼ିଆ ମୁଖ ବ୍ୟତୀତ ଅନ୍ୟ ମୁହଁରେ ଉଚ୍ଚାର୍ଯ୍ୟ ନୁହେଁ । ସମସ୍ତ ଭାଷାର ବିଶୁଦ୍ଧ ଉଚ୍ଚାରଣ ଓଡ଼ିଆମାନେ କରିପାରନ୍ତି; ମାତ୍ର ଅନ୍ୟ କୌଣସୀ ଭାଷାଭାଷୀ ତୁଣ୍ଡରେ ଓଡ଼ିଆ ଭାଷାର ବିଶୁଦ୍ଧ ଉଚ୍ଚାରଣ ଆସେ ନାହିଁ । ଓଡ଼ିଆ ଭାଷାର ଏହା ଏକ ବିଶେଷତ୍ୱ ଏବଂ ଗୌରବ । ମେନେଜରଙ୍କ ବିଚାର କାର୍ଯ୍ୟ ଆରମ୍ଭ ହେଲା । ସେ ପେସ୍କାରକୁ ଡାକି ସେ ଦିନର ଦରଖାସ୍ତମାନ ଆଣିବାକୁ ଆଦେଶ ଦେଲେ । ପେସ୍କାର ‘ଚିତ୍ତମ ଆୟା’’ କହି ବିଡ଼ାଏ କାଗଜ ଫିଟାଇ ଉପର ଖଣ୍ଡି ବାହାରକରି ପାଠକଲେ । ସେଥିରେ ନିମ୍ନଲିଖିତରୂପେ ଲେଖାଥିଲା-

‘‘ମହାରାଜ ଶ୍ରୀ ମାନେଜର ପାନ୍ତୁଲୁଗାରୁଙ୍କ ସମଖାନକୁ ସଦର ତାଲୁକା ଦୁଲାଣାଦେଈପୁର ଗ୍ରାମ ରହଣୀ ଅଗାଧୁ ଗଉଡ଼ ଅନେକ ଅନେକ ଦଣ୍ଡପ୍ରଣାମ ହୋଇ ଲେଖାଇ ଦାଖଲ କରିବା ଅର୍ଜିକି ବୋଇଲେ, ସୁମାର ଅନେକ ବର୍ଷ ହେଲା ଆମର ଥିବାର ଗାଟୁତଳ ଗୋହିରିଆପାଟ ଜିରାଇତି ଭୂମି ତିନିଭରଣ ମୋ ଅନୁଭବରେ ଅଛି । ମୁଁ ତାକୁ ପ୍ରତିବର୍ଷ ସାଗୁ କରୁଅଛି ଏହି ବିଲକୁ ବର୍ଷକୁ ଶିସ୍ତୁ ଟ୩୯, କାଟୁବାଡ଼ି ଟଂ୯, ଲ୍ୟାଣ୍ଡସେସ ଟଂ/୬, କରଣ ରୁସୁମ ଅଗୈରା ଟଂ/୬, ଅକ୍ଷରାଙ୍କେ ତିନି ଟଙ୍କା ସାତଅଣା ଦେବାର ମାମୁଲ ଥିଲେ ହେଲେ କି ଏବର୍ଷ ଆମ ଗାଁ କରଣ ମୋତେ କହିଲା ଭୁବନ୍ଧ ଅଧିକ ଅଛି । ଅଧିକ ଶିସ୍ତୁ ଦେବାର ଅଛି । ଏଣୁ ମହାପ୍ରଭୁଙ୍କ ଛାମୁରେ ଜଣାକରି ଘେନୁଅଛି, ମୋର ଭୁବନ୍ଧ ନିଲିଭା ନାହିଁ । ଥରେ ମାପକରି ନ୍ୟାୟ ବିଚାରଣା କରି ଧର୍ମପ୍ରଭୁ ଘରନ୍ୟାୟ ଦେବାପାରେ ଅନେକ ଅନେକ ଦଣ୍ଡବତ ହୋଇ ଏଥିରେ ଲେଖି ଘେନୁଅଛି । ଦିବ୍ୟଚିତ୍ତକୁ ଆଣି ନ୍ୟାୟ ବିଚାରଣା ସିଲ ହେଉ ।’’

ଅନନ୍ତର ଦରଖାସ୍ତକରୀକୁ ଡାକରା ହେଲା । ସେ ଉପସ୍ଥିତ ହୁଅନ୍ତେ ମେନେଜର ପଚାରିଲେ, ‘‘ତୁ ଏ ପିଟିସନ୍‌ ଦେଲେ କିରେ ? ଦରଖାସ୍ତକାରୀ, ହଁ ମହାପ୍ରଭୁ ! ତହୁଁ ଦ୍ୱିତୀୟ ପ୍ରଶ୍ନ ହେଲା, ଆଉ କ୍ୟାଣ କହୁସନ୍ତି ? ତତେ ବୁମୀ ରଣାହେବେ ଶିସ୍ତୁ କାଟିବାର ଅଚି, ତେବେ ରଜାଗର ରାବାଡ଼ି କିଏ ବରଣା ଦେବୁ ? ପ୍ରଜା କହିଲା- ତମେ ବାବୁ ମା, ସବୁ ଜାଣିପାର । ଧାନ ହେଁସରୁ କୁଆ ଖୁମ୍ପେ ନେଇଗଲେ କି ଊଣା ହୋଇଯିବ ? ମୁଁ ଗରିବ ଲୋକ ଅଧିକ ଦେଲେ ମରିଯିବି । ମେନେଜର ସଦୟ ସ୍ୱରରେ କହିଲେ, ତୁ ସାର୍ବି ଗୁମାସ୍ତାର ବର୍ତ୍ତନ ବାତିଆ ବାନ୍ଧି ଦେ, ସେ ଯାଇ ବୁମି ମାପି ଦେବୁ । ଦରଖାସ୍ତକାରୀ ‘‘ଚିତ୍ତ ମହାପ୍ରଭୁ’’ କହି ଯୋଡ଼ହସ୍ତ ମସ୍ତକ ଉପରେ ଥୋଇ ଦଣ୍ଡବତ କରି ପ୍ରସ୍ଥାନ କଲା । ଅନନ୍ତର ମେନେଜର ପେସ୍କାର ଶ୍ରୀ କରଣ ପଟ୍ଟନାୟକଙ୍କୁ ପଚାରିଲେ, ଏମାଣ୍ଡି ଶ୍ରୀ କାରଣାଂ ପାଟ୍ନାଇକୁଲୁଗାରୁ ମୁଡ଼ୁ ବାରଣାଲୁ ଆନାଗା ଏନ୍ନି ଆକାରାଲୁ (ହଇହେ ଶ୍ରୀକରଣ ପଟ୍ଟନାୟକେ ତିନି ଭରଣ ଯେ କେତେ ଏକର) ? ପେସ୍କାର ଟିକିଏ ମୁରିକି ହସା ଦେଇ କହିଲେ, ତିନିଭରଣ ଏକର କେଉଁଠି ହେବ, ଏକରକୁ ଦୁଇ ଭରଣ ଊଣା । ଏହା ଶୁଣି ମେନେଜର ଲଜ୍ଜିତ ହୋଇ ଅବଜ୍ଞା ବ୍ୟଞ୍ଜକ ସ୍ୱରରେ କହିଲେ- ଆଦି ଏମୋ ମୀ ଅଡ଼ି କଲତା ଭାରାଣାଂ ଗିରାଣାଂ ନାନୁ ଏମି ତେଲିୟାଦୁ (କଅଣ ଓଡ଼ିଆ ମାପ ଭରଣ ଫରଣ ମୋତେ ଜଣା ନାହିଁ) ।

ଏହି ସମୟରେ ରାଜା ଆସି କଚେରୀରେ ବିଜେ ହେଲେ । ତହୁଁ ମଠର ପଞ୍ଚାୟତମାନେ ଛଦ୍ମବେଶିନୀ ପଦୀକୁ ଆଣି ଛାମୁରେ ଭେଟାଇ ଗତରାତ୍ର ଘଟିତ ସମସ୍ତ ବୃତ୍ତାନ୍ତ ସାଟୋପ ସାଳଙ୍କାରରେ ବର୍ଣ୍ଣନ କଲେ । ସେହି ବର୍ଣ୍ଣନା ସେ ସ୍ଥଳରେ ବହୁଶାଖ ହାସ୍ୟସ୍ରୋତ ପ୍ରବାହିତ କଲା ଏବଂ ଉପସ୍ଥିତ ସମସ୍ତଙ୍କର ଦୃଷ୍ଟି ପଦୀ ଉପରେ ପଡ଼ିଲା । ପଦୀ ସେହି ହାସ୍ୟବିଷବୋଳା ମର୍ମାନ୍ତିକ ଦୃଷ୍ଟିବାଣ ସହି ନ ପାରି ତଳକୁ ମୁହଁ ପୋତିଦେଲା । ବୋଧହୁଏ ନୀରବ ବ୍ୟାକୁଳ କଣ୍ଠରେ ପୃଥ୍ୱୀଦେବୀଙ୍କୁ ଦ୍ୱିଧା ହେବା ସକାଶେ ପ୍ରାର୍ଥନା କଲା । ଆଶୁ ଲଜ୍ଜାନିବାରଣର ଅନ୍ୟ ଭାବନା ସେକାଳରେ ତାହା ପକ୍ଷରେ ସ୍ୱାଭାବିକ ନୁହେଁ । ମାତ୍ର ପାପୀୟସୀର ପ୍ରାର୍ଥନା ଦେବୀଙ୍କର ହୃଦୟରେ କରୁଣାର ଅସ୍ପଷ୍ଟ ଛାୟାପାତ ସୁଦ୍ଧା କରିବାକୁ ସମର୍ଥ ହେଲାନାହିଁ । ରାଜା କ୍ଷଣକାଳ ଅବାକ ରହି ତୀକ୍ଷ୍‍ଣ ସ୍ୱରରେ ଜମାଦାର ପ୍ରତି ଆଦେଶ ଦେଲେ କିଏ ଚଣ୍ଡାଳୁଣୀକୁ ଦଶବେତ ପିଟି ଆଜି ଦୂର କରିଦେ । ପୁଣିଥରେ ସେ ମଠର ଛାଇ ମାଡ଼ିଲେ ତାଲୁକାରୁ ତଡ଼ି ଦିଆଯିବ । ଜମାଦାର ଆଜ୍ଞା ମହାରାଜ କହି ପଦୀକୁ ଅର୍ଦ୍ଧଚନ୍ଦ୍ର ପ୍ରଦାନ ପୂର୍ବକ ଛାମୁରୁ ଅନ୍ତର କରି ଘେନିଗଲା । ତହୁଁ ମଠ ବିଷୟରେ ଅନେକ କଥା ପଡ଼ିଲା । ରାଜା କହିଲେ, ସ୍ୱତନ୍ତ୍ର ବ୍ୟବସ୍ଥା ନ କରି ଏରୂପ ପିଲା ଖେଳ ଭଳି କାର୍ଯ୍ୟରେ କି ମଠର ବିପୁଳ ସମ୍ପତ୍ତି ରକ୍ଷା କରିହେବ । ତୁମ୍ଭେମାନେ ବା କେତେ ଦିନଯାଏ ନିଜର କାର୍ଯ୍ୟ କ୍ଷତି କରି ମଠ ବିଷୟରେ ଆବଦ୍ଧ ଥିବ । ସେଥିରେ ପୁଣି ତୁମ୍ଭେମାନେ ହେଲ ତିନି ଜଣ । ସମୟ ସମୟରେ ତିନିଙ୍କର ମତ ତିନି ବାଟରେ ଯାଉଥିବ । ସେଥିରେ ମଠର ସମ୍ପତ୍ତି ନଷ୍ଟ; ମାତ୍ର ହରିବୋଲିଆଙ୍କର ସୁବିଧା । କଥାରେ କହନ୍ତି, ‘‘ତିନିରସାଳିଆ କାକୁଡ଼ି ବାଡ଼ି, ଖା ଶିଆଳ ବେକ ମୋଡ଼ି ।’’ ମୁଁ ଗୋଟାଏ ଉପାୟ ସ୍ଥିର କରିଅଛି । ଆଠ ଦିନ ହେଲା ମୂର୍ତ୍ତିଏ ଚୀବର ସର୍ବସ୍ୱ ସନ୍ନ୍ୟାସୀ ଆସି ଗୋପାଳଜି ମଠରେ ଅଛନ୍ତି । ସେ ବଡ଼ ଆଚାରନିଷ୍ଠ । କାଶୀରେ ବାରବର୍ଷ ସସ୍କୃତ ପଢ଼ି ସର୍ବାଭୌମ ଉପାଧି ପାଇ ଅଛନ୍ତି । ବୈଷ୍ଣବ ଧର୍ମର ସକଳ ଶାସ୍ତ୍ରପୁରାଣ ତାଙ୍କର କଣ୍ଠସ୍ଥ । ସବୁବେଳେ ବୃନ୍ଦାରକବୃନ୍ଦବନ୍ଦିତ ନନ୍ଦନନ୍ଦନଙ୍କ ଚରଣାବିନ୍ଦ ବନ୍ଦନା ବ୍ୟତୀତ ମୁଖରେ ଅନ୍ୟ ଭାଷା ନାହିଁ । ତାହାଙ୍କ ଶରୀର ଗଠନ ତାହାଙ୍କୁ ଜଣେ ସାଧୁ ସଂଯମୀ ବୋଲି ଏବଂ ନିରୁନ୍ନେଷ ନେତ୍ର ତାହାକୁ ଜଣେ ଯୋଗୀ ବୋଲି ପରିଚିତ କରାଉ ଅଛି । କି ପ୍ରସନ୍ନପାବନ ମୁଖ । ସେ ମୁଖରେ ଅଧୈର୍ଯ୍ୟର ଜୀବନ୍ତ ତାରଲ୍ୟ କିମ୍ବା ଅତୃପ୍ତିର କଳୁଷ କାଳିମା ନାହିଁ । ସଂସାରର ପ୍ରତି ପଦାର୍ଥରେ ସେ ଅନନ୍ତଭୂମା ଭଗବାନଙ୍କର ଅଚିନ୍ତ୍ୟ ମହିମା ଉଦ୍ଭାସିତ ଦେଖନ୍ତି । ତାଙ୍କର ମାନବ ସୁଲଭ ବାସନା ଦ୍ୱାର ଏକାବେଳକେ ସଂରୁଦ୍ଧ ହୋଇଅଛି । ତାଙ୍କ ହାଳିକି ବଳି ଅଦ୍ଭୁତ ଖଣ୍ଟ ମୁଁ ଆଜି ଅବଧି ଦେଖିନାହିଁ । ସେ ଦୃଷ୍ଟି ମାତ୍ରେ ହୃଦୟର ଅନ୍ତଃସ୍ଥଳରୁ ଭକ୍ତି-ଧନ ଲୁଟି ନେଇ ପାରନ୍ତି । ମୋ ବିଚାରରେ ତାଙ୍କୁ ମହନ୍ତ ଗାଦୀରେ ବସାଇଲେ ମଠର ସୁରକ୍ଷା ହୁଅନ୍ତା । ଏ ବିଷୟ ତାଙ୍କୁ ଥରେ ପଚାରି ବୁଝିବା । ଏହା କହି ସନ୍ନ୍ୟାସୀଙ୍କୁ ଡକାଇ ପଠାଇଲେ ।

Image

 

ତ୍ରୟୋଦଶ ପରିଚ୍ଛେଦ

ନୂତନ ମହନ୍ତ ନିଯୁକ୍ତି

 

କ୍ଷଣକାଳପରେ ସନ୍ନ୍ୟାସୀ ଉପସ୍ଥିତ ହୁଅନ୍ତେ ରାଜାଙ୍କ ସହିତ ଉପବିଷ୍ଟ ବ୍ୟକ୍ତିମାନେ ଦଣ୍ଡାୟମାନ ହୋଇ ତାହାଙ୍କୁ ସମ୍ୱର୍ଦ୍ଧନାପୂର୍ବକ ପ୍ରଣାମ କଲେ । ପ୍ରତିଦାନସ୍ୱରୂପ ଆଶୀର୍ବାଦ କରି ଯୋଗୀ ଆସନ ଗ୍ରହଣ କଲେ । ମୂର୍ତ୍ତି ସଜଳ ଜଳଦ ତୁଲ୍ୟ ଗମ୍ଭୀର ଏବଂ ଆଡ଼ମ୍ବର ଶୂନ୍ୟ । ହରିଶବ୍ଦ ଆବୃତ୍ତର ବିରାମ ନାହିଁ । ସେହି ନାମ ନିର୍ଝର ତୁଲ୍ୟ ଅନନ୍ତଭୂତି ଅବସ୍ଥାରେ ସୁଦ୍ଧା ବାହାଙ୍କ ଦେହରୁ ଝରି ପଡ଼ୁ ଅଛି । ଚକ୍ଷୁ ମୁଖ ହାସ୍ୟ ଏବଂ ଚାହାଣୀରେ ଆନନ୍ଦର କୋଟି ଇନ୍ଦ୍ରଧନୁ ଆଭା ଆଭାସି ଉଠୁଅଛି । ହୃଦୟର ନିଭୃତି ନିକୁଞ୍ଜରେ ଶାନ୍ତିର ବାସନ୍ତୀ ବାୟୁ ଅନବରତ ପ୍ରବାହିତ ହେଉଅଛି । ସେ ହୃଦୟ କି ସାମାନ୍ୟ ହୃଦୟ ? ତାହା ସାଧନା ଆଲୋକଜ୍ଜ୍ୱଳ ସାଫଲ୍ୟର ପ୍ରିୟ କାମ୍ୟଭୂମି । ମସ୍ତକରେ ଊର୍ଦ୍ଧ୍ୱପୁଣ୍ଡ୍ର ଚିତା । ଆହା ! ତ୍ୟାଗ-ଯଜ୍ଞର ଶୁଭ୍ର ଶିଖା ଆତ୍ମା ଏବଂ ମନ ନିର୍ମଳ କରି କପାଳ-ମୁକୁରରେ ଫୁଟି ଉଠିଅଛି କି ? ତାମ୍ରପାତ୍ର ତିଳତଣ୍ଡୁଳିତ ହେଲା ପ୍ରାୟ ଶୁଭ୍ର କୃଷ୍ଣ ମିଶ୍ରିତ ଲୋମାବଳୀରେ ବିସ୍ତୀର୍ଣ୍ଣ ବକ୍ଷସ୍ଥଳ ସୁନ୍ଦର ଦିଶୁଅଛି । ସାଧୁ ସତ୍‍ପୁରୁଷଗଣ କେବଳ ଭବିଷ୍ୟତକୁ ଜଗନ୍ତି ନାହିଁ । ବର୍ତ୍ତମାନକୁ ସୁଦ୍ଧା ଅବାଧରେ ଛାଡ଼ି ଦେବାକୁ ସେମାନେ ସୁବୁଦ୍ଧିର କାର୍ଯ୍ୟ ମଣନ୍ତି ନାହିଁ । ଏଣୁ ନାମ ରଙ୍କ ପ୍ରାୟ ନାମ ଜପକୁ ଜୀବନ ସଙ୍ଖାଳି କରି ଦୃଢ଼ ମୁଷ୍ଟିରେ ଧରି ଅଛନ୍ତି । ସେ ବିରାଟ ରଙ୍କପଣିଆ ମୁହୂର୍ତ୍ତେ ସୁଦ୍ଧା ଅନ୍ତର ହେଉନାହିଁ । ସ୍ଥୂଳତଃ ନାମ ଜପହିଁ ପଧିବ ହୋଇଅଛି । ଅନନ୍ତର କଥା ପ୍ରସଙ୍ଗରେ ରାଜା ମଠର ଆମୂଳ ବୃତ୍ତାନ୍ତ ସନ୍ନ୍ୟାସୀଙ୍କ କର୍ଣ୍ଣଗୋଚର କଲେ । ଶେଷରେ କହିଲେ, ମୁଁ ଯଥାଶକ୍ତି ଚେଷ୍ଟା କଲି; ମାତ୍ର ଉପଯୁକ୍ତ ଲୋକ ଅଭାବରୁ ସଫଳତାତୀର୍ଥର ବାରୁଣୀ ସ୍ନାନଯୋଗ ମୋ ଭାଗ୍ୟରେ ଘଟିଲା ନାହିଁ । ଯାହାହେଉ ଆପଣଙ୍କୁ ଦେଖି ମୁଁ ଆଶାନ୍ୱିତ ହୋଇଅଛି । ଆପଣ ଜଣେ ପରମାର୍ଥୀ ସେ ଜଣେ ପରମାର୍ଥୀର ଗାଦୀ, ଯେପରି ରକ୍ଷାହୁଏ ତାହା ଆପଣ ଅବଶ୍ୟ କରିବେ । ଏହା କହି ସାଧୁଙ୍କ ଆଦେଶକୁ ଅଧୀର ପ୍ରତୀକ୍ଷାରେ ଚାହିଁ ରହିଲେ । ତହୁଁ ସନ୍ନ୍ୟାସୀ ମୃଦୁହାସ୍ୟ ସହକାରେ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ କହିଲେ- ରାଜନ୍, ଆଭାସ ଇଙ୍ଗିତରୁ ଆପଣଙ୍କର ମନୋଗତ ଭାବ ବୁଝିପାରିଲି । ଡୁଣ୍ଡୁଭ ସର୍ପକୁ ସୁବର୍ଣ୍ଣ ପେଡ଼ାରେ ରଖିଲେ କି ସେ ଫଣା ତୋଳି ଗୋକ୍ଷୁର ତୁଲ୍ୟ ଖେଳିବ ? ମୋତେ ବିଷୟ ଟୋପରେ ପକାଇବାକୁ ଇଚ୍ଛା କରି ଅଛନ୍ତି; ମାତ୍ର ମୁଁ ଆବାଲ୍ୟ ବିଷୟ ଲାଳସା ବର୍ଜିତ । ମୁଁ ଜଣେ ରାଜକୁମାର; ପ୍ରଭୃତି ବିଭବଶାଳୀ ପିତାଙ୍କର ଏକମାତ୍ର ନେତ୍ର ପିତୁଳା । କାହିଁକି କେଜାଣି ବିଷାକ୍ତ ବିଷୟ ଅଞ୍ଜନରେ ନେତ୍ର ରଞ୍ଜିତ କରି ଅଗ୍ନି କୁଣ୍ଡକୁ ଶୀତଳ ଜଳାଶୟ ମଣିବାକୁ ମୋର ମନ ବଳିଲା ନାହିଁ । ରୌଦ୍ରକୁ ଜ୍ୟୋତ୍ସ୍ନା ଜ୍ଞାନ କରିବା ରାଜପୁତ୍ରମାନଙ୍କ ପକ୍ଷରେ ପ୍ରାୟ ସ୍ୱାଭାବିକ; ମାତ୍ର ଅଦୃଷ୍ଟର ଶୁଭାଶୀର୍ବାଦ ମୋର ସେ ଅନୁଭୁତି ଅପହରଣ କରିଥିଲା । କି ଏକ ଅନନ୍ତ ଅଜ୍ଞାତ ଅମୃତ ମହାଧ୍ୱନିର ଆହ୍ୱାନରେ ପ୍ରାଣ କେଉଁ ଅନୁଦ୍ଦେଶ୍ୟ ଆଡ଼କୁ ଗତିକଲା, ତାହା ମୁଁ ମାନବ କଅଣ କଳି ପାରିବି ? ସେ ଧ୍ୱନି ଅସ୍ପଷ୍ଟ ହେଲେହେଁ କେଡ଼େ ମଧୁର,-କେଡ଼େ ପ୍ରାଣ-ଉନ୍ମାଦିନୀ । ସ୍ପଷ୍ଟ ଅପେକ୍ଷା ଅସ୍ପଷ୍ଟ ମଧୁର ସିନା । ଦୃଷ୍ଟଠାରୁ ଅଦୃଷ୍ଟ ସୁନ୍ଦର, ପ୍ରତ୍ୟକ୍ଷଠାରୁ କଳ୍ପନା ସୁନ୍ଦର ନୁହେଁ କି ? ବାଳଭାଷା ଅସ୍ପଷ୍ଟ ହେଲେହେଁ ମଧୁରତର । ସଂସାରର ଲାଳସାମୟ ଉଚ୍ଚାଟ ଆହ୍ୱାନ ମୋତେ ଗନ୍ତବ୍ୟ ପଥରୁ ଫେରାଇ ପାରିଲା ନାହିଁ । ପାର୍ଥିବ ରାଜପଦ ଅପେକ୍ଷା ଅପାର୍ଥିବ ଭୃତ୍ୟପଦ ଗୌରବାବହ ପ୍ରତୀୟମାନ ହେଲା । ଯୌବନ ବଡ଼ ଦୁର୍ଜୟ ବୀର । ସେ ଆଶା, ଉତ୍ସାହ, କାମନା, ବାସନାଦ୍ୱାରା ଜୀବନକୁ ବନ୍ଦୀ କରି ଆପେ ମଧ୍ୟ ନିବିଡ଼ ଭାବରେ ଆକଟି ଧରେ; ମାତ୍ର କେଉଁ ଶୁଭଗ୍ରହର ଶୁଭ ଦୃଷ୍ଟି ମୋତେ ତାହାର ଅବ୍ୟର୍ଥ ଶିକ୍ଷାରୁ ବଞ୍ଚିତ କରିଦେଲା, ତାହା ମୋ କଳ୍ପନାର ଅଦୃଶ୍ୟ । ପିତା ମୋର ଏହି ବିଷୟ ବିତୃଷ୍ଣଭାବ ଦେଖି ଅତୀବ କ୍ଷୁର୍ଣ୍ଣ ହେଲେ ଏବଂ ଦୈବଜ୍ଞ ଡକାଇ ସେଥିର କାରଣ ଜିଜ୍ଞାସୁ ହେଲେ । ସେମାନେ ମୋର ଭାବୀ ଅଦୃଷ୍ଟ କୁଞ୍ଚିକା ଫିଟାଇ କି ଚିତ୍ର ଅଙ୍କିତ ଥିବାର ଦେଖିଲେ, ତାହା ମୋର ଅଜ୍ଞାତ । କିଛିଦିନ ପରେ ଶୁଣିଲି, ପିତା ମୋତେ କଠୋର ପରିଣୟ ବନ୍ଧନରେ ଆବଦ୍ଧ କରିବାକୁ ଅଭିଳାସ କରି ଅଛନ୍ତି । ଏହି ସମ୍ବାଦ ମୋର ବହୁଦିନ ସଂରୁଦ୍ଧ ବାସନର ଦ୍ୱାର ମୁକୁଳା କରିଦେଲା । ପ୍ରକୃତିର ମହାରାଜଧାନୀ ଅରଣ୍ୟାନୀ ବିହାର ଇଚ୍ଛା ଆଉ ଅବସର ସହିଲା ନାହିଁ । ତହୁଁ ମୁଁ ଦିନେ ସମସ୍ତଙ୍କ ଆଜ୍ଞାତରେ ଗୃହରୁ ପଳାୟନ କଲି; ମାତ୍ର ଦୁର୍ଭାଗ୍ୟବଶତଃ ଚାରଚକ୍ଷୁ ରାଜାଙ୍କ ନେତ୍ରାନ୍ତରାଳବର୍ତ୍ତୀ ହୋଇପାରିଲି ନାହିଁ । ତାଙ୍କର ଅସୀମ କ୍ଷମତା ମୋତେ ବାଟରୁ ଧରି ଆଣିଲା । ଦୁର୍ବଳର ମନୋରଥ ପଥ କଣ୍ଟକାସ୍ତୀର୍ଣ୍ଣ କରିବା ପାଇଁ ବିଧାତା ପ୍ରବଳକୁ କ୍ଷମତା ଦିଅନ୍ତି ସିନା ? ମନ ପରିବର୍ତ୍ତନ ସକାଶେ ଗୋଟିଏ ନିର୍ଜନ ପ୍ରକୋଷ୍ଠରେ ମୋତେ ରଖାଗଲା । ଫଳତଃ ମୁଁ ବନ୍ଦୀ ହୋଇ ରହିଲି । ରାଜାଦେଶ ମୋତେ ବନ୍ଦୀ କରି ରଖିଲା; ମାତ୍ର ମୋର ମନକୁ ବନ୍ଦୀ କରିବାର ଶକ୍ତି ତାର କାହିଁ ? କଥାକୁ କିଏ ଧରି ବାନ୍ଧି ପାରିବ ? ମନ ଉପାୟ ଅନ୍ୱେଷଣରେ ଭ୍ରମିବାକୁ ଲାଗିଲା । ବିପଦବେଳେ ସକଳ ଉପାୟ ବ୍ୟର୍ଥ ହୁଏ, ଏହା କ୍ଲୀବ କାପୁରୁଷର ଦୁର୍ବଳ ଧାରଣା । ଉପାୟ ଖୋଜିଲେ ଉପାୟ ମିଳେ, ଏହା ନିର୍ମଳ ସତ୍ୟ । ଅର୍ଥ ଲାଳସା କାହାର ନାହିଁ ? କେବଳ ଅର୍ଥରେ ତ ଏ ଜଗତଟାଯାକ ବଶ ପୁଣି ଅର୍ଥରେହିଁ ଚାଳିତ । ଅର୍ଥର କ୍ଷମତା ଅତୁଲ, ସେ ଇଷ୍ଟ ଅନିଷ୍ଟ ଉଭୟ ବିଦ୍ୟାରେ ଦକ୍ଷ । ଏଯୁଗରେ ଅର୍ଥଦ୍ୱାରା ପ୍ରତିଭା ସୁଦ୍ଧା କିଣିବାକୁ ମିଳେ । ଯେଉଁ ଅର୍ଥରେ ଦେବାଳୟ ପ୍ରସ୍ତୁତ ହୁଏ, ସେହି ଅର୍ଥ ଗଣିକା ସେବା ଏବଂ ମୋକଦ୍ଦମା ପ୍ରଭୃତି ଦୁର୍ବଳ ପୀଡ଼ନରେ ସୁଦ୍ଧା ଲାଗେ । ମାନବ ହୃଦୟ ବିବିଧ ଲାଳସାର ପ୍ରମୋଦ ମନ୍ଦିର । ସେଥି ମଧ୍ୟରେ ଅର୍ଥ ଲାଳସାର ଅଧିକାର ସର୍ବାପେକ୍ଷୀ ବିସ୍ତୀର୍ଣ୍ଣ । ଅର୍ଥ ଲୋଭରେ କେତେ ପାଷଣ୍ଡ ଲୋକେ ନିଜର ପଞ୍ଚମ ବର୍ଷୀୟା ଆତ୍ମାଜାକୁ ଆସନ୍ନମୃତ ବୃଦ୍ଧି ଦ୍ୱାରରେ ବିକ୍ରୟ କରି ସନ୍ତାନର ମାଂସ ବିକ୍ରୟ ରୂପ ଅପ୍ରତିବାୟ ମହାପାପରେ ଲିପ୍ତ ହେବାକୁ ତିଳେମାତ୍ର କୁଣ୍ଠିତ ବା ଭୀତ ହେଉ ନାହାନ୍ତି । ଅର୍ଥ ଲୋଭରେ ଚୋରି ତ ସାମାନ୍ୟ କଥା, ନରହତ୍ୟା ପର୍ଯ୍ୟନ୍ତ ସାଧିତ ହେଉଅଛି । ସ୍ଥୂଳତଃ ଅର୍ଥଦ୍ୱାରା ସ୍ୱର୍ଗ ନରକ ଉଭୟ କିଣା ଯାଇପାରେ । ଥାଉ ସେ ଆଲୋଚନା, କିଛିଦିନ ପରେ ମୋର ବନ୍ଦୀ ଗୃହର ଜଣେ ପ୍ରହରୀକୁ ମହାର୍ହ ହୀରକ ଅଙ୍ଗୁରୀୟ ଉତ୍କୋଚ ଦେଇ ବନ୍ଦୀଶାଳାରୁ ପଳାଇ ଆସିଲି । ଛଦ୍ମ ବେଶରେ କାଶୀରେ କେତେ ବର୍ଷ ଅତୀତ ହେଲା । ଅଧ୍ୟୟନ କାଶୀ ଅବସ୍ଥାନର ମୁଖ୍ୟ ଉଦ୍ଦେଶ୍ୟ । ତହିଁପରେ ତୀର୍ଥ ଭ୍ରମଣରେ ବହିର୍ଗତ ହୋଇ ତିନିଧାମ ପର୍ଯ୍ୟଟନ ପରେ ବର୍ତ୍ତମାନ ରାମେଶ୍ୱର ଦର୍ଶନକୁ ଯାଉଅଛି । ମୋର ଏହି ସଂକ୍ଷିପ୍ତ ଆପ୍ତ କାହାଣୀରୁ ମୋର ବିଷୟାସକ୍ତି ସହଜରେ ବୋଧଗମ୍ୟ । ତଥାଚ ଆପଣଙ୍କ ଅନୁରୋଧ ରକ୍ଷା କରିବା ମୋର କର୍ତ୍ତବ୍ୟ । ମୋର ଜଣେ ଚରିତ୍ରବାନ୍ ଶିଷ୍ୟ ଅଛି । ଆଜ୍ଞା ହେଲେ ତାହାକୁ ମହନ୍ତ ଗାଦୀରେ ବସାଇ ଯିବି । ତାହାଦ୍ୱାରା ଦେବ ସମ୍ପତ୍ତିର ରକ୍ଷଣବେକ୍ଷଣ ଏବଂ ସଦ୍‌ବ୍ୟବହାର ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ଏହା ଶୁଣି ରାଜା ପରମ ସନ୍ତୁଷ୍ଟି ଲାଭପୂର୍ବକ ଆଗ୍ରହ ମିଶା ସ୍ୱରରେ କହିଲେ, ‘‘ସାଧୁ, ମହାତ୍ମାଙ୍କ ସିଦ୍ଧ ବଚନ କଦାଚ ବ୍ୟର୍ଥ ହେବ ନାହିଁ । ତେବେ ଶୁଭ କାର୍ଯ୍ୟରେ କାଳ ବିଳମ୍ବ ଅବାଞ୍ଚନୀୟ । ଏହି ମୁହୁର୍ତ୍ତରେ ପାଇ ତାହା ସମାହିତ କରିବା ଉଚିତ ।’’ ଅନନ୍ତର ନୂତନ ମହନ୍ତ ରଘୁବର ରାମାନୁଜ ଦାସ ନାମ ଧରି ଗାଦୀରେ ଯଥାବିଧି ଅଭିଷିକ୍ତ ହେଲେ । ପୂର୍ବ ମହନ୍ତ ତାହାଙ୍କ ଅଧୀନରେ ଅଧିକାରୀ ପଦରେ ରହିଲେ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

ଗଦୀଚ୍ୟୁତ ମହନ୍ତ ଓ ପଦୀର ଅନ୍ତର୍ଦ୍ଧାନ

 

ପୂର୍ବ ମହନ୍ତଙ୍କର ଅଧଃପତନ ଘଟିଲା । ଅତି ବାସନାର କରାଳ କବଳରେ ପଡ଼ି ସେ ହସ୍ତଗତ ସୌଭାଗ୍ୟ ହରାଇ ବସିଲେ । ଯେଉଁ ଭାଗ୍ୟ ତାହାଙ୍କ ମସ୍ତକରେ ସୁଖର ସ୍ୱର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଥିଲା, ସେହି ଭାଗ୍ୟ ପୁଣି ଲାଞ୍ଛନାରେ ମାଟି ମୁକୁଟ ପିନ୍ଧାଇ ଦେଲା । ହଟିଆଣୀ ଭାଗ୍ୟଦେବୀ ସମୟ ସମୟରେ ମାନବକୁ ବଡ଼ ହଟହଟାରେ ପକାନ୍ତି । ସ୍ୱକୀୟ କରଣୀ ମହନ୍ତଙ୍କୁ ସମ୍ମାନର ସ୍ୱର୍ଗ ସିଂହସନରୁ ବିଚ୍ୟୁତ କରି ଦେଲା । ଶିରଶ୍ଛେଦ ବରଂ ସହନୀୟ; ମାତ୍ର ପଦଚ୍ଛେଦ ଅସହ୍ୟ । ଅଦ୍ୟାବଧି ମହନ୍ତ ମଠର ସର୍ବସ୍ୱ ଥିଲେ, ଏଣିକି ଭବିଷ୍ୟତ୍ ତାହାଙ୍କୁ ଭୀଷଣ ଭ୍ରୂକୁଟି ପ୍ରଦର୍ଶନ କରୁଅଛି । ଚିନ୍ତା, ଲଜ୍ଜା, ଅଭିମାନର ସୁତୀବ୍ର ଶୋଷଣରେ ତାହାଙ୍କ ଶରୀର କଣ୍ଟା ପରି ଶୀର୍ଣ୍ଣ ହୋଇଗଲା । ଦାରୁଣ ଅନୁଶୋଚନା ଆକୁଳ ଅବଶ ସ୍ୱରରେ ବେଦନାର ବିଷବଂଶୀ ପ୍ରାଣରେ ବଜାଇ ଦେଲା । ତଚ୍ଛ୍ରବଣରେ ହୃଦୟର ସୁପ୍ତ ଆତ୍ମାଧିକାର ସଙ୍ଗୀତ ରୁଦ୍ର ତେଜରେ ଜାଗି ଉଠିଲା । ଏଣେ ନବୀନ ମହନ୍ତଙ୍କର କାର୍ଯ୍ୟକଳାପର ପ୍ରଶସ୍ତି ସମସ୍ତଙ୍କ ମୁଖରୁ ଶୁଣାଗଲା । ପଦଚ୍ୟୁତ ମହନ୍ତ ତହିଁରେ ଶେଳବିଦ୍ଧବତ୍ ଯନ୍ତ୍ରଣା ଅନୁଭବ କଲେ । ଶତ୍ରୁର ପ୍ରଶଂସା କଷ୍ଟେ ସ୍ମଷ୍ଟେ ସହି ହୋଇପାରେ; ମାତ୍ର ସମଧର୍ମୀର ପ୍ରଶଂସା ରୂପ ଈର୍ଷାନଳ ହୃଦୟକୁ କ୍ଷାରସାର କରିଦିଏ ଏହା ସଂସାରର ରୀତି । ସପତ୍ନୀର ସୁଖ ସପତ୍ନୀ ପକ୍ଷରେ ଦୁର୍ବିସହ ହୃଦୟବିଦାରକ, ଅନିର୍ବଚନୀୟ ମର୍ମନ୍ତୁଦ ସିନା । ଯାହାହେଉ ବିପଦ କେବେ ଏକୁଟିଆ ଆସେ ନାହିଁ । ଭୟ, ଅଧୈର୍ଯ୍ୟ, ଦୁର୍ବୁଦ୍ଧି ପ୍ରଭୃତି ବିବିଧ ଅମଙ୍ଗଳକୁ ସଙ୍ଗରେ ଘେନି ଆସେ । ଦିନେ ସକାଳେ ଦେଖାଗଲା, ପୁରୁଣା ମହନ୍ତ ମଠରେ ନାହାନ୍ତି । ସଙ୍ଗେ ସଙ୍ଗେ ଗତ ରାତ୍ରରେ ପକ୍ଷହୀନା ପ୍ରତିମା ପରି ପଦୀ ଠାକୁରାଣୀଙ୍କର ନିରୁଦ୍ଦେଶ୍ୟ ମଧ୍ୟ ଶୁଣାଗଲା । ସେଥିରୁ ଅନେକେ ସହଜରେ ଅନୁମାନ କରିନେଲେ ଯେ, ସେ ଦୁହେଁ ବୀଭତ୍ସ ପ୍ରେମର ବିକୃଳ ସନ୍ନ୍ୟାସୀ, ସନ୍ନ୍ୟାସିନୀ ହୋଇ ସର୍ବନାଶ ତୀର୍ଥ ଉଦ୍ଦେଶ୍ୟରେ ଯାତ୍ରା କରି ଅଛନ୍ତି ।

 

ମହନ୍ତ ପଦୀ ପଳାଇ ଆସି ପୁରୀରେ ରହିଲେ । ଦେବତାଙ୍କ ପୁରାତନ ବା ଭଗ୍ନ ଅଳଙ୍କାର ଗୋପାଳପୁର ମଠର ଗନ୍ତାଘର ମଧ୍ୟରେ ଗୋଟାଏ ଭିନ୍ନ ବାକ୍‌ସରେ ରକ୍ଷିତ ହୁଏ । ମହନ୍ତ ଆସିବା ସମୟରେ ସେହି ବାକ୍‌ସଟି ଘେନି ଆସିଥିଲେ । ତନ୍ମଧ୍ୟରେ ଯେଉଁ ଅଳଙ୍କାର ଥିଲା, ସେଥର ମୂଲ୍ୟ ପଞ୍ଚସହସ୍ର ମୁଦ୍ରାରୁ ଊଣା ନୁହେଁ । ସେଥିରୁ କିଛି ବିକିଦେଇ ପୁରୀରେ ଘର ଭଡ଼ା ନେଇ ବାବାଜି ମାତାଜି ଆଖ୍ୟା ଧରି ଅବସ୍ଥାନ କଲେ । ପଦୀ ମହନ୍ତଙ୍କୁ ବାବୁ ବୋଲି ସମ୍ବୋଧନ କରେ, ବାବାଜି ପଦୀକୁ ମା ବୋଲି ଡାକନ୍ତି । କିଛିଦିନ ପରେ ଆଉ ପୁରୀ ନିବାସ ସୁଖକର ବୋଧହେଲା ନାହିଁ । କିପରି ବା ଭଲ ବୋଧ ହେବ ? ଦେବ ଭୋଗ୍ୟ ପକ୍ୱରମ୍ବା କି ଆମିଷଭୋଜୀ ମାର୍ଜାରର ପ୍ରିୟ ହେବ ? ପବିତ୍ର ତପୋବନରେ କି ସ୍ୱାଧ୍ୟାୟସର୍ବସ୍ୱ ମୁନି ଋଷି ବ୍ୟତୀତ ଦୁରାଚାରୀ ପିଶାଚ ବା ଭୂତପ୍ରେତ ରହି ପାରିବ ? ଗୋପାଳପୁର ଲୋକେ ଜଗନ୍ନାଥ ଦର୍ଶନକୁ ଯାଇ ସେମାନଙ୍କୁ ଦେଖିଲେ ଏବଂ ସେମାନଙ୍କ ଗୁଣଗ୍ରାମ ପ୍ରକାଶ କରିଦେଲେ । ତହିଁରେ ସେମାନେ ସାଧାରଣରେ ମୁହଁ ଦେଖାଇ ମୁଣ୍ଡ ଟେକି ଚାଲି ପାରିଲେ ନାହିଁ । ଏହା ହେଲା ପୁରୀ ତ୍ୟାଗର ଅନ୍ୟତମ କାରଣ । ଯାହାହେଉ ପୁରୀରୁ ଆସି ସେମାନେ ଇଚ୍ଛାବତୀ ପାଟଣାରେ ଉପସ୍ଥିତ ହେଲେ-। ସେଠାରେ ଭୂମି କିଣି ସ୍ୱତନ୍ତ୍ର ମଠ ନିର୍ମାଣପୂର୍ବକ ବାସ କରିବାର ପରାମର୍ଶ ଧାର୍ଯ୍ୟ ହେଲା ।

 

ଇଚ୍ଛାବତୀ ପାଟଣା ଗୋଟିଏ କ୍ଷୁଦ୍ର ଗ୍ରାମ । ଗ୍ରାମରେ ଭଦ୍ର ଜାତିର ବାସ ନାହିଁ । କେବଳ ଚଷା, ଚମାର, ଖଦାଳ (ପନ୍ଦରା), ଡମ୍ବ ପ୍ରଭୃତି ନିମ୍ନଶ୍ରେଣୀର ଲୋକେ ବାସ କରନ୍ତି । ଗ୍ରାମର ସୃଷ୍ଟି କାଳରୁ ବିଦ୍ୟା ତାହାର ସୀମା ସ୍ପର୍ଶ କରି ନାହିଁ । ଗ୍ରାମବାସୀଏ ବିଲର ଧାନ, ପୋଖରୀର ପାଣି, ବାଡ଼ିର ଫଳମୂଳ ବ୍ୟତୀତ ଅନ୍ୟ ସହିତ ତେତେ ପରିଚିତ ନୁହନ୍ତି । ସେମାନେ ଶିକ୍ଷିତ ନୁହନ୍ତି ପଛକେ ସୁଖ ସାରଲ୍ୟରେ ଅନେକ ଉଚ୍ଚ ଶିକ୍ଷିତଙ୍କଠାରୁ ଉଚ୍ଚରେ ଆସନ ଲାଭ କରି ପାରନ୍ତି । ମୁକ୍ତ ସ୍ୱାଧୀନତାର ଶୀତଳ ଛାୟା ସେହିମାନଙ୍କ ପ୍ରାଣରେ ପ୍ରତିଫଳିତ । ପ୍ରତ୍ୟହ ସେମାନେ ଶାନ୍ତିର ସ୍ୱର୍ଗଙ୍ଗା ସ୍ରୋତରେ ଅବଗାହନ କରନ୍ତି । ନବ୍ୟ ସଭ୍ୟତାର ଆଖିବୁଜା ଆଲୋକରେ ସେମାନଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହୋଇ ନାହିଁ । ମାର୍ଜିତ ରୁଚିସିଦ୍ଧ ଉଚ୍ଛୃଙ୍ଖଳ ଆଚାର ବ୍ୟବହାରର ପ୍ରଖର ସଂଘର୍ଷରେ ସେମାନଙ୍କ ହୃଦୟ ପିଷ୍ଟପେଷଣ ଯନ୍ତ୍ରଣା ଅନୁଭବର ସୌଭାଗ୍ୟ ଲାଭ କରି ନାହିଁ । ଉତ୍କଟ ଦେଶାଭିମାନ ଅର୍ଥାତ୍ ଅଖଣ୍ଡ ସ୍ୱାର୍ଥପରତାର ବଜ୍ର ବୋଝରେ ସେମାନଙ୍କ ମସ୍ତିଷ୍କ ଦୁର୍ବହ ଭାରାକ୍ରାନ୍ତ ହୋଇ ନାହିଁ କିମ୍ବା ନାଗରିକ ବିଳାସ ଉପଭୋଗ କରିବା ଭଳି ତପସ୍ୟା ସେମାନେ କରି ନାହାନ୍ତି । ସ୍ଥୁଳତଃ ଆଧୁନିକ ସଂସାର ସମ୍ବନ୍ଧରେ ସେମାନଙ୍କର ଆଣୁବୀକ୍ଷଣିକ ଜ୍ଞାନ ସୁଦ୍ଧା ନାହିଁ । ସମାଜର ନିମ୍ନସ୍ତରବାସୀ ହେଉନ୍ତୁ ପଛେ ସେହିମାନେହିଁ କେବଳ ପ୍ରକୃତ ଜୀବିତ । ସେମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଅଛି; ମାତ୍ର ତାହା ଈର୍ଷା-ବିଷାକ୍ତ ନୁହେଁ । ଈର୍ଷା ସ୍ଥାନ ସ୍ନେହ, ପ୍ରୀତି, ମୈତ୍ରୀ, ସାହାଯ୍ୟ, ସହାନୁଭୂତି ଅଧିକାର କରିଅଛି । ଶିକ୍ଷିତ ହୃଦୟସୁଲଭ ନିତ୍ୟ ଅଭାବର ତୀବ୍ର ହାହାକାର ସେମାନଙ୍କ ହୃଦୟ ଦ୍ୱାରରେ ଅତିଥି ହୁଏ ନାହିଁ । ସ୍ୱାବଲମ୍ବନ ଯାହାର ମୂଳମନ୍ତ୍ର, ବାହୁବଳ ଯାହାର ସମ୍ବଳ, ତାହା ପାଦରେ ଅଭାବ ସଭୟ କୋଟ ନମସ୍କାର କରେ ।

 

ଗ୍ରାମରେ ଠାକୁର ବାଡ଼ି ନାହିଁ । ପୁନେଇ ପର୍ବରେ ଗ୍ରାମବାସୀଏ ଦୁଇକୋଶ ଦୂରବର୍ତ୍ତୀ ଗ୍ରାମାନ୍ତରକୁ ଯାଇ ଠାକୁର ଦର୍ଶନ କରି ଆସନ୍ତି । ତାଙ୍କ ଗ୍ରାମରେ ବାବାଜି ମଠ କରି ରହିବେ, ଏହା ଶୁଣି ସେମାନେ ହୃଦୟକୁ ଅନିର୍ବଚନୀୟ ଆନନ୍ଦର ଆବାସ ଭୂମି କରି ପକାଇଲେ । ଅନେକେ କୁହାକୁହି ହେଲେ, ଆମ୍ଭ ଗ୍ରାମରେ ଠାକୁର ନାହାନ୍ତି; ଏଣୁ ଆମ୍ଭ ଗ୍ରାମକୁ ସମସ୍ତେ ଅପାଣ୍ଡବା ଗାଁ ବୋଲି ଟିକଲ କରନ୍ତି । ଏବେ ସେ ଅପବାଦ ଘୁଞ୍ଚିଯିବ । ଠାକୁରେ ରହିଲେ ଗାଁରୁ ରୋଗ ଆପଦ ଘୁଞ୍ଚିଯିବ; ଭୂତ, ପ୍ରେତ, ଡାଆଣୀ ଚିରକୁଣୀ କେହି ଗାଁରେ ପଶି ପାରିବେ ନାହିଁ । ଆମ ଗାଁ ଅପବିତ୍ର ଥିଲା, ଏବେ ପବିତ୍ର ହେବ । ଆମ୍ଭମାନେ ଠାକୁର ଦର୍ଶନ କରି ପିଣ୍ଡ ମୋକ୍ଷ କରିବା, ଏହାଠାରୁ ବଳି ସୌଭାଗ୍ୟର କଥା ଆଉ କଣ ଅଛି ? ମଙ୍ଗଳ ଆଳତି ଆଖିରେ ଦେଖିବା, ହରି ସଂକୀର୍ତ୍ତନ କର୍ଣ୍ଣରେ ଶୁଣିବା, ଘଣ୍ଟା, ଘଡ଼ି, ମୃଦଙ୍ଗ, କରତାଳି ଶବ୍ଦରେ ଗାଁ ପୁରିଉଠିବ । କେତେ ଯାତ୍ରା ପର୍ବ, କେତେ ଉତ୍ସବ ହେବ, ଭୋଜି ହେବ । ଆମ୍ଭେମାନେ ଗାଁ ଗାଁ ବୁଲି ଯାତ୍ରା ଦେଖୁଥିଲେ, ଏବେ ଚୂଡ଼ା ଚାଉଳ ବାନ୍ଧି ଆମ ଗାଁକୁ ଲୋକେ ଆସି ଯାତ୍ରା ଦେଖିବେ । ଗ୍ରାମବାସୀଏ ଏହିପରି କେତେ ଭବିଷ୍ୟତ ଆଶାର ସୋପାନ ବାନ୍ଧି ଅକରଗତ ଶୂନ୍ୟ ସୁଖ-ମୋଦକ ସେବନ କରିବାକୁ ଲାଗିଲେ । ସଫଳତାରେ ସିନା ମାନବର ହାତ ନାହିଁ; ମାତ୍ର ଆଶା ବାନ୍ଧିବା ଅଧିକାରରୁ ତାହାକୁ କିଏ ପ୍ରତିହତ କରି ପାରିବ ? ସେ ବିଷୟରେ ତାହାର କ୍ଷମତା ଅକ୍ଷୟ ଏବଂ ଅସୀମରୁ ଅସୀମ । ଆଶାଦେବୀଙ୍କର ସ୍ୱଭାବ, ସେ ଚତୁର୍ଦ୍ଦିଗକୁ ହସ୍ତ ପଦ ବିସ୍ତାର ନ କରି କଦାଚ ସଙ୍କୁଚିତ ହୋଇ ବସି ପାରନ୍ତି ନାହିଁ । ସେ କାମରୂପିଣୀ, କାୟା ବଢ଼ାଇଲେ ଲହମାକେ ବ୍ରହ୍ମାଣ୍ଡ ବ୍ୟାପି ଉପରକୁ ବାହାରି ଯାଇ ପାରନ୍ତି । ଆଶା ମାନସ କନ୍ୟା, ମାନସହିଁ ତାହାର ଉତ୍ପତ୍ତି, ପରିପୁଷ୍ଟି, ଉନ୍ନତି ଏବଂ ପ୍ରଭାବ ପ୍ରତିପତ୍ତିର କ୍ଷେତ୍ର । ଗ୍ରାମବାସୀମାନେ ବାବାଜି ମାତାଜିଙ୍କୁ ଆଗ୍ରହ ସହ ଗ୍ରହଣ କଲେ । ସେମାନଙ୍କ ରହିବା ସକାଶେ ଆପାତତଃ ଗୋଟିଏ ଘର ଛାଡ଼ିଦେଲେ । ପ୍ରକୃତ ସାଧୁଜ୍ଞାନରେ ସେମାନଙ୍କ ପ୍ରତି ଭକ୍ତି ବିଶ୍ୱାସ ପ୍ରକାଶ କରିବାକୁ ଲାଗିଲେ ।

 

ଅଳ୍ପଦିନ ପରେ ବାବାଜି ସେହି ଗ୍ରାମ ମୁଣ୍ଡରେ ଖଣ୍ଡେ ଡିହ କିଣି ମଠ ପ୍ରସ୍ତୁତ ସକାଶେ ଶୁଭ ଦେଲେ । ଘର ତୋଳା ହେଉଁ ହେଉଁ ଅନେକ ଥର ଭଙ୍ଗା ଗଲା । ଅଧାଅଧି ତିଆରି ହେଲା ପରେ ବାବାଜିଙ୍କ ମନୋମତ ନ ହେଲେ ଭଙ୍ଗାଯାଇ ପୁଣି ମୂଳରୁ ଆରମ୍ଭ ହୁଏ । ଏହିପରି ଅନେକ ଥର ଭଙ୍ଗା ଗଢ଼ା ହୋଇ ବର୍ଷକ ପରେ ମଠ ନିର୍ମାଣ ଶେଷ ହେଲା । ମଠର ନୂତନତ୍ୱ ଏହି ଯେ, ତାହା କୋଠି ବା ବଙ୍ଗଳା ଆଦର୍ଶରେ ନିର୍ମିତ ହୋଇଥିଲା । ମଝିରେ ପ୍ରକାଣ୍ଡ ମେଲା, ତାହାର ତିନି ପାଖରେ କ୍ଷୁଦ୍ର କ୍ଷୁଦ୍ର ପ୍ରକୋଷ୍ଠ ଏବଂ ଏକ ପାଖରେ ଓସାରିଆ ବାରନ୍ଦା ରହିଲା । ଅନନ୍ତର ଘରମାନ ମଣ୍ଡଣୀ ହେଲା । ଖଟ, ଆଲମାରି, ସିନ୍ଦୂକ, ଟେବୁଲ, ବେଞ୍ଚ, ଚୌକି, ଟୁଲ, ଟ୍ରଙ୍କ ପ୍ରଭୃତି ନବ୍ୟ ପ୍ରାଚୀନ ଉଭୟ ରୁଚିସିଦ୍ଧ ପଦାର୍ଥମାନ ସଂଗୃହୀତ ହୋଇ ଯଥାସ୍ଥାନରେ ସୁସଜ୍ଜିତ ହୋଇ ରହିଲା । ପ୍ରତି ଘରେ ଜରି ଝାଲରଯୁକ୍ତ ପଙ୍ଖା ଟଙ୍ଗା ହେଲା । ସୁନେଲୀ ଫର୍ମା ବନ୍ଧା ବିବିଧ ଚିତ୍ର ପଟରେ କାନ୍ଥମାନ ମଣ୍ଡିତ ହେଲା । ବିଲୋରି ହାଣ୍ଡି, ବିବିଧ ବର୍ଣ୍ଣର ଝାଡ଼, ଗ୍ଲାସରେ ଗୃହର ଛାତ ଶାରଦପର୍ବଣନୈଶାକାଶର ସୁଷମାକୁ ପରିହାସ କରିବାକୁ ଲାଗିଲା । ସେଥିରେ ଜ୍ୟୋତି କାଚ ଫଳକରେ ପ୍ରତିଫଳି ଯେଉଁ ଆଡ଼େ ଦେଖ ଶୋଭାର ହାଟ ବସିଅଛି । କେଉଁ ଅଂଶରେ ଚନ୍ଦ୍ରୋଦୟର ଦୃଷ୍ଟି ଅବସାଦର ଦୃଶ୍ୟ, କେଉଁ ଅଂଶରେ ଇନ୍ଦ୍ରଧନୁର ତରଙ୍ଗାୟିତ ଲୀଳା, କେଉଁ ଅଂଶରେ ବିଦ୍ୟୁଲ୍ଲତାର ବିଚକିତ ନୃତ୍ୟ, କେଉଁ ଅଂଶରେ ଚଳତାରକାର ଉଜ୍ଜ୍ୱଳ ହାସ୍ୟ, କେଉଁ ଅଂଶରେ ଘନର ନୀଳ କୋମଳ ଛାୟାପାତ, ଏହିପରି ବହୁ ଶୋଭାର ସୃଷ୍ଟି କଲା- ଯେପରି ଶୋଭା ଉପରେ ଶୋଭା ବିଞ୍ଛୁଡ଼ି ପଡ଼ିଅଛି । ସ୍ଥୂଳତଃ ପ୍ରକୋଷ୍ଠଗୁଡ଼ିକ ଚୂଡ଼ାନ୍ତ ବିଳାସର ସ୍ୱପ୍ନକୁଞ୍ଜ ତୁଲ୍ୟ ପ୍ରତୀତ ହେଲା । ମଠଟି ଯୋଗୀଯୋଗ୍ୟ କି ଭୋଗୀଭୋଗ୍ୟ, ତାହା କହିବାର ପ୍ରୟୋଜନ ନାହିଁ । କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ, ଯୋଗଦେବ ଏରୂପ ମଠର ନାମ ଶୁଣିଲେ ନିଶ୍ଚୟ ଉତ୍କଟ ମୂର୍ଚ୍ଛା ରୋଗରେ ଆକ୍ରାନ୍ତ ହେବେ । ମଠ ପ୍ରତିଷ୍ଠା ହେଲା ନାହିଁ । ବାବାଜି ମାତାଜିଙ୍କ ପୁଣ୍ୟସ୍ପର୍ଶରେ ତାହା ପବିତ୍ର ହୋଇଗଲା । ଉଭୟେ ପରମାନନ୍ଦରେ ଆସି ମଠରେ ବାସକଲେ । ଅଦୃଷ୍ଟ ଅଭିଳାସ ମଧ୍ୟରେ ମିତ୍ରତା ଘଟିଲେ ଆନନ୍ଦ ଆପେ ଆସି ଭୃତ୍ୟ ପଣରେ ଖଟେ, ଏହା ସର୍ବବାଦୀ ସତ୍ୟ । ସ୍ୱର୍ଗ ସୁଖ ସିନା ସନ୍ନ୍ୟାସୀ କୁଳର ପରମ ଲକ୍ଷ୍ୟ, ତାହା ମୃତ୍ୟୁ ପରେ ମିଳେ; ମାତ୍ର ଏ ପ୍ରେମ ସନ୍ନ୍ୟାସ ଦମ୍ପତ୍ତି ଦେହକେ ତାହା କରଗତ କଲେ । ଏତେଦିନେ ସେମାନଙ୍କର ବାବାଜି ମାତାଜି ଭେକ ସାର୍ଥକ ହେଲା । ବଜାର ସଉଦା ସକାଶେ ଜଣେ ଚାକର ନିଯୁକ୍ତ ହେଲା । ପାଣି ଦେବା, ବାସନ ମାଜିବା ଏବଂ ଘର ଓଳାଇବା ସକାଶେ ସ୍ୱତନ୍ତ୍ର ଚାକର ଚାକରାଣୀ ରହିଲେ । ମାତାଜି ରାନ୍ଧି ଶାଳଗ୍ରାମଙ୍କ ପାଖରୁ ପ୍ରସାଦ କରି ଆଣି ବାବାଜିଙ୍କୁ ଖୁଆଏ, ଆପେ ମଧ୍ୟ ଖାଏ, ଖାଦ୍ୟର ଆଡ଼ମ୍ବର ପ୍ରତି ବାବାଜିଙ୍କର ତେତେ ଦୃଷ୍ଟି ଥାଏ ନାହିଁ । ଦୃଷ୍ଟି କେବଳ ଘର ମରାମତି ଉପରେ । ଚାରୁପାଣି କିମ୍ବା ବାଇଗଣ ପୋଡ଼ାରେ ଅନ୍ନ ଉଠିଯାଏ । ଆଠକାଳୀ ବାରମାସୀ ମଠ ମରାମତି ଲାଗିଲା । ଅନାବଶ୍ୟକ ଦ୍ୱାର କଟା, ଦ୍ୱାର ମରା, କାନ୍ଥ ଘୁଞ୍ଚା, ଝରକା ବସା ପ୍ରଭୃତି ପ୍ରତ୍ୟହ ଲାଗିଥାଏ । ମଠରେ ମାତାଜିମାନେ ଆସି ରହନ୍ତି, ବାବାଜି ସେମାନଙ୍କୁ ଆଦର ପୂର୍ବକ ଡାକି ଆଣି ମଠ ଦେଖାନ୍ତି । ମାତ୍ର କୌଣସି ବାବାଜି କେବେ ମଠରେ ଅଭ୍ୟାଗତ ହୋଇଥିବାର କେହି ଦେଖି ନାହାନ୍ତି । ମଠ ନିର୍ମାଣ ପରେ ବାବାଜି ମାତାଜିଙ୍କ ବେଶଭୂଷାରେ ମନୋଯୋଗୀ ହେଲେ । ବଣିଆ ଓ ଦରଜି ମାସେ କାଳ ମଠରେ ବସି କାର୍ଯ୍ୟ କଲେ । ସୁନା ରୁପାର ଅଳଂକାରରେ ମାତାଜିଙ୍କ କୃଷ୍ଣକାନ୍ତି ଲୁଚିଗଲା । ବାବାଜିଙ୍କର କୋଟ, କାମିଜ, କଲର ପ୍ରଭୃତି ନବ୍ୟରୁଚି ଅନୁସାରେ କେତେ ଡଜନ ପ୍ରସ୍ତୁତ ହେଲା । ପ୍ରତି ଘଣ୍ଟାରେ ବାବାଜିଙ୍କର ବେଶ ପରିବର୍ତ୍ତନ ହୁଏ । ପଦୀ ମଧ୍ୟ ତହିଁକି ଊଣା ନୁହେଁ- ତାହାର ଆଠ ପ୍ରହରକୁ ଆଠ ରଙ୍ଗର ଲହଙ୍ଗା ତିଆରି ହେଲା । ବିଭିନ୍ନ ଫେସନର ଜୋତା ୧୦।୧୨ ହଳ, ଅନେକ ପ୍ରକାର ଛଡ଼ି, ସଝାଲର ବିବିଧ ବେଣ୍ଟର ଛତା କିଣା ଗଲା । ଏସେନ୍‌ସ ଗନ୍ଧରେ ଘର ବାହାର ମହକି ଉଠିଲା । ଦାଣ୍ଡକୁ ପୁଣି ଖଣ୍ଡିଏ ବୈଠକଖାନା ପ୍ରସ୍ତୁତ ହେଲା । ବାବାଜି ସର୍ବଦା ସେଠାରେ ବସି ଆଦିରସ ଗୀତ ଚୌପଦୀ ପ୍ରଭୃତି ଆବୃତ୍ତି କରନ୍ତି । ମାତାଜି ସେଥିରେ ପାଳି ଦିଏ । କେହି ପରିଚିତ ଲୋକ ଆସି ‘‘ବାବାଜି କଅଣ କରୁଛ’’ ବୋଲି ପଚାରିଲେ ବାବାଜି କହନ୍ତି, ‘କଅଣ କରିବି ବାବା, ‘ଯଥା ନିଯୁକ୍ତୋଽସ୍ମି ତଥା କରୋମି’, ପ୍ରଭୁ ଯାହା କରାଉ ଅଛନ୍ତି, ତାହା କରୁଛି ।’’ ଧନ୍ୟରେ ପଟୁଆରୀ ବୁଦ୍ଧି ! ଭଗବାନଙ୍କୁ ହୁଣ୍ଡା ଜ୍ଞାନରେ ଫାଙ୍କିଦେବାକୁ ବସିବା ତ ସାମାନ୍ୟ ଧନୁର୍ଦ୍ଧରତ୍ୱର କଥା ନୁହେଁ । ହାୟ, ଭଗବାନ୍ ! ପାପୀ ଆଜନ୍ମ ପାପକରି ନିଷ୍କାମ କର୍ମଯୋଗୀ ପରି କର୍ମ ଫଳ ତୁମ୍ଭଙ୍କୁ ଅର୍ପଣ କରିବାକୁ ପ୍ରସ୍ତୁତ । ଏହାଠାରୁ ବଳି ଅସ୍ୱାଭାବିକ ଅତିମାନୁଷୀ ସିହାଣପଣିଆ ଆଉ କ’ଣ ହୋଇପାରେ ? ତୁମ୍ଭଙ୍କୁ ଯେ ଭଣ୍ଡାଇବାକୁ ବସିଅଛି, ତୁମ୍ଭେ ଜଗତର ଚକ୍ଷୁର ଚକ୍ଷୁ ହେଲେ ସୁଦ୍ଧା ତୁମ୍ଭ ଆଖିରେ ଯେ ଧୂଳି ନିକ୍ଷେପର ସାହସ ବାନ୍ଧିଅଛି, ସେ ତୁମ୍ଭରି ସୃଷ୍ଟି ଜୀବ ତ ପ୍ରଭୋ ? ଏହି ବ୍ୟର୍ଥ ଦୂରାକାଙକ୍ଷା-ଶ୍ୱାନ ପୁଚ୍ଛ ଧରି ସେ ପାମର ତପ୍ତ ବୈତରଣୀ ପାର ହେବାକୁ ମାନସ କରିଅଛି-। ବ୍ୟଭିଚାରିଣୀ ପାପଗର୍ଭ କରି ସେହି ପାପ ସ୍ୱାମୀ ମୁଣ୍ଡରେ ଲଦିଲା ପରି ପାପୀ ଆତ୍ମକୃତ ପାପ ସକାଶେ ତୁମ୍ଭଙ୍କୁ ଦାୟୀ କରି ମୁକ୍ତ ହେବ, ଏହା ହାସ୍ୟରସର ଉପାଦାନ ସିନା । ଧର୍ମଦେବ, ତୁମ୍ଭେ ଏହି ଇହପର କାଳ ନଷ୍ଟକାରୀ ଭ୍ରଷ୍ଟ ଦୁଷ୍ଟ ପ୍ରତି ଅପାଙ୍ଗ ଦୃଷ୍ଟିରେ ସୁଦ୍ଧା ଥିରେ ଚାହିଁଲ ନାହିଁ । ଚୋର ଚୋରିକରି, ଆତତାୟୀ ନରହତ୍ୟା କରି, ଘର ପୋଡ଼ିଦେଇ କର୍ମଫଳ ଭଗବାନଙ୍କୁ ସମର୍ପଣ କରିଦେବ, ଏଥିରେ ତୁମ୍ଭେ ଧୈର୍ଯ୍ୟ ସମ୍ଭାଳି ରହି ପାରିବ ତ ? ଗ୍ରାମବାସୀମାନେ ବାବାଜି ମାତାଜିଙ୍କର ଏରୂପ ରସିକରସିକା ଭାବ ଦେଖି ସେମାନଙ୍କ ଚରିତ୍ର ପ୍ରତି ସନ୍ଦିହାନ ହେଲେ । ମଠରେ ମାଛ ଶୁଖୁଆର କଣ୍ଟା କାତି ପଡ଼ିଥିବାର ଅନେକ ଲୋକ ଅନେକ ଥର ଦେଖି ଅଛନ୍ତି । ଶୁକୁରିଆ ଧୋବା ସନ୍ଧ୍ୟାବେଳେ ବୋତଲ ଭିତରେ କଅଣ ଲୁଗା ଢାଙ୍କି ମଠକୁ ଆଣେ, ତାହା ମଧ୍ୟ କେହି କେହି ଦେଖିଲେଣି । ଏଥିରେ ସେମାନଙ୍କର ସନ୍ଦେହ ଆହୁରି ବୃଦ୍ଧି ଲାଭକଲା । ଶେଷରେ ସେମାନେ ଜାଣିପାରିଲେ ଯେ, ଯାହାକୁ ସେମାନେ କେତେ ଆଶା, କେତେ ଆନନ୍ଦରେ ତୁଳସୀ ଜ୍ଞାନରେ ଚଉଁରାରେ ଆଣି ରୋପଣ କରିଥିଲେ, ତାହା ତୁଳସୀ ନୁହେଁ, ବିଛୁଆତି । ଯାହାକୁ କନ୍ଦମୂଳ ମଣିଥିଲେ, ସେ ବଣ ଓଲପୁହା । ସେମାନେ ସିନା କୁଆମଣିତାର ବାହ୍ୟିକ ରକ୍ତିମା ଚହଟରେ ମୁଗ୍‌ଧ ହୋଇଥିଲେ; ମାତ୍ର ତାହା ତୀବ୍ର ତିକ୍ତ ବୋଲି କିଏ ଜାଣିଥିଲା ? ସରଳପ୍ରାଣ କୃଷକ ହୃଦୟରେ ଛନ୍ଦ କପଟ ଥାଏ ନାହିଁ । ସେମାନେ ଆଶୁ ବିଶ୍ୱାସୀ । ହେଙ୍ଗୁକୁ କସ୍ତୂରୀ ଭାବିଥିଲେ, ଏବେ ଗନ୍ଧରୁ ଚିହ୍ନିପାରି ନଷ୍ଟ ପ୍ରତିମା ଦୁହିଙ୍କ ପ୍ରତି ଭକ୍ତି ବିଶ୍ୱାସ ପ୍ରଦର୍ଶନରେ କୃପଣତା ପ୍ରକାଶ କଲେ; ମାତ୍ର ବାବାଜିଙ୍କର ସେଥିରେ ଭୂକ୍ଷେପ ନାହିଁ । ତାଙ୍କୁ କେହି ଭକ୍ତି କରୁ ବା ନ କରୁ ସେ ନିଜର ଟାଣ ଛାଡ଼ିବାର ପାତ୍ର ନୁହନ୍ତି । କେତେ ଟାହି ଟାପରା, କେତେ ଅପମାନ ବାକ୍ୟସବୁ ଜୀର୍ଣ୍ଣ କରି ବସିଲେ । ଏଥି ମଧ୍ୟରେ ମଦତର ମାତ୍ରା ବହୁଗୁଣରେ ବଢ଼ି ଉଠିଲା । ଯାହା ପୁଞ୍ଜି ଆଣିଥିଲେ, ତାହା କ୍ରମେ ସରି ଆସିଲା । କପର୍ଦ୍ଦକ ଆୟ ନାହିଁ ଅଥଚ ଜଳସ୍ରୋତ-ବତ୍ ଅନର୍ଗଳ ଖର୍ଚ୍ଚ, ଏଥିରେ କୁବେର ସମ୍ପତ୍ତି ସୁଦ୍ଧା ଉଡ଼ି ଯାଇପାରେ । କଥାରେ କହନ୍ତି–‘ବସି ଖାଇଲେ ଗଙ୍ଗାବାଲି ସରିଯାଏ ।’ ଧନ ସରି ଆସିଲା; ମାତ୍ର ବାବାଜି ଦମ୍ପତ୍ତିର ବିଳାସିତା ସରି ଆସିଲା ନାହିଁ, ପ୍ରତ୍ୟହଃ ପରିବୃଦ୍ଧି ଲଭିବାକୁ ଲାଗିଲା । ସେହି ଅଳଙ୍କାର ପ୍ରସ୍ତୁତ, ସେହି ପୋଷାକ କ୍ରୟ, ସେହି ଘର ମରାମତିର ବିରାମ ନାହିଁ । କ୍ରମେ ଦୋକାନୀ ପସାରୀମାନଙ୍କଠାରୁ କାଳିରେ ସଉଦା ଆସିବାର ଆରମ୍ଭ ହେଲା । ଦୁଇ ତିନି ମାସ ପରେ ସେମାନେ କିଛି ଆଦାୟ ନ ପାଇବାରୁ ଆଉ ଦେବାକୁ ଅସ୍ୱୀକୃତ ହେଲେ ଏବଂ ଟଙ୍କା ଆଦାୟ ସକାଶେ ଦୁଇଓଳି ମଠକୁ ଚାଲି ବାଟ ପକାଇଲେ-। ଯେତେବେଳେ ଦେଖିବ, ବାବାଜିଙ୍କୁ ପାଞ୍ଚଜଣ ଘେରି ବସିଅଛନ୍ତି । ସୁନାରୀର ଅଳଙ୍କାର ମୂଲ୍ୟ ବାକୀ, ଦରଜିର କୋଟ ମୂଲ୍ୟ ବାକୀ, ଫେରିବାଲାର ଅତର ମୂଲ୍ୟ ବାକୀ, ଏହିପରି ଚାଉଳ, ପରିବା, କାଠର ବାକୀ- କେତେ ଯେ ବାକୀ ସେଥିର ପରିସୀମା ନାହିଁ । ବାକୀଦାରମାନେ ସବୁବେଳେ ଆସି ତାଡ଼ନା କଲେ । ମାଇପେ ଛଟା ମେଲନ୍ତି, ‘‘କ୍ଷୁଦ୍ର କ୍ଷୁଦ୍ର ଋଣ ଦି ମାଇପ ଯାର, ଯମ ନେଲେ ତ ଥରେ ନିଅନ୍ତା ନିତି ମରଣ ତାର ।’’ ଏହା ଛଟା ନୁହେଁ, ବିଶୁଦ୍ଧ ବେଦବାଣୀ । ବାସ୍ତବରେ ଋଣ ଯନ୍ତ୍ରଣା ମରଣ ଯନ୍ତ୍ରଣାରୁ ବଳେ । ଜଳୌକା ରକ୍ତ ଶୋଷଣ କରେ; ମାତ୍ର ଉତ୍ତମର୍ଣ୍ଣ ଅଧମର୍ଣ୍ଣର ପ୍ରାଣକୁ ଏକାବେଳେକେ ପିଇ ଦିଏ । ଋଣ ଚିନ୍ତାର ଉତ୍ତାପ ବଡ଼ ଭୀଷଣ ଏବଂ ଅସହ୍ୟ-। ସେଥିରେ ଶରୀରର ଅସ୍ଥି ସୁଦ୍ଧା ପାଣି ହୋଇଯାଏ । ଶାକାନ୍ନଭୋଜୀ ଅଋଣୀ ଦରିଦ୍ରର ପର୍ଣ୍ଣକୁଟୀର, ଋଣୀ ନୃପତିର ରତ୍ନୋଜ୍ୱଳ ରାଜହର୍ମ୍ୟ ଅପେକ୍ଷା କୋଟି ଗୁଣରେ ସୁଖମୟ ଏବଂ ଶାନ୍ତିପ୍ରଦ । ଋଣଦାତାର ଦର୍ଶନ ମାତ୍ରେ ଋଣଗ୍ରସ୍ତର ରକ୍ତ ଶୁଖିଯାଏ । ଏରୂପ ଲକ୍ଷଣ ଅବଶ୍ୟ ସଜ୍ଜନ ପକ୍ଷରେ ସୁଲଭ । ମାତ୍ର ଦୁର୍ଜନର କଥା ସ୍ୱତନ୍ତ୍ର । ସୁତରାଂ ଏ ଋଣ ଚିନ୍ତା ମହନ୍ତଙ୍କ ପ୍ରାଣରେ ଅବସାଦ କିମ୍ବା ଭାବାନ୍ତରେ ଆଣି ପାରି ନ ଥିଲା । ସେ ଅକମ୍ପ ଅଟଳ । ନିର୍ଲଜ୍ଜତାର ଲୌହସାଞ୍ଜୁରେ ଦେହ ଆବୃତ କଲେ ଆଉ ବାକ୍ୟବାଣକୁ ଭୟ କଣ ? ଦେବା ଦେବା କହି ମହାଜନମାନଙ୍କୁ ନିତି ବହଲାଉ ଥାନ୍ତି । ମହାଜନମାନେ ତାହା ଶୁଣି ମର୍ମଭେଦୀ ପରିହାସପୂର୍ବକ କହନ୍ତି, ‘‘ଆଜି ଦେବା ମାସେ ପକ୍ଷେ, କାଲି ଦେବା ସମ୍ବତ୍ସରା, ଦେବା ଦେବା କହୁଥିଲେ ଯାବତ୍ ଚନ୍ଦ୍ରଦିବାକରା ।’’ ମାତ୍ର ବୃଥା ଏ ଗଞ୍ଜନା, ତାଡ଼ନା । କର୍ପୂରକୁ ପେଷଣ କଲେ ସାର ବାହାରିବ; ମାତ୍ର ସହସ୍ର ପ୍ରଚଣ୍ଡ ପେକ୍ଷଣରେ କାର୍ପାସରୁ କଅଣ ବାହାରି ପାରେ ? ମହାଜନମାନେ ଏହିପରି ପ୍ରତ୍ୟହ କାନମୁଣ୍ଡା ଆଉଁଷି ଫେରିଯାନ୍ତି ।

Image

 

ପଞ୍ଚଦଶ ପରିଚ୍ଛେଦ

ପରିଣାମ

 

ଦୁଇ ବର୍ଷ ପରେ ମଠରେ ଜଣେ ମାତାଜି ଆସି ଆଶ୍ରୟ ପ୍ରାର୍ଥିନୀ ହେଲେ । ବୟସ ୨୦।୨୧ ମଧ୍ୟରେ, ଉଜ୍ଜ୍ୱଳ ଗୌରବର୍ଣ୍ଣ । ପରିଧେୟ ମୋଟା ବସ୍ତ୍ର; ମାତ୍ର ଯୌବନର ସୌମ୍ୟ ସୌଦାମିନୀ ପ୍ରଭା ସେ ବହଳ ଆଚରଣ ଭେଦି ସେହି ବସ୍ତ୍ର ଉପରେ ଚହଟି ଯାଉଅଛି । ବାବାଜି ଆଦର ଆଗ୍ରହ ସହ ତାହାଙ୍କୁ ମଠରେ ଆଶ୍ରୟ ଦେଲେ । ମାତାଜିର ସ୍ଥୁଳ ପରିଚୟ ଏହି ଯେ, ସେ ଜଣେ ବ୍ରାହ୍ମଣ କନ୍ୟା । ତାହାର ପିତା ପାଞ୍ଚଶ ଟଙ୍କା ମାତ୍ର ନେଇ ଜଣେ ପୁତ୍ରପୌତ୍ରବାନ୍ ବୃଦ୍ଧ ସହିତ ତାହାକୁ ବିବାହ ଦେଇଥିଲା । ପନ୍ଦର ବର୍ଷ ବୟସରେ ବାଳିକାକୁ ଭାଗ୍ୟଦେବୀ ଛାଡ଼ପତ୍ର ପ୍ରଦାନ କଲେ । ସେ ବିଧବା ହୋଇ ସ୍ୱାମୀ ଗୃହରେ ରହିଲା । କେଜାଣି କି ଅଜ୍ଞାତ ଗୂଢ଼ କାରଣରୁ ବିରାଗଭାଜନ ହୋଇ ବର୍ଷେ ହେଲା ଘରୁ ବାହାରି ଆସି ମାତାଜି ହୋଇ ଅଛି । ପିତାର ଦୁଷ୍କରଣୀ ଏବଂ ନିଷ୍ଠୁର ସମାଜର ଦୁର୍ବିସହ ଦୌରାତ୍ମ୍ୟ ତାହାକୁ ଦାଣ୍ଡରେ ଠିଆ କରାଇ ଅଛି । ସମାଜର ଏ ନିର୍ମମ ବ୍ୟବହାରର ଗୁରୁଭାର କେତେ ଦିନେ ନିରୀହା ନାରୀ ଜାତିର ମସ୍ତକଚ୍ୟୁତ ହେବ, ତାହା କିଏ କହିପାରେ ? ସେହି ଶୁଭଦିନ କେଉଁ ଗଭୀର ଭବିଷ୍ୟତ୍ ସମୁଦ୍ରର ଅନନ୍ତ ଗର୍ଭରେ ନିହିତ ଅଛି, ସେଥିର ଆଭାସ ସୁଦ୍ଧା ମିଳୁ ନାହିଁ । ଏହିପରି ଘଟଣାଦ୍ୱାରା କେତେ ମହାପାପ, କେତେ ଭୃଣହତ୍ୟା ସଂଘଟିତ ହେଉଅଛି । ସେ ପାପ ସକାଶେ ସମାଜ ପୂର୍ଣ୍ଣତଃ ଅକ୍ଷମଣୀୟ ଦାୟୀ । ଏ ପାପ ପ୍ରକ୍ଷାଳନ ସକାଶେ ସମାଜ କି ପୁଣ୍ୟର ସଂସ୍କାର ଗଙ୍ଗାରେ ଅବଗାହନ କରିବ ନାହିଁ ? ଆଉ କେତେ ଦିନେ ସମାଜର ଏ କୁଗ୍ରହ ଦୋଷ କଟିବ, ତାହା କେହି ଜ୍ୟୋତିର୍ଗଣକ ଗଣନା କରିପାରୁ ନାହାନ୍ତି ।

 

ନବାଗତା ମାତାଜିର ନାମ ସୁଶୀଳ ଦାସୀ; ମାତ୍ର କାମ ସହିତ ନାମର ସମ୍ପର୍କ କିରୂପ, ସେଥିର ବିଚାର ତାହାରି ଉପରେ ନ୍ୟସ୍ତ । ପଦୀଠାରୁ ସୁଶୀଳା ଗୁଣବତୀ କି ନା ସେଥିର ପରୀକ୍ଷା ହୋଇ ନାହିଁ; ମାତ୍ର ପଦୀ ଅପେକ୍ଷା ଯେ ରୂପବତୀ, ସେଥିରେ ସନ୍ଦେହ ନାହିଁ । ସେହି ରୂପ ବାବାଜିଙ୍କୁ ଟିକିଏ ବିଚଳିତ କରିଦେଲା । ସୌନ୍ଦର୍ଯ୍ୟର ଭକ୍ତ କିଏ ନୁହେଁ ? ବୀର୍ଯ୍ୟ ବିଶ୍ୱବ୍ରହ୍ମାଣ୍ଡର ପ୍ରଭୁ; ମାତ୍ର ସୌନ୍ଦର୍ଯ୍ୟ ପଦରେ କ୍ରୀତ କିଙ୍କର । ମୃତ୍ୟୁର ଦୂତମାନେ ମୁମୂର୍ଷୁ ଆଗରେ ଗୋଟିଏ ଚିତ୍ତଲୋଲୁପ ସୁନ୍ଦର ଶରୀର ଆଣି ଦେଖାଇଲେ ମୁମୂର୍ଷୁର ଆତ୍ମା ସେହି ନବୀନ ଶରୀରର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ଜୀର୍ଣ୍ଣ ପ୍ରାଚୀନ ଶରୀର ପରିତ୍ୟାଗପୂର୍ବକ ତାହା ମଧ୍ୟକୁ ଡେଇଁପଡ଼େ, ଏହା ଶାସ୍ତ୍ରସିଦ୍ଧ କଥା । ବାବାଜିଙ୍କର ପ୍ରୀତି ବିଶ୍ୱାସ କ୍ରମେ କ୍ରମେ ପଦୀ ଦେହ ତ୍ୟାଗ କରି ସୁଶୀଳାକୁ ଆଶ୍ରୟ କଲା । ରନ୍ଧନଠାରୁ ଗୃହ ପର୍ଯ୍ୟବେକ୍ଷଣ ଓ ପରିଚାଳନ ପର୍ଯ୍ୟନ୍ତ ତାବତ୍ କାର୍ଯ୍ୟର ଭାର ନବୀନା ଉପରେ ପଡ଼ିଲା । ପ୍ରାଚୀନା ଦେହରୁ ଗୋଟାଏ ଗୋଟାଏ ଅଳଙ୍କାର ଆସି ମଧ୍ୟ ନବୀନାର ଅଙ୍ଗସଙ୍ଗ ଲାଭ କଲା । ଏଥିରେ ପଦୀର କ୍ରୋଧ, ଈର୍ଷା, ଅଭିମାନ ଅସମ୍ଭାଳ ହୋଇ ଉଠିଲା । ତାହାର ପ୍ରଣୟ ପସରା, ତାହାର ଏତେଦିନର ନ୍ୟାଯ୍ୟ ପ୍ରାପ୍ୟ ଅନ୍ୟ ଜଣେ ଛଡ଼ାଇ ନେବ, ଏହା କି ସହ୍ୟ ହେବାର କଥା ? ସେ ପ୍ରଥମେ କାନ୍ଥ ବାଡ଼କୁ ଲଗାଇ ଛଟା ଢଗ ମେଲି ରମ୍ପେଇ ଝମ୍ପେଇ ହେଲା । ତହିଁରେ କିଛି ଫଳ ନ ହେବାରୁ ଆଗନ୍ତୁକା ସହ ପ୍ରଚଣ୍ଡ କଳହର ସୂତ୍ରପାତ କରି ବସିଲା । ସୁଶୀଳା ମଧ୍ୟ ସେ ବିଦ୍ୟାରେ ଅନିପୁଣା ନୁହେଁ; ମାତ୍ର ପ୍ରତିଯୋଗିତା କ୍ଷେତ୍ରରେ ପଦୀର ସମକକ୍ଷ ହେବା ଭଳି ବିଦ୍ୟା ତାର କାହିଁ ? ସେ ପରାସ୍ତ ହୋଇ ‘ଅଶ୍ରୁବିନ୍ଦୁହିଁ ଦୁର୍ବଳର ବଳ’ ଏହି ନୀତିର ଅନୁବର୍ତ୍ତନୀ ହୁଏ । ବାବାଜି ଏ ଉଗ୍ରଚଣ୍ଡୀ ଉପଦ୍ରବରେ ବଡ଼ ବିରକ୍ତ ହୋଇ ପଦୀ ଉପରେ ଅନର୍ଗଳ ଗାଳି ବର୍ଷଣ କରନ୍ତି ଏବଂ ସମୟ ସମୟରେ ବାବାଜିଙ୍କ ହସ୍ତମାଧୁରୀ ସୁଦ୍ଧା ତାହାକୁ ପୁଷ୍ଠ ତୁଣ୍ଡରେ ଆସ୍ୱାଦନ କରିବାକୁ ପଡ଼େ । ଦୁଇ ମାତାଜିଙ୍କ କଳହରେ ଗ୍ରାମସାରା ଉଛୁଳି ଉଠେ । ଗ୍ରାମବାସୀଏ ‘‘ଆସରେ ଯୁଗଳ ମଠର ଯୁଗଳ ମୂର୍ତ୍ତିଙ୍କ ଲୀଳା ଦେଖିବା’’ ବୋଲି ଡକାଡକି ହୋଇ ଧାଇଁ ଆସନ୍ତି । ପିଲାମାନେ କହନ୍ତି–‘‘ଏକ ବାବାଜି କି ଦୁଇ ମାତାଜି, ଗୋଟିକୁ ମାଡ଼ ଗୋଟିକୁ ରାଜି’’, ଏହା କହି ମଠପାଖରେ କରତାଳି ଦେଇ ନାଚନ୍ତି । ପରିହାସରେ ଲୋକେ ଯୁଗଳ ମଠ ବୋଲି କହୁଁ କହୁଁ ମଠଟି ସାଧାରଣରେ ଯୁଗଳ ମଠ ନାମରେ ପରିଚିତ ହେଲା ।

 

ଆକଣ୍ଠ ଅଶାନ୍ତି ଉପଦ୍ରବ ମଧ୍ୟରେ ବାସ କରି ବାବାଜି କିଂକର୍ତ୍ତବ୍ୟବିମୁଢ଼ ହୋଇ ପଡ଼ିଲେ । ଯାହାହେଉ ଅନେକ ଭାବନା ଚିନ୍ତା ପରେ ଗୋଟାକୁ ବାହାର କରି ଦେବା ସିଦ୍ଧାନ୍ତ କଲେ-। କାହାକୁ ବାହାର କରିବେ, ନୂତନଠାରୁ ପ୍ରାଚୀନରେ ଆଦର ଊଣା, ଏହା ସ୍ୱାଭାବିକ । ଫୁଲଟା ବାସି ହୋଇଗଲେ ଫୋପାଡ଼ି ଦେବାକୁ ହୁଏ । ସୁତରାଂ ପଦୀକୁ ବାହାର କରିବା ସାର ହେଲା । ବୈଷ୍ଣବ ମହନ୍ତ ହୋଇ ତନ୍ତିଆଣୀଟା ହାତରେ ଖାଇବା ଦୋଷାବହ, ଏହା ହେଲା ପଦୀକୁ ତ୍ୟାଗ କରିବାର ଅନ୍ୟତମ କାରଣ । ମାତ୍ର କିପରି ତ୍ୟାଗ କରିବେ, ତାହାର ଗୋଟାଏ ଗୁରୁତର ଦୋଷ ନ ଦେଖାଇଲେ ତ ନ ହୁଏ । ତହୁଁ ବାବାଜି ପଦୀର ଦୋଷ ଖୋଜି ବୁଲିଲେ । ଦୋଷ ଖୋଜିଲେ ଦୋଷ ମିଳେ, ତାହା ବା ବାବାଜିଙ୍କୁ ଅସୁଲଭ କାହିଁକି ହେବ ? ଦିନେ ମଦତ ପାଗ ପୋଡ଼ି ଦେବାର ଛଳନା କରି ବାବାଜି ପଦୀଠାରୁ ସମସ୍ତ ଅଳଙ୍କାର ଛଡ଼ାଇ ନେଇ ତାକୁ ମଠରୁ ତଡ଼ିଦେଲେ । ପଦୀ ଆଉ କଅଣ କରିବ, କର୍ମ ଅବଳ ବେଳେ ଯାହା ମନରେ ନ ଥାଏ, ତାହା ଆସି ଘଟେ । ସେ ଅନେକ ସହି ଥିଲା; ମାତ୍ର ଉପସ୍ଥିତ ଲାଞ୍ଛନା ଆଉ ସହି ପାରିଲା ନାହିଁ । ମହନ୍ତଙ୍କ ସପ୍ତପୁରୁଷ ଉଦ୍ଦେଶ୍ୟରେ ଶ୍ରାଦ୍ଧମନ୍ତ୍ର ଉଚ୍ଚାରଣପୂର୍ବକ ସେ ବାହାରି ଯାଇ ଗ୍ରାମ ଗ୍ରାମ ବୁଲି ଭିକ୍ଷାଦ୍ୱାରା ଜୀବନଯାତ୍ରା ନିର୍ବାହ କରିବାକୁ ଲାଗିଲା । ଉତ୍କଟ ସଂକଟପୀଡ଼ା କବଳରୁ ମୁକ୍ତି ଲାଭ କଲେ ଯେରୂପ ନବ ଜୀବନ ମିଳିଲା ପରି ବୋଧହୁଏ, ବାବାଜି ଠିକ୍ ସେହିପରି ଜ୍ଞାନକଲେ ଏବଂ ଆନନ୍ଦରେ ନବୀନା ମାତାଜିଙ୍କ ସହ ନିଷ୍କଣ୍ଟକରେ ନିରୁପଦ୍ରବରେ ବାସ କରିବାକୁ ଲାଗିଲେ । ବାବାଜି ସୁଶୀଳାକୁ କେବେ ସ୍ନେହରେ ‘‘ହେମା’’ ଏବଂ କେବେ ବା ଝିଅ ବୋଲି ସମ୍ବୋଧନ କରନ୍ତି । ସୁଶୀଳା ବାବାଜିଙ୍କୁ କେବଳ ‘ହଇ ରେ’ ବୋଲି ଡାକେ । ପଦୀ ବାବାଜିଙ୍କ ପ୍ରତି ଅଗୌରବ ଭାଷା କେବେ ବ୍ୟବହାର କରେ ନାହିଁ; ମାତ୍ର ସୁଶୀଳା ବଡ଼ ତୁଚ୍ଛ କରି କହେ । ବାବାଜି ସେଥିରେ ଦୁଃଖିତ ନ ହୋଇ ବରଂ ସେହି ପରୁଷ ବଚନକୁ ଭାଗ୍ୟର ବର ବୋଲି ମଣନ୍ତି । ଯେପରି ତାଙ୍କର ଆଜନ୍ମ ଅନ୍ୱେଷିତ ଆକାଙ୍‌କ୍ଷିତ ପଦାର୍ଥ ଅକସ୍ମାତ୍ ମିଳିଗଲା, ସେହିପରି ଜ୍ଞାନ କରନ୍ତି । ସ୍ଥୂଳତଃ ସୁଶୀଳାର ଗାଳିକୁ ସେ ଏରୂପ ରୁଚିକର ଜ୍ଞାନ କରନ୍ତି ଯେ, ତାହା ଶିଶୁମାନଙ୍କ ମିଷ୍ଟାନ ଭକ୍ଷଣ ରୁଚିକୁ ବଳିଯାଏ । ଯାହାର ଯହିଁରେ ପ୍ରୀତି, ତାହାର ଦୋଷ ଗୁଣ ସେ ଧରେ ନାହିଁ, ଏହା ନିତ୍ୟ ପ୍ରତ୍ୟକ୍ଷ କାହିଁକି, ନିତ୍ୟ ଅନୁଭୁତିର ବିଷୟ । ମହାଦେବ ଚନ୍ଦନ କର୍ପୂର ଛାଡ଼ି ଭସ୍ମ ବୋଳି ହୁଅନ୍ତି ଏବଂ ରତ୍ନାଳଙ୍କାର ପ୍ରତି ଉପେକ୍ଷା ପ୍ରଦର୍ଶନପୂର୍ବକ କାଳସର୍ପ ଧାରଣ କରନ୍ତି । ସେହି ଭସ୍ମ ତାହାଙ୍କୁ ନିକଟରେ ଚନ୍ଦନ କର୍ପୁର ଏବଂ ସେହି କାଳସର୍ପ ହିଁ ରତ୍ନାଳଙ୍କାରସ୍ୱରୂପ ।

 

ପଦୀକୁ ବାହାରି କରି ଦେଇ ବାବାଜି ଜଞ୍ଜାଳ ମୁକ୍ତ ହେବେ ବୋଲି ଭାବିଥିଲେ; ମାତ୍ର ଫଳରେ ବିପରୀତ ହେଲା । ସେ ସଯତ୍ନରେ ଯେଉଁ ନବଧୁତା ବାଘୁଣୀକୁ ପୋଷିଥିଲେ, ଏଣିକି ତାହାର ବିକଟ ଚିତ୍କାର ଆରମ୍ଭ ହେଲା । ତାହାର ନିତ୍ୟ ନୂତନ ଅଳଙ୍କାର ଏବଂ ନିତ୍ୟ ନୂତନ ବସ୍ତ୍ର ବ୍ୟତୀତ ଅନ୍ୟ କାହିଁରେ ପ୍ରୀତି ନାହିଁ । ଏଣେ ବାବାଜି ଶୂନ୍ୟହସ୍ତ, କଣ କରିବେ ଏହି ଚିନ୍ତାରେ ବିବ୍ରତ ହେଲେ । ଶେଷରେ ଉପାୟାନ୍ତର ଅଭାବରେ ନିଜର ସୌଖିନ ପଦାର୍ଥରୁ ଗୋଟିଏ ଗୋଟିଏ ବନ୍ଧା ପକାଇ ଚଣ୍ଡୀକାଙ୍କ ବାଞ୍ଛିତ ବସ୍ତ୍ରାଳଙ୍କାର ଯୋଗାଇଲେ; ମାତ୍ର କଳନ୍ତର ମୂଳକୁ ବଳିଯିବାରୁ ଆଉ ତାହା ମୁକୁଳାଇ ପାରିଲେ ନାହିଁ । ଦାଣ୍ଡକୁ ଆସିଲେ ମହାଜନମାନଙ୍କର ତାଡ଼ନା, ଘରକୁ ଗଲେ ମାତାଜିଙ୍କର ଗଞ୍ଜଣା, ବାବାଜି ମହା ବ୍ୟତିବ୍ୟସ୍ତରେ ପଡ଼ିଲେ । ଜଳରେ କୁମ୍ଭୀର ଭୀତି, ସ୍ଥଳରେ ବ୍ୟାଘ୍ର ଭୀତି, ଏ ଉଭୟ ସଙ୍କଟ ମଧ୍ୟରେ ମୁଣ୍ଡ ଗୁଞ୍ଜିବାକୁ ଠାବ ମିଳିଲା ନାହିଁ । ମହାଜନଙ୍କ କଥା କିଏ ପଚାରେ, ଉଗ୍ରଚଣ୍ଡୀଙ୍କ ପୂଜାରେ ବ୍ୟାଘାତ ଘଟିଲେ ତାହାଙ୍କ କ୍ରୋଧ-ଖର୍ପରରେ ପଡ଼ିବାକୁ ହେବ । ଏହି କଥା ଆଲୋଚନା କରି ବାବାଜି ଗୋଟିଏ ଗୋଟିଏ ପଦାର୍ଥ ବିକ୍ରୟ କରିବାକୁ ଆରମ୍ଭ କଲେ । କ୍ରମେ କ୍ରମେ ସମସ୍ତ ଶେଷ ହେଲାରୁ ପଛକୁ ଘର ଭଡ଼ା ଦେଇ ଅର୍ଥୋପାର୍ଜ୍ଜନରେ ପ୍ରବୃତ୍ତ ହେଲେ । ମାତ୍ର ତାହା ଓଟ ମୁହଁକୁ ଜୀରା । ସେ ସାମାନ୍ୟ ଅର୍ଥ ତାଙ୍କର ନିଶା ଖର୍ଚ୍ଚକୁ ନିଅଣ୍ଟ । ଏଣେ ବର୍ତ୍ତନ ନ ପାଇବାରୁ ଚାକର ଚାକରାଣୀମାନେ ମଠକୁ ଆସିଲେ ନାହିଁ-। ସେମାନଙ୍କ କାର୍ଯ୍ୟ ଅଗତ୍ୟା ବାବାଜିଙ୍କୁ କରିବାକୁ ହେଲା । ସୁଶୀଳାର ଶ୍ୱାସରୋଗ, ସୁତରାଂ ରନ୍ଧନ କାର୍ଯ୍ୟର ଭାର ସୁଦ୍ଧା ବାବାଜିଙ୍କ ସ୍କନ୍ଧରେ ପଡ଼ିଲା । କିଛିଦିନ ପରେ ଶ୍ୱାସରୋଗୀ ସଂସ୍ରବରେ ବାବାଜି ମଧ୍ୟ ସେହି ରୋଗରେ ଆକ୍ରାନ୍ତ ହେଲେ । ଏହି ସମୟରେ ଋଣଦାତାମାନେ ମୋକଦ୍ଦମା କରିବାର ଭୟ ଦେଖାଇଲେ । ଅତିରିକ୍ତ ପରିଶ୍ରମ, ରୋଗ ଚିନ୍ତା ଏବଂ ଋଣ ଚିନ୍ତାରେ ବାବାଜିଙ୍କର ସେହି ରୋଗ ପ୍ରବଳତର ହୋଇ ଉଠିଲା । ତାହା ଉପରେ ଅଭାବର ତୀବ୍ର କଷାଘାତ, ଏମନ୍ତ କି ସମୟ ସମୟରେ ଉପବାସ ପର୍ଯ୍ୟନ୍ତ ସହ୍ୟ କରିବାକୁ ହେଲା । ମଦତ ଅଭାବରୁ ଶ୍ୱାସରୋଗ କ୍ରମେ ରାଜଯକ୍ଷ୍ମାରେ ପରିଣତ ହେଲା ।

 

ସବୁ ବିକ୍ରୟ ସରିଲା, ଏବେ ମଠଟି କେବଳ ବାବାଜିଙ୍କର ସମ୍ବଳ । ଜଣେ କୁମୁଟିକୁ ତାହା ରହଣ ବନ୍ଧକ ଦେଇ ଯାହା ଆଣିଲେ, ତାହା ଋଣ ପରିଶୋଧକୁ ନିଅଣ୍ଟ ହେଲା । ବାବାଜିଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ଉଠିଲା । ତିନି ଦିନ ପର୍ଯ୍ୟନ୍ତ ଖାଡ଼ାଖାଡ଼ ଉପବାସ କଷ୍ଟ ସହି ସୁଦ୍ଧା ପାପୀୟସୀ ସୁଶୀଳା ଦେହରୁ ଖଣ୍ଡିଏ ଅଳଙ୍କାର ବାହାର କଲା ନାହିଁ । ବାବାଜି ରୋଗରେ ଶଯ୍ୟାଶାୟୀ ହେଲେ । ଗ୍ରାମବାସୀମାନେ ଆସି ଦୟାପରବଶ ହୋଇ ଚିକିତ୍ସାର ସୁବ୍ୟବସ୍ଥା କଲେ; ମାତ୍ର କୌଣସି ଫଳ ହେଲାନାହିଁ । ଦେଖୁ ଦେଖୁ ତାହାଙ୍କ ପ୍ରାଣବାୟୁ ଅନନ୍ତ ପାର୍ଥିବ ବାୟୁରେ ମିଳାଇ ଗଲା । ମୃତ୍ୟୁ ତାହାଙ୍କୁ ଶୋକ, ତାପ, ଅପମାନ, ଲଜ୍ଜାପୀଡ଼ା, ଚିନ୍ତା ପ୍ରଭୃତି ସମସ୍ତ ଯନ୍ତ୍ରଣାରୁ ମୁହୁର୍ତ୍ତକ ମଧ୍ୟରେ ମୁକ୍ତ କରିଦେଲା । ମୃତ୍ୟୁ ମାନବର ପ୍ରକୃତ ବନ୍ଧୁ । ସେ ମାନବକୁ ସଂସାର ଜଞ୍ଜାଳହସ୍ତରୁ ଛଡ଼ାଇ ନେଇ ନିଶ୍ଚିକ୍ତ ନିରୁପଦ୍ରବ ଦେଶକୁ ଘେନିଯାଏ । ସାମ୍ୟନୀତିସର୍ବସ୍ୱ ମୃତ୍ୟୁଦେବ ପାପୀ ଧାର୍ମିକର ଭେଦ ପରିହାରପୂର୍ବକ ସମାନ ସ୍ନେହ, ସମାନ ଆଗ୍ରହରେ ଉଭୟକୁ ସ୍ୱୀୟ ଅମୃତ ଅଙ୍କସିଂହାସନରେ ଅଭିଷିକ୍ତ କରନ୍ତି । ସେ ଚିର ନିର୍ବିକାର ଏବଂ ଚିର ନିରପେକ୍ଷ ।

 

ମହନ୍ତଙ୍କ ମୃତ୍ୟୁପରେ ସୁଶୀଳା ମଠ ପରିତ୍ୟାଗ ପୂର୍ବକ ଦେବଦାସୀ ହେବା ଉଦ୍ଦେଶ୍ୟରେ ପୁରୀ ଅଭିମୁଖରେ ଯାତ୍ରା କଲା । ସେ ଅନ୍ୟ ପଥରେ ନ ଯାଇ ନୌକାରୋହଣରେ ଚିଲିକା ହ୍ରଦ ମଧ୍ୟରେ ଅଗ୍ରସର ହେଲା । ମାତ୍ର ଅର୍ଦ୍ଧ ପଥରେ ପ୍ରବଳ ଝଟିକା ବେଗରେ ନୌକା ଜଳମଗ୍ନ ହେବାରୁ ସେହି ଚିଲିକାର ଅତଳ ଗର୍ଭରେ ତାହାର ପାପର ସମୁଚିତ ପ୍ରାୟଶ୍ଚିତ୍ତ ସାଧିତ ହେଲା ।

 

ବର୍ତ୍ତମାନ ଆଉ ମଠ ନାହିଁ । ତାହା ଆସ୍ମିକ ଅଗ୍ନ୍ୟୁପଦ୍ରବରେ ଭସ୍ମୀଭୂତ ହୋଇ ଯାଇଅଛି-। ଅଛି କେବଳ ମଠର ଡିହ । ପଥିକମାନେ ଯିବା ସମୟରେ ଅଙ୍ଗୁଳ ସଂକେତରେ ପରସ୍ପରକୁ ଚିହ୍ନାଇ ଦେଇ କହନ୍ତି, ‘‘ଏହିଠାରେ ଯୁଗଳ ମଠ ଥିଲା ।’’ ବାବାଜି ମାତାଜି ଉଭୟେ କାଳର ଅଦୃଶ୍ୟ ଗର୍ଭରେ ବିଲୀନ ହୋଇ ଅଛନ୍ତି । କେବଳ ମଠ ତଳି ଭୂମି ସେମାନଙ୍କର କଳଙ୍କମୟ ଅଧମ ସ୍ମୃତି ବହନ କରି ଅଦ୍ୟାବଧି ନୀରବ ଭାଷାରେ ଦର୍ଶକମାନଙ୍କୁ ସତର୍କ କରାଉଅଛି ।

Image